You are currently viewing ବିଶ୍ୱାସରେ ବାଧା
ବିଶ୍ୱାସରେ ବାଧା

ବିଶ୍ୱାସରେ ବାଧା

ଅତଳ ସାଗରତଳେ ଆସେ ଜୁଆର ଅତର୍କିତ
ରକ୍ତାକ୍ତ କଳହପୂର୍ଣ୍ଣ ସମାଜ ଆଜି ବିକଶିତ
ଅଗ୍ନି ଦାହେ ସମାହିତ ସୀତାଙ୍କ ସତୀତ୍ୱ
ବୁଭୁକ୍ଷୁ ବି ଗଢ଼ିପାରେ ବିଶାଳ ବ୍ୟକ୍ତିତ୍ୱ । (୧)

ଜ୍ୱଳନ୍ତ ନିଦାଘେ ପୁଣି ହେମ ବୃଷ୍ଟିପାତ
ଅଧର୍ମୀ କରଇ ଉତ୍ପାତ ଆଜି ନ୍ୟାୟ ପକ୍ଷପାତ
ଅଙ୍କାବଙ୍କା ଜୀବନେ ଆସେ କେତେ ଘାତ ପ୍ରତିଘାତ
ତଥାପି ଜୀଇଁବାକୁ ହୁଏ ହସି ହସି ଅବିରତ । (୨)

ଆହ୍ଲାଦିତ ଅମ୍ୱରରେ ତାରାଟିଏ ନିର୍ଲିପ୍ତ
କୃଷକ ଆନ୍ଦୋଳନ ଆଜି ପୁଣି ପ୍ରତିଧ୍ୱନିତ
ନାରୀ ଶିକ୍ଷା ନାରୀ ସଶକ୍ତିକରଣ ଚତୁର୍ଦ୍ଦିଗ ଗୁଞ୍ଜରିତ
ପରୀ ପରି କେତେ ପରୀ ହୁଏ ଦୈନିକ ନିଷ୍ପେଷିତ । (୩)

କ୍ଷୁଦ୍ରାତି ବୀଜରୁ ଦିନେ ମହାଦ୍ରୁମ ସଞ୍ଚରିତ
ପିତାମାତା ଅବଦାନ ଆଜି ସଂସାରୁ ବିସ୍ମୃତ
ଦାନ ଧ୍ୟାନ ଯୋଗ କରି ଆତ୍ମା ପ୍ରସାରିତ
କାମାଗ୍ନି ଲାଳସା ଆଗେ ଚେତନା ସମର୍ପିତ । (୪)

ଦେଶ ପ୍ରେମେ ଜୁଡୁବୁଡୁ ହେଲା କୁନି ବାଜିଆର ରକ୍ତ
ଖଲିସ୍ଥାନ ଗଠନରେ ଆଜି କୋଟିଏ ଉଦ୍ୟତ
ଗାଁ ମୁଣ୍ଡ ବରଗଛ ଡାଳେ ପାଳଭୂତ ଏଯାଏଁ ଜୀବିତ
ଦରିଦ୍ର ଅପଢ଼ା ଅଛୁଆଁ ରମା ହୁଏ ଏବେବି କୁତ୍ସିତ । (୫)

ଆହ୍ୱାନ୍ ମାତ୍ରକେ ସେନା ଏଲଓସିରେ ତୈନାତ
ଲକ୍ଷେ ପୁଲ୍ଓ୍ୱାମା ତ୍ରସ୍ତ ହୁଏ ଜିତିଯାଏ ଜାତୀୟ ସଙ୍ଗୀତ
ଶୋଭାଯାତ୍ରା କରତାଳିରେ ଆମ ଗଣତନ୍ତ୍ର ମଜବୁତ
ପେଟପାଇଁ ଶେଷରେ ସେ ଦାଦନ ଖଟିବାକୁ ପ୍ରସ୍ତୁତ । (୬)

ମାନସ ରଞ୍ଜନ ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମାନସ ରଞ୍ଜନ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ, ପ୍ରବନ୍ଧ ଆଦି ରଚନା କରିଥାନ୍ତି । ତାଙ୍କ ରଚନାଗୁଡ଼ିକ କିଛି ପତ୍ରପତ୍ରିକରେ ସ୍ଥାନ ପାଇଛି ।