ବଉଳା ଗାଈ ଗପ
ବଉଳା ଗାଈ ଗପ

ବଉଳା ଗାଈ ଗପ

ହଠାତ୍ ସୁମିତ୍ରା ହାତରୁ ଫୋନ୍ ଖସିପଡ଼ିଲା । ଲଥ୍ କରି ଚେୟାରରେ ବସିପଡ଼ିଲା । ଗୋଡ଼ରୁ ମୁଣ୍ଡ ଯାଏଁ ଥରୁଥିଲା ସିଏ । କ’ଣ କରିବ? କାହାକୁ କହିବ? ଅମିତ୍ ହିଁ ତ’ ସେଠାକାର ଜିଲ୍ଲାପାଳ, ତାଙ୍କ ପାଇଁ ପୁଣି କାହାକୁ ଗୁହାରି କରିବ? ଆଜି ସକାଳୁ ତ’ କହିକି ଯାଇଥିଲେ, “ଦେହ ଟା ଭଲ ଲାଗୁନି, ଯଦି ହବ ଘରକୁ ଜଲ୍‌ଦି ଚାଲିଯିବି, ତୁମେ ପରେ ଡାକ୍ତରଖାନାରୁ ଆସିଲେ ଚଳିବ ।” କେମିତି ହେଇଗଲା ଏସବୁ? ସେତିକିବେଳେ ଧଇଁ ସଇଁ ହେଇ ପଶିଆସିଲା ପିଅନ, “ଡାକ୍ତର ମାଡାମ୍ ଡାକ୍ତର ମାଡାମ୍, ସାର୍‌ଙ୍କୁ ମାଓବାଦୀ ମାନେ ନେଇଗଲେ ।” ଛାନିଆ ହେଇ କହିଚାଲିଥାଏ ସିଏ । ସୁମିତ୍ରାକୁ ଖାଲି ଅମିତ୍‌ଙ୍କର ମୁହଁ ମନେପଡ଼ୁଥାଏ । ହାତ ପାଦ ତାର ଗୋଟା ପଣେ ଓଦା । କ’ଣ କରୁଥିବେ ଅମିତ୍, କୋଉଠି ଥିବେ ସେ?

ଅମିତ୍ ବାବୁଙ୍କ ଆଖିରୁ ପଟି ଖୋଲାହେଲା । ଗୋଟେ ଛୋଟ ଟାଇଲି ଛପର ଘରେ ନିଜକୁ ଆବିଷ୍କାର କଲେ ସେ । ମାଟି କାନ୍ଥ, ଛୋଟ ଛୋଟ ଝରକା ଆଉ ତାଙ୍କ ଚାରିପଟେ ପାଞ୍ଚ/ଛ’ ଜଣ ଲୋକ । ସମସ୍ତଙ୍କ ମୁହଁ ଗାମୁଛାରେ ଘୋଡ଼ାଇ ହେଇଥାଏ । “ପାଣି ଟିକିଏ ମିଳିବ?” ଅମିତ୍ ପଚାରିଲେ । ଜଣେ ଚୁପ୍ ଚାପ୍ ଯାଇ ପାଣି ବୋତଲଟେ ଆଣି ଦେଲା । ପାଣି ପି’ସାରି ଅମିତ୍ ଟିକିଏ ପ୍ରକୃତିସ୍ଥ ହେଲେ । ସେମାନଙ୍କ ଭିତରୁ ଜଣେ କହିଲା, “ଆମର ତୁମ ସହ କୌଣସି ଶତ୍ରୁତା ନାହିଁ କି ତୁମର କୌଣସି କ୍ଷତି କରିବା ଆମର ଉଦ୍ଦେଶ୍ୟ ନୁହଁ । ଆମେ ଆମର ଦାବି ପୁରଣ ପାଇଁ ତୁମର ଅପହରଣ କରିଛୁ ଏବଂ ଆମର ଦାବି ପୁରଣ ହେଲେ ଆମେ ତୁମକୁ ଛାଡ଼ିଦେବୁ । ଆମ କାମ ସହଜ ହେଲେ, ତୁମେ ବି ଭଲରେ ଭଲରେ ନିଜ ପରିବାର ପାଖକୁ ଫେରିଯିବ କିନ୍ତୁ ଯଦି ଏଠାରୁ ଖସିଯିବାର କୌଣସି ବିଫଳ ଚେଷ୍ଟା କର, ତା’ର ପରିଣତି ତୁମପାଇଁ ବହୁତ ଖରାପ ହେବ ଆଉ ସେଥିପାଇଁ ତୁମେ ନିଜେ ହିଁ ଦାୟୀ ହେବ ।” ଏତକ କହି ସମସ୍ତେ ବାହାରକୁ ଯାଇ କବାଟ ବାହାରୁ ବନ୍ଦ କରିଦେଲେ । ଅମିତ୍ ଏପର୍ଯ୍ୟନ୍ତ କିଛି ବୁଝିପାରୁନଥାନ୍ତି, କ’ଣ ସବୁ ଘଟିଯାଉଛି ? ସୁମିତ୍ରାଙ୍କର ଆଉ ମାମୁନିର ମୁହଁଟା ଖାଲି ଆଖି ଆଗରେ ନାଚିଯାଉଥାଏ । ଦିନ ଯାଇ ସନ୍ଧ୍ୟା ହେଲା ଆଉ ସନ୍ଧ୍ୟା ଯାଇ ରାତି । ଯୋଉ ଲୋକଟି ଦିନବେଳେ ଚେତାବନୀ ଶୁଣେଇଥିଲା ସେ ଖାଇବା ନେଇ ଆସିଥାଏ । ଅମିତ୍ କହିଲେ, “ଶୁଣ, ମୋ ଦେହ ଭଲନାହିଁ, ଜର ଜର ଲାଗୁଛି । କିଛି ଔଷଧ ମିଳିପାରିବ?” ଲୋକଟି ବୁଲି ଚାହିଁଲା ଓ ପଚାରିଲା “ଔଷଧ ନାଁ ଜାଣିଛ?” ଅମିତ୍ ହଁ ମାରିବାରୁ ବାହାରକୁ ଯାଇ କାଗଜ ଖଣ୍ଡେ ଆଉ କଲମଟେ ଆଣି ତାଙ୍କ ହାତକୁ ବଢ଼େଇଦେଲା । ଅମିତ୍ ଔଷଧ ନାଁ ଲେଖିଦେଲେ । କାଗଜଟି ଭାଙ୍ଗି ପକେଟରେ ରଖୁ ରଖୁ କହିଲା, “ଆଜି ମିଳିବନି, କାଲି ଦିପହରେ ହିଁ ମିଳିପାରିବ ।” ଆଉ ସେ ଚାଲିଗଲା । ପରିସ୍ଥିତିର ଗମ୍ଭୀରତା ଅମିତ୍ ଭଲ ଭାବେ ବୁଝିସାରିଥାନ୍ତି । “ମଣିଷ ଅନିଶ୍ଚିତତା ଭିତରେ ଯେତେ ସ୍ଥିରଚିତ୍ତ ରହିବ ସେତେ ସହଜରେ ଅସୁବିଧାର ସାମ୍ନା କରିପାରିବ ।” ଏଇ ପଦକ କଥା ସବୁବେଳେ ଅମିତ୍‌ଙ୍କ ଜେଜେବାପା କୁହନ୍ତି । ଜେଜେଙ୍କ କଥାକୁ ମନେପକେଇ ଅମିତ୍ ନିଜକୁ ସ୍ଥିର ରଖୁଥାନ୍ତି ଆଉ ଧୈର୍ଯ୍ୟର ସହ ବସିଥାନ୍ତି । ତା ପରଦିନ ସକାଳୁ ସେଇଲୋକ ଜଳଖିଆ ନେଇଆସିଲା । ଔଷଧ କଥା ପଚାରିବାରୁ ବିରକ୍ତିରେ ଲୋକଟି କହିଲା, “କହିଥିଲି ପରା ଦିପହର ପରେ ହିଁ ମିଳିପାରିବ ।” ପୁଣି ଅମିତ୍ କହିଲେ, “ଆଜିର ଖବରକାଗଜଟା ଯଦି ମିଳନ୍ତା…” କିଛି ନକହି ଲୋକଟି ବାହାରକୁ ଚାଲିଗଲା ।

ଖରାବେଳ ଖାଇବା ସହ ଔଷଧ ଆସିଯାଇଥିଲା । ଲୋକଟି ବୋଧେ ଅମିତ୍‌ଙ୍କୁ ଦେଖି କିଛି ବୁଝିପାରିଥିଲା । କହିଲା, “ଖବରକାଗଜ ତୁମକୁ ଦିଆଯିବ ନାଇଁ ବୋଲି ଉପରୁ ଅର୍ଡର ଅଛି । ଆମ ଉପର ଲୋକର ଅନୁମତି ବିନା ଆମେ କିଛି କରିପାରିବୁନି ।” ଅମିତ୍ କହିଲେ, “ସବୁବେଳେ କାମ କରିବା ଲୋକ ମୁଁ, ଏଠି କିଛି କାମ ନାଇଁ । ଖବର କାଗଜଟେ ମିଳିଥିଲେ ଦିନର କିଛି ସମୟ କଟିଯାଇଥାନ୍ତା, କିଛି ପୁରୁଣା ବହି ଥିଲେ ବି ଚଳିବ ।” ଏଥର ବି କିଛି ନକହି ଚାଲିଗଲା ଲୋକଟି । ଚିନ୍ତାରେ ଭାରକ୍ରାନ୍ତ ଅମିତ୍ ତା’ର ଯିବା ବାଟକୁ ଚାହିଁ ରହିଥାନ୍ତି । ଆଗକୁ ସବୁ ଅନ୍ଧାର ଦିଶୁଚି । କେତେବେଳେ ଦିନ ଯାଇ ରାତି ଆସୁଚି ତାହା କେବଳ ସେଇ ଛୋଟ ଝରକା ଦେଇ ଆସୁଥିବା ଆଲୁଅରୁ ଅନୁମାନ କରୁଥାନ୍ତି ଅମିତ୍ । ଔଷଧ ଖାଇବା ପରେ ଦେହ ଟା ଟିକିଏ ଭଲ ଲାଗୁଛି । ଲୋକଟି ରାତିର ଖାଇବା ନେଇ ଆସିଲା । ଖାଇବା ରଖିଦେଇ ସବୁଥର ପରି ଏଥର କିନ୍ତୁ ବାହାରକୁ ଗଲାନି, ଚକା ପକେଇ ତଳେ ବସିଲା । ଏକୁଟିଆ ବସି ବସି ଅମିତ୍ ମଧ୍ୟ ବିରକ୍ତ ହେଇଯାଇଥାନ୍ତି, ନିଜ ଆଡ଼ୁ କଥା ଆରମ୍ଭ କଲେ ସେ । “ତୁମେ ଖାଇଲଣି?” କିଛି ଉତ୍ତର ଦେଲାନି ଲୋକଟି ସେମିତି ଚୁପ ହେଇ ବସିଥାଏ । ଅମିତ୍ ପୁଣି ଟିକିଏ ହସି ପଚାରିଲେ, “କ’ଣ ମୁଁ ଖାଇବା ବେଳେ ବି ମତେ ଜଗିବସିବାକୁ ଉପରୁ ଅର୍ଡର ଆସିଛି?” ଅମିତ୍‌ଙ୍କୁ ହସୁଥିବା ଦେଖି ଲୋକଟି ପଚାରିଲା, “ତୁମକୁ କ’ଣ ଡର ଲାଗୁନି? ହସୁଚ କ’ଣ? ତୁମ ସରକାର ଆମର ଦାବୀ ପୂରଣ ନକଲେ ତୁମ ମୃତ୍ୟୁ ସୁନିଶ୍ଚିତ ।” ନିଜର ଡର ଆଉ ଚିନ୍ତା ସବୁକୁ ଲୁଚେଇ ଅମିତ୍ ଉତ୍ତର ଦେଲେ “ପ୍ରଥମ କଥା, ମୋ ବଞ୍ଚିବା କିମ୍ବା ମରିବାର ମୋର ଡର ସହିତ କିଛି ସମ୍ପର୍କ ନାହିଁ । ମୁଁ ଡରିଲେ ଯେ ତୁମେ ମତେ ମାରିବନି ତା’ର କିଛି ମାନେ ନାହିଁ । ଆଉ ଦ୍ଵିତୀୟ କଥା ହେଲା ଯେବେଯାଏଁ ମୋର ମୃତ୍ୟୁ ହେଇନି ସେବେଯାଏଁ ମୁଁ ବଞ୍ଚିବାର ଆଶା ଛାଡ଼ିବାକୁ ଚାହୁଁନି ।” “ତୁମକୁ ସିନା ନିଜ ପାଇଁ ଚିନ୍ତା ଲାଗୁନି, ତୁମ ପରେ ତୁମ ସ୍ତ୍ରୀ, ପିଲା ଏମାନଙ୍କ ପାଇଁ କ’ଣ ଡରୁନ? ସେମାନେ କେମିତି ବଞ୍ଚିବେ ଭାବିଚ?” ପଚାରିଲା ଲୋକଟି । ଅମିତ୍ ଗୋଟେ ଦୀର୍ଘ ନିଶ୍ଵାସ ଛାଡ଼ି କହିଲେ, “ମୋ ସ୍ତ୍ରୀ ଜଣେ ଡାକ୍ତର । ମୋର ଗୋଟିଏ ଚାରି ବର୍ଷର ଛୋଟ ଝିଅ । ଯଦି ମୁଁ ମରିଯାଏ, ବାପାର ସ୍ଥାନ ହୁଏତ ପୂରଣ ହେଇ ନ ପାରେ କିନ୍ତୁ ବାପାର କର୍ତ୍ତବ୍ୟରେ ଅବହେଳା ହବନି । ମୋର ସବୁ କର୍ତ୍ତବ୍ୟକୁ ପୂର୍ଣ୍ଣ ଭାବେ ପୂରଣ କରିବାର କ୍ଷମତା ମୋ ସ୍ତ୍ରୀ ଙ୍କର ଅଛି । ସରକାରୀ ଚାକିରି କାଳ ଭିତରେ ମୃତ୍ୟୁ ହେଲେ, ମୋ ପରିବାରକୁ ଆର୍ଥିକ ସୁବିଧା ସହ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିବ । ତା’ ଛଡ଼ା ମୋ ପରିବାର ପ୍ରତି ଲୋକଙ୍କର ସମ୍ମାନ ଓ ଅନୁକମ୍ପା ମଧ୍ୟ ବଢ଼ିଯିବ ।” ଅମିତ୍‌ଙ୍କର କଥା ଲୋକଟି ଶୁଣୁଥାଏ ସିନା କ’ଣ ସବୁ ଭାବିଚାଲିଥାଏ ମନେ ମନେ । ଅମିତ୍‌ଙ୍କ କଥା ସରିବାରୁ ସେ କହିଲା, “ପଅରଦିନ ପାଇଁ ଶେଷ ଚେତାବନୀ ଦିଆଯାଇଛି । ଯଦି ଏଥର ମଧ୍ୟ ତୁମ ସରକାର ଆମ କଥା ନ ଶୁଣିବେ…” ଏତକ କହି ସେ ସେଠାରୁ ଚାଲିଗଲା ଆଉ ଅମିତ୍ ବି ବୁଝିଯାଇଥିଲେ ତାର ଅସମାପ୍ତ ବାକ୍ୟର ଅର୍ଥ । ବୋଧେ ଏତିକି କହିବ ପାଇଁ ସେ ବସିଥିଲା ଆଜି ।

ତା’ ପରଦିନ ସକାଳୁ ଲୋକଟି ଗୋଟିଏ ପୁରୁଣା ବହି ଧରି ଆସିଲା । ଅମିତ୍‌ଙ୍କୁ ଦେଲା ବହିଟି ଆଉ କହିଲା, “ଆପଣ ଯଦି ପଢ଼ିବାକୁ ଚାହୁଁଛନ୍ତି ଏଇଟା ପଢ଼ିପାରନ୍ତି ।” ଆଉ ଚାଲିଗଲା । ତା’ ପାଟିରୁ “ଆପଣ” ଶୁଣି ଅମିତ୍ ଟିକିଏ ଆଶ୍ଚର୍ଯ୍ୟ ହେଲେ । ବହିଟି ଖୋଲି ଦେଖିଲେ, ଦଶ/ବାରଟି ପିଲାଙ୍କ ଗପ ଅଛି, ଏଇ ଯେମିତି– କାଶିଆ-କପିଳା, ଟୁଆଁ-ଟୁଇଁ, ମିଛୁଆ ରାଧୁଆ, ବଉଳା ଗାଈ, ମାଙ୍କଡ ଓ କୁମ୍ଭୀର, ବଗ-ବିଲୁଆ ଇତ୍ୟାଦି । ପିଲାବେଳ କଥା ମନେପଡ଼ିଗଲା ତାଙ୍କର । ପନ୍ଦର ମିନିଟ ଭିତରେ ପୁରା ବହିଟି ପଢ଼ି ସାରିଦେଲେ । ବହି ପଢ଼ା ସାରିଲା ପରେ ପୁଣି ସେଇ ଚିନ୍ତା ଆଉ ଡର ମାଡ଼ିବସିଲା । ସତରେ ସୁମିତ୍ରା ଆଉ ମାମୁନିଙ୍କୁ ଦେଖିପାରିବେନି ବୋଧେ । କ’ଣ ବା କରିବେ, କିଛି ଉପାୟ ଦିଶୁନି । ଝରକା ଦେଇ ଆସୁଥିବା ସୂର୍ଯ୍ୟ କିରଣକୁ ଚାହିଁ ରହିଥାନ୍ତି ଅମିତ୍ । ଖରାବେଳେ ଖାଇବା ନେଇ ଆସିଲା ଲୋକଟି । ଖାଇବା ରଖି ତଳେ ବସିଲା ଆଉ ଏଥର ନିଜ ମୁହଁରୁ ନାଲି ଗାମୁଛା କାଢ଼ିଲା । ଅମିତ୍ ଆଶ୍ଚର୍ଯ୍ୟ ହେଲେ, ପଚାରିଲେ, “ତୁମ ନାଁ କ’ଣ?” “ଯତୀନ୍” ଉତ୍ତର ଦେଲା ଲୋକଟି । କହିଲା, “ଏଡ଼େ ବଡ଼ ବିପତ୍ତି ସମୟରେ ମଧ୍ୟ ଆପଣ ଅବିଚଳିତ । ଏସବୁର କାରଣ ଆପଣଙ୍କ ଜ୍ଞାନ ନିଶ୍ଚୟ । ପିଲାଟିବେଳୁ ପାଠରେ ମୋର ଡୋରି ବନ୍ଧା ହେଲା, ତେଣୁ ପାଠ ପଢ଼ା ଲୋକ ଦେଖିଲେ ଆଜି ବି ଈର୍ଷା ହୁଏ ।” ଅମିତ୍ ମନେ ମନେ ଭାବୁଥାନ୍ତି, “ନିଜ ପରିବାର କଥା ଉଠିଲେ ତ’ ବଡ଼ ବଡ଼ ଜ୍ଞାନୀଙ୍କର ବୁଦ୍ଧି ବାଟ ବଣା ହୁଏ, ମୋ’ ଅବସ୍ଥା ମୁଁ ହିଁ ଜାଣିଛି ।” ଯତୀନ୍ ପଚାରିଲା, “ବହିଟି ପଢ଼ିଲେ?” ଅମିତ୍ କହିଲେ, “ହଁ, କେତେବେଳୁ ସରିଲାଣି ଗପ ପଢ଼ା ।” ପୁଣି ଯତୀନ୍ ପଚାରିଲା, “ବଉଳା ଗାଈ ଗପଟି ପଢ଼ିଲେ?” ଅମିତ୍ ହଁ ମାରିଲେ । କିଛି ସମୟର ନୀରବତା ପରେ ଅମିତ୍ କହିଲେ, “ଏଠି ତାହେଲେ ତୁମେ ବାଘ ମାମୁଁ ଆଉ ମୁଁ ବଉଳା ଗାଈ ।” ହସିଦେଲା ଯତୀନ୍, ପଚାରିଲା, “ଯଦି ଆପଣଙ୍କୁ ବଉଳା ଗାଈ ପରି ସୁଯୋଗ ଦିଆଯାଏ, ଆପଣ କ’ଣ ତା’ ପରି କଥା ରଖିବେ?” ଆଶ୍ଚର୍ଯ୍ୟ ହେଇ ଅମିତ୍ ପଚାରିଲେ, “କ’ଣ କହିଲ?” “ମୁଁ ଆଜି ଯଦି ଆପଣଙ୍କୁ ଆପଣଙ୍କ ପରିବାର ସହ ମିଶିବାର ସୁଯୋଗ ଦିଏ, ଆପଣ କଥା ରଖି ରାତାରାତି ଫେରି ଆସିବେ?” ପଚାରିଲା ଯତୀନ । ଅମିତ୍‌ଙ୍କର ନିଜ କାନକୁ ବିଶ୍ୱାସ ହେଉନଥାଏ, “ସତରେ ତୁମେ ମୋ ପାଇଁ ଏତିକି କରିବ?” କିଛି ଉତ୍ତର ନ ଦେଇ ଚାଲିଗଲା ଯତୀନ ଆଉ ସବୁଥର ପରି ତା’ ଯିବା ବାଟକୁ ଚାହିଁ ରହିଥାନ୍ତି ଅମିତ୍ ।

ପରଦିନ ଖରାବେଳେ ଯତୀନ୍ କହିଲା, “ଆପଣଙ୍କ ସରକାରଙ୍କୁ ଦିଆ ଯାଇଥିବା ସମୟ ଶେଷ ହେଲା, ଆଉ ବୋଧହୁଏ ଆପଣଙ୍କର ମଧ୍ୟ । ଆମେ କାଲି ସକାଳୁ ଆପଣଙ୍କୁ ନେଇ ଆମ ମୁଖିଆ ପାଖକୁ ଯିବୁ । ଜଙ୍ଗଲ ଭିତରେ ଆହୁରି ବହୁତ ବାଟ ଆଉ ସେଠିକି ଗଲେ ଫେରିବାର ସବୁ ଆଶା ଶେଷ ।” ଅମିତ୍ ଶୁଣୁଥାନ୍ତି, କିଛି ଭବିପାରୁନଥାନ୍ତି । ପୁଣି ଯତୀନ୍ କହିଲା, “ମୋ ଜୀବନକୁ ବାଜି ଲଗେଇ ଆପଣଙ୍କୁ ଆଜି ରାତିରେ ଛାଡ଼ିବି, ଆପଣ ଶେଷଥର ପାଇଁ ନିଜ ପରିବାରକୁ ଦେଖି ସାଙ୍ଗେ ସାଙ୍ଗେ ଭୋର୍ ହେବା ପୂର୍ବରୁ ଫେରି ଆସିବେ ବୋଲି କଥା ଦେବାକୁ ପଡ଼ିବ । “ଯତୀନ୍‌ର ଦୁଇ ହାତକୁ ଧରିପକେଇଲେ ଅମିତ୍, ଭାବବିହ୍ଵଳ ହେଇ କହିଲେ, “ହଁ ନିଶ୍ଚୟ ଫେରିବି, କଥା ଦେଲି । ମୋ ପରିବାରକୁ ମୃତ୍ୟୁ ପୂର୍ବରୁ ଥରଟେ ଦେଖିଦେଲେ ଶାନ୍ତିରେ ମରିବି । ତମେ ସତରେ ମୋ ପାଇଁ ଏତିକି କରିବ?” ଯତୀନ୍ ଗୋଟେ ନାଲି ଲଫାପା କାଢ଼ିଲା ଆଉ କହିଲା, “ସବୁ ବ୍ୟବସ୍ଥା ମୁଁ କରିବି । ଆପଣଙ୍କୁ ମୋର ଦୁଇଟି କଥା ରଖିବାକୁ ପଡ଼ିବ । ପ୍ରଥମ; ଆପଣ ଭୋର ହେବା ପୂର୍ବରୁ ଫେରି ଆସିବେ ଆଉ ଦ୍ଵିତୀୟ; ଏଇ ଲଫାପାଟି ଡାକ୍ତର ମାଡାମ୍‌ଙ୍କୁ ଦେବେ । କହିବେ, ଆପଣ ମୋ ପାଖକୁ ଫେରିବା ପରେ ସେ ଲଫାପାଟି ଖୋଲିବେ, ତା’ ପୂର୍ବରୁ ନୁହଁ ।” “କ’ଣ ଅଛି ଏଥିରେ?” ପଚାରିଲେ ଅମିତ୍ । “ଯାହା ବି ଅଛି, କେବଳ ଡାକ୍ତର ମାଡାମ୍‌ଙ୍କ ପାଇଁ ଅଛି । ଏଠୁ ବାହାରି ଆପଣଙ୍କୁ ଧାଇଁବାକୁ ପଡ଼ିବ, ନହେଲେ ସମୟ ହେବନି । ସିଧା ସିଧା ପ୍ରାୟ ତିନି କିଲୋମିଟର ଯିବାପରେ ଡାହାଣ ପଟେ ଗୋଟେ ବଡ଼ ବରଗଛ ପଛରେ ଆପଣଙ୍କୁ ସାଇକଲଟିଏ ମିଳିବ । ମୋ ହିସାବରେ ଯଦି ଆପଣ ରାତି ୧୦ଟା’ରେ ଏଠୁ ବାହାରିବେ, ରାତି ଗୋଟାଏ ସୁଦ୍ଧା ଘରେ ପହଞ୍ଚି ପାରିବେ, ପୁଣି ସେଇଠୁ ୧.୩୦ରେ ବାହାରିଲେ ଏଇଠି ଭୋର ୪ଟା ସୁଦ୍ଧା ପହଞ୍ଚି ଯିବେ । ସମୟ ହିସାବରେ କାମ କରିବାକୁ ପଡ଼ିବ । ବିଳମ୍ବ କରିବେନି କିମ୍ବା କାହାକୁ ଜଣେଇବେନି ଯେମିତି ।” ଅମିତ୍‌ଙ୍କର କିଛି ବିଶ୍ୱାସ ହେଉନଥାଏ, ସତରେ ଏ ଯତୀନ ତାଙ୍କୁ ଯିବାକୁ ଦେବ? ସତରେ ଆଜି ସୁମିତ୍ରା ଆଉ ମାମୁନିଙ୍କୁ ଦେଖିପାରିବେ? ରାତି ହେଲା, ଅମିତ କବାଟ ଫାଙ୍କ ବାଟେ ଥର କୁ ଥର ବାହାରକୁ ଦେଖୁଥାନ୍ତି । ସମସ୍ତେ ଶୋଇଲେଣି ବୋଧେ, କିଛି ସ୍ଵର ଶବ୍ଦ ନାହିଁ କାହାର । ନିରାଶ ହେଇ କାନ୍ଥକୁ ଆଉଜି ବସିପଡ଼ିଲେ ଅମିତ୍ । କିଛି ସମୟ ପରେ ସନ୍ତର୍ପଣରେ କବାଟ ଖୋଲିଲା ଯତୀନ୍ । କହିଲା, “ଯାଆନ୍ତୁ, ଶୀଘ୍ର କରନ୍ତୁ । ମୋ ଲଫାପା ରଖିଲେଟି ମନେ କରି? ତାକୁ ଡାକ୍ତର ମାଡାମ୍‌ଙ୍କୁ ଦେବାକୁ ଭୁଲିବେନି ।” ଯତୀନ୍‌କୁ ଖୁସିରେ କୁଣ୍ଢେଇ ପକେଇଲେ ଅମିତ୍ ଆଉ ଗୋଟେ ନିଶ୍ଵାସରେ ଦୌଡ଼ିବା ଆରମ୍ଭ କଲେ । ସତ କୁ ସତ ବରଗଛ ପାଖରେ ସାଇକେଲଟିଏ ଥିଲା । ଅଣନିଶ୍ୱାସୀ ହେଇ ସାଇକେଲ ଚଲାଉଥାନ୍ତି ଅମିତ୍ । ଆସ୍ତେ ଆସ୍ତେ ଦୂରରୁ ଆଲୁଅ ଦେଖାଗଲା । ସାଇକଲର ଗତି ଆହୁରି ବଢ଼ିଗଲା । ଘରେ ପହଞ୍ଚି କବାଟ ବାଡ଼େଇଲେ । ସୁମିତ୍ରା ଓ ଅମିତ୍ କେହି କାହାକୁ ଦେଖି ବିଶ୍ୱାସ କରିପାରୁନଥାନ୍ତି । ବାଟରେ ବୋଧେ କେହି ଦେଖିଦେଇଥିଲା ଅମିତ୍‌ଙ୍କୁ, ଘର ଆଗରେ ଲୋକ ଜମା ହେଇଗଲେ ଆଉ ଅଳ୍ପ ସମୟରେ ପୋଲିସ ମଧ୍ୟ ଆସିଗଲେ । ଏକାନ୍ତରେ କଥାବାର୍ତ୍ତା ଚାଲିଲା ଅମିତ୍‌ଙ୍କ ସହ । ବନ୍ଧକ ରଖିଥିବା ଜାଗା, ଲୋକ ଏ ସମସ୍ତଙ୍କ ବିଷୟରେ ଯେତିକି ମନେଥିଲା ସବୁ କହିଲେ ଅମିତ୍ । ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ, “ସେମାନଙ୍କ ଭିତରେ ଜଣେ ଯତୀନ୍ ଅଛି । ତାକୁ ଆରେଷ୍ଟ କରିବେ, ମାରିବେନି । ତା’ ପାଇଁ ହିଁ ମୁଁ ଆଜି ଜୀବନ ଫେରିପାଇଛି । ସେ ଟିକିଏ ବୁଝିଲା ସୁଝିଲା ଲୋକ ଜଣାପଡ଼ୁଛି । ସରକାରୀ ସାକ୍ଷୀ ହେଇପାରେ ।”

ସୁମିତ୍ରା ଓ ମାମୁନିଙ୍କୁ ଦେଖି ଅମିତ୍ ଯେମିତି ପୂର୍ବ ଜନ୍ମ ଫେରିପାଇଥିଲେ । ସମସ୍ତେ ଖୁସି, ହେଲେ ଅମିତ୍ ବିଚଳିତ । ସେ ବିଚଳିତ ଯତୀନ୍ ପାଇଁ । ତା’ ପାଇଁ ନିଶ୍ଚୟ କିଛି କରିବେ । ସରକାରୀ ସାକ୍ଷୀ ହେବା ପାଇଁ ତାକୁ ବୁଝେଇବେ, ତା’ ପାଇଁ ଭଲ ଓକିଲ କରିବେ । ସେ ତାଙ୍କ ଜୀବନ ବଞ୍ଚେଇଛି, ତା’ ସାହାଯ୍ୟ କେବେ ଭୁଲିବେନି । ଏମିତି ଭାବୁ ଭାବୁ ଆଖି ଲାଗିଗଲା ଅମିତ୍‌ଙ୍କର । ଏତେ ବଡ଼ ଘଟଣା ପରେ ଆଜି ନିଜ ଘରେ ଶାନ୍ତିରେ ଶୋଇ ପଡ଼ିଛନ୍ତି ଅମିତ୍ । ସକାଳୁ ସୁମିତ୍ରାଙ୍କ ଡାକରେ ନିଦ ଭାଙ୍ଗିଲା ଅମିତ୍‌ଙ୍କର । ସୁମିତ୍ରା କହୁଥାନ୍ତି, “ରାତିରେ ପୋଲିସ ହାତରେ ଦୁଇଜଣ ମାଓବାଦୀ ମରିଛନ୍ତି ଓ ଚାରିଜଣ ଖସିଯାଇଛନ୍ତି ।” “ଆଉ ଯତୀନ?” ଉତ୍କଣ୍ଠାର ସହ ପଚାରିଲେ ଅମିତ୍ । “ମୁଁ ଜାଣିନି, ତୁମେ ଥାନାକୁ ଗଲେ ଜାଣିବ ।” ଏତକ କହି ଚା’ କପ୍‌ଟି ବଢେଇ ଦେଲେ ସୁମିତ୍ରା । ଚା’ଟା ସେମିତି ଥୋଇଦେଇ ଅମିତ୍ ସିଧା ଥାନାକୁ ଗଲେ । ସେଠି ମୃତ ମାଓବାଦୀଙ୍କ ଫୋଟୋ ଦେଖି ଦୁଃଖରେ ଭାଙ୍ଗି ପଡ଼ିଲେ ଅମିତ୍ । ଯତୀନ୍‌ର ମୃତ୍ୟୁ ହେଇଥିଲା ପୋଲିସ ଗୁଳିରେ ଆଉ ତା’ ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାରେ ଥିଲା । ଅଜାଣତରେ କାନ୍ଦିପକେଇଥିଲେ ଅମିତ୍ । ନିଜକୁ ଶତ ଧିକ୍କାର କଲେ ମନେ ମନେ । ଯତୀନ୍ ସରକାରଙ୍କର ଦୋଷୀ ଥିଲା ସତ ହେଲେ ଆଜି ତାଙ୍କର ଜୀବନ ବଞ୍ଚେଇବାକୁ ଯାଇ ଯତୀନ୍ ଏ ଦୁନିଆରେ ନାହିଁ । ଏ ପରିସ୍ଥିତିରେ ନିଜ ଛଡ଼ା ଆଉ କାହାକୁ ଦୋଷ ଦେବେ ଅମିତ୍? ଘରକୁ ଫେରି ସୁମିତ୍ରାଙ୍କୁ କହିଲେ, “ନିଜକୁ କେବେ କ୍ଷମା କରିପାରିବିନି ସୁମିତ୍ରା । ବିଶ୍ଵାସଘାତକ ମୁଁ । ଯତୀନର ମୃତ୍ୟୁର ବୋଝ ମୁଣ୍ଡରେ ମୁଣ୍ଡେଇ ମରିବି । “ଛୋଟ ପିଲାଟିଏ ପରି କାନ୍ଦୁଥାନ୍ତି ଅମିତ୍ । “ତୁମେ ଏକା ନୁହଁ, ମୁଁ ଓ ମାମୁନି ମଧ୍ୟ ତା’ର ଋଣି । ସେ ଆମ ପାଇଁ ଯାହା କରିଛି, ମୋ ପାଇଁ ତ’ ଦେବଦୂତ ସିଏ ।” କହି ଅମିତ୍‌ଙ୍କୁ ବୁଝାଉଥାନ୍ତି ସୁମିତ୍ରା । ସେତିକିବେଳେ ଚାକରାଣୀ ପଚାରିଲା, “ବାବୁ, ଏ ନାଲି ଲଫାପାଟା ଆପଣଙ୍କ ପକେଟରେ ଥିଲା । ଲୁଗା ସାଫା କରିବାକୁ ନେଲାବେଳେ ଦେଖିଲି ।” ହଠାତ୍ ମନେପଡ଼ିଲା ଅମିତ୍‌ଙ୍କର ଯତୀନର ଲଫାପା କଥା, “ସୁମିତ୍ରା, ମୁଁ ପୁରା ଭୁଲିଯାଇଥିଲି । ଏ ଲଫାପାଟା ତୁମ ପାଇଁ ଯତୀନ୍ ଦେଇଥିଲା । କହିଥିଲା କେବେଳ ତୁମେ ହିଁ ଖୋଲିବ ।” ସୁମିତ୍ରା ଲଫାପାଟି ଖୋଲିଲେ । ଭିତରେ ଥିଲା ଗୋଟେ ଫୋଟୋ ଆଉ ଗୋଟେ ଚିଠି । ଫୋଟୋଟି ଅମିତ୍ ଙ୍କୁ ଦେଖେଇ ପଚାରିଲେ, “ଏଥିରେ ଯେଉଁ ଲୋକଟି ଅଛି ସେ ଯତୀନ୍?” ଅମିତ୍ କହିଲେ, “ହଁ, ଆଉ ଏଇଟା ବୋଧେ ତା ଝିଅ, କିନ୍ତୁ ସେ ମତେ ତ’ କେବେ କହିନି ତା’ର ଝିଅ କଥା । ଚିଠିରେ କ’ଣ ଲେଖିଛି ପଢ଼ିଲ ସୁମିତ୍ରା ।” ଚିଠି ପଢ଼ିଲେ ସୁମିତ୍ରା;

ନମସ୍କାର ଡାକ୍ତର ମାଡାମ୍,

ମୁଁ ଯତୀନ୍ । ସାର୍ ଆପଣଙ୍କୁ ମୋ ବିଷୟରେ କହିଥିବେ । ଆପଣ ମୋ ଚିଠି ପଢ଼ିଲା ବେଳକୁ ହୁଏତ ମୁଁ ଏ ଦୁନିଆରେ ନଥିବି । ସାର୍ ଆଜି ମତେ କହିଲେ, ଯଦି ତାଙ୍କର ମୃତ୍ୟୁ ହେଇଯାଏ ହୁଏତ ଆପଣ ମାନଙ୍କ ଜୀବନରେ ତାଙ୍କ ସ୍ଥାନ କେହି ପୂରଣ କରିପାରିବେନି କିନ୍ତୁ ତାଙ୍କର ସବୁ କର୍ତ୍ତବ୍ୟ ଆପଣ ତୁଲେଇ ପାରିବେ । ଫୋଟୋରେ ଥିବା ଝିଅଟି ମୋ ଝିଅ, ଆପଣଙ୍କ ଝିଅ ବୟସର । ଜନମରୁ ମା ଛେଉଣ୍ଡ ପିଲାଟା । ମୋ ଛଡ଼ା ତା’ର କି ତା’ ଛଡ଼ା ମୋର ଏ ଦୁନିଆରେ କେହି ନାହିଁ । ମୋ ଜୀବନ ତ’ ପାଣି ଫୋଟୋକା ପରି । କେବେ ପୋଲିସ ଗୁଳିରେ ମରିବି କିମ୍ବା ଜେଲ୍ ଯିବି ତା’ର ଠିକଣା ନାହିଁ । ମୋ ଝିଅ ଅନାଥ ହେଇଯିବ । ଏ ସମାଜ ଯାହା ହେଲାଣି, ମୋ ଅନ୍ତେ ତା’ର କ’ଣ ହବ ଭାବି ଭାବି ରାତିରେ ନିଦ ହଉନି ।

ଏ ଚିଠି ମୁଁ ଆପଣଙ୍କୁ ଲେଖୁଛି, କାରଣ ମୋ ପାଇଁ ଆପଣଙ୍କ ମନରେ ସବୁଠାରୁ ଅଧିକ କୃତଜ୍ଞତା ଥିବ, ସାର୍‌ଙ୍କ ଠାରୁ ମଧ୍ୟ ଅଧିକ । ଫୋଟୋ ପଛପଟେ ଥିବା ଠିକଣା ରେ ମୋ ଝିଅକୁ ଛାଡ଼ିଛି । ଆପଣଙ୍କୁ ମୋର ଅନୁରୋଧ, ତାକୁ ଆପଣଙ୍କ ପାଖକୁ ନେଇଆସିବେ । ନିଜ ଝିଅ ପରି ନ ରଖିଲେ ମଧ୍ୟ, ନିଜ ଠାରୁ କେବେ ଦୂରେଇଦେବେନି । ସାର୍‌ଙ୍କୁ କହିବେ, “ବଉଳା ଗାଈ ଗପର ବଉଳା ଗାଈ ସେ ନୁହଁ । ମୁଁ ଜାଣିଥିଲି ସେ ଥରେ ଗଲେ ଆଉ ଫେରିବେନି ବୋଲି । ମୁଁ ମଧ୍ୟ ବାଘ ମାମୁଁ ନୁହଁ, ବରଂ ମୁଁ ନିଜେ ବଉଳା ଗାଈ ।” ମୋ ଝିଅ ଆପଣଙ୍କୁ ଲାଗିଲା ଡାକ୍ତର ମାଡାମ୍ । ନମସ୍କାର ।

ଇତି
ଯତୀନ୍

ଚିଠି ପଢ଼ିସାରିବା ବେଳକୁ ସୁମିତ୍ରାଙ୍କର କଣ୍ଠ ବାଷ୍ପରୁଦ୍ଧ ହେଇଯାଉଥାଏ ଆଉ କେତେବେଳୁ ଆଖିରୁ ଧାର ଧାର ଲୁହ ଗଡ଼ିଚାଲିଥାଏ । ଅମିତ୍‌ଙ୍କର କାନ୍ଦ ଆହୁରି ବଢ଼ିଯାଇଥାଏ । ଏମିତି କି’ ଚାକରାଣୀ ମଧ୍ୟ ଲୁଗା କାନିରେ ଲୁହ ପୋଛୁଥାଏ । ଚାରି ବର୍ଷର ମାମୁନି କିଛି ବୁଝିପାରୁନଥାଏ । କ’ଣ ପାଇଁ ସବୁ କାନ୍ଦୁଚ ବୋଲି ପଚାରିଲା ସେ । ତାକୁ କୋଳକୁ ଟାଣି ସୁମିତ୍ରା କହିଲେ, “ତୋ ପାଇଁ ଗୋଟେ ଭଉଣୀ ଆଣିବା । ସେଇ ଖୁସିରେ ଆମେ ସବୁ କାନ୍ଦିପକେଇଲୁ ।” କିଛି ବୁଝି ନଥିବା ମାମୁନି ଖୁସିରେ ନାଚିଗଲା ତାକୁ ଭଉଣୀ ମିଳିବ ଶୁଣି । ଯତୀନ୍‌ର ଶେଷକୃତ୍ୟ ସବୁ ଅମିତ୍ ନିଜେ ବୁଝିଲେ । ଯତୀନ୍‌ର ଫୋଟୋରେ ଫୁଲମାଳ ଚଢ଼େଇ ସୁମିତ୍ରା ହାତ ଯୋଡ଼ି ଠିଆ ହେଇଥାନ୍ତି ଆଉ ମନେ ମନେ କହୁଥାନ୍ତି, “ଯତୀନ୍, ତୁମ ପାଖରେ ମୁଁ ଆଜୀବନ ଋଣି । ମୋ ସ୍ଵାମୀ ସିନା ତାଙ୍କ କଥା ରଖିଲେନି ଆଉ ଫେରିକି ଗଲେନି କିନ୍ତୁ ମୁଁ ଆଜି ତୁମକୁ କଥା ଦେଉଛି, ମୋ ଝିଅ ଆଉ ତୁମ ଝିଅ ଭିତରେ କିଛି ପାତର ଅନ୍ତର କରିବିନି । ତୁମ ଝିଅକୁ ସମାଜରେ ପ୍ରତିଷ୍ଠିତ କରେଇବା ପାଇଁ ଯଥାସମ୍ଭବ ଚେଷ୍ଟା କରିବି । ଯେତେବେଳେ ସେ ବୁଝିପାରିବ ତାକୁ କହିବି “ଏ ଯୁଗର ବଉଳା ଗାଈ ଗପ” ଯେଉଁଠି ତା ବାପାର ତ୍ୟାଗ, ଗପରେ ଥିବା ବଉଳା ଗାଈଠାରୁ ଅନେକ ଗୁଣରେ ଅଧିକ ।” ସେତିକିବେଳେ ମାମୁନି ସୁମିତ୍ରାଙ୍କର କାନି ଟାଣି ଡାକିଲା, “ମାମା , ଜଲ୍‌ଦି ଚାଲ । ମୋ ଭଉଣୀକୁ ଆଣିବା ପରା ।”

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu