You are currently viewing ଗୁରୁ ଗୌରବ: ରାଧାକ୍ରିଷ୍ଣନ
ଗୁରୁ ଗୌରବ: ରାଧାକ୍ରିଷ୍ଣନ

ଗୁରୁ ଗୌରବ: ରାଧାକ୍ରିଷ୍ଣନ

ଗୁରୁଦିବସ । ଗୁରୁଙ୍କୁ ପୂଜା କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାର ଏକ ପବିତ୍ର ଦିନଟିଏ । ଗୁରୁ-ଶିଷ୍ୟ ପରମ୍ପରାର ଅପୂର୍ବ ନିଦର୍ଶନ ସ୍ୱରୂପ ଏହି ଦିବସ ପାଳିତ ହୋଇଆସୁଛି । ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରିବାରେ ଗୁରୁ ହିଁ ସାଜନ୍ତି ଆଲୋକ ବର୍ତ୍ତିକା । କେବେ ଆକଟଭରା କଠୋର ଅନୁଶାସନ ତ ପୁଣି କେବେ ତାଙ୍କ ଉତ୍ସାହପ୍ରଦ ପ୍ରେରଣା ଜଣଙ୍କୁ ସାଧାରଣରୁ ଅସାଧାରଣର ମୁକୁଟ ପିନ୍ଧାଏ । ପାଠ ହେଉ କି ସଙ୍ଗୀତ । ଖେଳ ହେଉ କି ନୃତ୍ୟ । ପ୍ରତିଟି କ୍ଷେତ୍ରରେ ଗୁରୁଙ୍କର ମାର୍ଗଦର୍ଶନ କୃତ୍ତି ପ୍ରତିଭାଙ୍କୁ ଆଣିଦିଏ ପ୍ରସିଦ୍ଧି । ‘ଗୁରୁ ଦିବସ’ ସେହି ପ୍ରାତଃସ୍ମରଣୀୟ ଜ୍ଞାନଦାତାଙ୍କ ପାଇଁ ଉଦ୍ଦିଷ୍ଟ । ଭାରତୀୟ ପରମ୍ପରାରେ ଗୁରୁପୂଜା କେଉଁ ପୁରାତନ ଯୁଗରୁ ଚଳି ଆସୁଅଛି । ତେବେ ବ୍ୟକ୍ତି ବିଶେଷଙ୍କୁ ନେଇ ଏବଂ ତାଙ୍କ ଜନ୍ମତିଥିକୁ ଧରି ଗୁରୁଦିବସ କେବଳ ଦୁଇଜଣଙ୍କପାଇଁ ପାଳନ କରାଯାଏ । ପ୍ରଥମ ଦିବସଟି ହେଲା ମହର୍ଷି ବ୍ୟାସଦେବଙ୍କ ପାଇଁ ତାଙ୍କ ଜନ୍ମ ତିଥି ଆଷାଢ଼ ପୂଣ୍ଣିମା ବା ଗୁରୁ ପୂର୍ଣ୍ଣିମା ଏବଂ ଦ୍ୱିତୀୟଟି ହେଲା ସେପ୍ଟେମ୍ୱର ୫ ତାରିଖ ଯାହାକି ଆମର ପୂର୍ବତନ ରାଷ୍ଟ୍ରପତି, ମହାନ ଦାର୍ଶନିକ ଏବଂ ପ୍ରଣମ୍ୟ ଗୁରୁଙ୍କର ଜନ୍ମତିଥି । ପ୍ରଥମ ଗୁରୁ ଦିବସଟି ଅତି ପୁରାତନ ଯୁଗରୁ ପ୍ରଚଳିତ ଥିଲାବେଳେ, ଦ୍ୱିତୀୟଟି ୧୯୬୨ ମସିହା ସେପ୍ଟେମ୍ୱର ୫ ତାରଖରୁ ପାଳିତ ହୋଇଆସୁଅଛି । ବିଚକ୍ଷଣ ବୁଦ୍ଧି ସଂପନ୍ନ, ବିଶିଷ୍ଟ ଦାର୍ଶନିକ, ଶ୍ରେଷ୍ଠ ଗୁରୁ, ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ବିବିଧ ଶାଶ୍ୱତ ଗୁଣାବଳୀର ଅଧିକାରୀ ଥିଲେ । କତିପୟ ଚିନ୍ତାନାୟକମାନଙ୍କ ମଧ୍ୟରେ ସେ ଅନ୍ୟତମ ଥିଲେ ଏବଂ ତାଙ୍କର ପ୍ରତିଭା ବଳରେ ବିଶ୍ଵ ବନ୍ଦିତ ମହିମା ଅର୍ଜନ କରିଥିଲେ । ସେଥିପାଇଁ ମହାତ୍ମା ଗାନ୍ଧୀଙ୍କଠାରୁ ଆରମ୍ଭ କରି ଜବାହରଲାଲ ନେହେରୁ, ରାଜ ଗୋପାଳାଚାରୀ, ରବୀନ୍ଦ୍ରନାଥ ଠାକୁର ପ୍ରମୁଖ ମହାନ୍ ପୁରୁଷମାନେ ତାଙ୍କୁ ଯଥୋଚିତ ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରୁଥିଲେ ।

ଏବେ ଆସନ୍ତୁ ଜାଣିବା ଏହି ଦିନଟିର ତାତ୍ପର୍ଯ୍ୟ ଏବଂ କେବେଠାରୁ ଓ କାହିଁକି ‘ଗୁରୁ ଦିବସ’ ପାଳନ କରାଯାଉଛି । ମହାନ ଦାର୍ଶନିକ, ଶିକ୍ଷାବିତ ତଥା ଭୂତପୂର୍ବ ରାଷ୍ଟ୍ରପତି, ପ୍ରଫେସର ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମତିଥିଙ୍କୁ ଗୁରୁଦିବସ ବୋଲି ପାଳନ କରାଯାଏ । ଶିକ୍ଷା ପ୍ରତି ଡକ୍ଟର ରାଧାକ୍ରିଷ୍ଣନଙ୍କର ଅବଦାନକୁ ମନେ ରଖିବା ପାଇଁ ତାଙ୍କ ଜନ୍ମଦିନକୁ ଗୁରୁ ଦିବସ ଭାବେ ପାଳନ କରାଯାଉଛି ।

ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ୧୮୮୮ ମସିହା ସେପ୍ଟେମ୍ୱର ୫ ତାରିଖରେ ତାମିଲନାଡ଼ୁର ତିରୁତାନି ଗାଁର ଏକ ବ୍ରାହ୍ମଣ ପରିବାରରେ ପିତା ସର୍ବପଲ୍ଲୀ ବୀରସ୍ୱାମୀ ଓ ମାତା ସୀତାମ୍ମାଙ୍କ ଦ୍ୱିତୀୟ ସନ୍ତାନ ଭାବରେ ଜନ୍ମ ହୋଇଥିଲେ । ତୁଳସୀ ଦୁଇ ପତ୍ରରୁ ବାସିବା ଭଳି କିଶୋର ଅବସ୍ଥାରୁ ହିଁ ରାଧାକ୍ରିଷ୍ଣନଙ୍କ ଅସାଧାରଣ ଜ୍ଞାନ ତାଙ୍କୁ ତିରୁପତୀ ବିଦ୍ୟାଳୟ ଏବଂ ପରେ ଭେଲୋରରେ ପଢ଼େଇବାକୁ ବାଧ୍ୟ କଲା । ତା’ପରେ ସେ ମାଡ୍ରାସର ଖ୍ରୀଷ୍ଟ୍ରିଆନ କଲେଜରେ ଦର୍ଶନ ଶାସ୍ତ୍ର ଅଧ୍ୟୟନ କଲେ ଏବଂ ସେହି ଶାସ୍ତ୍ରରେ ସେ ଅଗାଧ ଜ୍ଞାନ ଆହାରଣ କଲେ । ଏହାପରେ ସେ ଇଂଲଣ୍ଡ ଯାଇ ଶିକ୍ଷା ଗ୍ରହଣ କରିଥିଲେ । ଦର୍ଶନ ଶାସ୍ତ୍ରରେ ଅଧ୍ୟୟନ କଲାବେଳେ ସେ ତାଙ୍କ ସ୍ନାତକୋତ୍ତର ପରୀକ୍ଷା ନିମନ୍ତେ “ବେଦାନ୍ତର ନୈତିକ ନିୟମାବଳୀ ଏବଂ ଏହାର ବସ୍ତୁବାଦୀ ପୂର୍ବକଳ୍ପନା (The Ethics of Vedant & Its Material Pre supposition)” ନାମକ ଗବେଷଣା ମୂଳକ ସନ୍ଦର୍ଭ ଉପସ୍ଥାପନା କରିଥିଲେ । ଏହି ପ୍ରକାଶନଟି ତାଙ୍କର ସୁନାମ ଆଣିବା ସହିତ ଜଣେ ଉଚ୍ଚ କୋଟିର ଦାର୍ଶନିକ ବୋଲି ପ୍ରମାଣିତ କରାଇଦେଲା । ଦର୍ଶନ ଉପରେ ତାଙ୍କର ପରବର୍ତ୍ତୀ କାର୍ଯ୍ୟମାନ ଐତିହାସିକ ଚମକପ୍ରଦ ପରିବର୍ତ୍ତନ ଏବଂ ପ୍ରଭାବମାନ ସୃଷ୍ଟିକଲା । ତାଙ୍କ ମତରେ ଦର୍ଶନ ହିଁ ଜୀବନକୁ ବୁଝିବାର ବିଦ୍ୟା । ସେଥିପାଇଁ ସେ ଭାରତୀୟ ଦର୍ଶନକୁ ଗଭୀର ଭାବରେ ଅଧ୍ୟୟନ କରିଥିଲେ । ଖାଲି ସେତିକି ନୁହେଁ, ଏହାକୁ ପାଶ୍ଚାତ୍ୟ ଦର୍ଶନ ସହିତ ତୁଳନାତ୍ମକ ବିଚାର କରାଇ ଭାରତୀୟ ଦର୍ଶନର ଶ୍ରେଷ୍ଠତ୍ୱ ପ୍ରତିପାଦନ କରାଇଥିଲେ । ଡ. ରାଧାକ୍ରିଷ୍ଣନ ତାଙ୍କର ଏ ଦର୍ଶନ ବିଦ୍ୟା କେବଳ ତାଙ୍କର ଶିକ୍ଷା ବା ବୃତ୍ତିଗତ ସୀମା ସରହଦ ଭିତରେ ସୀମୀତ ନରଖି ଏହାକୁ ତାଙ୍କ ସମୟର ରାଜନୈତିକ ଏବଂ ସାମାଜିକ ପ୍ରଗତି ପଥରେ ପ୍ରୟୋଗ କରିଥିଲେ । ଆଦ୍ୟ ଜୀବନରେ ସେ ଶିକ୍ଷାଦାନକୁ ନିଜର ବୃତ୍ତି ଭାବେ ଗ୍ରହଣ କରିଥିଲେ । ଉଚ୍ଚ ଶିକ୍ଷା ପରେ, ୧୯୦୯ରେ ରାଧାକ୍ରିଷ୍ଣନଙ୍କୁ ମାଡ୍ରାସ ପ୍ରେସିଡେନ୍ସି କଲେଜରେ ଦର୍ଶନ ବିଭାଗର ଅଧ୍ୟାପକ ଭାବେ ନିଯୁକ୍ତି ମିଳିଥିଲା । ୧୯୧୮ରେ ରାଧାକ୍ରିଷ୍ଣନ ମୈସୂର ବିଶ୍ୱବିଦ୍ୟାଳୟରେ ଦର୍ଶନ ବିଭାଗର ପ୍ରଫେସର ଭାବେ ନିଯୁକ୍ତ ହୋଇଥିଲେ । ତା’ପରେ କଲିକତା ବିଶ୍ୱବିଦ୍ୟାଳୟ, ଲଣ୍ଡନର ହାର୍ଭାଡ଼୍ ବିଶ୍ୱବିଦ୍ୟାଳୟ, ମାଞ୍ଚେଷ୍ଟର ବିଶ୍ୱବିଦ୍ୟାଳୟ ଓ ଶେଷରେ ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଥିଲେ । ଶିକ୍ଷକ-ଜୀବନରେ ସେ ଭାରତୀୟ ଦର୍ଶନ, ଧର୍ମ-ଦର୍ଶନ, ତୁଳନାତ୍ମକ ଧର୍ମ-ଦର୍ଶନ ଓ ନୀତିଶିକ୍ଷା ଆଦିରେ ଶିକ୍ଷାଦାନ କରିଥିଲେ । ଜଣେ ଦାର୍ଶନିକ ଓ ଶିକ୍ଷାବିତ୍ ଭାବେ ସେ ବିଭିନ୍ନ ପଦପଦବୀ ଅର୍ଥାତ୍ କଲେଜ ଶିକ୍ଷକ, ବକ୍ତା, ଲେଖକ, ବିଶିଷ୍ଟ ମୁନୀ ଓ ଦର୍ଶନ ବିଭାଗର ପ୍ରଫେସର ଭାବେ କଲିକତା, ଅକ୍ସଫୋର୍ଡ଼ ଓ ବନାରସ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରି ଆନ୍ତର୍ଜାତିକ ଖ୍ୟାତି ଅର୍ଜନ କରିଥିଲେ ।

ଦେଶର ବହୁ ନାମୀ ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କରି କୋଣ ଅନୁକୋଣରେ ବହୁ ପ୍ରତିଭାସମ୍ପନ୍ନ ଛାତ୍ରଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ସ୍ୱତନ୍ତ୍ର ପରିଚୟ ଦେବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଭାରତୀୟ ଶିକ୍ଷାନୀତିକୁ ମଧ୍ୟ ଏହି ଦୂରଦ୍ରଷ୍ଟା ଶିକ୍ଷାବିତ୍‌ଙ୍କ ଦାନ ଅତୁଳନୀୟ । ରାଧାକ୍ରିଷ୍ଣନ୍ ୧୯୦୩ ମସିହାରେ ଭେଲୋର୍‌ଠାରେ ୧୬ ବର୍ଷ ବୟସରେ ଶିବାକାମ୍ମୁଙ୍କୁ (ପଦ୍ମ) ବିବାହ କରିଥିଲେ । ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଜଣେ ଅସାଧାରଣ ବିଜ୍ଞ ଏବଂ ଦକ୍ଷତା ସଂପନ୍ନ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ।

‘ଶ୍ରୀମଦ ଭଗବତ ଗୀତା’କୁ ଇଂରାଜୀରେ ଅନୁବାଦ କରିଥିଲେ ଡ. ରାଧାକ୍ରିଷ୍ଣନ । ବେଦ ଓ ଉପନିଷଦକୁ ଅତି ସୁନ୍ଦର ଭାବରେ ବ୍ୟାଖ୍ୟା କରୁଥିଲେ ସେ । ଖାଲି ସେତିକି ନୁହେଁ ରାଧାକ୍ରିଷ୍ଣନ ସତ୍ୟାନୁରାଗୀ ଓ ସଦାଚାରୀ ବି ଥିଲେ । ଅଧ୍ୟାପକ ରହିସାରିବା ପରେ ରାଧାକ୍ରିଷ୍ଣନ୍ ରାଜନୀତିରେ ପ୍ରବେଶ କରିଥିଲେ । ଭାରତ ସ୍ୱାଧୀନ ହେବାପରେ ସେ ୟୁନେସ୍କୋରେ ଭାରତର ପ୍ରତିନିଧି ହୋଇଥିଲେ । ୧୯୪୯ରେ ସୋଭିଏତ୍ ରୁଷ୍‌କୁ ଭାରତୀୟ ରାଷ୍ଟ୍ରଦୂତ ଭାବେ ପ୍ରେରିତ ହୋଇଥିଲେ । ୧୯୪୯ରୁ ୧୯୫୨ ମସିହା ମଧ୍ୟରେ ସେ ସମ୍ୱିଧାନ ପ୍ରଣୟନ ସଭାର ସଦସ୍ୟ ମଧ୍ୟ ରହିଥିଲେ ।

ସେ ତାଙ୍କ ଛାତ୍ରମାନଙ୍କ ନିକଟରେ ମାଡ୍ରାସ କଲେଜରେ ଅଧ୍ୟ୍ୟାପକ ଥିଲାବେଳୁ ଅତି ପ୍ରିୟ ଥିଲେ । ଥରେ କଲିକତା ବିଶ୍ଵବିଦ୍ୟାଳୟର ଜଣେ ଛାତ୍ର ତାଙ୍କ ପାଖକୁ ଲେଖିଥଲେ, “ମୁଁ ଜଣେ ଗରିବ ଛାତ୍ର ହୋଇଥିବାରୁ ଆପଣଙ୍କ ଦ୍ଵାରା ଲିଖିତ ‘ଇଣ୍ଡିଆନ୍ ଫିଲୋସୋଫି’ ବହି କିଣିବାକୁ ଅସମର୍ଥ । ଯଦି ଦୟାକରି ପରୀକ୍ଷା ପର୍ଯ୍ୟନ୍ତ ଆପଣଙ୍କ ପାଖରେ ଥିବା ଖଣ୍ଡିଏ ବହି ମୋତେ ଦିଅନ୍ତେ, ତା’ହେଲେ ଉପକୃତ ହୁଅନ୍ତି ଓ ପରୀକ୍ଷା ପରେ ଫେରାଇ ଦିଅନ୍ତି ।” ସେତେବେଳେ ରାଧାକୃଷ୍ଣନ୍ ଥିଲେ ଭାରତର ଉପରାଷ୍ଟ୍ରପତି । ଚିଠିଟି ପାଇଲା ପରେ କାଳବିଳମ୍ୱ ନକରି ଡାକରେ ବହିଟି ପଠାଇ ଏକ ଚିଠିରେ ଲେଖିଥିଲେ, “ବହିଟିକୁ ଫେରାଇବାର ଆବଶ୍ୟକତା ନାହିଁ ।” ଦୁଃସ୍ଥ ଛାତ୍ରମାନଙ୍କୁ ସାହାଯ୍ୟ କରିବାରେ ରାଧାକୃଷ୍ଣନ୍ ଥିଲେ ସର୍ବଦା ମୁକ୍ତ ହସ୍ତ । ୩୦ ବର୍ଷ ବୟସ ହେବା ପୂର୍ବରୁ ତାଙ୍କୁ କଲିକତା ବିଶ୍ୱବିଦ୍ୟାଳୟରେ ଅଧ୍ୟାପନାପାଇଁ ସୁଯୋଗ ଦିଆଯାଇଥିଲା । ସେ ୧୯୩୧ରୁ ୧୯୩୬ ଯାଏଁ ଆନ୍ଧ୍ର ବିଶ୍ୱବିଦ୍ୟାଳୟର କୂଳପତି ଥିଲେ । ପରେ ୧୯୩୯ରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର କୂଳପତି ରୂପେ ନିଯୁକ୍ତି ପାଇଲେ । ଏହାର ଠିକ ଦୁଇ ବର୍ଷପରେ ଅର୍ଥାତ୍ ୧୯୪୧ରେ ସାର ସାୟଜି ରାଓ ଭାରତୀୟ ସଂସ୍କୃତି ଓ ସଭ୍ୟତା, ବନାରସର ସେ ଗାଦି ସମ୍ଭାଳିଲେ । ୧୯୩୬ ମସିହାରୁ ୧୯୫୨ ମସିହାଯାଏଁ ସେ ପ୍ରଫେସର ହିସାବରେ ଇଷ୍ଟର୍ଣ୍ଣ ରିଜିୟନାଲ ଏଣ୍ଡ ଇଥିକ୍ସ, ଅକ୍ସଫୋର୍ଡ଼ରେ ଅଧ୍ୟାପକ ହିସାବରେ ଯୋଗ ଦେଇଥିଲେ । ତାଙ୍କ ବିଦ୍ୟା ଉପରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା ଯାହାକି ତାଙ୍କୁ ସୁଯୋଗ୍ୟ ଶିକ୍ଷକ ହିସାବରେ ପ୍ରତିଷ୍ଠିତ କରାଇଥିଲା । ତାଙ୍କର ପାଣ୍ଡିତ୍ୟ ତଥା ଛାତ୍ର ଏବଂ ସର୍ବସାଧାରଣଙ୍କ ପ୍ରତି ଆଦରଣୀୟ ଏବଂ ଆକର୍ଷଣୀୟ ବ୍ୟକ୍ତିତ୍ୱ କ୍ରମଶଃ ସର୍ବସାଧାରଣରେ ତାଙ୍କୁ ଲୋକପ୍ରିୟ କରାଇଥିଲା । ଉଭୟ ଦେଶ ଓ ଦେଶ ବାହାରେ ତାଙ୍କ ସମୟରେ ସେ ଥିଲେ ଜଣେ ସମ୍ମାନିତ ବ୍ୟକ୍ତିତ୍ୱ । ସେ ଆନ୍ତର୍ଜାତିକ ସ୍ତରରେ ଜଣେ ଉଚ୍ଚ କୋଟିର ଦାର୍ଶନିକ ଭାବରେ ପରିଚୟ ପାଇଥିଲେ । ୧୯୫୨ ମସିହାରେ, ଦ ଲିବର୍ଟି ଅଫ ଲିଭିଙ୍ଗ ଫିଲୋସଫର୍ସ ଯାହାକି ଏକ ବିଶ୍ୱପ୍ରସିଦ୍ଧ ଅନୁଷ୍ଠାନ ତାଙ୍କ ଉପରେ ଏକ ବିରାଟକାୟ ପୁସ୍ତକ, “ଦି ଫିଲୋସଫି ଅଫ ସର୍ବପଲ୍ଲୀ ରାଧାକ୍ରିଷ୍ଣନ” ପ୍ରକାଶ କରିଥିଲା । ଏହାଥିଲା ତାଙ୍କର ଦର୍ଶନ ଭିତ୍ତିକ ତତ୍ତ୍ୱ ସମ୍ଭଳିତ ପୁସ୍ତକ ।

ସ୍ୱାଧୀନତା ପରେ ତାଙ୍କର ଏହି ଦର୍ଶନବିଦ୍ୟାର ପାରଙ୍ଗମତା ତାଙ୍କୁ ଭାରତର ରାଷ୍ଟ୍ରଦୂତ ହିସାବରେ ସୋଭିଏତ ୟୁନିୟନରେ ସୁଯୋଗ ଦେଇଥିଲା । ଯେଉଁଥିରେ ସେ ନିଜ ପରାକାଷ୍ଟା ଦେଖାଇବା ସହିତ ଜଣେ ଆନ୍ତର୍ଜାତିକ ଛବି ପାଲଟି ଯାଇଥିଲେ । ୧୯୫୨ ମସିହାରେ ଡ. ରାଧାକ୍ରିଷ୍ଣନ ଭାରତର ଉପରାଷ୍ଟ୍ରପତି ପଦ ମଣ୍ଡନ କରିଥିଲେ ଏବଂ ୧୯୬୨ରେ ୫ବର୍ଷ ପାଇଁ ଭାରତର ସର୍ବୋଚ୍ଚ ଆସନ ରାଷ୍ଟ୍ରପତି ପଦ ଅଳଙ୍କୃତ କରିଥିଲେ । ଏହା ଏକ ଆଶ୍ଚର୍ଯ୍ୟ କଥା ଯେ ସେ ଜଣେ ଶିକ୍ଷାବିତ୍, ବିଶେଷକରି ଦର୍ଶନ ଶାସ୍ତ୍ରର ଶିକ୍ଷକ ଥିଲେ ଏବଂ ରାଜନୀତି କରୁନଥିଲେ । ଅଥଚ ସେ ରାଜନୀତିର ସର୍ବୋଚ୍ଚ ଆସନ ମଣ୍ଡନ କରିଥିଲେ । ଏହାଥିଲା ବିଶ୍ୱପାଇଁ ଏକ ଦୃଷ୍ଟାନ୍ତ ।

୧୯୬୨ ମସିହା ମେ ୧୪ ତାରିଖରେ ଦେଶର ଦ୍ୱିତୀୟ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଭାର ଗ୍ରହଣ କରିଥିଲେ ଡ. ରାଧାକ୍ରିଷ୍ଣନ । ଦାୟିତ୍ୱ ନେବା ପରେ ଡକ୍ଟର ରାଧାକ୍ରିଷ୍ଣନଙ୍କ ଜନ୍ମ ଦିନକୁ ତାଙ୍କ ଛାତ୍ରଛାତ୍ରୀମାନେ ‘ରାଧାକ୍ରିଷ୍ଣନ୍ ଦିବସ’ ରୂପେ ପାଳନ କରିବାକୁ ଅନୁମତି ମାଗିଥିଲେ । କିନ୍ତୁ ରାଧାକ୍ରିଷ୍ଣନ୍ ଏଥିରେ ରାଜି ନ ହୋଇ କହିଥିଲେ,ଏହି ଦିନକୁ ତାଙ୍କ ଜନ୍ମଦିନ ଭାବେ ପାଳନ ନକରି ଦେଶବ୍ୟାପୀ ‘ଗୁରୁ ଦିବସ’ ରୂପେ ପାଳନ କରାଯାଉ । ଆଉ ସେବେଠାରୁ ଅର୍ଥାତ୍ ୧୯୬୨ ମସିହା ସେପ୍ଟେମ୍ବର ୫ରୁ, ସେହି ମହାନ୍ ଗୁରୁ ତଥା ଦାର୍ଶନିକ ପ୍ରଫେସର୍ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପୂଣ୍ୟ ଜନ୍ମ ଦିନକୁ ସାରା ଦେଶରେ ‘ଗୁରୁ ଦିବସ’ ଭାବେ ପାଳନ କରାଯାଉଛି ।

ନିଜେ ରାଷ୍ଟ୍ରଦୂତ, ଉପ-ରାଷ୍ଟ୍ରପତି ବା ରାଷ୍ଟ୍ରପତି ଥିଲେ ମଧ୍ୟ, ସେ ସାରା ଜୀବନଥିଲେ ଶିକ୍ଷକ । ଶିକ୍ଷକତା ଥିଲା ତାଙ୍କର ପ୍ରଥମ ବୃତ୍ତି ଏବଂ ଯେଉଁମାନେ ତାଙ୍କଠୁ ଶିକ୍ଷା ଗ୍ରହଣ କରିଛନ୍ତି, ଏବେ ମଧ୍ୟ ଶିକ୍ଷକ ହିସାବରେ ତାଙ୍କର ସୁଗୁଣଗୁଡ଼ିକ ପ୍ରତି କୃତଜ୍ଞତା ଜ୍ଞାପନ କରନ୍ତି । ପଣ୍ଡିତ ଜବାହାରଲାଲ୍ ନେହୁରୁ ରାଧାକ୍ରିଷ୍ଣନଙ୍କର ଜଣେ ନିକଟତମ ବନ୍ଧୁଥିଲେ । ସେ କହିଥିଲେ, “ସେ ଜଣେ ମହାନ ଶିକ୍ଷକ, ଯାହାଙ୍କଠୁ ଆମେ ସମସ୍ତେ ବହୁତ କିଛି ଶିକ୍ଷିଛେ ଏବଂ ଶିକ୍ଷିଚାଲିଥିବା । ଏହା ଭାରତପାଇଁ ଏକ ବିଚିତ୍ର ସୁଯୋଗ ଯେ ଏପରି ଜଣେ ମହାନ ଦାର୍ଶନିକ, ଜଣେ ମହାନ ଶିକ୍ଷାବିତ୍ ଏବଂ ଜଣେ ମହାନ ମାନବାଦୀଙ୍କୁ ଆମେ ଆମର ରାଷ୍ଟ୍ରପତି ହିସାବରେ ପାଇଛେ ।”ଏକଦା ପ୍ଲାଟୋ ଆଶା କରିଥିଲେ ଯେ ଦାର୍ଶନିକମାନେ ରାଜା ହୁଅନ୍ତୁ ଏବଂ ଏହା ଭାରତପାଇଁ ସତ୍ୟ ହେଲା ଯେ, ଜଣେ ଦାର୍ଶନିକ ରାଷ୍ଟ୍ରପତି ହେଲେ । ଭାରତର ରାଷ୍ଟ୍ରପତି ହେବା ପରେ ମଧ୍ୟ ନିଜ ଦରମାରୁ ମାତ୍ର ଅଢ଼େଇ ହଜାର ଟଙ୍କା ରଖି ବାକି ସବୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିଦେଉଥିଲେ ।

୧୯୫୪ ମସିହାରେ ଭାରତର ସର୍ବୋତ୍ତମ ଉପାଧି/ପୁରସ୍କାର “ଭାରତ ରତ୍ନ” ପ୍ରଥମେ ଯେଉଁ ତିନିଜଣଙ୍କୁ ଦିଆଯାଇଥିଲା, ସେମାନଙ୍କ ମଧ୍ୟରୁ ସେ ଅନ୍ୟତମ । ମାନବ ଜାତିର ସେବା ନିମନ୍ତେ ତାଙ୍କୁ ଏ ଉପାଧି ଦିଆଯାଇଥିଲା । କେବଳ ଭାରତ ସରକାର ନୁହନ୍ତି, ବ୍ରିଟେନ୍ ସରକାର ମଧ୍ୟ ୧୯୬୨ ମସିହାରେ ରାଧାକ୍ରିଷ୍ଣନଙ୍କୁ ‘‘ଅର୍ଡର୍ ଅଫ୍ ମେରିଟ୍’ ସମ୍ମାନରେ ସମ୍ମାନିତ କରିଥିଲେ ।

ଏହି ମହାପୁରୁଷଙ୍କର ମହାପରାୟଣ ୧୯୭୫ ମସିହାର ଅପ୍ରେଲ ୧୭ ତାରିଖରେ ଘଟିଥିଲା । ସେପ୍ଟେମ୍ବର ୫ ତାରିଖଟି ଆମ୍ଭର ମହାନ ଦାର୍ଶନିକ, ଲେଖକ, ବିଚକ୍ଷଣ ରାଜନୀତୀଜ୍ଞ ଓ ରାଷ୍ଟ୍ରନେତା ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କର ଜନ୍ମତିଥି । ସେ ଗୁରୁମାନଙ୍କ ମଧ୍ୟରୁ ଜଣେ । ଏହି ଅବସରରେ ଆମେ ତାଙ୍କ ଜନ୍ମତିଥି ପାଳନ କରିବା ସହିତ ସମଗ୍ର ଗୁରୁ ସମାଜ ପ୍ରତି ତାଙ୍କର ଶିକ୍ଷାଦାନ ମାଧ୍ୟମରେ ଜ୍ଞାନ ଦାନ, ଛାତ୍ରମାନଙ୍କର ଚରିତ୍ର ଗଠନ ଏବଂ ସେମାନଙ୍କୁ ପଥ ପ୍ରଦର୍ଶନ କାରଣକୁ ବିଚାରି ତାଙ୍କ ସମ୍ମାନାର୍ଥେ ଏ ଦିବସଟି ପାଳନ କରୁଅଛୁ । ଖାଲି ଆମ ଦେଶରେ ନୁହେଁ, ଏହିପରି ଗୁରୁଦିବସ ଅନ୍ୟ ଦେଶରେ ମଧ୍ୟ ପାଳିତ ହୁଏ । ଆନ୍ତର୍ଜାତିକ ସ୍ତରରେ ବିଶ୍ୱ ଶିକ୍ଷକ ଦିବସ ରୂପେ ଅକ୍ଟୋବର ୫ ତାରଖକୁ ପାଳନ କରାଯାଏ । ସର୍ବପଲ୍ଲୀ ରାଧାକୃଷ୍ଣନ୍ ଆଜି ଇହ ଜଗତରେ ନାହାନ୍ତି ସତ, ମାତ୍ର ଭଗବତ ଗୀତା, ବ୍ରହ୍ମସୂତ୍ର ଓ ଉପନିଷଦ ଆଦି ଭାରତୀୟ ଶାସ୍ତ୍ର ସମୂହ ଉପରେ ସେ ଯେଉଁ କାଳଜୟୀ ପୁସ୍ତକମାନ ଲିପିବଦ୍ଧ କରିଯାଇଛନ୍ତି, ତଦ୍ୱାରା ସେ ମହାନ ଆଚାର୍ଯ୍ୟ ଶଙ୍କର, ରାମାନୁଜଙ୍କ ସହିତ ସମାନ ଆସନରେ ଅଧ୍ୟଷ୍ଠିତ ହୋଇଛନ୍ତି ଓ ବିବେକାନନ୍ଦଙ୍କ ସଦୃଶ୍ୟ ଭାରତୀୟ ଧର୍ମ ଓ ସଂସ୍କୃତିକୁ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ପ୍ରଚାର ଓ ପ୍ରସାର କରିବା ପାଇଁ ସମର୍ଥ ହୋଇପାରିଛନ୍ତି । ତାଙ୍କର ବିଚାର, ପାଣ୍ଡିତ୍ୟ, ରାଷ୍ଟ୍ର ପରିଚାଳନାରେ କୁଶଳତା, ସର୍ବୋପରି ତାଙ୍କର ମାନବିକତା ଉଜ୍ଜ୍ୱଳ ଜ୍ୟୋତି ରୂପେ କାଳେ କାଳେ ଜାଜୁଲ୍ୟମାନ ରହି ଏହି ସଂସାରରେ ଦିଗହରା ଭ୍ରାନ୍ତମାନବକୁ ପ୍ରକୃତ ପଥ ପ୍ରଦର୍ଶନ କରୁଥିବ ।

ଶ୍ରୀ ସୌଭାଗ୍ୟ ରଞ୍ଜନ ମହାପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୌଭାଗ୍ୟ ରଞ୍ଜନ ମହାପାତ୍ର ସମ୍ବଲପୁରର ବୈଦିକ ମହାବିଦ୍ୟାଳୟର ଜଣେ ଅଧ୍ୟାପକ । ସେ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର କବିତା ରଚନା କରିଥାନ୍ତି ।