You are currently viewing ବୟସର ଅପରାହ୍ନ
ବୟସର ଅପରାହ୍ନ

ବୟସର ଅପରାହ୍ନ

ଅମୃତମୟ ସୃଷ୍ଟିରେ ଏକ କ୍ଷୁଦ୍ରାତିକ୍ଷୁଦ୍ର ଜୀବ ଭାବେ ଜନ୍ମ ନେଇ ସ୍ରଷ୍ଟାଙ୍କ ସର୍ଜନାର ମୁକସାକ୍ଷୀ ହେବା ନିଜ ଭିତରେ ଏକ ପରିତୃପ୍ତ ଅନୁଭବ । ତା’ ପରେ ପୁଣି ଅପରିକଳ୍ପିତ ବସ୍ତୁବାଦୀ ସୃଜନତା ଓ ସମାନ୍ତରାଳରେ ଜନ୍ମ ଜନ୍ମାନ୍ତର ଧରି ଚେତନାର ଅଭିବୃଦ୍ଧି ଦିଗରେ ସାଧନାରତ ରହିବା, ସାବ୍ୟସ୍ତ କରିଛି ମଣିଷକୁ ସ୍ରଷ୍ଟାଙ୍କର ସ୍ୱତନ୍ତ୍ର ସୃଷ୍ଟି ଭାବରେ । ତର୍ଜମା ମନୁଷ୍ୟ ମସ୍ତିଷ୍କର ଅନ୍ୟ ଏକ ସୃଜନ ଶକ୍ତି, ଯଦ୍ୱାରା ବିବର୍ତ୍ତନଶୀଳ ସଭ୍ୟତାରେ ତ୍ୱରାନ୍ୱିତ ହୋଇପାରିଛି ମାନବୀୟ ଅଭିବୃଦ୍ଧି । ସୀମିତ ସମ୍ୱଳର ସଦୁପଯୋଗ, ବିକଳ୍ପର ଅନୁସନ୍ଧାନ ଆଦି ଉତ୍ତମ ପ୍ରକ୍ରିୟାମାନ ସହଜ ସାଧ୍ୟ ହୋଇପାରିଛି ଏହାଦ୍ୱାରା । ପରିବ୍ୟାପ୍ତ ଆଜି ମଣିଷ କୃତିତ୍ୱର ପରିସୀମା, ଐତିହାସିକ, ଆର୍ଥିକ, ରାଜନୈତିକ, ସାମାଜିକ, ସାଂସ୍କୃତିକ ଓ ବୈଜ୍ଞାନିକ ଆଦି ଅନେକ ଦିଗରେ କାୟା ବିସ୍ତାରକରି ଏକ ନୂତନତ୍ୱର ଦିଗବଳୟ ଉଦ୍ଭାସିତ କରିପାରିଛି । କୃତ୍ରିମ ବୁଦ୍ଧିମତା ତଥା ଯାନ୍ତ୍ରିକ ଅଧ୍ୟୟନ ଆଦି ମଣିଷର ଯୁଗାନ୍ତକାରୀ ସଫଳତା । ହେଲେ ବିଜୟର ପରିଧି ଆଙ୍କୁ ଆଙ୍କୁ ଉପନୀତ ହୁଏ ବୟସର ଅପରାହ୍ନ, ଜୀବନର କୃଷ୍ଣଚୂଡ଼ା ମଉଳି ଉଠେ କାଳର କଠୋର ଇଙ୍ଗିତରେ ।

ଦ୍ୱାରଦେଶରେ କାହାର କରାଘାତ୍ର ଶବ୍ଦ ଶୁଣି ରଙ୍ଗାଧର ବାବୁ ଧାଇଁ ଯାଇ କବାଟ ଖୋଲିଲେ, ପାଖ ଗାଁର କେହିଜଣେ ଏକ ବିବାହ ଆମନ୍ତ୍ରଣ କାର୍ଡ ନେଇ ଆସିଥାଏ । କାର୍ଡ଼ ନଦେଖି ସମାଚାର ଚ୍ୟାନେଲ୍‌ର ବଡ଼ ଖବର ଭଳି ବାବୁ ସିଧା ସଳଖ ପ୍ରଶ୍ନ କରିଚାଲିଲେ ବାହାଘରର ପୂର୍ବ ପର ସୂଚନା, ବିଚରା ଲୋକଟି ଅରାଜକତାକୁ ଲୁଚାଇ ଆରୋପୀ କ୍ୟାମେରା ସାମ୍ନାରେ ରହିଲାପରି କିଞ୍ଚିତ୍ ଶବ୍ଦରେ ଜବାବ୍ ରଖି ମୋଟରସାଇକେଲ୍‌ର ଏକ୍ସିଲେରେଟର୍ ଦବାଇ ଚାଲିଗଲେ । ଉତ୍ସାହର ସହିତ ଏନଭଲପ୍‌ଟିକୁ ଖୋଲୁଖୋଲୁ ବୋହୂ ସୁଜାତାର ତାଗିଦ୍ କଲାପରି ସ୍ୱର ଏକ ବିଷାଦର ରେଖା ଆଙ୍କିଦେଲା ବାବୁଙ୍କ କପାଳରେ, “ବାପା ଆପଣଙ୍କୁ କେତେଥର କୁହାଯିବ କବାଟ୍ ନ ଖୋଲିବାପାଇଁ, କରୋନା ଗାଇଡ଼ ଲାଇନ୍ସ୍ ପରା ଦିନ ରାତି ଟିଭିରେ ଦେଖୁଛନ୍ତି, ବୟସ ଏତେ ହେଲାପରେ ବି ଏତେଟା ଖାମଖିଆଲି କ’ଣ ପାଇଁ? ନିଜେ ଅସୁବିଧାରେ ତ ପଡ଼ିବେ ଆମମାନଙ୍କୁ ବି ବିପଦରେ ପକାଇବେ?” କିଂକର୍ତ୍ତବ୍ୟମୂଢ଼ ହୋଇ ବାବୁ ତାଙ୍କ ଶୋଇବା ଘରକୁ ଚାଲିଗଲେ । ମନର ଝଡ଼କୁ ଶାନ୍ତ କରିବାର ପ୍ରୟାସ ନେଇ ଟେବୁଲ୍ଉପରୁ ଖବରକାଗଜଟିକୁ ଟାଣି ଆଣି ସେଦିନର ତାଜା ଖବର ପୃଷ୍ଠାରେ ମନୋନିବେଶ କଲେ ରଙ୍ଗାଧର ବାବୁ । ହେଲେ ବୋହୂ ସୁଜାତାଙ୍କର ଶବ୍ଦ ତରଙ୍ଗ ବାରମ୍ୱାର ପୁର୍ଣ୍ଣିମା ରାତିର ଜୁଆର ପରି ତାଙ୍କ ମନ ସାଗରରେ ହୁଙ୍କାର ମାରୁଥାଏ । ଦୀର୍ଘ ୪୦ ବର୍ଷର କର୍ତ୍ତବ୍ୟନିଷ୍ଠ ସେବା ପରେ ଏବେ ୫ ବର୍ଷ ହେବ ଅବସରପ୍ରାପ୍ତ ସରକାରୀ ଶିକ୍ଷକ ସେ, ୨ ବର୍ଷତଳେ ପତ୍ନୀ ବିମଳାଙ୍କର ପରଲୋକ ଘଟିଛି ହୃଦଘାତରେ । ବାବୁଙ୍କର ପାଦ ଚାଲିଗଲା ଆପେ ଆପେ କାନ୍ଥରେ ଝୁଲୁଥିବା ପତ୍ନୀଙ୍କର ଫଟୋ ଆଡ଼କୁ । ସେ ଆରପାରିକୁ ଗଲା ପରଠାରୁ ଆଜିକାଲି ରଙ୍ଗାଧର ବାବୁ ନିଜ ମନର ସମସ୍ତ ଅନ୍ତର୍ଦ୍ୱନ୍ଦ ନେଇ ଘଣ୍ଟା ଘଣ୍ଟା ଧରି ପତ୍ନୀ ବିମଳାଙ୍କ ଫଟୋ ସାମ୍ନାରେ ବସିରହନ୍ତି । ସେହି ନିର୍ଜୀବ ରଙ୍ଗ କାଗଜରେବି ବୋଧହୁଏ ତାଙ୍କୁ ଅବଲୋକନ ହେଉଥିଲା ବିମଳାଙ୍କର ଚର୍ମ ଚକ୍ଷୁର ଦର୍ଶନ ଓ ଦୁହେଁ ଚେତନା ରାଜ୍ୟରେ ବେଶ୍ ସମୟ ବିଚାରବିମର୍ଶରେ ରହି ଏକ ସକାରାତ୍ମକ ସିଦ୍ଧାନ୍ତରେ ଉପନୀତ ହେଉଥିଲେ । ଆଜିବି ବୋହୂ ସୁଜାତାଙ୍କର କଟାକ୍ଷ ବେଶ୍ ଆନ୍ଦୋଳିତ କରିଛି ତାଙ୍କର ପିତୃତ୍ୱର ସିଦ୍ଧାନ୍ତକୁ । ପୁଅବୋହୂଙ୍କୁ କେବେ ସେ ହତାଦର କରିନାହାନ୍ତି ଆଜିଯାଏ, ଯଦିଓ ବିମଳା ଥିବା ଯାଏ ଏତେଟା ସେ ଘରକରଣାରେ ପ୍ରତ୍ୟକ୍ଷ ସାମିଲ୍ ନଥିଲେ । ଏକମାତ୍ର ପୁତ୍ର ତାଙ୍କର ସରୋଜ ଜଣେ ସଫ୍ଟୱେୟାର୍ ଇଞ୍ଜିନିୟର୍ ଏକ ପ୍ରସିଦ୍ଧ ମଲଟିନେସନାଲ୍ କମ୍ପାନୀ ବାଙ୍ଗାଲୋର ରେ, ପ୍ରେମ ବିବାହ କରିଛି ସେ, ତା କମ୍ପାନୀରେ ଏକାଉଣ୍ଟ ବିଭାଗରେ କାମକରେ ସୁଜାତା । ପାରମ୍ପରିକ କଠୋରପନ୍ଥୀ ରଙ୍ଗାଧର ସମ୍ପୂର୍ଣ୍ଣ ଖିଲାପ୍ ଥିଲେ ସତ, ହେଲେ ସରୋଜର ଏକାନ୍ତ ଜିଦ୍ ଓ ପରେ ପୁତ୍ର ସ୍ନେହାନ୍ଧ ବିମଳାଙ୍କ ରାଣ ବାଧ୍ୟ କରିଥିଲା ତାଙ୍କୁ ଛାତି ଉପରେ ପଥର ରଖି ବାହାଘରକୁ ସ୍ୱୀକୃତି ଦେବାପାଇଁ । ଆଶା ଥିଲା ଦିନକେଇଦିନରେ ପଡ଼ୋଶୀଙ୍କ ଟାହି ଟାପରା ଉଚ୍ଚ ଶିକ୍ଷିତା ତଥା ଚାକିରିଆଣୀ ବୋହୂ ଆଗରେ କ୍ଷୀଣ ପଡ଼ିଯିବ । ତାଙ୍କର ଆଶା ସତହେଲା ସତ, ହେଲେ ହୃଦୟର କେଉଁ କୋଣରେ ଉଙ୍କିମାରି ଥିବା ଏକ ଆଶଙ୍କା କ୍ରମଶଃ ବଳବତ୍ତର ହୋଇ ଉଠିଛି ଏବେ ମୁଖ୍ୟତଃ ବିମଳା ଆଖିବୁଜିଲା ପରେ ।

ବୟସର ଅପରାହ୍ନରେ ଆଶ୍ରୟ ତ ଲୋଡ଼ି ନାହାନ୍ତି ସେ ଏଯାଏଁ, ନିଜ ଅର୍ଜିତ ଉପାର୍ଜନରେ କିଛି ନହେଲେ ବି ଖଣ୍ଡିଏ ସୁଦୃଢ଼ ପକ୍କା ଘର, ଦୁଇ ଏକର ଚାଷ ଜମି ଓ ରାଜରାସ୍ତାକୁ ଲାଗି ୧୦ ଗୁଣ୍ଠ ଜମି ମଧ୍ୟ ପୁଅ ସରୋଜ ନାମରେ ରେଜିଷ୍ଟ୍ରି କରିଦେଇଛନ୍ତି । ମାସକୁ ମାସ ମିଳୁଥିବା ପେନସନ୍ ତାଙ୍କର ଏକୁଟିଆ ଗୁଜୁରାଣ ମେଣ୍ଟାଇବା ପାଇଁ ପର୍ଯ୍ୟାପ୍ତ ଓ ସେଥିରୁ ବଡ଼ ଏକ ଅଂଶ ଏବେ ପ୍ରତି ମାସ ନାତି ଶୁଭମ ନାଁରେ ବ୍ୟାଙ୍କ୍ରେ ରଖୁଛନ୍ତି । ତାକୁ ଏବେ ୪ ବର୍ଷ, କେଉଁ ଏକ ଇଂରାଜୀ ମିଡ଼ିୟମ୍ ସ୍କୁଲରେ ପାଠପଢ଼ିବା ଆରମ୍ଭ କଲାଣି ବାଙ୍ଗାଲୋର୍ରେ । ଦେଶବ୍ୟାପୀ ଲକ୍‌ଡାଉନ୍ ଘୋଷଣା ପରେ ବାବାମା’ଙ୍କ ସହ ସେ ଆସିଛି ପ୍ରଥମଥର ପାଇଁ ଗାଁକୁ । ହଁ, ଭିଡ଼ିଓ କଲ୍‌ରେ କିନ୍ତୁ ସବୁ ରବିବାର ଜେଜେ ସହ ତା’ର ଗୁଲୁରୁ ଗୁଲୁରୁ ପାଟିରେ କେଇପଦ ଅସ୍ପଷ୍ଟ କଥା ସାଙ୍ଗକୁ ହସ ହସ ମୁହଁ ସାଂସାରିକ ଜୀବନରେ ପୀୟୂଷ ତୁଲ୍ୟ ମନେହୁଏ ରଙ୍ଗାଧର ବାବୁଙ୍କୁ । ଚକ, କଳ, ଅଖ ତ ପାଟିରେ ପଶୁନି ହେଲେ ମମି ତା’ର ଅପ୍ରତିମ ଉଦ୍ୟମ କରିଚାଲିଛି ଇଂରାଜୀ ଶିଖେଇବା ପାଇଁ । ସର୍କସରେ ରିଙ୍ଗ୍ ମାଷ୍ଟର୍ ବାଘ, ସିଂହ, ମାଙ୍କଡ଼କୁ ତାଗିଦ୍ କଲା ପରି ମା’ପୁଅଙ୍କର ପାଠପଢ଼ା ଚାଲେ ସଞ୍ଜ ସକାଳେ । ଶୁଭମର “ଜେଜେ…ଜେଜେ” ଡାକ ଶୁଭିଲା ଦାଣ୍ତ ପଟରୁ । ସରୋଜ ତାକୁ ନେଇ ବଜାର୍ ଯାଇଥିଲା ସେଲୁନରେ ବାଳ କଟେଇବା ପାଇଁ । ଦୌଡ଼ି ଦୌଡ଼ି ନାତି ପଶି ଆସିଲା ବାବୁଙ୍କ ଶୋଇବା ଘରକୁ ଓ ତାଙ୍କୁ ଫଟୋ ସାମ୍ନାରେ ଛିଡ଼ାହୋଇ ଅନ୍ୟମନସ୍କ ଥିବାର ଦେଖି କହିଲା, “ଜେଜେ ଫଟୋରେ କାହାକୁ ଦେଖୁଛ? ଦେଖ ତୁମ ପାଇଁ ମୁଁ ଆଇସ୍କ୍ରିମ୍ ନେଇ ଆସିଛି, ମୋତେ ଆଜି ମଙ୍କି ଦେଖେଇ ନେବ? ” ନିଜର ଅବଚେତନ ପ୍ରଦେଶରୁ ବାସ୍ତବତାକୁ ପ୍ରତ୍ୟାଗମନ କରିବା ପୁର୍ବରୁ ସୁଜାତାଙ୍କର କଣ୍ଠସ୍ୱର ପୁନର୍ବାର ଜିବୀତ କଲା ରଙ୍ଗାଧର ବାବୁଙ୍କର କ୍ଷୀଣ ହୃଦୟାବେଗକୁ…”ଶୁଭମ! ନେ ସାନିଟାଇଜର୍ ଲଗା ହାତରେ, ଚାଲ୍ ବାଥରୁମ କୁ, ଡ଼ାଡ଼ି ଓ ତୁ ଫେସ୍ ମାସ୍କ, ହ୍ୟାଣ୍ଡ ଗ୍ଲୋଭସ୍ ଲଗାଇଥିଲ?” ଶୁଭମ କିନ୍ତୁ ଜେଜେଙ୍କ ଉତ୍ତରକୁ ନିର୍ନିମେଷ ନୟନରେ ଅପେକ୍ଷା କରିଥାଏ ତାଙ୍କ ହାତରେ ଆଇସ୍କ୍ରିମ୍‌ଟିକୁ ଧରାଇଦେଇ । ମମିର ଏକାଧିକ ପ୍ରଶ୍ନ ତା’ର ଶୃତିଗୋଚର ହେଉଥିଲେହେଁ ଚପଳମସ୍ତିଷ୍କ ତା’ର ଜେଜେବାପାଙ୍କର ମାଙ୍କଡ଼ ଦେଖେଇବାର ଉତ୍ସୁକତାକୁ ପ୍ରାଧାନ୍ୟ ଦେଇଛି । ରଙ୍ଗାଧର ବାବୁ ତାକୁ କୋଳାଇନେଇ ଆଜି ସଂଧ୍ୟାରେ ହିଁ ତା’ର ମାଙ୍କଡ଼ ଦେଖା ଜିଜ୍ଞାସାକୁ ପରିପୂର୍ଣ୍ଣ କରିବାକୁ ପ୍ରତିଶୃତି ଦେଇଛନ୍ତି । ” ଶୁଭମ! ତୋତେ କ’ଣ ଶୁଭାଯାଉନି? “ସୁଜାତା ତା ହାତଧରି ଟାଣି ନେଲେ ଜେଜେବାପାଙ୍କ କୋଳରୁ । ଭାଙ୍ଗି ଗଲା ରଙ୍ଗାଧର ବାବୁଙ୍କର ଧୈର୍ଯ୍ୟର ବନ୍ଧ, ଏଯାଏଁ ମୌନ ଥିଲେ ସେ ନିଜ ଉପରେ ଲଦି ହୋଇଥିବା ସମସ୍ତ ଆକ୍ଷେପକୁ ସହି, ହେଲେ ଭାବପ୍ରବଣ ହୋଇ ଉଠିଲେ ସେ ଏବେ ଯେତେବେଳେ ତାଙ୍କ ଉପରର ଆକ୍ରୋଶ ବୋହୂ ଶୁଭମ ଉପରେ ସୁଝାଇବାକୁ ଉଦ୍ୟତ । ଗର୍ଜ୍ଜନ କରିଉଠିଲେ ସେ “ବୋହୂ! ତା’ର ହାତ ଖସିଯିବ, ମୁଁ ତାକୁ ସାନିଟାଇଜର୍ ଲଗାଇଦେବି, ତାକୁ ଛାଡ଼୍ …” । “ଥାଉ ବାପା ଆଉ ବ୍ୟସ୍ତ ହୁଅନ୍ତୁ ନାହିଁ, କମସେକମ୍ ଯଦି ସାଧାରଣ ସତର୍କତା ଥାଆନ୍ତା ତାହେଲେ ଏତେ ଭଲ ପାଉଥିବା ଛୋଟ ପିଲାଟିର ସ୍ୱଚ୍ଛତା ପ୍ରତି ଆପଣ ନିଶ୍ଚୟ ଟିକିଏ ସଜାଗ ହୋଇ ଥାଆନ୍ତେ । ଆପଣଙ୍କୁ ଦୋଷ ଦେଇ ବା କି ଲାଭ, ନିପଟ ଗାଁରେ କ’ଣ ସଭ୍ୟତା ଏବେ ଆସିଲାଣି? ସେଥିପାଇଁ ହିଁ ତାକୁ ନେଇ ଗାଁକୁ ଆସିବାକୁ କେବେ ଚାହୁଁ ନଥିଲି । ଏବେ ବହୁତ୍ ହେଲା ଆଉ ଗୋଟାଏ ଦିନ ହିଁ ଏଠି ରହିଲେ ପିଲାଟା ଭୁଷ୍ମାଣ୍ଡ ପାଲଟିଯିବ । ଗୋଟାଏ ସପ୍ତାହ ପରେ ବାଙ୍ଗାଲୋର୍ ଯିବାଯାଏ ସେ ତା ମାମୁଁ ଘର ରାଉରକେଲାରେ ହିଁ ରହିବ” । ଅର୍ଜୁନର ଗାଣ୍ଡିବରୁ ନିଷ୍କୃତ ତୀର ଭୀଷ୍ମ ପିତାମହଙ୍କର ହୃଦୟକୁ କ୍ଷତାକ୍ତ କଲାପରି ସୁଜାତାଙ୍କର ପ୍ରତିଟି ବାକ୍ୟ ସତେଅବା ରଙ୍ଗାଧର ବାବୁଙ୍କୁ ବିଦିର୍ଣ୍ଣ କରିଦେଉଥିଲା । ଆକ୍ରୋଶରେ ସେ ସୁଜାତାଙ୍କୁ ନୈତିକତାର କିଛି ଶବ୍ଦ କହିବାକୁ ଉଦ୍ୟତ ହେଉଥିଲା ବେଳେ ଚେତନାର ଅନ୍ତର୍ଦ୍ୱୋନ୍ଦରେ ବାକ୍ ଶୁନ୍ୟ ହୋଇଗଲେ ସେ । ଶୁଭମର ସେହି ଆଇସ୍କ୍ରିମ୍‌ଟି ଟେବୁଲ୍ ଉପରେ ତରଳି ଯାଇ ତାଙ୍କର ନାତିକୁ ଦେଇଥିବା ପ୍ରତିଶ୍ରୁତିକୁ ରକ୍ଷା କରିବାର ଅପାରଗତାକୁ ତାଛଲ୍ୟ କରୁଥାଏ । ସ୍ନେହ କାଙ୍ଗାଳ ରଙ୍ଗାଧର ବାବୁ ପୁଅ ସରୋଜକୁ ଡାକି ଛାତି ତଳେ ଚାପି ଧରିଥିବା କୋହକୁ ମୁକ୍ତ କରିଦେବେ ବୋଲି ଭାବୁଥିଲେ, ହେଲେ ସ୍ୱାଭିମାନର ବେଡ଼ି ତାଙ୍କୁ ପଛକୁ ଟାଣିଧରିଥିଲା । ପରିଶେଷରେ ବିମଳାଙ୍କ ଫଟୋ ସାମ୍ନାରେ ଦୁଇ ଧାର ଲୁହ ଢାଳି ନିସ୍ତବ୍ଧତାକୁ ଆପଣେଇନେଲେ ସେ ।

ରତ୍ରୀ ଭୋଜନକୁ ସେଦିନ ପ୍ରତ୍ୟାଖ୍ୟାନ କରିଦେଇଥିଲେ ରଙ୍ଗାଧର ବାବୁ, କେଜାଣି କାହିଁକି ତାଙ୍କୁ ସେଦିନ ପ୍ରଥମ ଥର ପାଇଁ ନିଜଘର କରାଗାରାର କଳା କଠୋରୀପରି ପ୍ରତିତ ହୋଇଥିଲା । ପାଖ କଠୋରୀରୁ ସରୋଜ ଓ ସୁଜାତାଙ୍କର ଉଚ୍ଚ ସ୍ୱରରେ ବାକ୍ ଯୁଦ୍ଧ ରାତ୍ରୀର ବିଳମ୍ୱିତ ପ୍ରହର ପର୍ଯ୍ୟନ୍ତ ବେଶ୍ ଶ୍ରୁତିଗୋଚର ହେଉଥିଲା ତାଙ୍କୁ । ପ୍ରଭାତର ପ୍ରାରମ୍ଭ ଆଦୌ ସୁଖଦ ନ ଥିଲା ତାଙ୍କର, ସୂର୍ଯ୍ୟ ତର୍ପଣ କରି ଯେତେବେଳେ ପଛକୁ ଚାହାଁନ୍ତି, ହତବାକ୍ ହୁଅନ୍ତି ପୁଅ, ବୋହୂ ଓ ନାତିଙ୍କୁ ବ୍ୟାଗ୍ ଆଟେଜ୍ ଧରି ପ୍ରତ୍ୟାଗମନର ପ୍ରସ୍ତୁତି ଦେଖି । “ଜେଜେ ମୁଁ ଆରଥର ଆସିଲେ ମଙ୍କି ଦେଖିବି, ଏବେ ଅଙ୍କଲଙ୍କ ଘରକୁ ଯାଉଛି ରାଉରକେଲା” । ଶୁଭମର ଶେଷ କେଇପଦ ଶବ୍ଦ ସତେଅବା ଦେବ ଅଭିଶାପ ପରି ମନେହେଲା ରଙ୍ଗାଧର ବାବୁଙ୍କୁ, ଲୋଟାଟି ହାତରୁ ଖସି ପଡ଼ିଲା ତାଙ୍କର । ଲୋଟାଟିକୁ ତଳୁ ଉଠାଉ ଚରଣ ସ୍ପର୍ଶ କଲେ ସରୋଜ “ବାପା ଆମେ ରାଉରକେଲା ଯାଉଛୁ, ୫ ଦିନପରେ ସେଠୁ ବାଙ୍ଗାଲୋର୍ ଟ୍ରେନ୍ ଟିକେଟ୍ ହୋଇଛି । ପଡ଼ିଶା ଘରର ସୋନା ଖୁଡ଼ି ଆସି ଆପଣଙ୍କ ପାଇଁ ରୋଷେଇ କରିଦେବେ, ସନିଆ ଭାଇକୁ କହିଦେଇଛି ଘରେ ଯାହା ଆବଶ୍ୟକ ସେ ସବୁ ଆଣିଦେବ । ଆପଣ ଦେହର ଯତ୍ନ ନେବେ” । ସମସ୍ତ ଚେଷ୍ଟା ସତ୍ୱେ ଅଜାଣତରେ ଆଖିକୋଣରୁ ଝରି ଆସିଲା କେଇ ଠୋପା ଲୁହ ରଙ୍ଗାଧର ବାବୁଙ୍କ ର, ତତକ୍ଷଣାତ୍ ତାକୁ ନାଲି ଗାମୁଛାରେ ପୋଛି ଦେଉ ଦେଉ କୋହ ଢୋକି କହିଲେ ” ବାବୁରେ ମୋ କଥା ଛାଡ଼, ବୟସର ଅପରାହ୍ନରେ ଏତେଟା ଯତ୍ନ କ’ଣ ଆବଶ୍ୟକ ମୋର୍, ଆଉ ୨/୩ ଦିନ ରହିଯାଇଥିଲେ ହୋଇ ନ ଥାଆନ୍ତା? ମୋ ନାତିର ମାଙ୍କଡ଼ ଦେଖାଟା ଟିକେ ପୁରା ହୋଇଯାଇଥାଆନ୍ତା… ” । “ବାପା ଡେରି ହୋଇଗଲାଣି ଗାଡ଼ିବାଲା ବିରକ୍ତ ହେଉଛି, ଆମେ ଆସୁଛୁ… ” କହି ସୁଜାତା ମୁଣ୍ଡିଆ ମାରି ସପରିବାରେ ଘର ଆଗରେ ଛିଡ଼ା ହୋଇଥିବା ଧଳା କାର୍ ଆଡ଼କୁ ଚାଲିଲେ । ଝରକା ଖୋଲି ଶୁଭମ ଜେଜେଙ୍କୁ ହାତ ହଲାଇ ଟାଟା କଲା ଓ କିଛି ସମୟ ମଧ୍ୟରେ ଗାଡ଼ିଟି ଦୃଶ୍ୟହୀନ ହୋଇଗଲା ରଙ୍ଗାଧର ବାବୁଙ୍କଠୁ, ତଥାପି ସେ ହାତ ହଲାଇ ଚାଲିଥାଆନ୍ତି ସତେ ଯେମିତି ନିବିଡ଼ ସମ୍ପର୍କର ଏକ ସୁଦୀର୍ଘ ଅଦୃଶ୍ୟ ଶୃଙ୍ଖଳ ବାନ୍ଧି ହୋଇଥିଲା ତାଙ୍କ ସହିତ । “ଦାଦା ସେମାନେ ଗଲେଣି, ଏବେ ଘରକୁ ଚାଲନ୍ତୁ”! ସନିଆର ଡାକରେ ଚମକି ପଡ଼ି ବାସ୍ତବତାକୁ ପ୍ରତ୍ୟାବର୍ତ୍ତନ କଲେ ରଙ୍ଗାଧର ବାବୁ ।

ମାସ କେତୋଟି ବିତିଯାଇଛି, ଦିନେ ହଠାତ୍ ବଡ଼ି ସକାଳୁ ସରୋଜ ବ୍ୟସ୍ତ ବିବ୍ରତ ହୋଇ ବ୍ୟାଗ୍ ପ୍ୟାକ୍ କରୁଥିବାର ଦେଖି ପତ୍ନୀ ସୁଜାତା ପ୍ରଶ୍ନ କଲେ “କଣ ହେଲା, କୁଆଡ଼େ ବାହାରିଲ, ପ୍ରୋଜେକ୍ଟ ଟୁର୍ ପରା ଆର ମାସରେ ଥିଲା”?…”ନାହିଁ ସନିଆ ଭାଇର ଫୋନ୍ ଆସିଥିଲା, ବାପା ବେଡ଼୍ ରୁ ପଡ଼ିଯାଇଛନ୍ତି, ମୋତେ ଯିବାକୁ ହେବ “ଉତ୍ତର ଦେଲେ ସରୋଜ” । ସେ କ’ଣ କାହା କଥା ଶୁଣନ୍ତି, ଛକ ଦୋକାନୀ କ’ଣ ଗୋଟେ କଢ଼ା ପାନ ଦେଇ ଦେଇଥିବ ବୋଧେ । ଅଯଥାରେ ଏତେଟା ବ୍ୟସ୍ତ ହେଉଛ କଣପାଇଁ? ଯିବା କ’ଣ ଦରକାର ଏବେ, କାଲିପରା ଶୁଭମର ପ୍ୟାରେନ୍ଟସ୍ ମିଟିଂ ଅଛି”? “ନାହିଁ ସୁଜାତା, ବାପା ସିରିଅସ୍ ମୋତେ ଯିବାକୁ ହେବ, ଶୁଭମ ସହ ତୁମେ ସ୍କୁଲ ଚାଲିଯିବ, ମୁଁ ଆସୁଛି” କହି ଚାଲିଗଲେ ସରୋଜ । ତହୁଁ ପର ଦିନ ଗାଁ ମୁଣ୍ଡରେ ସନିଆକୁ ଦେଖି ଗାଡ଼ିରୁ ଓହ୍ଲାଇ ପଡ଼ିେଲ ସରୋଜ, ଡ଼୍ରାଇଭର୍କୁ ପଇସା ଦେଇ ସନିଆ ପାଖକୁ ଧାଇଁ ଗଲେ ସେ… “ସନିଆ ଭାଇ କ’ଣ ହୋଇଛି ବାପାଙ୍କ ର? ଡାକ୍ତର ଦାସ୍ କ’ଣ କହିଲେ? ତାଙ୍କର ବିପି ଠିକ୍ ଅଛି ତ”?…ପ୍ରଶ୍ନରେ ପୋତି ପକାଇଲେ ସେ ସନିଆକୁ । “ତୁ ଆଗେ ଘରକୁ ଚାଲ୍, ଡାକ୍ତର ସେଠି ଅଛନ୍ତି”…କହି ସନିଆ ସରୋଜର ହାତଧରି ଘରମୁହାଁ ହେଲେ ।

ଘରେ ପହଞ୍ଚି ସରୋଜ ଦେଖିଲେ ନିଶ୍ଚେତ୍ ହୋଇ ପଡ଼ିଛନ୍ତି ରଙ୍ଗାଧର ବାବୁ, ସତେ ଅବା ଶରଶଯ୍ୟାରେ ପିତାମହ ଭୀଷ୍ମ ମା ଗଙ୍ଗାଙ୍କର ଆଗମନକୁ ଅପେକ୍ଷାରେ ଦେହତ୍ୟାଗ କରିବା ପାଇଁ । ଅପଲକ ନୟନରେ ଶୂନ୍ୟାଭିମୁଖୀ ସେ, ପାଖ ଚେୟାରରେ ଡାକ୍ତର ବସି କ୍ଷୀଣ ନିଃଶ୍ୱାସ ଓ ମୃଦୁ ହୃଦ୍ ସ୍ପନ୍ଦନକୁ ଷ୍ଟେଥୋସ୍କୋପ୍ରେ ଅନୁଭବ କରିବାକୁ ଚେ଼ଷ୍ଟା କରୁଥାନ୍ତି, ତାଙ୍କ ମୁହଁରୁ ଯାହା ପ୍ରତୀୟମାନ ହେଉଥାଏ ନିରୁପାୟ ହୋଇ ସେ କେବଳ ଓୌପଚାରିକତାକୁ ଅପେକ୍ଷା କରିଛନ୍ତି ବୋଧହୁଏ । ଧାଇଁ ଯାଇ ସରୋଜ ବାପାଙ୍କର ପାଦ ସ୍ପର୍ଶ କଲା, ଶିଥିଳ ଶୀତଳତାରେ ଆଚମ୍ୱିତ ହୋଇ ଉଠିଲେ ସେ, ଆତୁର ନୟନରେ ବାପା ବାପା ଡାକି ରଙ୍ଗାଧର ବାବୁଙ୍କ ମୁହଁକୁ ଆଉଁସି ଦେଲେ ସେ । “ଡକ୍ଟର କ’ଣ ଦେଖୁଛନ୍ତି, ଆମ୍ୱୁଲାନ୍ସ ଡକାଇ ଦେବି”!… କୋହଭରା କଣ୍ଠରେ ପଚାରିଲେ ସରୋଜ । ଡକ୍ଟର ଦାସ୍ କାନରୁ ଷ୍ଟେଥୋସ୍କୋପ୍ କାଢ଼ି ନିଜ ଆଟେଚ୍ ଧରି ଛିଡ଼ା ହେଲେ ଓ ସରୋଜକୁ ଧିର ସ୍ୱରରେ ବାହାରକୁ ଡାକିନେଇ କହିଲେ, “ଆଇ ଆମ୍ ସରି ସରୋଜ, ବାପାଙ୍କ ପାଖରେ ଏବେ ବହୁତ କମ୍ ସମୟ, ଯାଅ ତାଙ୍କ ପାଖରେ ରୁହ । ସିଭିଅର୍ କାର୍ଡିଆକ୍ ଆରେଷ୍ଟ୍ । ବୋଧହୁଏ ବହୁତ୍ ଡିପ୍ରେସନ୍ରେ ଥିଲେ ସେ…” ପାଦତଳୁ ଭୁଇଁ ଖସି ପଡ଼ିଲା ପରି ମନେହେଲା, ଏକ ମୁହାଁ ହୋଇ ବାପାଙ୍କ ଆଡ଼କୁ ଧାଇଁ ବାକୁ ଉଦ୍ୟତ ହୁଅନ୍ତି ସରୋଜ, ହେଲେ ଲିଭିଲା ସଳିତାର ଶେଷ ଧୁଆଁ ପରି ଭାସି ଆସିଲା ସୋନାଖୁଡ଼ୀ ଓ ସାହିର ଅନ୍ୟ ଭୁଆସୁଣୀ ମାନଙ୍କର ଆତୁର କ୍ରନ୍ଦନ ସ୍ୱର । ସତେ ଅବା ଏକ ବହୁ ପ୍ରତିକ୍ଷୀତ ନାଟକର ଯବନିକା ପଡ଼ିଲା । ସରୋଜ ମୁଣ୍ଡକୁ ଆଉଁସି ଦେଇ ସୋନାଖୁଡ଼ୀ କାନ୍ଦି କାନ୍ଦି କହିଲେ “ସବୁ ସରିଗଲାରେ ଧନ, ବାପଛେଉଣ୍ଡ ହେଇଗଲୁ ତୁ, ଯା ଶେଷ ଥର ପାଇଁ ଦେଖିନେ ବାପାକୁ ” । କୋହ ଓ ଗ୍ଲାନିରେ ମ୍ରିୟମାଣ ହୋଇ ସରୋଜ ଧାଇଁ ଗଲେ ବାପାଙ୍କ ପାଖକୁ, ତାଙ୍କ ହାତ ସ୍ପର୍ଶରେ ଆଖି ପତା ଚିରଦିନ ପାଇଁ ବନ୍ଦ ହୋଇଗଲା ରଙ୍ଗାଧର ବାବୁଙ୍କର । ଶିଶୁ ପରି ବୁକୁଫଟା ଚିତ୍କାର କରି କାନ୍ଦି ଉଠିଲା ସେ, ଗତଥର ଘରଛାଡ଼ି ଗଲାବେଳେ ତାଙ୍କରି ସେ “ବାବୁରେ” ଡାକ ସତେ ଅବା କେଉଁ ଏକ ଏକାଙ୍କିକା ପୃଷ୍ଠାରେ ଚାପି ହୋଇ ରହିଗଲା ଆଜି ତା ପାଇଁ । ସୁଦୂର ବାଙ୍ଗାଲୋର୍ ରୁ ନାତି ଶୁଭମ ଓ ବୋହୁ ସୁଜାତାଙ୍କ ଆସିବା ସମ୍ଭବ ନଥିବାରୁ ଶେଷ କୃତି ସରୋଜ ସମ୍ପନ୍ନ କରିବାକୁ ନିଷ୍ପତ୍ତି ନେଇ ସାହିର ବଡ଼ ମାନେ ତତ୍ପର ହୋଇ ଉଠିଲେ । ଅପରାହ୍ନ ଆଗତ ଥିଲା ପ୍ରାୟ, ସତେ ଅବା ରଙ୍ଗାଧର ବାବୁଙ୍କର ବୟସର ଅପରାହ୍ନ ସହ ଏକ ତାତ୍ୱିକ ସଂଯୋଗ । ସଂଧ୍ୟା ପୁର୍ବରୁ କାର୍ଯ୍ୟ ସମାପନ କରିବାପାଇଁ ସମସ୍ତେ ଏକତ୍ର ହେଲେ, ଗାଁ ମୁଣ୍ଡ ଶ୍ମଶାନରେ ଜଳି ଉଠିଲା ଶୁଭମ ଜେଜେଙ୍କର ଜୂଇ । ଆତ୍ମଗ୍ଲାନୀ, ଅନୁତପ୍ତ ଓ ଅଭିମାନର ସମସ୍ତ ପୁଞ୍ଜି ଘିଅ ହୋଇ ବାପାଙ୍କର ସେହି ଜୂଇନିଆଁରେ ଜଳିଗଲା ସରୋଜର । ଚିତାଗ୍ନିର ସେହି ଧୂମିଳ ଶିଖା ସତେ ଅବା ବିଦ୍ରୁପ କରି ସରୋଜକୁ ନିଜର ଆଗତ ବୟସର ଅପରାହ୍ନ ପାଇଁ ପ୍ରସ୍ତୁତ୍ ହେବାପାଇଁ ଚେତାଇ ଦେଉ ଥିଲା । ଜ୍ଞାତି ପଡ଼ୋଶୀମାନଙ୍କ ସହ ସରୋଜ ଫେରି ଆସୁଥିଲା ଘରକୁ, ଗୋରୁପଲ ଧୂଳି ଉଡ଼େଇ ଆଗେ ଆଗେ ଚାଲିଥାଆନ୍ତି, ପୁନଃ ପ୍ରଭାତରେ ସେମାନେ ହୁଏତ ପୁନର୍ବାର ପ୍ରତ୍ୟାବର୍ତ୍ତନ କରିବେ ତାଙ୍କର ଚରାଭୂଇଁକୁ ହେଲେ ରଙ୍ଗାଧର ବାବୁଙ୍କର ସେଥିଲା ବୟସ ଅପରାହ୍ନର ଶେଷ ଗୋଧୂଳି ଲଗ୍ନ, ଆଗକୁ କେବଳ ଅସରନ୍ତି ନିସ୍ତବ୍ଧ ଅନ୍ଧକାର । ସରୋଜଙ୍କୁ ସେଦିନର ସଂଧ୍ୟା ସତେ ଅବା ଏକ ଶାପିତ ରାତ୍ରି ଆଡ଼କୁ ବାଟ କଢ଼େଇ ନେଉଥାଏ, ହଠାତ୍ ଘର ସାମ୍ନାରେ ଅଟକି ଗଲା ତା ପାଦ, ରଙ୍ଗାଧର ବାବୁଙ୍କର ଶୋଇବା ଘର ଛାତ ଉପରେ ଏକ ବିରାଟ ହନୁ ମାଙ୍କଡ଼ ଲାଞ୍ଜ ତଳକୁ ଲମ୍ୱାଇ ଆକାଶକୁ ଚାହିଁ ବସି ରହିଥାଏ, ସତେ ଅବା ଜେଜେଙ୍କ ନିର୍ଦ୍ଦେଶରେ ମାଙ୍କଡ଼ଟି ଶୁଭମର ବାଟ ଚାହିଁ ବସି ରହିଛି ଆଉ ଏକ ଅପରାହ୍ନକୁ…

– ମାନସ ରଞ୍ଜନ ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମାନସ ରଞ୍ଜନ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ, ପ୍ରବନ୍ଧ ଆଦି ରଚନା କରିଥାନ୍ତି । ତାଙ୍କ ରଚନାଗୁଡ଼ିକ କିଛି ପତ୍ରପତ୍ରିକରେ ସ୍ଥାନ ପାଇଛି ।