ଉତ୍ତର ପିଢ଼ି

Odia Poem Uttara Pidhi (ଉତ୍ତର ପିଢ଼ି) by Shakti Prasad Badajena

ଭଗ୍ନ ମୁଖଶାଳା, ଭବନ ଲାଞ୍ଛିତ
ବିସ୍ମୃତ ବୀର କୀରତି
ଶବ୍ଦ ଆଡ଼ମ୍ବରେ ବିଲୁପ୍ତ ଅସ୍ମିତା
ଲୁଣ୍ଠିତ କଳିଙ୍ଗ ଛାତି

ଶୁଭୁ ନାହିଁ ଆଉ ରଣହୁଙ୍କାର
ଧରାଭେଦି ଗରଜନ
ଆଖି ଖୋଲା କରି ସୋଇଛି ମୋ ଜାତି
ସୁପ୍ତ ଗର୍ବ ଅଭିମାନ

କି ଲାଭ ସଞ୍ଚିତ ଥିଲେ ଘରେ ଖଡ୍ଗ,
ହାତରେ ନଥିଲେ ଦମ୍ଭ?
ଭଗିନୀ ନିର୍ବସ୍ତ୍ର, ମା’ ମୋ ଲଜ୍ଜିତ
ଧ୍ୱସ୍ତ ଗରିମାର ସ୍ତମ୍ଭ !

ମିଛ ପ୍ରମାଣିତ ନ ହେଉ ପୁରୁଣା
ପ୍ରସ୍ତର ବିଦିତ ବାଣୀ
ହାଥି ଗୁମ୍ଫାରେ ଖୋଦିତ କା’ ପାଇଁ
ପ୍ରତିଶୋଧର କାହାଣୀ?

କେତେଦିନ ଖାଲି ସଂସ୍କାର ସଂସ୍କୃତି
ନେଇ ହେବା ବଳୀୟାନ?
ଜାତିଭାଇ ଶୋକ ଦେଖି ବି ନଦେଖି,
ହୋଇ ରହିବ ପାଷାଣ?

ଇତିହାସ ଗର୍ବେ ପୂରେ ନାହିଁ ପେଟ
କ୍ଷୁଧାରେ ଖୁଦ ଆରାଧ୍ୟ
ଖଡ୍ଗ ତ୍ୟାଗ କରି ସେଥିପାଇଁ
ଆମେ ଲଜ୍ଜିତ ହେବାକୁ ବାଧ୍ୟ

ମୁଖ ଖୋଲ, ମୁଠି ଉଠା କଙ୍କାଳ,
ହଉ ତୋ’ ନିଦ୍ରା ଭଙ୍ଗ ।
କି ଯଶ ରହିବ ପୂର୍ବ ପୁରୁଷଙ୍କ,
ଯଦି ଶୋଇ ରହିବ କଳିଙ୍ଗ?

– ଶକ୍ତି ପ୍ରସାଦ ବଡ଼ଜେନା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...