କାନ୍ଦେ ମୋ ହୃଦୟ,
ଥରିଉଠେ ପ୍ରତ୍ୟେକ ଲୋମକୂପ,
ପଢ଼ିଲେ ପ୍ରତି ପ୍ରଭାତେ
ଏହି ରକ୍ତରଞ୍ଜିତ ଖବର କାଗଜ ।
କେଉଁଠି ଲଞ୍ଛିତା ନାରୀର
କରୁଣ ଆର୍ତ୍ତନାଦ ଭାସେ,
କେଉଁଠି ଗଣଦୁଷ୍କର୍ମର
ପିଶାଚୀୟ ଉଲ୍ଲାସ ହସେ ।
ନିର୍ଯାତିତାର ନିଷ୍ପାପ ନୟନେ
ଅଶ୍ରୁର ଅବିରତ ଧାରା,
ମାନବତାର ଶବପେଟିକାରେ
ଲୁଚିଯାଏ ଆଜି ସତ୍ୟର ତାରା ।
କେଉଁଠି ରାଜନୀତିର କୁଟିଳ କୌଶଳ,
କେଉଁଠି ଦୁର୍ନୀତିର ମହୋତ୍ସବ,
ଧର୍ମ, ନ୍ୟାୟ, ନୀତି ସବୁ
ହୋଇଯାଏ ନିରବ ନିଷ୍ପ୍ରଭ ।
ଚୋରି, ହତ୍ୟା, ଅପହରଣର
ଭୟଙ୍କର କାହାଣୀ ଶୁଣି,
ଶୀତଳ ହୋଇଯାଏ ରକ୍ତ
ଅନ୍ତରଟି ଯାଏ ଫାଟିପଡ଼ି ।
ଅନ୍ନବିହୀନ ଶିଶୁଟିଏ
ରାସ୍ତା କୂଳେ କାନ୍ଦେ ନିର୍ବାକ,
ଧନୀର ପ୍ରାସାଦ ଦୀପ୍ତିମୟ,
ଦରିଦ୍ରର କୁଟୀର ଅନ୍ଧକାରାଚ୍ଛନ୍ନ ।
ମାଆର ଶୂନ୍ୟ କୋଳରେ
ବିଷାଦର ନିରବ ସମାଧି,
ଯୁବକର ସ୍ୱପ୍ନ ଭାଙ୍ଗିଯାଏ
ବେକାରିର ନିଷ୍ଠୁର ବ୍ୟାଧି ।
ନାରୀ ଆଜି ସୁରକ୍ଷାହୀନ,
ଭୟରେ କମ୍ପିତ ପ୍ରତି ପଦ,
ପିଶାଚ ସଦୃଶ ମଣିଷମାନେ
ଲୁଟୁଛନ୍ତି ଲଜ୍ଜାର ଆବରଣ ।
ମାନବତା ଆଜି ମୃତପ୍ରାୟ,
ବିବେକ ହୋଇଯାଏ ନିର୍ବାସିତ,
ସ୍ୱାର୍ଥର ଅଗ୍ନିକୁଣ୍ଡ ମଧ୍ୟେ
ସମ୍ପର୍କ ସବୁ ଦଗ୍ଧ, ଛିନ୍ନଭିନ୍ନ ।
କାନ୍ଦେ ମୋ ହୃଦୟ,
ନିରବେ ଝରେ ବେଦନାର ଅଶ୍ରୁ,
କେବେ ଏ ଧରାରେ ଫୁଟିବ
ମାନବତାର ପବିତ୍ର ସୂର୍ଯ୍ୟ?
– ତାନିଆ ପଟେଲ
Comments
ତାନିଆ ପଟେଲ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ବିଭିନ୍ନ ପ୍ରକାରର ଗପ, କବିତା ଆଦି ରଚନା କରିଥାନ୍ତି । ଏତଦ୍ ବ୍ୟତୀତ ସେ ତାଙ୍କ ନିଜ ରଚନାର ଉପସ୍ଥାପନା କରି ମଧ୍ୟ ୟୁ-ଟ୍ୟୁବ୍ରେ ଅପ୍ଲୋଡ୍ କରିଥାନ୍ତି ।




