You are currently viewing ତୁମ ପ୍ରେମିକା
ତୁମ ପ୍ରେମିକା

ତୁମ ପ୍ରେମିକା

ଶାନ୍ତ ସମୁଦ୍ରରେ ଘୂର୍ଣ୍ଣି ଝଡ଼ ସୃଷ୍ଟି ହୋଇ ତା’ ବକ୍ଷକୁ ଆନ୍ଦୋଳିତ କଲା ଭଳି ମୋ ମନକୁ ଦୋହଲେଇ ଦେଇଥିଲା ତୁମର ସେ କେଇ ପଦ କଥା । ପାଦ ତଳୁ ଯେମିତି ହଠାତ ଭୂମିଟା ଖସି ଯାଉଥିଲା ଦୂରକୁ ଦୂରକୁ । ଦୀର୍ଘ ଦିନର ବ୍ୟବଧାନ ପରେ ମୁଁ ତୁମକୁ ଫୋନ କରିଥିଲି ଭଲ ମନ୍ଦ ପଚାରି ବୁଝିବା ପାଇଁ, ହେଲେ ଏମିତି ଏକ ସମ୍ବାଦ ପାଇବି ତାହା ମୋ ଚିନ୍ତାର ବାହାରେ ଥିଲା । ଯଦିଓ ବହୁତ ଆଗରୁ ନିଶ୍ଚିତ ଥିଲେ ଆମେ ଏକାଠି ହୋଇପାରିବା ନାହିଁ, ତଥାପି ମୋ ମନରେ ଯେଉଁ କ୍ଷୀଣ ଆଶା ଟିକକ ଥିଲା ତାହା ସେଦିନ ମଉଳି ଯାଇଥିଲା । ବିଚଳିତ ହୋଇପଡ଼ିଥିଲି ମୁଁ । ତୁମ ସହ ଆଉ କାହାକୁ ଦେଖିବା ମୋ କଳ୍ପନା ବାହାରେ ଥିଲା, କାହିଁକି ନା ତୁମ ଡାହାଣ ପାଖରେ ଛିଡ଼ା ହବାର ସ୍ୱପ୍ନରେ ସର୍ବଦା ମୁଁ ବୁଡ଼ି ରହୁଥିଲି । ମୁଁ କିଛି ପଚାରିବା ପୂର୍ବରୁ ତୁମେ କହିଲ, “ଲଗ୍ନ ଧରା ହେଲା ଆଜି, ଆଉ ସାତ ଦିନ ପରେ ବାହାଘର ।” ମୁଁ କଥାଟିକୁ ସହଜରେ ଗ୍ରହଣ କରିପାରୁନଥିଲି । “ଏତେ ଶୀଘ୍ର? କାହିଁ ଆଗରୁ କିଛି କହୁ ନଥିଲ ତ?” ମୋ ପ୍ରଶ୍ନର ଉତ୍ତର ନଦେଇ କହିଲ, “ତୁମେ ମତେ ଆଉ ଫୋନ କରିବ ନାହିଁ ।” କେତେ ନିଷ୍ଠୁର ଭାବରେ କହିଥିଲ ! ଏକଥା ଯେତିକି ଦୁଃଖ ଦେଇନଥିଲା, ତା’ଠୁ ଅଧିକ ଦୁଃଖ ଦେଲା ଯେବେ ତୁମେ କହିଲ କି ମୁଁ ତୁମ ସ୍ତ୍ରୀ ହେଇପାରେ ହେଲେ ତୁମ ଘରର ବୋହୂ ନୁହେଁ । ଏହାର କାରଣ ଥିଲା ମୋର ଉଚ୍ଚ ଶିକ୍ଷା ଆଉ ଚାକିରୀ କରିବାର ଇଚ୍ଛା । ସମସ୍ତେ ଏକଥା କହିଥିଲେ, ହେଲେ ତୁମେ କେବେ ଏପରି କହିବ ଆଶା କରିନଥିଲି । ତୁମେ ଯେ କେବେ ମୋ କର୍ତ୍ତବ୍ୟପରାୟଣତା ଉପରେ ସନ୍ଦେହ କରିବ ତାହା ମୋ ଚିନ୍ତାର ବାହାରେ ଥିଲା । ମତେ ଲାଗେ ଦୁନିଆରେ ଯଦି କେହି ମତେ ଭଲ ଭାବରେ ବୁଝିଛି ସେ ହେଉଛ ତୁମେ । ତୁମେ ହିଁ ତ କୁହ ନିଜ ମା ପେଟରୁ କେହି ସବୁକିଛି ଶିଖିକରି ଆସିନଥାଏ ବୋଲି । ହେଲେ ସେଦିନ ତୁମ ପରିବର୍ତ୍ତିତ ଚିନ୍ତାଧାରାର କାରଣ ମୁଁ ବୁଝିପାରିନଥିଲି । ମୋର ସବୁ ଗୁଣ ଦୋଷ ଜାଣି ବି ତ ମତେ ଆପଣେଇଥିଲ । ପ୍ରେମର ବହ୍ନି ପ୍ରଥମେ ମୋ ହୃଦୟରେ ଜଳିଥିଲା ସତ ହେଲେ ମୁଁ ତ କେବେ ମନ କଥା ଓଠ ଉପରକୁ ଆଣିନଥିଲି । ତୁମକୁ ହୃଦୟରେ ପୂଜା କରୁଥିଲି, କାହିଁକି ନା ମୋ ପ୍ରେମଥିଲା ନିଃସର୍ତ୍ତ । ପ୍ରତିବଦଳରେ ତୁମଠୁ ଭଲପାଇବାର ଆଶାଟା କାଳେ ସର୍ତ୍ତଯୁକ୍ତ ପ୍ରେମ ହେଇଯିବ, ଆଉ ଯଦି କାଳେ ତୁମେ ନା କହିଦେବ; ସେଥିପାଇଁ ଚୁପ୍ ଥିଲି । ଆକାଶରୁ ତାରା ଖସିଲାବେଳେ ଆଖି ବନ୍ଦ କରି କିଛି ମାଗିଲେ ସତ ହୁଏ ବୋଲି ଶୁଣିଥିଲି । ହେଲେ ସେ ତାରାକୁ କ’ଣ ମାଗିଥିଲି ଜାଣ? “ଯଦି ମୋ ପ୍ରେମ ସତ ହେଇଥାଏ, ସେ ଦିନେ ନା ଦିନେ ମୋ ପାଖକୁ ଆସିବେ ।” ବିଶ୍ୱାସ କର କେବେବି ସିଧାସଳଖ ତୁମକୁ ମାଗି ନାହିଁ ।

ମନେ ଅଛି ଆମ ଦୁଇ ଜଣଙ୍କ ପ୍ରଥମ ଦେଖା? ଲଳିତ କଳା ଏକାଡେମୀ ଚିତ୍ର ପ୍ରଦର୍ଶନୀର କଥା । ଗୋଟିଏ ଚିତ୍ରକୁ ନିମଗ୍ନ ହୋଇ ଉଭୟ ଦେଖୁଥିଲେ । ଦେଖିସାରି ବୁଲି ପଡ଼ିଲା ବେଳକୁ ଶକ୍ତ ଭାବରେ ଧକ୍କା ହେଇଥିଲେ ପରସ୍ପର ସହ ଆଉ ଉଚ୍ଚା ହିଲ୍ ଥିବା ଜୋତା ପିନ୍ଧିଥିବା ଯୋଗୁଁ ଚଟାଣରେ କଚାଡ଼ି ହେଇ ପଡ଼ିଯାଇଥିଲି । ତୁମେ ମତେ ଉଠାଇଲା ପରେ ଲାଜରେ ଦୌଡ଼ି ପଳାଇବାକୁ ବ୍ୟଗ୍ରଥିଲି । ତୁମେ ପଚାରିଲ, “ତୁମେ କଣ ଚିତ୍ର ଆଙ୍କ?” ମଥା ହଲେଇ ତୁମକୁ ମଧ୍ୟ ସମାନ ପ୍ରଶ୍ନ ପଚାରିଥିଲି । ତୁମେ କହିଲ, “ଏଇଟା ନିଶା, ପେଶା ଆଉ କିଛି ।” ପ୍ରଥମ ଦେଖାରେ ତୁମ ପ୍ରତି ଏକ ଅଜଣା ଆକର୍ଷଣ ଜାତ ହେଇଥିଲା । ଏହାପରେ ତିନିଦିନ ଧରି ଚିତ୍ରକଳା ପ୍ରଦର୍ଶନୀରେ ଭେଟ ହେଇଥିଲା । ଆପଣ ନିଜର କର୍ମକ୍ଷେତ୍ର ବାଙ୍ଗଲୋର ଚାଲିଯିବେ ବୋଲି କହୁଥିଲେ । ମୁଁ ଯେ ଆପଣଙ୍କଠାରୁ ଦୂରରେ ରହିବାକୁ ଚାହେଁନି, ସେକଥା ପ୍ରଥମଦେଖାରେ କହିଥାନ୍ତି କିପରି? ସେତେବେଳେ ନା ମୁଁ ଆପଣଙ୍କର କେହି ଥିଲି ନା ଆପଣ ମୋର । ପରେ ଯେତେବେଳେ ଏକଥା କହିଲି ତୁମେ କହିଲ, “ଯଦି ସେତେବେଳେ କହିଥାନ୍ତ, ମୁଁ ଓଡ଼ିଶାରେ ରହିଯାଇଥାନ୍ତି ।” କାଳେ ତୁମେ ଏଇ ଦି ଦିନର ଦେଖା ସାକ୍ଷାତ ଭୁଲିଯିବ, ତୁମ ସ୍ମୃତିରେ ନିଜର ସ୍ଥାନ ସୃଷ୍ଟି କରିବାକୁ ତୁମକୁ ଗୋଟେ ଚିତ୍ର ଉପହାର ଦେଇଥିଲି । ତାହା ଥିଲା ନବବଧୂ ପ୍ରସାଧନ ହେଉଥିବାର ଚିତ୍ର । ବିଦାୟ ଦେଲାବେଳେ ତୁମ ଆଖିକୋଣରେ ଥିବା ଲୁହଟୋପା ଦେଖିପାରିଥିଲି । ତୁମେ ମୋ ଲୁହ ଦେଖିଦବ ବୋଲି ଚାହାଣି ଚୋରେଇ ଚାଲି ଯାଇଥିଲି । କାର୍ଯ୍ୟ କ୍ଷେତ୍ରରେ ପହଞ୍ଚିବା ପରେ ତୁମେ ବ୍ୟସ୍ତ ହେଇଯାଉଥିଲ ଆଉ ମୁଁ ପଢ଼ାପଢ଼ିରେ । ଆପଣଙ୍କୁ ଆଗୁଆ ଫୋନ କରିବାକୁ ସଙ୍କୋଚବୋଧ କରେ, କାଳେ ଆପଣ ଭାବିବେ ମୋର ଆପଣଙ୍କ ପ୍ରତି ଦୁର୍ବଳତା ଅଛି ବୋଲି । ଫୋନରେ ପାଞ୍ଚ ଦଶ ମିନିଟର କଥା ପାଇଁ ମୁଁ ସପ୍ତାହ ସପ୍ତାହ ଅପେକ୍ଷା କରେ । ବହୁତ ଥର ଭାବିଛି ମେସେଜ୍ କରି ସବୁ କହିଦେବି, ହେଲେ ଟାଇପ କରି ଡିଲିଟ କରିଦିଏ । ସେଦିନଟି ମୋ ମନରେ ସଦା ସର୍ବଦା ଚିରସବୁଜ ହୋଇରହିଛି । ଯେଉଁଦିନ ମୁଁ କୌତୁହଳବଶତଃ ସେ ଚିତ୍ର ସାଇତିରଖିଛନ୍ତି ନା ନାହିଁ ପଚାରିଦେଇଥିଲି । ଆପଣ କ’ଣ ସୁଯୋଗ ଅପେକ୍ଷାରେ ଥିଲେ? କହିଲେ, “ସେ ଚିତ୍ର ମତେ ଉପହାର ଦେବାର ଅର୍ଥ କ’ଣ ଥିଲା? ତୁମେ କ’ଣ ବଧୂ ବେଶରେ ମୋ ପାଖକୁ ଆସିବ?” ମତେ ଲାଗିଲା ଯେମିତି ସାରା ଆକାଶଟା ମୋ ହାତ ମୁଠାରେ, ଲଜ୍ଜା ଆବରଣକୁ ନିବୃତ କରି କହିଦେଲି, “ହଁ, କିନ୍ତୁ… ।” ତୁମେ କହିଲ, “କିନ୍ତୁ ପୁଣି କ’ଣ?” ମୋ ଉତ୍ତର ଥିଲା, “ହଁ ମୁଁ ଚାହେଁ,ହେଲେ ଆମ ସମ୍ପର୍କକୁ ସାମାଜିକ ସ୍ୱୀକୃତି ମିଳିଲେ ତ? ଯଦି କୌଣସି କାରଣରୁ ଆମ ପରିବାର ଲୋକ ରାଜି ନହୁଅନ୍ତି?” ତୁମ ଉତ୍ତର ଥିଲା, “ତା’ହେଲେ ତୁମେ ତୁମ ବାପାମାଆଙ୍କ ପସନ୍ଦର ପୁଅକୁ ବାହାହେଇଯିବ ଆଉ ମୁଁ ଏମିତି ଜୀବନ କାଟିଦେବି ।” ମୁଁ କେବେ ଆପଣଙ୍କୁ ବାଧ୍ୟ କରିନଥିଲି ମତେ ଭଲପାଇବା ପାଇଁ, ନା କେବେ କଥାବାର୍ତ୍ତାରେ ଇଶାରା କଲା ଭଳି କିଛି କହିଥିଲି । ମତେ ଏତେ ଭଲପାଇବା ପରେ କେମିତି ଆଉଜଣଙ୍କ ହାତ ଧରିବାକୁ ରାଜିହେଇଗଲେ । ମୁଁ ପାଗଳୀଟେ ଭୁଲିଯାଇଥିଲି ସେତେବେଳେ କି ଜଣେ ପୁରୁଷ ନିଜ ସ୍ତ୍ରୀ ସହ ବର୍ଷାଧିକ କାଳ ଘରସଂସାର କଲାପରେ, ସ୍ତ୍ରୀର ଅକାଳ ମୃତ୍ୟୁ ହେଲେ ସବୁ ଭୁଲି ଦ୍ୱିତୀୟ ବିବାହ କରେ । ମୁଁ ଏକଥା ବି ଭୁଲିଯାଇଥିଲି କି ରାଜା ଦୁଷ୍ମନ୍ତ ବି ଶକୁନ୍ତଳାଙ୍କୁ ଭୁଲିଯାଇଥିଲେ । ମୁଁ ଜାଣି ପାରୁନଥିଲି ବୋଧହୁଏ ଆପଣ ମହାପୁରୁଷ ନୁହନ୍ତି କି ଭଗବାନ ଶ୍ରୀକୃଷ୍ଣ ନୁହନ୍ତି, ଯିଏ ନିଜ ପ୍ରେମକାହାଣୀକୁ ଅମର କରିବେ । ଅଶ୍ରୁ ମୋ ନିୟନ୍ତ୍ରଣ ବାହାରେ ଥିଲା । ଆପଣ ତ ମୋ କଣ୍ଠ ସ୍ୱରରୁ ଉଦାସୀନତାର ଗନ୍ଧ ବାରିପାରନ୍ତି, ମୋ ଶରୀର ଅସୁସ୍ଥ ଥିବା କଥାବି ଜାଣି ଦିଅନ୍ତି । ମୋ ଆଖିରେ ଲୁହ ଆଉ ଉଦାସୀନ ଚେହେରା କାଳେ ଆପଣଙ୍କୁ କଷ୍ଟଦିଏ ବୋଲି ଅନେକବାର କହିଛନ୍ତି । ଏକଥା ବି କୁହନ୍ତି କି ଦୁଃଖ ଯଦି ଆସେ ମୋ ପୂର୍ବରୁ ତାହା ଆପଣଙ୍କୁ ସାମ୍ନା କରିବ । ହେଲେ ସେଦିନ କେମିତି ଦୁଃଖର ପାରାବାରରେ ଏକାକୀ ବୁଡ଼ିବାକୁ ଛାଡ଼ିଦେଇ ନିଷ୍ଠୁର ଭାବରେ ଫୋନ କାଟିଦେଲେ? ମୁଁ କାନ୍ଦୁଛି ବୋଲି ଜାଣିବା ପରେ ବି ସାନ୍ତ୍ଵନାଦେବାକୁ ଦୁଇପଦ କଥା କହିଲେ ନାହିଁ?

ମୁଁ ନିଷ୍ପତି ନେଇଥିଲି ବିବାହ କରିବି ଏମିତି ଏକ ପୁରୁଷଙ୍କୁ ଯିଏ ତୁମଠାରୁ ସବୁ ଗୁଣରେ ଭଲ ହେଇଥିବେ । ହଁ, ମୋ ଇଚ୍ଛା ପୂରଣ ହେଲା ବି । ମୋ ସ୍ୱାମୀ ସୋମେସ୍ ଉଚ୍ଚ ପଦବୀରେ ଅଧିଷ୍ଠିତ । ସେ ନିଶା ତ ଦୂର କଥା ଚାହା ବି ପିଅନ୍ତି ନାହିଁ, ତୁମେ ତ ବେଳେବେଳେ ଆଲ୍କୋହଲ ନେଉଥିଲ । ସୋମେସ୍ ମତେ ବହୁତ ଭଲ ପାଆନ୍ତି । ସେ ମୋ ପ୍ରତି ଆଉ ଆମ ଉଭୟଙ୍କ ପରିବାର ପ୍ରତି ଯତ୍ନଶୀଳ ବି । ହେଲେ କାହିଁକି କେଜାଣି ବେଳେବେଳେ ତୁମ କଥା ଖୁବ୍ ମନେ ପଡ଼େ । ଶରୀର ତାଙ୍କ ପାଖରେ ଥିଲେ ବି ମନ ତୁମ ସ୍ମୃତିର ସାଗରରେ ଉବୁଟୁବୁ ହେଉଥାଏ ।

ମୋ ଝିଅ ଚିତ୍ରଲେଖାର ୧୮ତମ ଜନ୍ମ ଦିବସ । ଚିତ୍ରା ଚାଁହୁଥିଲା ବୃଦ୍ଧାଶ୍ରମରେ ଜନ୍ମଦିନ ପାଳନ ହେଉ । ତୁମକୁ ବୃଦ୍ଧାଶ୍ରମରେ ଦେଖି ଚମକି ପଡ଼ିଲି ମୁଁ, ତୁମ ସହ କେବେ ଏପରି ଦେଖାହବ ଭାବିନଥିଲି । କଥା ହେବି କି ନହେବି ଦ୍ଵନ୍ଦ୍ୱରେ ଘାଣ୍ଟି ହେଉଥିଲି । ଯେମିତି “ଆପଣ” ଆଉ “ତମେ” ଭିତରେ ଛନ୍ଦି ହୁଏ । ତୁମେ ହସି ହସି ପଚାରିଲ କେମିତି ଅଛ ସମିତା? ମୁଁ ଉତ୍ତର ନଦେଇ ପଚାରିଲି, “ଆପଣ ଏଠି….କେମିତି..?” ମୋ କଣ୍ଠ ବାଷ୍ପରୁଦ୍ଧ ହେଇଆସୁଥିଲା ।

– ଅଭିମାନ କରିଛ?
– କରିନଥାନ୍ତି କେମିତି? ଏତିକି କହି ମୁହଁ ଫେରାଇନେଲି ।
– ଏ ଦୂରରୋଗ୍ୟ ବ୍ୟାଧିରେ ପୀଡ଼ିତ ହୋଇ ପଙ୍ଗୁ ହେବା ପରେ କେମିତି ତୁମକୁ ମୋ ସହ କଷ୍ଟ ଭୋଗିବାକୁ ଦେଇଥାନ୍ତି?
– ମୁଁ ତା’ହାଲେ କ’ଣ ଖାଲି ସୁଖର ସାଥୀ ଥିଲି? ଦୁଃଖର ନୁହେଁ? ତୁମେ ମତେ ଧୋକା ଦେଇଛ । ପ୍ରତାରଣା କରିଛ ମୋ ସହ ।

ମୋର ପ୍ରିୟ ଲେଖକ ବିଭୂତି ପଟ୍ଟନାୟକଙ୍କ ଉପନ୍ୟାସ “ପ୍ରେମିକା”ର କେଇ ଧାଡ଼ି ମନେ ପଡ଼ୁଥିଲା । “ହେ ମୋର ଦୂର ସୁଦୂରର ନିଷ୍ଠୁର ଶତ୍ରୁ!ସାରା ଜୀବନ କ’ଣ ମୁଁ ଏହିପରି ଆପଣଙ୍କ ସ୍ମୃତିର କଣ୍ଟକିତ ଶଯ୍ୟାରେ ଶୋଇଥିବି; ମୁହଁରେ ହସ ଫୁଟାଉଥିଲେ ବି ଭିତରେ ଅହରହ ଜଳୁଥିବି? ମୁଁ ଏମିତି କି ପାପ କରିଥିଲି ଯେ ଆପଣଙ୍କୁ ପାଇ ମଧ୍ୟ ପାଇଲି ନାହିଁ; ଛାଡ଼ି ମଧ୍ୟ ଛାଡ଼ିପାରୁନାହିଁ?

– ସମିତା ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସମିତା ସାହୁ ପେଶାରେ ଜଣେ ଶିକ୍ଷୟିତ୍ରୀ ଏବଂ ନିଶାରେ କବୟତ୍ରୀ ବା ଗାଳ୍ପିକା ଯିଏକି ଓଡ଼ିଆ ଏବଂ ହିନ୍ଦୀରେ ଭାଷାରେ ବିଭିନ୍ନ ପ୍ରକାରର କବିତା ଏବଂ ଗଳ୍ପ ରଚନା କରିବା ସହ ଛୋଟ ଛୋଟ ଇଂରାଜୀ କୋଟ୍ ମଧ୍ୟ ରଚନା କରିଥାନ୍ତି ।