You are currently viewing ଭ୍ରୁଣ
Odia Story Bhruna (ଭ୍ରୁଣ) by Sudhanshu Shekhar Dwibedi

ଭ୍ରୁଣ

ଗର୍ଭକୁ ଆସିବାପରେ ମମ୍ମି ଅଭିମାନ କଲା । ପାପା କହିଲେ ଘରେ ବହୁତ ଲୋକ ହୋଇଗଲେଣି ଆଉ ପିଲା ଦରକାର ନାହିଁ । ମା’ ଗର୍ଭରେ ରହି ସେ ଜାଣିପାରୁଥାଏ ଲୋକମାନେ ବଡ଼ ଅଜବ ଢଙ୍ଗରେ ଭାବି ହେଉଛନ୍ତି । ସେଥିପାଇଁ ମମ୍ମି ଚିନ୍ତାଶୀଳ ହୋଇଯାଏ । ମୋର ଅସ୍ଥିରତା ଏବଂ ଗର୍ଭରେ ଅବ୍ୟବସ୍ଥିତ ଅବସ୍ଥା ତାକୁ ଅଜଣା ଉଷ୍ଣତାରେ ଭରିଦିଏ । ପରନ୍ତୁ ପାପା ନିକଟରେ ଥିଲେ ଏକ ଅଜଣା ଭୟରେ ସେ ଅସ୍ତ ସୂର୍ଯ୍ୟର ରଙ୍ଗରେ ରଙ୍ଗେଇଯାଏ ।

ପାପା ଦିନସାରା ହିସାବରେ ବ୍ୟସ୍ତ ରୁହନ୍ତି । ଘର-ପରିବାରର ଖର୍ଚ୍ଚକାଟ କରିବାକୁ ଉପାୟ ଭାବନ୍ତି । ଭଉଣୀମାନଙ୍କର ପାଠପଢ଼ା ଅପେକ୍ଷା ବିବାହ ଚିନ୍ତା ତାଙ୍କୁ ବେଶୀ ବିବ୍ରତ କରେ । ଯଦିଓ ସେମାନଙ୍କର ବୟସ ବିବାହ ବୟସଠାରୁ ବହୁତ କମ । କେବେ କେବେ ମନରେ ପ୍ରଶ୍ନ ଉଠେ, ଇଏ କିପ୍ରକାର ଲୋକ? ଝିଅମାନଙ୍କୁ କେବଳ ଦୈହିକ ବିକାଶର ଚିନ୍ତା କରନ୍ତି? ଭଲ ହେଇଛି ମୁଁ ଏଯାଏଁ ଦୁନିଆଠାରୁ ବହୁ ଦୂରରେ ଅଛି…

ଦିନେ ପାପା ମମ୍ମିକୁ ଡାକ୍ତର ରିପୋର୍ଟ ଦେଖେଇଲେ । ହଠାତ ମମ୍ମି ଦେହରେ ଶିହରଣ ଖଳିଗଲା । ହୃଦୟ ବାରମ୍ବାର ସ୍ପନ୍ଦିତ ହେଲା । ମମ୍ମିର ସ୍ପନ୍ଦିତ ହୃଦୟର କମ୍ପନରେ ଗର୍ଭରେ ଥିବା ମୋର ଟିକି ଦେହ ଥରି ଉଠିଲା । । ମମ୍ମି ମନେ ମନେ ଭଗବାନଙ୍କୁ ପ୍ରାର୍ଥନା କରୁଥାଏ, ମୋ ପ୍ରାଣ ରକ୍ଷା କରିବା ପାଇଁ, ମୋତେ ବଞ୍ଚେଇବା ପାଇଁ । ତାହା ତା’ପାଇଁ ବହୁତ କଠିନ ସମୟ ଥାଏ । ଦୁଇଟି ସମ୍ପର୍କ ମଧ୍ୟରୁ ତାକୁ କୌଣସି ଗୋଟିଏକୁ ନିର୍ବାଚିତ କରିବାକୁ ହେବ । ପତି ନହେଲେ ଗର୍ଭରେ ବଢ଼ୁଥିବା କନ୍ୟାଭ୍ରୁଣ !!

ମମ୍ମି ପାଖରେ ସମୟ କମ୍ । ତା’ର ଆଉ ଦୁଇଜଣ ଝିଅ ଅଛନ୍ତି । ତେଣୁ ସେ ତା’ ପତିକୁ ନିର୍ବାଚିତ କଲା । ମୁଁ କେବଳ ତା’ର ନିର୍ଣ୍ଣୟକୁ ବୁଝିବାପାଇଁ ଚେଷ୍ଟା କରୁଥାଏ । ମନ ମଧ୍ୟରେ ବ୍ୟଗ୍ରତା ହେଉଥାଏ ଜଣେଇବାକୁ,” ମମ୍ମି ମୁଁ ତ ତୋହରି ଅଂଶ । ତୋ’ ମୋ ଭିତରେ ଫରକ କ’ଣ ଅଛି?” କିନ୍ତୁ ଆଉ ଭାବିବାକୁ ସମୟ ନଥିଲା । ସତରେ ନିରୀହ ମମ୍ମି ସେତେବେଳେ କେତେ ଯେ ଡହଳ ବିକଳ ହେଉଥାଏ ! ମୋତେ ତା’ପ୍ରତି ଦୟା ମାଡ଼ୁଥାଏ । ପାପା ଅନଭିଜ୍ଞ ଧନର ମୋହରେ ନିଜ ଜୀବନର ଅଂଶ ସ୍ୱରୂପ କନ୍ୟାଭ୍ରୁଣକୁ ହରେଇଦେବାକୁ ପ୍ରସ୍ତୁତ ଥା’ନ୍ତି ।
ଆଉ ଅଧିକ କ’ଣ କହିବ ଭ୍ରୁଣ? ଗର୍ଭ ବ୍ୟତୀତ ବାହାର ଦୁନିଆରେ ତା’ର ଅସ୍ତିତ୍ୱ କ’ଣ ଅଛି ଯେ !! କେବଳ ପାପାଙ୍କର କହିବା ଶୁଣିବା ଉପରେ ନିର୍ଭର କରୁଥାଏ ତା’ ଜୀବନ । ତା’ କଥା ଶୁଣିବ କିଏ??

କ୍ଲିନକର ଥଣ୍ଡା ଟେବୁଲ ଉପରେ ମମ୍ମି ଚିତହୋଇ ଶୋଇଥାଏ । ଡାକ୍ତର ରୁମ ଭିତରକୁ ଆସି ସାରିଥାନ୍ତି । ସମ୍ଭବତଃ ସେତେବେଳକୁ ଜଣେ ମା’ର ମମତାକୁ ଅନ୍ତହୀନ କରିବା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା ହୋଇସାରିଥାଏ ।

– ସୁଧାଂଶୁ ଶେଖର ଦ୍ୱିବେଦୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁଧାଂଶୁ ଶେଖର ଦ୍ୱିବେଦୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।