ଦିନକର କଥା, ଅପରାହ୍ଣ ଗୋଟେ କି ସାଢ଼େଗୋଟେ ହେବ, ମୁଁ ରୋଷେଇ ଘରେ ଥାଏ । ପିଲାମାନଙ୍କ ମାଧ୍ୟାହ୍ନ ଭୋଜନ ସମୟ ହେଲା, ମୋ ଝିଅ ଭକ୍ତି ତୃତୀୟ ଶ୍ରେଣୀରେ ପଢ଼ୁଥିଲା । ଦୌଡ଼ିଦୌଡ଼ି ଆସି କହିଲା, ବୋଉ ଆମ ସାର୍ କହିଛନ୍ତି ଗପ ଲେଖି ନେବାପାଇଁ ସେ ପୁଣି ବହିରେ ଛପା ହୋଇ ବାହାରିବ । ସାର୍ କହିଛନ୍ତି ସବୁ ପିଲା ଲେଖି ଆଣିବାକୁ ବାଧ୍ୟ । ତେଣୁ ତୁ ଗୋଟେ ଗପ ଲେଖିଦେ ମୁଁ ସ୍କୁଲ୍ରେ ନେଇ ଦେବି । ମୋ ନାଁରେ ବାହାରିବ । ଭାବିଲି କ’ଣ ଲେଖିବି, ପିଲାଟା ଯେତେବେଳେ ଜିଦ୍ ଧରିଛି ଯାହା ହେଲେ ତ କିଛି ଗୋଟେ ଲେଖିବାକୁ ପଡ଼ିବ ।
ଗପଟି ହେଲା, ଅଳ୍ପଦିନ ତଳେ ଘଟିଯାଇଥିବା ଇଶ୍ୱରପୁର ଗାଁର ଘଟଣା । ଘଟଣାଟି ଅତି ଆଶ୍ଚର୍ଯ୍ୟଜନକ ଥିଲା । ସେହି ଗାଁରେ ବେଣୁଧର ନାମରେ ଜଣେ ଲୋକ ଥିଲେ । ତାଙ୍କ ସ୍ତ୍ରୀ ଓ ୫ ବର୍ଷର ଝିଅଟିକୁ ନେଇ ଛୋଟ ପରିବାର । ବେଣୁଧର ଗୋଟେ କମ୍ପାନୀରେ ଚାକିରୀ କରୁଥିଲେ । A, B ଓ C ଏହିପରି ଭାବରେ ଡ୍ୟୁଟି ପଡ଼ୁଥିଲା । ବେଣୁଧରଙ୍କ ରାତି ଡ୍ୟୁଟି ଥାଏ । ରାତି ୧୦ଟା ସମୟରେ ସେ ବାହାରି ଗଲେ ତାଙ୍କର କର୍ମ ପଥରେ । ମାଆ ସୁଲେଖା ଓ ଝିଅ ଶ୍ରୀ ଘରେ ଥାଆନ୍ତି । ହଠାତ୍ କବାଟ ଠକ୍ଠକ୍ର ଶବ୍ଦ ଶୁଣି କବାଟ ଖୋଲିଦେଲେ । ଦେଖିଲେ ଯେ ଜଣେ ଅଚିହ୍ନାଲୋକ । ମାଆ ଓ ଝିଅ ଦୁହେଁ ଲୋକଟିକୁ ଦେଖି ଡରିଗଲେ ଓ ପରସ୍ପରକୁ ଚାହିଁଲେ । ସେମାନଙ୍କର ଏମିତି ଆଶ୍ଚର୍ଯ୍ୟ ହେବାର ଦେଖି, ଲୋକ ଜଣକ ଝିଅଟିକୁ ଚାହିଁ କହିଲେ, ମାଆରେ ମୁଁ ପରା ହିସାବରେ ତୋ’ର ମାମୁଁ ହେବି । ଏ କଥା ଶୁଣି, ସେମାନଙ୍କର ସନ୍ଦେହ ବଢ଼ିଗଲା । ଝିଅଟି ସିନା ୫ ବର୍ଷର ଥିଲା, ହେଲେ ତା’ର ବୁଦ୍ଧି ଥିଲା ତୀକ୍ଷ୍ଣ । ସେ ବୁଝିଗଲା ଯେ, ଲୋକଟିର ଉଦ୍ଦେଶ୍ୟ କିଛି ଠିକ୍ ନାହିଁ । ଶ୍ରୀ ଚତୁରତାର ସହ କହିଲା, “ହଁ ମାମୁଁ କେବେ ଦେଖିଥିଲି ମନେନାହିଁ ସେଥିପାଇଁ ଚିହ୍ନି ପାରିଲି ନାହିଁ । ସେ ଯାହା ହେଉ ଏତେ ରାତି ହେଲାଣି ଘରକୁ ଆସ ।” ମାଆଙ୍କୁ କହିଲା ମାମୁଁଙ୍କୁ ଖାଇବାକୁ ଦେବାକୁ । ଅଜଣା ମାମୁଁ ଜଣକ କହିଲେ, “ନା ମୁଁ ଖାଇବି ନାହିଁ, ଖାଇକରି ଆସିଛି ।” କିନ୍ତୁ ଝିଅଟିର ଜିଦ୍ ଯାହାହେଲେ ମାମୁଁଙ୍କୁ କିଛି ଖାଇବାକୁ ପଡ଼ିବ ।
ସେ ରୋଷେଇ ଘରକୁ ଯାଇ କ୍ଷୀର ଗ୍ଲାସ୍ଟିଏ ଆଣି ଜିଦ୍ କରି ମାମୁଁଙ୍କୁ ପିଆଇ ଦେଲା, କାରଣ ଅତିଥି ଉପବାସରେ ଶୋଇବା ଠିକ୍ ନୁହେଁ । ବାଧ୍ୟହୋଇ କ୍ଷୀରତକ ପିଇ ମାମୁଁ ଆରାମରେ ଶୋଇ ପଡ଼ିଲେ, କାହିଁକିନା ସେ କ୍ଷୀରରେ ନିଦ ଔଷଧ ମିଶି ଦେଇଥିଲା । ତାଙ୍କ ଘରେ ତ ଫୋନ୍ର ସୁବିଧା ନଥିଲା, କରିବେ କ’ଣ; ରାତି ଯାକ ମାଆଝିଅ ହୁହେଁ ବସିରହିଲେ । ଯେମିତି ଭୋର୍ ହୋଇଛି ପାଖଘରୁ ଲୋକମାନଙ୍କୁ ଡାକି ଆଣିଲା । ଲୋକମାନେ ସେହି ଲୋକଟିକୁ ଉତ୍ତମ ମଧ୍ୟମ ଦେଇ ପୋଲିସ୍ ହାତରେ ଧରାଇ ଦେଲେ । ଶ୍ରୀକୁ କୋଳେଇ ନେଇ ପ୍ରସଂଶା କଲେ । କହିଲେ ଏହି ଛୋଟ ସାହାସୀ ସୁତା ପାଇଁ କେତେ ବଡ଼ ବିପଦରୁ ମାଆଝିଅ ଦୁହେଁ ରକ୍ଷା ପାଇଲେ ନହେଲେ କ’ଣ ଯେ ହୋଇଥା’ନ୍ତା…
– ପ୍ରଭାତି ଦାଶ
Comments
ପ୍ରଭାତି ଦାଶ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

