You are currently viewing ପଦ୍ମଶ୍ରୀ ବୀଣାପାଣି ମହାନ୍ତି
Biography of Padmashree Binapani Mohanty (ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ଜୀବନି)

ପଦ୍ମଶ୍ରୀ ବୀଣାପାଣି ମହାନ୍ତି

ପଦ୍ମଶ୍ରୀ ବୀଣାପାଣି ମହାନ୍ତି ଥିଲେ ଜଣେ ଅଧ୍ୟାପିକା, ଓଡ଼ିଆ ଗାଳ୍ପିକା ଯିଏକି ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ସହିତ କେନ୍ଦ୍ର ସାହିତ୍ୟ ଏକାଡେମୀ ଏବଂ ଶାରଳା ପୁରସ୍କାର ଆଦିରେ ସମ୍ମାନୀତ ହୋଇଥିଲେ ।

ବୀଣାପାଣି ମହାନ୍ତି ୧୯୩୬ ମସିହାର ନଭେମ୍ବର ୧୧ ତାରିଖରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଠାରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୫୩ ମସିହାରେ ମାଟ୍ରିକ ପାସ୍ କରିବା ପରେ ୧୯୫୭ ମସିହାରେ ଅର୍ଥନୀତିରେ ସ୍ନାତକ ଓ ୧୯୫୯ ମସିହାରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୬୦ ମସିହାରେ ସେ ଜଣେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ଓ ୧୯୯୨ରେ ଅଧ୍ୟାପନାରୁ ଅବସର ଗ୍ରହଣ କରିଥିଲେ ।

ବୀଣାପାଣି ଦେବୀଙ୍କ ସାହିତ୍ୟିକ ଜୀବନ ଆରମ୍ଭ ହୋଇଥିଲା କବିତା ରଚନାରୁ । ପରବର୍ତ୍ତୀ ସମୟରେ ସେ ଗଳ୍ପଉପନ୍ୟାସ ରଚନା ଆରମ୍ଭ କରିଥିଲେ । ୧୯୫୫ ମସିହାରେ ତାଙ୍କର ପ୍ରଥମ କବିତା “ତନ୍ଦ୍ରାହତ” ପ୍ରଜାତନ୍ତ୍ରର ନାରୀମହଲରେ ପ୍ରକାଶ ପାଇଥିଲା । ୧୯୫୭ ମସିହାରେ ତାଙ୍କର ପ୍ରଥମ ଗଳ୍ପ “ଗୋଟିଏ ରାତ୍ରୀର କାହାଣୀ” ରବିବାସରୀୟ ପ୍ରଜାତନ୍ତ୍ରରେ ପ୍ରକାଶ ପାଇଥିଲା । ୧୯୬୧ ମସିହାରେ ତାଙ୍କ ଗଳ୍ପ “ନାଉଗଛ” ତାଙ୍କୁ ବହୁ ପାଠକୀୟ ସ୍ୱୀକୃତି ଆଣି ଦେଇଥିଲା ଏବଂ ସେ କବିତା ଲେଖା ଛାଡ଼ି ସମ୍ପୂର୍ଣ୍ଣ ଭାବରେ ଗଳ୍ପ ଲେଖିବାକୁ ଲାଗିଥିଲେ ।

ଚଳନ୍ତି ଜୀବନରୁ ସତସତିକା ଘଟଣାକୁ ସାଉଁଟି ନେଇ ତାହାକୁ ଗଳ୍ପର ରୂପ ଦେଉଥିଲେ ବୀଣାପାଣି । “ନାଉଗଛ” ଗଳ୍ପଟି ବାଲେଶ୍ୱର କୁନ୍ତଳା କୁମାରୀ ମହାବିଦ୍ୟାଳୟରେ ଅଧ୍ୟାପନା ସମୟରେ ଲେଖାଯାଇଥିଲା । କଲେଜରେ ଆପେ ଆପେ ମାଡ଼ିଥିବା ନାଉଗଛ ଥିଲା ଏ ଗଳ୍ପ ପଛର ପ୍ରେରଣା । ସେହିପରି ପାଟଦେଈ ଗଳ୍ପଟି ଭୁବନେଶ୍ୱର ରସୁଲଗଡ଼ ଛକରେ ବସରେ ଜୋର କରି ଠେଲି ବସାଯାଇଥିବା ଏକ ଝିଅକୁ ଦେଖି ଲେଖାଯାଇଥିଲା ।

ତାଙ୍କ ରଚନାଗୁଡ଼ିକ ମଧ୍ୟରେ କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ, ପାଟଦେଇ, ବସ୍ତ୍ର ହରଣ, ଆରୋହଣ, ଇଣ୍ଟରଭିଉ, ଏକାକୀ ପରାଶର, ନବ ତରଙ୍ଗ, ଅନ୍ଧକାରର ଛାଇ, ମଧ୍ୟାନ୍ତର, ବହ୍ନି ବଳୟ, ଉତ୍ତରାୟଣ, ସାୟାହ୍ନର ସ୍ୱର, ତଟିନୀର ତୃଷ୍ଣା, କାଳାନ୍ତର, ମଧ୍ୟାନ୍ତର, ଜନ୍ମାନ୍ତର, ଅଶ୍ରୁଅନଳ, ଶକୁନିର ଚକା, ଅପହଞ୍ଚ ଆକାଶ, ପାଚେରୀ ସେପଟେ ନଈ, ଖେଳ ଚାଲିଛି, ଦୃଶ୍ୟାନ୍ତର, ଖେଳନା, ଚରିତ୍ର ହସୁଛି ଆଦି ଅନ୍ୟତମ ।

ସେ ସୀତାର ଶୋଣିତ, ମନସ୍ୱିନୀ, କୁନ୍ତୀ କୁନ୍ତଳା ଶକୁନ୍ତଳା ଆଦି ଉପନ୍ୟାସ ମଧ୍ୟ ରଚନା କରିଥିଲେ । ତାଙ୍କ ଆତ୍ମଜୀବନୀ “ବିତିଯାଇଥିବା ଦିନ” ପଶ୍ଚିମା ପବ୍ଲିକେଶନ ଦ୍ୱାରା ପ୍ରକାଶିତ ହୋଇଥିଲା ।

୨୦୨୨ ମସିହାର ଅପ୍ରେଲ ୨୪ ତାରିଖରେ ସେ ସଭିଙ୍କୁ ଲୁହ ସାଗରରେ ଭସାଇ ଦେଇ ୮୫ ବର୍ଷ ବୟସରେ ଆର ପାରିକୁ ଚାଲି ଯାଇଥିଲା ।

ଉତ୍ସ: ଓଡ଼ିଆ ଉଇକିପିଡ଼ିଆ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଂଗ୍ରାମ କେଶରୀ ସେନାପତି, ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ । ସେ ଓଡ଼ିଆରେ ଗଳ୍ପ, ପ୍ରବନ୍ଧ ଆଦି ଲେଖାଲେଖି କରନ୍ତି ଏବଂ ଓଡ଼ିଆ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପରେ ପ୍ରାୟତଃ କାର୍ଯ୍ୟ କରନ୍ତି ।