You are currently viewing ହେଲେ ସେ କିଏ?
Odia Poem Hele Se kie (ହେଲେ ସେ କିଏ) by Rashmibala Satapathy

ହେଲେ ସେ କିଏ?

ତୁମେ ମୋ କବିତା ମୁଁ ତୁମ କବି
ତୁମ ରଙ୍ଗ ତୂଳୀରେ ମୁଁ ପ୍ରେମଛବି,
ତୁମ ଭାବନାର ମୁଁ ଯେ ରାଣୀ
ଚିର ଶାଶ୍ଵତ ଆମ କାହାଣୀ ।
ହେଲେ ସେ କିଏ?

ତୁମେ ମୋ ଭାବନା ମୁଁ ତୁମ ଲେଖନୀ
ତୁମ ପ୍ରେମ କାରାଗାରରେ ମୁଁ ଯେ ବନ୍ଦିନୀ,
ତୁମ ଶବ୍ଦର ମୁଁ ଯେ ପାଟରାଣୀ
ସ୍ୱର୍ଗୀୟ ଏହି ପ୍ରେମ କାହାଣୀ ।
ହେଲେ ସେ କିଏ?

ଯାହପାଇଁ ଉନ୍ମାଦିତ ହୋଇଉଠେ
ତନୁରୁ ମନ ପର୍ଯ୍ୟନ୍ତ,
ଯାହାକୁ ବର୍ଣ୍ଣିବାକୁ ତୁମ ଅଭିଧାନେ
ରସପୂର୍ଣ୍ଣ ଶବ୍ଦ ବି ପର୍ଯ୍ୟାପ୍ତ ।
ହେଲେ ସେ କିଏ?

ଯାହା ପାଇଁ ବହିଯାଏ ପ୍ରୀତି ବାରିଧାରା
କାୟାରୁ ହୃଦୟ ପର୍ଯ୍ୟନ୍ତ,
ଯାହାକୁ ବର୍ଣ୍ଣିବାକୁ ପର୍ଯ୍ୟାପ୍ତ ହୁଏନି
ସମୟର ହୋଇଯାଏ ଅନ୍ତ ।
ହେଲେ ସେ କିଏ?

ଯାହା ଅନୁପସ୍ଥିତିରେ ବିରହ ଜ୍ୱାଳାରେ
ପ୍ରତି ମୁହୂର୍ତ୍ତରେ ମୁଁ ମରେ,
ଯାହା ଉପସ୍ଥିତିକୁ ଉତ୍କଣ୍ଠାର ସହ
ପ୍ରତୀକ୍ଷା ଯେ ମୁଁ କରେ।
ହେଲେ ସେ କିଏ?

ମୋ ମନର ଭ୍ରମ ନା ବାସ୍ତବତା,
ଯାହାର ଅନ୍ୱେଷଣ ଆଣିଦିଏ
ମୋତେ ପୁରବୀର ମାଦକତା ।

– ରଶ୍ମୀବାଳା ଶତପଥୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରଶ୍ମୀ ବାଳା ଶତପଥୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ, କବିତ ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଅନେକ ଗୁଡ଼ିଏ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି ।