You are currently viewing ମୋ ଗାଁ ମୋ ଉତ୍କଳ ମାଟି
Odia Poem Mo Gaon Mo Utkala Mati (ମୋ ଗାଁ ମୋ ଉତ୍କଳ ମାଟି) by Basantilata Jena

ମୋ ଗାଁ ମୋ ଉତ୍କଳ ମାଟି

ମୋ ଉତ୍କଳ ମାଟି ପୁଣ୍ୟ ତୀର୍ଥ ମୋର
ଜନମିଲି ତା’ କୋଳର
ମୋ ଗାଆଁର ମାଟି ସବୁଠୁ ସୁନ୍ଦର
ସବୁଜିମା ଭରପୂର ।୧।

ମୋ ଗାଆଁର ଲୋକ ଭାଇ ଚାରା ନେଇ
ଏକାଠି ମେଳି ହୁଅନ୍ତି
ପୁନେଇ ପରବ ପାଳନ କରନ୍ତି
ଗଣ୍ଡ ଗୋଳ ନ କରନ୍ତି ।୨।

ସୁଖରେ ଦୁଃଖରେ ଠିଆ ହୋଇ ଥା’ନ୍ତି
ଜଣେ ଜଣଙ୍କ ପାଖର
ଭଲ ମନ୍ଦ କଥା ବୁଝିଣ ଥାଆନ୍ତି
ଭାବି ନିଜ ପରିବାର ।୩।

ଏ ଉତ୍କଳ ମାଟି ଗୌରବ ମୟ
ପୁରାଣ ବର୍ଣ୍ଣିତ ସାର
ଉତ୍କଳ ମାଟିରେ ଜଗନ୍ନାଥ ଧାମ
ନେତ ଉଡ଼େ ଫରଫର ।୪।

ଦାରୁ ବ୍ରହ୍ମ ରୂପେ ପୂଜିତ ହୁଅନ୍ତି
ରତ୍ନ ସିଂହାସନେ ନିଜେ
ଜଗନ୍ନାଥ ରଥ ପୃଥିବୀ ପ୍ରସିଦ୍ଧ
ଅଧାଗଢ଼ା ରୂପ ନିଜେ ।୫।

ଅର୍କ କ୍ଷେତ୍ର ଅଟେ କୋଣାର୍କ ମନ୍ଦିର
ସୂର୍ଯ୍ୟ ଦେବତାଙ୍କ ବାସ
ସପ୍ତ ଐଶ୍ୱର୍ଯ୍ୟର ସ୍ଥାନ ସେ ପାଇଛି
କାରୁକାର୍ଯ୍ୟ ପୂର୍ଣ୍ଣ ଅଙ୍କ ।୬।

ଖଣ୍ଡ ଗିରି ଆଉ ଉଦୟ ଗିରିର
ହାତୀ ଗୁମ୍ଫା ରାଣୀ ଗୁମ୍ଫା
ଇତିହାସେ ସ୍ଥାନ ତାହାର ଯେ ଅଛି
ନୁହେଁ ମୋର ମାଟି ଫମ୍ପା ।୭।

ନୀଳଗିରିର ଯେ ପଥର ବାସନ
କଟକରେ ତାର କଷି
ପିପିଲି ଚାନ୍ଦୁଆ ମନ ମୋହିନିଏ
କିଣିନିଅ ସର୍ବେ ଆସି ।୮।

ଆଷାଢ଼ ମାସରେ ସାଧବ ପୁଅ
ଯାଉଥିଲେ ଦୂର ଦେଶେ
ଧନ ରତ୍ନ ଧରି ଫେରି ଆସୁଥିଲେ
କାର୍ତ୍ତିକର ମାସ ଶେଷେ ।୯।

ଉତ୍କଳ ମାଟିରେ ପୂଜା ବ୍ରତ ହୁଏ
ବାର ମାସେ ତେର ଯାତ
ଲଷ୍ମୀ ପୂଜା ହୁଏ ଦୁର୍ଗା ପୂଜା ହୁଏ
ଶିବ ରାତ୍ରି ମେଳା ଖ୍ୟାତ ।୧୦।

ଶ୍ରୀ ଗଣେଶ ପୂଜା ସରସ୍ଵତୀ ପୂଜା
ତା’ ସାଥେ ରଜ ପାଳନ
ରଜ ଦୋଳି ଗୀତ ସତେ କି ମଧୁର
ଗାଇବା ମନ ଉଚ୍ଛନ ।୧୧।

ମୋ ଗାଆଁର ମାଟି ବାସ୍ନା ସୌରଭିତ
ଭୁଲିବା ସହଜ ନୁହେଁ
ମାଟିର ମମତା ପୁଲକ ଯୋଗାଏ
ପ୍ରାଣ ଶୀତଳତା ରହେ ।୧୨।

– ବାସନ୍ତୀ ଲତା ଜେନା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବାସନ୍ତୀ ଲତା ଜେନା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।