ଅଭିଶପ୍ତ ଗୋଲାପ
ଅଭିଶପ୍ତ ଗୋଲାପ

ଅଭିଶପ୍ତ ଗୋଲାପ

ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଉଭୟ ଛାତ୍ରଛାତ୍ରୀଙ୍କ ମନରେ ଆଗାମୀ ଭବିଷ୍ୟତ ପାଇଁ ସହସ୍ର ଉତ୍କଣ୍ଠା ଜାଗ୍ରତ ହୋଇଥାଏ । କ’ଣ ପଢ଼ିବେ, କେଉଁଠି ପାଠ ପଢ଼ିବେ, କେଉଁ ପାଠ ପଢ଼ିଲେ ଭଲ ଚାକିରି ମିଳିବ ଇତ୍ୟାଦି କଥା ପିଲାମାନଙ୍କର ଅବିଭାବକମାନେ ନିଷ୍ପତ୍ତି ନେଇଥାନ୍ତି । ଚଳିତ ବର୍ଷ ପରୀକ୍ଷାରେ କୈଳାସ ବାବୁଙ୍କ ଝିଅ ଅଲିଭା ଭଲ ନମ୍ବର ରଖି ପାସ କରିଛି । ଖାଲି ପାସ କାହିଁକି, କଲେଜର ଟପ୍ପର ହୋଇଛି ସେ । କୈଳାସ ବାବୁଙ୍କ ଖୁସି କହିଲେ ନସରେ । ଝିଅ ଆଗକୁ କ’ଣ ପଢ଼ିବ ଭାବି କୈଳାସ ବାବୁ ଆଜି ଭାରି ବ୍ୟସ୍ତ ଜଣାପଡ଼ୁଛନ୍ତି । ସ୍କୁଲରେ ସହକର୍ମୀ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଝିଅର ପାଠପଢ଼ା ବିଷୟରେ ପଚାରା ଉଚରା କରୁଥାନ୍ତି । ଦୀର୍ଘ ପନ୍ଦର ବର୍ଷ ହେଲାଣି ଶିକ୍ଷକତା କରିଆସୁଛନ୍ତି ସେ । ତାଙ୍କରି ପାଖରେ କେତେ କେତେ ପିଲା ଭଲପାଠ ପଢ଼ି ବିଦେଶରେ ଚାକିରି କରିଲେଣି । ହେଲେ ନିଜ ଝିଅର ପାଠପଢ଼ାକୁ ନେଇ ଖୁବ ଚିନ୍ତିତ ଥିଲେ ସେ । ଶେଷରେ ଗୋଟିଏ ଇଂଜିନିୟରିଂ କଲେଜରେ ଅଲିଭାର ନାମ ଲେଖାଇ ଦେଲେ ।

ହଷ୍ଟେଲରେ ପ୍ରଥମ ରାତି କ୍ଳାନ୍ତ ଶରୀରକୁ ଟିକେ ବିଶ୍ରାମ ଦେବା ଉଦେଶ୍ୟରେ ବିତିଗଲା । ତା’ ପରଦିନ ସକାଳୁ ସୂର୍ଯ୍ୟଙ୍କର ସୁନେଲୀ କିରଣ ଝରକା ବାଟଦେଇ ଅଲିଭା ମୁହଁରେ ପଡ଼ୁଥିଲା । ଶୋଇଥିବା ଅବସ୍ଥାରେ ବିରକ୍ତ ହୋଇ ଲିସାକୁ ଦୁଇଥର କହିସାରିଲାଣି ଝରକା ବନ୍ଦ କରିବାକୁ ହେଲେ ଲିସା କ’ଣ ଶୁଣୁଛି ।

– ଅଲି ! ଅଲି ! ଉଠେ ଆଜି କଲେଜ ଯିବାର ନାହିଁକି?

– “ନାଁ ଲିସା ! ମୁଁ ଆଜି ଯିବିନି । ତୁ ଚାଲିଯା, ଏମିତିରେ ଆଜି କିଛି ପାଠପଢ଼ା ତ ହବନି ଯାଇ କ’ଣ କରିବି” ଅଲିଭା କହିଲା । ସକାଳୁ ଡାକି ଡାକି ଥକି ଗଲାଣି ଲିସା ଅଥଚ ଅଲିଭା ବିଛଣା ଛାଡ଼ିବାକୁ ନାରାଜ । ଅଲିଭାର ଲିସା ସହ ବନ୍ଧୁତା କଲେଜରେ ନାମ ଲେଖା ଦିନ ହିଁ ହୋଇଥିଲା । ତେଣୁ ଦୁହେଁ କଥାବାର୍ତ୍ତା ହୋଇ ଗୋଟିଏ ରୁମ୍‌ରେ ରହିବା ପାଇଁ ନିଷ୍ପତି ନେଇଥିଲେ ।

– “ଆଜି ଆମର ପ୍ରଥମ ଦିନ କଲେଜରେ । କେତେ ନୂଆ ନୂଆ ମୁହଁ ସହ ପରିଚିତ ହେବ ଆଉ ତୁ ମନା କ’ଣ କରୁଛୁ ।” ଲିସା ବହୁତ ବଧ୍ୟ କଲାପରେ ଅଲିଭା କଲେଜ ଯିବାକୁ ରାଜି ହେଲା । ଦୁଇଜଣ କଲେଜରେ ପହଞ୍ଚିଲା ବେଳକୁ ଗୋଟେ ପିରିଅଡ଼ ସରିଯାଇଥିଲା । ସମସ୍ତେ ନିଜ ନିଜ ପରିଚୟ ମଧ୍ୟ ଦେଇ ସାରିଥିଲେ । ଯେତେବେଳେ ଦୁଇ ବାନ୍ଧବୀ ଶ୍ରେଣୀ ଗୃହ ଭିତରକୁ ଗଲେ । ସମସ୍ତେ ହସିବାକୁ ଲାଗିଲେ । ହସରେ ହସରେ କେହିଜଣେ କହିଦେଲା- “କିଏ ତୁମେ ଅନାମିକା? କେଉଁ ରାଇଜରେ ତୁମ ଘର?” ସମସ୍ତେ ପୁଣି ହସିଲେ । ଇଂଜିନିୟରିଂ କଲେଜରେ ଏସବୁ ସାଧାରଣ କଥା । ସାଙ୍ଗମାନଙ୍କ ଭିତରେ ଏମିତି ଥଟାମଜା ହୁଏ । କିନ୍ତୁ ଅଲିଭାକୁ ଏମିତି ଥଟ୍ଟାମଜା ଆଦୌ ଭଲ ଲାଗେନି । ପ୍ରଥମ ଦିନ କଲେଜରେ ଥଟ୍ଟାମଜାରେ କଟିଗଲା । ଦ୍ୱିତୀୟ ଦିନ କଲେଜରେ ନିଜ ବେଞ୍ଚରେ ବସିଲା ବେଳକୁ ଅଲିଭାର ନଜର ପଡ଼ିଲା ଗୋଟିଏ ଗାଢ଼ ଲାଲ ରଙ୍ଗର ଗୋଲାପ ଫୁଲ ଉପରେ, ଯାହାକି ତା’ ବେଞ୍ଚ ଉପରେ ଅତି ଯତ୍ନର ସହ ରଖାଯାଇଛି ।

– “କାଲି ତ କେତେ କମେଣ୍ଟ କରୁଥିଲେ ମତେ ଆଉ ଲିସାକୁ, ଆଜି ପୁଣି ଏ ଗୋଲାପ କିଏ ରଖିଲା? ମନରେ ତା’ର ହଜାରେ ପ୍ରଶ୍ନ ଉଙ୍କିମାରି ପେଟ ଭିତରେ ମରିଯାଉଥାଏ । ଭାବିଲା ଏଇଟା ସାଙ୍ଗମାନେ ମଜାରେ ରଖିଛନ୍ତି ବୋଧେ । ତେଣୁ ସେ ଗୋଲାପକୁ ଛୁଇଁବା ତ ଦୂରର କଥା ସେ ସେହି ଗୋଲାପକୁ ଆଖି ଉଠେଇ ଚାହିଁଲାନି ମଧ୍ୟ । ତା’ ପରଦିନ ମଧ୍ୟ ପୁଣି ଗୋଟିଏ ଗୋଲାପ ଫୁଲ କିଏ ରଖିଥିଲା ତା’ ବେଞ୍ଚ ଉପରେ । ଏସବୁ ଦେଖି ଅଲିଭା ଚିନ୍ତାରେ ପଡ଼ିଲା ।

ଏମିତି କିଏ କରୁଛି? ତା ବେଞ୍ଚ ଉପରେ ଗୋଲାପ ଫୁଲ ରଖି କ’ଣ ଦର୍ଶେଇବାକୁ ଚାହୁଁଛି ସେ? ଏସବୁ କଥା ସେ କାହାକୁ ପଚାରିବ । କଲେଜରେ ସେ ନୂଆ, କାହାକୁ ଭଲରେ ଚିହ୍ନିଁନି କି ଜାଣିନି । ରୁମ୍‌ରେ ଆସି ଲିସାକୁ ଜଣେଇଲା । ଲିସା ଏ କଥାକୁ ବହୁତ ସହଜରେ ଗ୍ରହଣ କରିନେଲା ।

“ଏଇଟା ଇଂଜିନିୟରିଂ କଲେଜ ଅଲିଭା । ଏଠି ଏସବୁ ନିତିଦିନିଆ କଥା । ତେଣୁ ଡରିବାର କିଛି ନାହିଁ । ଯଦି କେହି କିଛି କହେ ତେବେ ଆମେ ପ୍ରିନସିପାଲ ସାର୍‌ଙ୍କ ପାଖରେ ଅଭିଯୋଗ କରିବା” କହି ଅଲିଭାକୁ ବୁଝେଇଦେଲା ସେ ।

ଜୀବନ ପରିଧିକୁ ଅତିକ୍ରମ କରି କିଏ କେତେବେଳେ କାହା ମନରେ ଜାଲ ବୁଣିଦିଏ ତାହା କେହି ଜାଣିପାରନ୍ତିନି । ଆଜିକୁ ଦୁଇବର୍ଷ ହୋଇଗଲାଣି ପ୍ରତ୍ୟେକ ଦିନ ଗୋଟିଏ ଗାଢ଼ ଲାଲ ରଙ୍ଗର ଗୋଲାପ ଫୁଲକୁ ନେଇ ଅଲିଭା ବେଞ୍ଚ ଉପରେ ରଖିଦେଇ ଆସେ ସୁଶୀଲ । ଖାଲି ରବିବାରକୁ ଛାଡ଼ିଦେଲେ ବର୍ଷର କୌଣସି ଦିନ ବାକି ନାହିଁ ଯେଉଦିନ ସେ ଗୋଲାପ ଫୁଲ ବଜାରରୁ କିଣିନି । ଅଲିଭା କଲେଜ ଆସିବା ପୂର୍ବରୁ ହିଁ ସେ ଗୋଲାପ ଫୁଲକୁ ରଖିଦେଇ ଥାଏ । ସବୁଥର ପରି ଅଲିଭା ମଧ୍ୟ ଅଣଦେଖା କରିଦିଏ ସେ ଗୋଲାପକୁ । ଭାବେ କିଏ କାହାପାଇଁ ରଖିଥିବ ତେଣୁ ସେ ଗୋଲାପ ଫୁଲଠୁ ଦୂରରେ ରହିବା ଭଲ ।

ଦିନେ କଲେଜରୁ ଫେରିଲା ବେଳେ କେହି ଜଣେ ପଛରୁ ଡାକିଲା, “ଟିକେ ଶୁଣିବ ?”। ପଛକୁ ଫେରିଚାହିଁଲା ଅଲିଭା ପ୍ରଶ୍ନିଳ ଆଖିରେ। ଅସଂଖ୍ୟ ପ୍ରଶ୍ନ ତା’ ହୃଦୟର ନିଃଶଦ୍ଦ କୋଳାହଳ ଭିତରେ । କ’ଣ କହିବ କିଛି ବୁଝିପାରୁନଥାଏ । କିଛି ସମୟର ନିରବତା ପରେ କହିଲା, “କ’ଣ ହେଲା?”

ସୁଶୀଲ କେବେବି ଅଲିଭା ସହ କଥା ହେବାକୁ ସାହସ କରିନି । ଆଜି ସବୁ ଶକ୍ତିକୁ ଏକଜୁଟ କରି ପଛରୁ ଡାକିଦେଲା ସିନା କିନ୍ତୁ କେମିତି କହିବ ସେ ଅଲିଭାକୁ ତା’ ମନର କଥା ! କେମିତି କହିବ ଯେ ଅଲିଭା ଆଖିର ନୀଳ ସାଗରରେ ସେ ବୁଡ଼ିଯାଇଛି ବୋଲି !! କେମିତି କହିବ ଅଲିଭାର ଅଜ୍ଞାତରେ ସେ ତା’ର ହାତ ଧରି ବାଟ ଚାଲିବାକୁ ସ୍ୱପ୍ନ ଦେଖିସାରିଛି !!! କେମିତି ପ୍ରକାଶ କରିବ ତା’ ମନର ଭାବନାକୁ? ସତରେ ନିଜ ପ୍ରେମକୁ ପ୍ରେୟସୀ ଆଗରେ ପ୍ରକାଶ କରିବା ସବୁ ପ୍ରେମିକମାନଙ୍କ ପାଇଁ ସବୁଠୁ କଷ୍ଟସାଧ୍ୟ। ବହୁ ଦିନରୁ ସେ ଅଲିଭାକୁ ହୃଦୟରେ ସ୍ଥାନ ଦେଇସାରିଛି। କଲେଜର ପ୍ରଥମ ଦିନରୁ ହିଁ ସେ ଅଲିଭାକୁ ଭଲପାଇ ବସିଛି କିନ୍ତୁ ଏକଥା ଅଲିଭାକୁ କେବେ କହିପାରିନି। ସୁଶୀଲ ଭାବନା ଭିତରେ ବୁଡ଼ିଯିବା ଆଗରୁ ଅଲିଭା କହିଲା, “କ’ଣ ପାଇଁ ଡାକିଲ ମତେ?”

– ଅଲିଭା ! ଏଇ ନିଅ ତୁମ ଡାଏରି କ୍ଳାସ ରୁମରେ ରହିଯାଇଥିଲା ।

– “ଓଃ ସିଟ୍ ! ସତରେ ମୁଁ ଭୁଲିଯାଇଥିଲି । ଥାଙ୍କ ୟୁ ସୋ ମଚ୍ !” ତା’ପରେ ସୁଶୀଲ ବିନା ସଂକୋଚରେ ବନ୍ଧୁତାର ହାତ ବଢ଼େଇ ଦେଲା । ଅଲିଭା ମଧ୍ୟ ମନା କରିପାରିଲାନି । ସୁଶୀଲ ହାତ ସହ ହାତ ମିଳାଇ ସୁଶୀଲର ବନ୍ଧୁତାକୁ ସ୍ୱୀକାର କଲା ।

ଏ ବନ୍ଧୁତାର ପ୍ରାରମ୍ଭରେ କ’ଣ ସେ ବେଞ୍ଚ ଉପରେ ପଡ଼ି ପଡ଼ି ଶୁଖିଯାଉଥିବା ଅଭିଶପ୍ତ ଗୋଲାପ ଅଭିଶାପରୁ ସବୁଦିନ ପାଇଁ ମୁକ୍ତି ପାଇଯିବ ! ବହୁଦିନରୁ ଅଲିଭା କୋମଳ ହାତର ସ୍ପର୍ଶ ପାଇବାକୁ ପ୍ରତୀକ୍ଷା କରିଥିବା ଅଭିଶପ୍ତ ଗୋଲାପକୁ କ’ଣ ସେ ସୌଭାଗ୍ୟ ମିଳିବ?

ବେଳେବେଳେ ପ୍ରେମ ବନ୍ଧୁତା ଭିତରେ ଫାଟ ସୃଷ୍ଟି କରିଦିଏ । ଦୁହିଁଙ୍କ ଭିତରେ ବନ୍ଧୁତା ଏତେ ନିବିଡ଼ ହୋଇଯାଇଥିଲା ଯେ କେହି କାହାକୁ ହରେଇବାକୁ ଚାହୁଁନଥିଲେ । ବନ୍ଧୁତା ଭିତରେ କଲେଜର ବାକି ଦିନ ବିତିଗଲା । ତଥାପି ସୁଶୀଲ ଅଲିଭାକୁ ତା’ ମନ କଥା ଖୋଲି କହିପାରିଲାନି । ଆଜି କଲେଜର ଶେଷଦିନ । ସମସ୍ତେ ସମସ୍ତଙ୍କୁ ଆଲିଙ୍ଗନ କରି ବିଦାୟ ନେଲାବେଳେ, ସୁଶୀଲ କାହାକୁ କିଛି ନକହି କଲେଜରୁ ଚାଲିଯାଇଥିଲା । କେତେ ରାଗ ରୁଷା, ଥଟା ମଜା, ପୁଣି କଲେଜ ଲାଇବ୍ରେରିରେ ଅଲିଭା ସହ ଏକାଠି ବସି ପାଠ ପଢ଼ିବାର ଅନନ୍ୟ ମୂହୁର୍ତ୍ତକୁ ସୁଶୀଲ କ’ଣ ଭୁଲିପାରିବ କି? ତେବେ ଅଲିଭାକୁ କିଛି ନ କହି ଚାଲିଗଲା କାହିଁକି? ଏକତରଫା ପ୍ରେମର ଗଭୀରତାକୁ ମାପିହୁଏନା। ନିଃଶ୍ୱାର୍ଥପର ଭାବରେ କେତେ କଷ୍ଟ ସହିଯାଆନ୍ତି ଏ ପ୍ରେମିକମାନେ ସତେ ! ପ୍ରେୟସି ସାମ୍ନାରେ ଶୋଇରହିଥିବା ସ୍ନାୟୁକୋଷ ଗୁଡ଼ିକ ଜାଗ୍ରତ ହୋଇଯାଆନ୍ତି ଆଉ ହଠାତ ରକ୍ତର ପ୍ରବାହ ହୋଇଉଠେ କ୍ଷିପ୍ର। ଆଜି ହିଁ ସବୁ କଥା ଖୋଲି କହିଦେବି ଭାବନ୍ତି । କିନ୍ତୁ ପ୍ରେୟସୀକୁ ହରେଇଦେବା ଭୟର କାରାଗାରରେ ବନ୍ଦିଥିବା ହୃଦୟର କଠୋର ନିଷ୍ପତି ଆଗରେ ସ୍ନାୟୁକୋଷ ସବୁ ନିସ୍ତେଜ ହୋଇଯାଆନ୍ତି, ମନ୍ଥର ହୋଇଯାଏ ରକ୍ତ ପ୍ରବାହ ଆଉ ହୃଦୟର ବ୍ୟଥା ଓଠ ତଳର ଅକୁହା କଥାର ରୂପ ନେଇଯାଏ ।

ଅଲିଭା ଠାରୁ ବିଦାୟ ନେଇପାରିବିନି କି ତାକୁ ବିଦାୟ ମଧ୍ୟ ଦେଇପାରିବିନି ଭାବି ଅଲିଭାଠାରୁ ବହୁତ ଦୂରକୁ ଚାଲିଯିବାକୁ ଚାହୁଁଥିଲା ସେ । ବେଳେବେଳେ ସବୁକିଛି ସମୟ ହାତରେ ଟେକି ଦେବାକୁ ଆମେ ଶ୍ରେୟ ମନେକରୁ । ତେଣୁ ସୁଶୀଲ ମଧ୍ୟ ସବୁକିଛି ସମୟ ଉପରେ ଛାଡ଼ିଦେଇଥିଲା । ଅଲିଭା ସୁଶୀଲକୁ ଖୋଜି ଖୋଜି ଆସି ବସଷ୍ଟାଣ୍ଡରେ ପହଁଞ୍ଚିଲା ବେଳକୁ ସୁଶୀଲ ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିଲା ।

“ଆଜି କଲେଜ କାହିଁକି ଆସିନଥିଲ? ମତେ ନକହି ତମେ ଚାଲିଯିବାକଥା ଭାବି ପାରିଲ କେମିତି?” ଅଲିଭା ପଚାରିଲା ।

“ଆଉ କ’ଣ କରିଥାନ୍ତି? ତୁମଠୁ ବିଦାୟ ନେବାର ସାହାସ ମୋ ପାଖରେ ନଥିଲା ।”

“ବିଦାୟ ନେଇପାରିବନି କିନ୍ତୁ ମୋ ବେଞ୍ଚରେ ଗୋଲାପ ଫୁଲ ରଖିପାରିବ । ଦୁଃଖ ସହିପାରିବ କିନ୍ତୁ ପ୍ରକାଶ କରିପାରିବନି ।”

“ନା, ମାନେ ତମେ କେମିତି ଜାଣିଲ? ମୁଁ ତୁମକୁ…”

“ମୁଁ ତୁମକୁ କ’ଣ ସୁଶୀଲ? ଭଲପାଅ ତ??”

ସୁଶୀଲ୍ ଆବାକ୍ ହୋଇ ଚାହିଁଲା ଅଲିଭା ମୁହଁକୁ।

“ତୁମ ଓଠରୁ ଏ ତିନି ପଦ କଥା ଶୁଣିବା ପାଇଁ ମୁଁ ବହୁଦିନରୁ ଅପେକ୍ଷା କରିଥିଲି । ଆଉ ତୁମକୁ କହିବାକୁ ଚାରିବର୍ଷ ଲାଗିଗଲା ।”

“ମାନେ? ତମେ କେମିତି… ମୁଁ କିଛି ବୁଝିପାରୁନି ଅଲିଭା ।”

ସୁଶୀଲ କିଛି ବୁଝିବା ଆଗରୁ ଅଲିଭା ସୁଶୀଲର ହାତଧରି ତାକୁ ରାସ୍ତାକୁ ଟାଣି ଆଣିଲା । ଦିନସାରା ଆକାଶକୁ ଘେରି ରହିଥିବା ରାକ୍ଷସ ପରି କଳାବାଦଲ ଗୁଡ଼ାକ ବର୍ଷାକୁ ସ୍ୱାଗତ ଜଣାଇ ଆକାଶରେ ହଜିଗଲେ । ଆଉ ସେ ଜିଦିଆ ବର୍ଷା ଭିଜେଇଦେଲା ଦୁହିଁଙ୍କର ଶରୀର ଓ ଆତ୍ମାକୁ । ପ୍ରେମ କାହାଣୀର ଆରମ୍ଭ ସେହିଦିନରୁ ହୋଇସାରିଥିଲା ଯେଉଁଦିନ ଅଲିଭା ସୁଶୀଲକୁ ଲୁଚି ଲୁଚି ତା’ ବେଞ୍ଚରେ ଗୋଲାପ ଫୁଲ ରଖିବାର ସେ ଦେଖିନେଇଥିଲା । ଦୁହେଁ ଭିଜୁଥିଲେ ଭିନ୍ନ ଏକ ପ୍ରେମର ବର୍ଷାରେ ଯେଉଁଥିରେ ଥିଲା ଅଭିଶପ୍ତ ଗୋଲାପର ବାସ୍ନା । ଆଉ ସେଦିନର ବର୍ଷାରାତି ଏକ ନୂତନ ପ୍ରେମ କାହାଣୀର ରଚନା ଆରମ୍ଭ କରିଦେଇଥିଲା ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu