କାନ୍ଦେ ମୋ ହୃଦୟ

Odia Poem Kande Mo Hrudaya (କାନ୍ଦେ ମୋ ହୃଦୟ) by Tania Patel

କାନ୍ଦେ ମୋ ହୃଦୟ,
ଥରିଉଠେ ପ୍ରତ୍ୟେକ ଲୋମକୂପ,
ପଢ଼ିଲେ ପ୍ରତି ପ୍ରଭାତେ
ଏହି ରକ୍ତରଞ୍ଜିତ ଖବର କାଗଜ ।

କେଉଁଠି ଲଞ୍ଛିତା ନାରୀର
କରୁଣ ଆର୍ତ୍ତନାଦ ଭାସେ,
କେଉଁଠି ଗଣଦୁଷ୍କର୍ମର
ପିଶାଚୀୟ ଉଲ୍ଲାସ ହସେ ।

ନିର୍ଯାତିତାର ନିଷ୍ପାପ ନୟନେ
ଅଶ୍ରୁର ଅବିରତ ଧାରା,
ମାନବତାର ଶବପେଟିକାରେ
ଲୁଚିଯାଏ ଆଜି ସତ୍ୟର ତାରା ।

କେଉଁଠି ରାଜନୀତିର କୁଟିଳ କୌଶଳ,
କେଉଁଠି ଦୁର୍ନୀତିର ମହୋତ୍ସବ,
ଧର୍ମ, ନ୍ୟାୟ, ନୀତି ସବୁ
ହୋଇଯାଏ ନିରବ ନିଷ୍ପ୍ରଭ ।

ଚୋରି, ହତ୍ୟା, ଅପହରଣର
ଭୟଙ୍କର କାହାଣୀ ଶୁଣି,
ଶୀତଳ ହୋଇଯାଏ ରକ୍ତ
ଅନ୍ତରଟି ଯାଏ ଫାଟିପଡ଼ି ।

ଅନ୍ନବିହୀନ ଶିଶୁଟିଏ
ରାସ୍ତା କୂଳେ କାନ୍ଦେ ନିର୍ବାକ,
ଧନୀର ପ୍ରାସାଦ ଦୀପ୍ତିମୟ,
ଦରିଦ୍ରର କୁଟୀର ଅନ୍ଧକାରାଚ୍ଛନ୍ନ ।

ମାଆର ଶୂନ୍ୟ କୋଳରେ
ବିଷାଦର ନିରବ ସମାଧି,
ଯୁବକର ସ୍ୱପ୍ନ ଭାଙ୍ଗିଯାଏ
ବେକାରିର ନିଷ୍ଠୁର ବ୍ୟାଧି ।

ନାରୀ ଆଜି ସୁରକ୍ଷାହୀନ,
ଭୟରେ କମ୍ପିତ ପ୍ରତି ପଦ,
ପିଶାଚ ସଦୃଶ ମଣିଷମାନେ
ଲୁଟୁଛନ୍ତି ଲଜ୍ଜାର ଆବରଣ ।

ମାନବତା ଆଜି ମୃତପ୍ରାୟ,
ବିବେକ ହୋଇଯାଏ ନିର୍ବାସିତ,
ସ୍ୱାର୍ଥର ଅଗ୍ନିକୁଣ୍ଡ ମଧ୍ୟେ
ସମ୍ପର୍କ ସବୁ ଦଗ୍ଧ, ଛିନ୍ନଭିନ୍ନ ।

କାନ୍ଦେ ମୋ ହୃଦୟ,
ନିରବେ ଝରେ ବେଦନାର ଅଶ୍ରୁ,
କେବେ ଏ ଧରାରେ ଫୁଟିବ
ମାନବତାର ପବିତ୍ର ସୂର୍ଯ୍ୟ?

– ତାନିଆ ପଟେଲ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...