You are currently viewing ପତ୍ନୀ
ପତ୍ନୀ

ପତ୍ନୀ

ବାମ ପାଦ କଳସ ଢିଅରେ
ଅଣାୟତ ହୁଏ ବିରି ପେଡ଼ା
ବାପଘର ଶିଳରେ ଫୋଡ଼ାଣ
ଫେଡ଼ୁ ଫେଡ଼ୁ ତୁଠ ହୋଇଯାଏ
ଅଭିଆଡ଼ୀରୁ ଏକ ସୂକ୍ଷ୍ମ ମାନସାଙ୍କ ।

ଖରଡ଼ିଆ ଦୁଇ ହଳ
ଝୁଣ୍ଟିଆରେ ବି ଆଲାରାମ୍
ବାର ବାର ଉଠ୍ ବସ୍
କରାଏ କାମତୁଣୀ ଅଣ୍ଟାରେ
ବୋଉର କନକ ଆଞ୍ଜୁଳି ।

ଶେଷ ରାତି ଶେଯରେ
ତ ସେ ହଜାଇ ଥାଏ
ବାପା ମାଆଙ୍କ ଶୁଦ୍ଧି କ୍ରିୟା
କୁଆଁର ପୁନେଇର
ମଲା ଜହ୍ନରୁ ସାଉଁଟି ଥିବା
ଜଳାଗ୍ନ କଇଁ
ଜାଗରରୁ ଆବୋରି ଥିବା
ପାର୍ବତୀଙ୍କ ଇହଲୀଳା ॥

ନିଜ ପେଜ ଗଳାରୁ
ଜନ୍ମ ଦିଏ ଉତ୍ତରାଧିକାରୀ
ଥୋପ ଥୋପ ରକ୍ତରେ
ଦେଇ ଚାଲେ ଅଗ୍ନି ପରୀକ୍ଷା
ଅନେକ ବି ଉଡ଼ିଯାଆନ୍ତି
ତା’ ଛାତିରୁ ହିରୋସୀମାର
ଫିଟ୍ ଫାଟ୍ ତରଙ୍ଗାୟତ
ମଶାଣୀର ଆଞ୍ଜୁଳାଏ ଜୁଇକୁ ॥

ସେ ବି ଅଙ୍କ କଷିଥାଏ
ଜୀବନ୍ୟାସର ଚଉପଦୀକୁ
ଅଙ୍କଲକ୍ଷ୍ମୀ ହୋଇ
ବାର ବାର ଅନେକ ବାର…।

ଦେବେନ୍ଦ୍ର ସେଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଦେବେନ୍ଦ୍ର ସେଠୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଅନେକ ଗୁଡ଼ିଏ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି ।