You are currently viewing ଅଜା ଓ ଆଈର ବଜାର ବୁଲା
ଅଜା ଓ ଆଈର ବଜାର ବୁଲା

ଅଜା ଓ ଆଈର ବଜାର ବୁଲା

ଅଜା ଆଈ ଗଲେ ବଜାର ବୁଲି
ସାଥିରେ ନେଲେ ନାତିକୁ,
ରିକ୍ସା ଚଢ଼ିଲେ ଆନନ୍ଦରେ ଗଲେ
କିଣିବେ ବଜାରଟାକୁ ।
ଆଈ ପିନ୍ଧିଥିଲା ପାଟ ଶାଢ଼ୀଟିଏ
ପାଟିରେ ଲଗାଇ ନାଲି,
କଳା ଚଷମାରେ ପାକୁଆ ପାଟିରୁ
ପାନ ଛେପ ଯାଏ ଗଳି ।୦୧।

ପାଦରେ ତାହାର ଅଳତାର ଗାର
ମୁଣ୍ଡରେ ସିନ୍ଦୂର ଟୋପା,
ଧଳା କଳା ଚୁଟି ବଗ ମଧ୍ୟେ କାକ
ଦିଶୁଥିଲା ପୂରା ତୋଫା ।
ଅଜା ପିନ୍ଧି ଥିଲେ ଧୋତି ଓ ପଞ୍ଜାବୀ
ଉପରେ କାବାର କୋଟ,
ସୁନେଲି ଚଷମା ଲଣ୍ଡା ମୁଣ୍ଡଟିରେ
ଦିଶୁଥିଲା ଝଟ୍ ଝଟ୍ ।୦୨।

ମରୁଭୂମି ପରି ମୁଣ୍ଡରେ ତାଙ୍କର
କେରାଏ ଧବଳ ଚୁଟି,
ସେଥିରେ ଚଇନି ଲମ୍ବି ଅଛି ତାଙ୍କ
ବନ୍ଧା ଅଛି ଫୁଲ ଗୋଟି ।
ବାହାରିଲେ ଦୁଇ ବୁଢ଼ାବୁଢ଼ୀ ମିଶି
ପୂଜା ସଉଦା କରିବେ,
ଝଟପଟ ହୋଇ ହାଇହିଲ୍ ପିନ୍ଧି
ଦୁର୍ଗା ମେଢ଼ ବି ଦେଖିବେ ।୦୩।

ଦଶହରା ମେଢ଼ ଚାରିଆଡ଼େ ଭିଡ଼
ରିକିସା ଚାଲଇ ଧୀରେ,
ଏତିକି ବେଳରେ ବସଟାଏ କାହୁଁ
ରହିଲା ରିକ୍ସା ପାଖରେ ।
ଅଜା ଆଈ ଦୁହେଁ ବସିଥିଲେ ସେଠି
ପାଖରେ ବସିଛି ନାତି,
ଏତିକି ବେଳକୁ ବସ ଭିତରୁ
କିଏ କରିଦେଲା ବାନ୍ତି ।୦୪।

ଆଈର ଦେହଟି ବାନ୍ତିରେ ବୁଡ଼ିଲା
ଅଜା ଅଧା ବୁଡ଼ିଗଲେ,
କିଏ କିଏ ବୋଲି ରିକ୍ସାରୁ ଓହ୍ଲାଇ
ଅଜା ଆମର ପାଟି କଲେ ‌।
ଏତିକି ବେଳରେ ଗାଡ଼ି ଶଦ୍ଦ କରି
ଆଗକୁ ଆଗକୁ ଗଲା,
ହରିଆନା ଷଣ୍ଢ ସେହିଠାରେ ଥିଲା
ହଠାତ୍ ଡେଇଁ ପଡ଼ିଲା ।୦୫।

ରିକିସା ଭିତରୁ ଆଈ ପଡ଼ିଗଲା
ସହର ପଙ୍କ ନାଳରେ,
ନାତିଆ ପିଲାଟି ରାସ୍ତାରେ ପଡ଼ିଲା
ମୁଣ୍ଡ ଫାଟି ରକ୍ତ ଝରେ ‌।
ଅଜା ପଡ଼ିଗଲେ ଷଣ୍ଢ ଗୋବରରେ
ବଜାର ଯିବା ନୋହିଲା,
ଅଜା ଆଈ ନାତି ଦୁ଼ଃଖରେ ଫେରିଲେ
ସରିଲା ବଜାର ବୁଲା ।୦୬।

– ଧୀରେନ୍ଦ୍ର ବେହେରା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଧୀରେନ୍ଦ୍ର ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।