ଅପୂର୍ଣ୍ଣତା
ଅପୂର୍ଣ୍ଣତା

ଅପୂର୍ଣ୍ଣତା

ଦିନେ ସାଇଟ କାମ ପାଇଁ ଏକ ବସ୍ତି ଅଞ୍ଚଳ ଦେଇ ଯାଉଥାଏ । ପ୍ରବଳ ଭୋକ ଲାଗୁଥାଏ । ଗୋଟିଏ ଚା’ ଦୋକାନରେ ଅଟକି ବିସ୍କୁଟ ଖାଉଥାଏ । ହଟାତ୍ ନଜର ପଡ଼ିଲା ଗୋଟିଏ ଝିଅ ଉପରେ । ଝିଅଟିର ବାମ ହାତ ନଥିଲା । କିନ୍ତୁ ନିଜର ଗୋଟିଏ ହାତରେ ସେ ବାଡ଼ିଟିଏ ଧରି ପିଜୁଳି ପାରୁଥାଏ । ଦୋକାନରେ ଛିଡ଼ା ହୋଇଥିବା ଜଣେ ଯୁବକ ଦୋକାନୀକୁ କହିଲା- “ଭାଇ ଝିଅଟା ଦେଖିବାକୁ ସୁନ୍ଦର କିନ୍ତୁ ଗୋଟିଏ ହାତ ନାହିଁ । କେମିତି କାହାକୁ ବାହା ହବ । ଆଗିକା ଜୀବନ କେମିତି କାଟିବ । ଘର କାମ କ’ଣ ସବୁ କରିପାରିବ?” ଦେଖିଲି ଝିଅଟି ପିଜୁଳି ଆଣି ପାଖରେ ବସିଥିବା ବସ୍ତି ପିଲାଙ୍କୁ ଦେଲା ଏବଂ ପାଖରେ ବାଜୁଥିବା ଗୀତ ତାଳରେ ସମସ୍ତଙ୍କୁ ନେଇ ନାଚିବାକୁ ଲାଗିଲା । ହଠାତ୍ ସବୁ ପିଲାମାନେ ନିଜ ନିଜର ବାମ ହାତକୁ ଡ୍ରେସ୍ ଭିତରେ ପୁରେଇ ଦେଇ ନାଚିବାକୁ ଲାଗିଲେ । ଝିଅଟି ଏସବୁ ଦେଖି ହସି ହସି ଆହୁରି ଜୋରରେ ନାଚିବାକୁ ଲାଗିଲା । ପାଖରେ ବସିଥିବା କେଇଜଣ ବୁଢ଼ା ଲୋକ ବି ଉଠିଆସି ସେମିତି ଗୋଟିଏ ହାତ ଡ୍ରେସ ଭିତରେ ପୁରେଇ ତାଙ୍କ ସହ ନାଚିବାକୁ ଲାଗିଲେ ।

ତାଙ୍କ ଭିତରୁ ଜଣେ ବୃଦ୍ଧ ବ୍ୟକ୍ତି ସେଇ ଦୋକାନକୁ ଆସି ପାଣି ମାଗିଲେ । ପାଣି ପିଉ ପିଉ ଦୋକାନୀକୁ କହିଲେ- “ଦେଖୁଚୁ ତ’ ସନିଆ, ଝିଅଟିର ସିନା ଗୋଟିଏ ହାତ ନାହିଁ କିନ୍ତୁ ପୁରା ବସ୍ତିକୁ କେମିତି ଏକାଠି କରି ରଖିଛି । ପିଲାଙ୍କୁ ଟିଉସନ କରି ଘରବି ଚଳଉଛି । ବସ୍ତିରେ ସମସ୍ତଙ୍କୁ ସବୁବେଳେ ସାହାଯ୍ୟ ବି କରୁଛି ।” ମୁଁ ଦୋକାନୀକୁ ପଇସା ଦେଇ କାମ ପାଇଁ ବାହରିଗଲି । କିନ୍ତୁ ବାଟଯାକ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥାଏ “ଅପୂର୍ଣ୍ଣତା କେଉଁଠି ଅଛି, ସେ ଝିଅର ଶରୀରରେ ନା ଆମମାନଙ୍କ ଚିନ୍ତାଧାରାରେ???”

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu