You are currently viewing ତୁମ ଅପେକ୍ଷାରେ
ତୁମ ଅପେକ୍ଷାରେ

ତୁମ ଅପେକ୍ଷାରେ

ଆଇନା ଆଗରେ ନିଜକୁ ଅତି ସତର୍କତାର ସହ ଦେଖୁଥାନ୍ତି କଲ୍ୟାଣୀ । ଅସ୍ତବ୍ୟସ୍ତ କେଶରାଶିକୁ ଅସ୍ତବ୍ୟସ୍ତ ଶରୀରର ବସ୍ତ୍ର । ମନରେ ଅହରହ ଚାଲିଥାଏ ମାନସ ମନ୍ଥନ । ଠିକ୍ ଆଉ ଭୁଲ୍‌ର ଦୋଛକିରେ ଛିଡ଼ାହୋଇ ପ୍ରଶ୍ନ କରିଚାଲିଥାନ୍ତି ନିଜକୁ ନିଜେ । ଏପଟେ ଅମାନିଆ ଲୁହର ଉଛୁଳା ନଈଟା ବାରମ୍ବାର କୂଳଲଙ୍ଘି ମାଡ଼ିଯାଉଥାଏ କଲ୍ୟାଣୀଙ୍କର ବିନା ଅନୁମତିରେ । ସିନ୍ଥିରେ ଚହଟୁଥିବା ରକ୍ତ ସିନ୍ଦୂରଟାର ବିକଟାଳ ଅଟ୍ଟହାସ୍ୟ ବାରମ୍ବାର ବିବ୍ରତ କରିଚାଲିଥାଏ କଲ୍ୟାଣୀଙ୍କୁ । ଏବେଏବେ ତ ସିଏ ବାଟ ଚାଲିଶିଖିଥିଲେ ଦୁନିଆ ଦାଣ୍ଡରେ ଆଦିତ୍ୟଙ୍କର ହାତଧରି । ଏବେଏବେ ତ ସିଏ ପ୍ରେମର ଅଢ଼େଇ ଅକ୍ଷର ଲେଖିବା ଶିଖୁଥିଲେ ଆଦିତ୍ୟଙ୍କର ତତ୍ତ୍ୱାବଧାନରେ । ଆଦିତ୍ୟଙ୍କର ସେହି ହସହସ ମୁହଁଟାକୁ ମନେପକାଇ ପାଗଳିନୀ ପରି ହୋଇଉଠୁଥାନ୍ତି କଲ୍ୟାଣୀ । ମନ, ମସ୍ତିଷ୍କ ଆଉ ଶରୀର, କାହାର ଆଜି କାହାରି ଉପରେ ନିୟନ୍ତ୍ରଣ ନାହିଁ । ସଭିଁଙ୍କ ଜୀବନରେ ଏପରି ସମୟଟିଏ ନିଶ୍ଚୟ ଆସେ ଯେଉଁଦିନ ମନ, ମସ୍ତିଷ୍କ, ଶରୀର, ବଚନ ସମସ୍ତେ ଅନିୟନ୍ତ୍ରିତ ହୋଇଉଠନ୍ତି । ଆଜି କଲ୍ୟାଣୀର ଏପରି ଅବସ୍ଥା ଦେଖି ସ୍ୱୟଂ ବିଧାତା ମଧ୍ୟ ଆଙ୍କିଦେଇଥିବେ ସ୍ୱକୃତ ବିଧାନ ଉପରେ ବିରାଟ ଗୋଟିଏ ପ୍ରଶ୍ନ ଚିହ୍ନ ।

ଏଇ ତ କିଛିମାସ ପୂର୍ବରୁ ପାଦରେ ନାଲି ଅଳତା ସିନ୍ଥିରେ ନାଲି ସିନ୍ଦୂର ହାତରେ ନାଲି ମେହେନ୍ଦି ଆଉ ନାଲି ପାଟ ଶାଢ଼ୀଟେ ପିନ୍ଧି କଲ୍ୟାଣୀ ବିଦାୟ ଜଣାଇଥିଲା ନିଜର କୁମାରିତ୍ୱକୁ ଆଦିତ୍ୟଙ୍କର ହାତଧରି । ପୂର୍ଣିମାର ଚାନ୍ଦ ପରି ଶରୀରରେ ନାଲି ପାଟଶାଢ଼ୀଟା କଲ୍ୟାଣୀଙ୍କୁ ଖୁବ୍ ମାନୁଥିଲା । ସୁଖି ଦାମ୍ପତ୍ୟ ଜୀବନ ପାଇଁ ଏହି ପ୍ରେମପକ୍ଷୀ ଦୁହିଁଙ୍କୁ ପରିଜନମାନେ ଓଜାଡ଼ି ଦେଇଥିଲେ ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭ କାମନା । ହେଲେ ଦିନ କେଇଟାର ଦାମ୍ପତ୍ୟ ଜୀବନକୁ ସତେଯେପରି କାହାର ନଜର ଲାଗିଗଲା । ପ୍ରେମ ପ୍ରଣୟର ଅଧ୍ୟାୟରେ ହଠାତ୍ ମାଡ଼ିଆସିଲା ଦୁଃଖର କଳା ବାଦଲ ଯେତେବେଳେ ଜଣାପଡ଼ିଲା ଆଦିତ୍ୟ ରକ୍ତ କର୍କଟରେ ପୀଡ଼ିତ । ଆଶା ସମ୍ଭାବନା ଆଉ ଶତ ଚେଷ୍ଟା ଉପରେ ତାଚ୍ଛଲ୍ୟ ଭରା ହସଟେ ହସିଦେଇ ମୃତ୍ୟୁ ସେଦିନ ଚିରସଙ୍ଗିନୀ ହୋଇଗଲା ଆଦିତ୍ୟଙ୍କର । ଅଶ୍ରୁର ବୈତରଣୀରେ ଭାସିଗଲେ ପରିଜନ ଆଉ ତା’ସହ ଭାସିଗଲା କଲ୍ୟାଣୀଙ୍କର ସବୁ ଆଶା, ଭରସା ଏବଂ ସ୍ୱପ୍ନ । ଆଦିତ୍ୟଙ୍କର ଅକାଳ ବିୟୋଗଟା କଲ୍ୟାଣୀଙ୍କୁ ହତଭାଗିନୀର ପରିଚୟ ଦେଇ ଚାଲିଗଲା । ଏହି ଦୁନିଆ ଭିଡ଼ରେ କଲ୍ୟାଣୀ ଆଜି ଏକାକିନୀ ।

ଆଜି ହାତର ଚୁଡ଼ି, ସିନ୍ଥିର ସିନ୍ଦୂର, ଆଖିର କଜଳ ସବୁ ଲାଗୁଛି ଫିକାଫିକା । ସତେ ଯେପରି ମନୋରମ ଅଶୋକବାଟିକା ଭିତରେ ମୌନ ଜାନକୀ । ତେବେ ସଂସାରର କଠୋର ସତ୍ୟକୁ ମାନିନେବାକୁ କଲ୍ୟାଣୀ କିନ୍ତୁ ଅନିଚ୍ଛୁକ । ଅନିଚ୍ଛୁକ ତାଙ୍କ ଯୌବନକୁ ବେଢ଼ିଧରିଥିବା ନାଲି ଶାଢ଼ୀକୁ ଅନାବୃତ କରି ଏଦୁନିଆ ଦେଉଥିବା ଶ୍ୱେତରଙ୍ଗରେ ନିଜକୁ ଲୁଚାଇରଖିବାକୁ । ସେଥିପାଇଁ ବାରମ୍ବାର ସେହି ଧଳା ଶାଢ଼ୀଟିକୁ ଦୁଇ ହାତରେ ବିଛଣା ଉପରେ ରଖିଦେଇ ପୁଣି ଧରିବାକୁ ଚେଷ୍ଟା କରୁଛନ୍ତି କଲ୍ୟାଣୀ । ମନ ମାନୁନାହିଁ କି ସଂସାରର ପରମ୍ପରା ତାଙ୍କୁ ଛାଡ଼ୁନାହିଁ । ଏହିପରି ଏକ ଚକ୍ରବ୍ୟୁହ ଭିତରେ ସେ ଆଜି ସାଜିଛନ୍ତି ଏକାକୀ ଅଭିମନ୍ୟୁ; ନିରସ୍ତ୍ରା, ନିସ୍ତେଜା ଆଉ ନିର୍ବଳା । କିଏ ତାଙ୍କୁ ଆଉ ଦେବ ମାନସିକ ବଳ, ଭଗ୍ନମନୋରଥକୁ ଆଶ୍ୱାସନାର ସାହାରା ଆଉ ଭାଙ୍ଗିଯାଇଥିବା ସ୍ୱପ୍ନକୁ ସାଉଁଟି ଦେବାର ଭରସା । ଆଇନା ଆଗରେ ନିଜର ରୂପ ବି ଆଜି କୁତ୍ସିତ ଦେଖାଯାଉଥିଲା କଲ୍ୟାଣୀଙ୍କୁ । କାଚ ଆଇନାର ସେପାଖରେ ବୋଧହୁଏ ଆଉ କଲ୍ୟାଣୀ ନଥିଲେ । ଥିଲା ଗୋଟିଏ ଶ୍ୱେତ ବସ୍ତ୍ରରେ ଆବୃତ୍ତ ଠିକ୍ କଲ୍ୟାଣୀଙ୍କ ପରି ନାରୀଟିଏ ଯାହାକୁ ଦେଖି କଲ୍ୟାଣୀ ଚିତ୍କାର କରି ଗଡ଼ିପଡ଼ିଲେ ବିଛଣା ଉପରେ । ଏଥର ହଠାତ ତାଙ୍କୁ ଲାଗିଲା ସତେ ଯେପରି କିଏ ତାଙ୍କୁ ଡାକୁଛି । ଧୀରେଧୀରେ ସେହି ଏକାନ୍ତ କୋଠରୀର ବିଛଣା ଉପରୁ ତକିଆ ଆଢ଼ୁଆଳରେ ଦେଖିବାକୁ ଚେଷ୍ଟାକଲେ କଲ୍ୟାଣୀ କିଏ ତାଙ୍କୁ ଡାକୁଛି? ଅନୁଭବ ହେଲା ସତେ ଯେପରି ଆଦିତ୍ୟ ଏଇଠି କେଉଁଠି ଅଛନ୍ତି ! ବିଛଣାରୁ ଉଠିପଡ଼ି ଚିତ୍କାର କରି ଉଠିଲେ କଲ୍ୟାଣୀ । କହିଲେ “କ’ଣ ପାଇଁ ମୋତେ ତୁମେ ଠକିଦେଇ ଚାଲିଗଲ ଆଦିତ୍ୟ? ସାତ ଜନ୍ମ ପାଇଁ ହାତ ଧରିବାକୁ କଥାଦେଇ ଗୋଟିଏ ଜନ୍ମ ବି ସାଥି ଦେଇପାରିଲ ନାହିଁ?” କଲ୍ୟାଣୀଙ୍କ ଚିତ୍କାରରେ ଦୌଡ଼ି ଆସିଲେ ପରିଜନ କିଛି ଗୋଟିଏ ଅଘଟଣର ପୂର୍ବାନୁମାନ କରି । କଲ୍ୟାଣୀଙ୍କ ଦୁଆର ପାଖରେ ଛିଡ଼ାହୋଇ ସମସ୍ତେ ମିଶି ଖୁବ୍ ଜୋରରେ ଡାକମାରିଲେ କଲ୍ୟାଣୀଙ୍କୁ । ହେଲେ ଭିତରଟା ଲାଗୁଥିଲା ନୀରବ ନିସ୍ତବ୍ଧ । କିଛି ସମୟର ଅନ୍ତରାଳ ପରେ କଲ୍ୟାଣୀ ନିଜକୁ ଆବଦ୍ଧ କରିରଖିଥିବା କୋଠରୀଟିର କବାଟଟା ବଳପୂର୍ବକ ଖୋଲାଗଲା । ଉନ୍ମୁକ୍ତ ଦ୍ୱାରର ସେପାଖରୁ ସମସ୍ତେ ଦେଖିଲେ ଭୂଇଁ ଉପରେ ପଡ଼ିଥିବା କଲ୍ୟାଣୀଙ୍କର ନିସ୍ତେଜ ଶରୀରଟିକୁ । ମୁହଁରେ ତାଙ୍କର ଖେଳିବୁଲୁଥିଲା ପ୍ରଚଣ୍ଡ ନିରବତା । ସେଥିରେ ପୁଣି ଶୁଖିଆସିଥିବା ଲୋତକ ଧାରାର ପଛେପଛେ ଝାପ୍ସା କଜଳର ପଦଚିହ୍ନ । ଏହିସବୁ ଭିତରେ ମୃତ୍ୟୁ କିନ୍ତୁ ଜିଣିପାରିନଥିଲା ଜୀବନକୁ ସଂଗ୍ରାମରେ କି ଜୀବନ ବି ହାରିଯାଇନଥିଲା ମୃତ୍ୟୁସହ ସଂଗ୍ରାମରେ । ଏବେବି ରହିରହି କଲ୍ୟାଣୀଙ୍କର ବକ୍ଷଟା ସୂଚାଇ ଦେଉଥିଲା କଲ୍ୟାଣୀ ଜୀବିତ ବୋଲି । କିନ୍ତୁ ସେ ଥିଲେ ନିଶ୍ଚେଜ । ସାମୟିକ ଚିକିତ୍ସା ପରେ ଧୀରେଧୀରେ ଆଖି ଖୋଲିଲେ କଲ୍ୟାଣୀ । ସଂଜ୍ଞା ଫେରୁଫେରୁ ପୁଣି ଚିତ୍କାର କରି କଲ୍ୟାଣୀ କହିଲେ “ନା ନା ! ନା ବାପା ମୁଁ ବିଧବା ନୁହେଁ । ମୁଁ ପିନ୍ଧିପାରିବିନି ସେ ଧଳା ଶାଢ଼ୀ । ନା ମୁଁ ଲିଭାଇଦେଇ ପାରିବି ମୋ ମଥାରୁ ତାଙ୍କ ନାଆଁର ସିନ୍ଦୂର ନା ଭାଙ୍ଗିଦେଇପାରିବି ତାଙ୍କ ନାଆଁର ଶଙ୍ଖା । ମା ମୋତେ କ୍ଷମା କର… ମୋତେ କ୍ଷମା କର… ।” କଲ୍ୟାଣୀଙ୍କର ବ୍ୟାକୁଳତାରେ ଶିହରୀ ଉଠିଲେ ଆଦିତ୍ୟଙ୍କର ବାପା । କିନ୍ତୁ କଲ୍ୟାଣୀଙ୍କ ଶାଶୂ !!! ସେ ଥିଲେ ନିରବ । ସେ ନିରବତାରେ ଝଲସୁନଥିଲା ସମ୍ମତିର ଛାପ । ଲାଗୁନଥିଲା କଲ୍ୟାଣୀଙ୍କର ଏତାଦୃଶ ବ୍ୟବହାରରେ ସେ ଏକମତ । ଶ୍ୱଶୁରଙ୍କର ଆଶ୍ଵାସନା ପରେ ମଧ୍ୟ ଶାଶୂଙ୍କର ନିରବତା କଲ୍ୟାଣୀଙ୍କ ମନକୁ ଅଶାନ୍ତ କରିଦେଲା । ଅଶାନ୍ତ ମନ ଆଉ ବ୍ୟାକୁଳ ସ୍ୱରରେ କଲ୍ୟାଣୀ ତାଙ୍କ ଶାଶୂ ମାଆଙ୍କୁ କହିଲେ “ମାଆ ! ସାତ ଦିନର ପରିଚୟ ଭିତରେ ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମକୁ ସାଥି ଦେବାପାଇଁ ଉଭୟ ଉଭୟେଙ୍କୁ କଥା ଦେଇଛୁ । କେମିତି କଥା ଭାଙ୍ଗିଦେବି ! କେମିତି ତାଙ୍କ ନାଆଁଁରେ ମଥାର ସିନ୍ଦୂର, ହାତର ଶଙ୍ଖାକୁ ନିଜଠୁ ଦୂରେଇ ଦେବି ! ଆଖି ଆଗରୁ ଚାଲିଗଲେ ବୋଲି କ’ଣ ମନ ଶରୀର ସ୍ମୃତି ଆଉ ଆତ୍ମା; ସବୁଥିରୁ ତାଙ୍କୁ ଦୂରେଇଦେବି ! ସମ୍ପର୍କର ବାଟଟା କ’ଣ ଏତିକିରେ ସରିଗଲା ! ଏ ସମ୍ପର୍କଟା ପରା ମନ ଶରୀର ଆଉ ଆତ୍ମାର । ତେବେ କେମିତି ସମ୍ପର୍କକୁ ତୁଟାଇ ନିଜକୁ ବିଧବାର ପରିଚୟ ଦେବି !!! ଶରୀର ସହ କ’ଣ ସମ୍ପର୍କଟା ବି ମରିଯାଏ ! ଯଦି ମରିଯାଏ ତେବେ ମୁଁ ବିଶ୍ୱାସ କରେନା ସମାଜର ଲକ୍ଷ୍ମଣ ରେଖା । ମୁଁ ମାନିବାକୁ ପ୍ରସ୍ତୁତ ନୁହେଁ ସମାଜ ସ୍ୱୀକୃତ ପରମ୍ପରା । ମୁଁ ତ ତାଙ୍କୁ ଅପେକ୍ଷା କରିଛି ଜୀବନର ଶେଷ ଯବନିକା ପଡ଼ିବା ପର୍ଯ୍ୟନ୍ତ । ଜାଣନ୍ତି ମାଆ ସେଦିନ ରାତିରେ ସିଏ ମୋ’ଠାରୁ ବିଦାୟ ନେବା ପୂର୍ବରୁ ବିକଳରେ ମୋ ହାତଧରି କହିଲେ “କଲ୍ୟାଣୀ ମୁଁ ତୁମକୁ ଛାଡ଼ି ଚାଲିଗଲି ବୋଲି କ’ଣ ମନ ଊଣା କରୁଛ ! ନା କଲ୍ୟାଣୀ ! ମୁଁ ସବୁବେଳେ ତୁମ ପାଖେ ପାଖେ ଅଛି । ଶରୀରଟା ସିନା ତୁମଠାରୁ ଦୂରେଇଯିବ କଲ୍ୟାଣୀ କିନ୍ତୁ ତୁମେ ତୁମଠାରୁ ମୋତେ ଦୂରେଇ ଦେବନି । ଜୀବନର ସେପାଖରେ ମୁଁ ତୁମକୁ ହିଁ ଅପେକ୍ଷା କରିଥିବି । ମୋ କଲ୍ୟାଣୀ ଆସିବ ! ମୋ କଲ୍ୟାଣୀ ଆସିବ… !” ସେଥିପାଇଁ ମାଆ ମୁଁ ଏହି ରୂପରେ ହିଁ ବଞ୍ଚିବାକୁ ଚାହେଁ ଜୀବନ ଉପରେ ମୃତ୍ୟୁର ବିଜୟ ହେବା ପର୍ଯ୍ୟନ୍ତ । କାହିଁକିନା ତାଙ୍କ ସହ ପୁଣି ଯେତେବେଳେ ଯେଉଁ ଅବସ୍ଥାରେ ବି ଦେଖାହେବ ମୁଁ ତାଙ୍କୁ କହିବି, “ଦେଖ ଆଦିତ୍ୟ ! ଆଜି ପର୍ଯ୍ୟନ୍ତ ମୋ ମଥାର ସିନ୍ଦୂର, ହାତର ଶଙ୍ଖା, ଦେହର ନାଲିଶାଢ଼ୀ ଖାଲି ତୁମରି ନାଆଁରେ ବଞ୍ଚିଛନ୍ତି । ତୁମକୁ ଦେଇଥିବା ବଚନ ଆଉ ତୁମର ସ୍ମୃତିକୁ ନେଇ ମୁଁ ଆଜି ମୃତ୍ୟୁ ପର୍ଯ୍ୟନ୍ତର ବାଟକୁ ଅତିକ୍ରମ କରିଛି । ଏଇ ଯେଉଁ ତୁମ ନାଆଁର ଶଙ୍ଖା ଆଉ ସିନ୍ଦୂର, ଦିନରାତି ସେମାନେ ମୋତେ ମନେପକାଇ ଦିଅନ୍ତି ଯେ ତୁମେ କହିଥିଲ କଲ୍ୟାଣୀ ! ଜୀବନର ସେପାଖରେ ମୁଁ ଥିବି ତୁମ ଅପେକ୍ଷାରେ ।” ଏତିକି କହି ବାକ୍‌ଶୂନ୍ୟ ହୋଇପଡ଼ିଲେ କଲ୍ୟାଣୀ । ପ୍ରତିକ୍ରିୟାହୀନ ତାଙ୍କର ମୁଖମଣ୍ଡଳରେ ଝଲସିଉଠୁଥିଲା ଆତ୍ମତୃପ୍ତି । ମନରେ ନାହିଁ ଆଉ ଅଶାନ୍ତ ସମୁଦ୍ରର ଛାପ । ଏବେ ଲାଗୁଛି ଯେପରି ମନଟା ସାଲିସ୍ କରିନେଇଛି ସମୟ ଆଉ ପରିସ୍ଥିତି ସହ । ଏତେସବୁ ଭିତରେ ଏ ଦୁନିଆ ପାଇଁ ଦୃଷ୍ଟିକଟୁ ସାଜୁଥିବା କଲ୍ୟାଣୀଙ୍କ ନାଲିରଙ୍ଗର ସେହି ପାଟଶାଢ଼ୀଟାକୁ ପୁଣି ଥରେ ନିଜ ହାତରେ ସଜାଡ଼ି ଦେଉଦେଉ ଆଦିତ୍ୟଙ୍କ ମାଆ କହିଲେ “ତୋ ଶଙ୍ଖା ଆଉ ମଥାର ସିନ୍ଦୂର ସବୁଦିନ ଏହିଭଳି ଚହଟୁଥାଉ ।” ଏତିକି କହି ସେ ନିଜ ହାତର ଶଙ୍ଖାକୁ କାଢ଼ି ପିନ୍ଧାଇଦେଲେ କଲ୍ୟାଣୀଙ୍କୁ । ସମସ୍ତେ ହତବାକ୍ ଶାଶୂ ବୋହୂଙ୍କର ଏଭଳି ଅବତାର ଦେଖି । ଏପଟେ ଆତ୍ମୀୟଙ୍କର ସ୍ୱୀକୃତିରେ କଲ୍ୟାଣୀ ଲେଖୁଥାଆନ୍ତି ପରମ୍ପରାର ଏକ ନୂତନ ଅଧ୍ୟାୟ ।

ଜ୍ୟୋତିରଞ୍ଜନ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଜ୍ୟୋତିରଞ୍ଜନ ସାହୁ ପେଶାରେ ଜଣେ ସରକାରୀ ଚାକିରୀଆ, କିନ୍ତୁ ନିଶା ତାଙ୍କର ଗପ ଲେଖିବା । ସେ ବିଭିନ୍ନ ପ୍ରକାରର ଗଳ୍ପ ରଚନା କରନ୍ତି । ତାଙ୍କ ରଚିତ କେତେଗୁଡ଼ିଏ ଗଳ୍ପ ସଂକଳନ ପୂର୍ବରୁ ଲୋକାର୍ପିତ ହୋଇସାରିଛି ।