You are currently viewing ଆସିଛି ରଜ
Odia Poem Asichhi Raja (ଆସିଛି ରଜ) by Mamata Sahu

ଆସିଛି ରଜ

ବରଷକେ ଥରେ ଆସିଛି ରଜ,
ଆଣିଛି ତା’ ସାଥେ କେତେ ମଉଜ ।

ନୂଆ ଆଷାଢ଼ ମୌସୁମୀ ଆଜି,
କହିଦିଏ ରଜ ଆସିଛି ଆଜି ।

ଗାଆଁରୁ ସହର ସଭିଏଁ ସଜ,
ପାଳିବେ ବୋଲିକି ପରବ ରଜ ।

ମହକି ଉଠୁଚି ସହର ପଲ୍ଲୀ,
କୁଆଁରୀ ମନ ତ ପଡ଼େ ଉଛୁଳି ।

କୁଙ୍କୁମ କଜଳ ଚନ୍ଦନ ଚିତା,
ପାଦକୁ ସୁନ୍ଦର ସରୁ ଅଳତା ।

ଗଭାରେ ଝୁଲାଇ ଫୁଲ ଗଜରା,
ଜାଇ ଜୁଇ ମଲ୍ଲୀ ବାସରେ ଭରା ।

ନୂଆ ଶାଢ଼ୀ ପିନ୍ଧି ଯେତେ କୁଆଁରୀ,
ସଜାଇ ହୁଅନ୍ତି ଆନନ୍ଦ ଭରି ।

ଗାଆଁ ତୋଟା ମାଳେ ହୋଇଣ ମେଳି,
ଝିଅ ବୋହୂ ମିଶି ଖେଳନ୍ତି ଦୋଳି ।

ଘରେ ଘରେ ଭଳି ଭଳିକା ପିଠା,
ପୋଡ଼ପିଠା ସାଥେ କେତେ ଯେ ମିଠା ।

ମିଠା ପାନ ଭଙ୍ଗା ଆସର ଘରେ,
ଖିଲି ପାନ ଥାଏ ସବୁ ମୁହଁରେ ।

ରଜ ଆଣିଦିଏ ଖୁସି ପସରା,
ଓଡ଼ିଆ ସଂସ୍କୃତି ସେ ପରମ୍ପରା ।

– ମମତା ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମମତା ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।