You are currently viewing ପୁରୁଣା କଥା
ପୁରୁଣା କଥା

ପୁରୁଣା କଥା

ଅଫିସରୁ ଫେରି, ନିଜ ସୋଫାରେ ଆରାମ କରି, ଆକାଶ ନିଜ ଫେସବୁକରେ ଦୁନିଆଁଟାକୁ ଘାଣ୍ଟୁ ଘାଣ୍ଟୁ ତା’ ନଜର ପଡ଼ିଗଲା ଗୋଟେ ଫୋଟୋ ଉପରେ । ତା’ ପିଲାବେଳର ସାଙ୍ଗ ଗୋଟେ ନୂଆ ଫୋଟୋ ଉପଲୋଡ଼୍ କରିଛି ପ୍ରୋଫାଇଲ ଫଟୋରେ । ଅବଶ୍ୟ ଫୋଟୋଟି ଭଲ ଦିଶୁନାହିଁ, କିନ୍ତୁ ଲୋକାଚାର ଆଉ ସମାଜ ପ୍ରଚଳନ ହିସାବରେ ତାକୁ ମଧ୍ୟ ଲାଇକ ଆଉ କମେଣ୍ଟ କରିବାକୁ ପଡ଼ିବ । ନିଜ ସାମାଜିକ କର୍ତ୍ତବ୍ୟ ଭାବି ସେ ଗୋଟେ ବଡ଼ ଲାଇକ କଲା ଓ କମେଣ୍ଟ ଦେବାପାଇଁ କମେଣ୍ଟ ବକ୍ସକୁ ଗଲା । ସେଠି ତା’ ନଜର ପଡ଼ିଲା ଆଉ ଗୋଟେ କମେଣ୍ଟ ଉପରେ । ସେ ନାମକୁ ଦେଖି ତା’ର ବିଶ୍ୱାସ ହେଲାନି । ଏ ପ୍ରୋଫାଇଲ ସତରେ ସେଇ ଝିଅର ଯାହାକୁ ସେ ମାଟ୍ରିକ ସରିଲା ପରଠୁ ଦେଖିନାହିଁ, ନା ଏହା ଏକ ଭ୍ରମ? କୌତୁହଳ ବଶତଃ ସେ ସେଇ ପ୍ରୋଫାଇଲ ଭିତରକୁ ଗଲା । ସେ ଯାହା ଭାବୁଥିଲା ସେଇଆ ସତ। ୟେ ହଉଚି ସେଇ ବର୍ଷା ଯାହାକୁ ଆକାଶ ପ୍ରଥମ ଦେଖାରେ ଭଲପାଇ ବସିଥିଲା, ମାଟ୍ରିକ ପଢ଼ିଲାବେଳେ ।

ସ୍କୁଲ ବେଳର କଥା, ଦଶମ ଶ୍ରେଣୀର ପ୍ରଥମ କ୍ଲାସ ଆଉ ସେଥିରେ ଥାଏ ଗୋଟେ ନୂଆ ଚେହେରା । ଯୌବନର ଦ୍ୱାରବନ୍ଧରେ ନୂଆକରି ପାଦ ଥାପିଥିବା ଆକାଶର ମନ ସେ ନୂଆ ଚେହେରା ଆଡ଼କୁ ହିଁ ଥାଏ । ଗୁରୁମା ଗୋଟେ ପରେ ଗୋଟେ ନାଁ ଡାକି ଉପସ୍ଥାନ ନେଲାବେଳେ ସେ ନୂଆ ଚେହେରାର ନାଆଁ ବର୍ଷା ବୋଲି ଜାଣିବାକୁ ପାଇଲା । ଆକାଶ ପୁରା ମନେ ମନେ ଖୁସି, “ଆକାଶ-ବର୍ଷା” ବାଃ କି ଯୋଡ଼ି । ମନ ଭିତରେ ସିନା ଦୁନିଆଯାକର ଉନ୍ମାଦନା, ମୁହଁରେ କିନ୍ତୁ ଭାଷା ନାହିଁ । ସେ ସମୟରେ ତ ଆଉ ଫେସେବୁକ, ମେସେଞ୍ଜେର ଓ ୱାଟ୍ସଆପ ନଥିଲା, ନିଜ ମନକଥା ଜଣେଇବାର ମାଧ୍ୟମ ଥିଲା ଚିଠି ଆଉ ନୂଆ ବର୍ଷରେ ଗ୍ରୀଟିଙ୍ଗସ୍ । ଦୁନିଆର କୁଟ-କପଟରୁ ଦୂରେଇ ରହିଥିବା ଆକାଶ ଭାବିନେଲା ଯେ କେବଳ ଗଣେଶ ପୂଜା ହିଁ ଗୋଟିଏଦିନ ଯେବେ ସେ ନିଜ ମନକଥା ତାକୁ କହିପାରିବ, କାହିଁକିନା ସେଇଦିନ କାହାକୁ କିଛି ଅବରୋଧ ନାହିଁ, ଯେ ଯାହା ଚାହିଁଲା ପିନ୍ଧିଲା, ପାଠପଢ଼ା ବି ବନ୍ଦ ଆଉ ଗୁରୁଜୀମାନଙ୍କ ତାଗିଦ ବି ନାହିଁ। ହଁ ! ସେଇଆ ହିଁ ଠିକ ହବ ।

କିଛି ଦିନ ପରେ ଗଣେଶପୂଜା ଆସିଲା। ଆକାଶର ମନ ସପ୍ତମ ଆକାଶରେ ଥାଏ । ପୁଷ୍ପାଞ୍ଜଳି ପରେ ସେ ଆଉ ଚୁଡ଼ାଘଷା ପାଇଁ ଧାଡ଼ି ନବାନ୍ଧି ଯିବ ନିଜ ମନକଥା କହିବ । ପୁଷ୍ପାଞ୍ଜଳି ପରେ ସେ ଅନ୍ୟ ସାଙ୍ଗମାନଙ୍କଠୁ ଜାଣିବାକୁ ପାଇଲା ଯେ ବର୍ଷା ଆଉ କାହାକୁ ଭଲପାଉଛି, ସେ ଆଉ କେହି ନୁହଁ ଆକାଶର ପ୍ରିୟବନ୍ଧୁ ପବନ । ଉଭୟ ବର୍ଷା ଆଉ ପବନ ଆଜି ନିଜ ନିଜ ମନର କଥା ଜଣେ ଆରଜଣକୁ କହିସାରିଲେଣି ଓ ଉଭୟ ଜଣେ ଆଉ ଜଣଙ୍କୁ ପାଇ ବହୁତ ଖୁସି । ଆକାଶକୁ ବିଶ୍ୱାସ ହେଲାନାହିଁ କିନ୍ତୁ ପରେ ପରେ ପବନର ଖୁସି ଖୁସି ମୁହଁକୁ ଦେଖି ସେ ସବୁ ବୁଝିଗଲା । ୟେ କ’ଣ ହେଲା, ସପନ ରାଇଜ ଗଢ଼ିବା ପୂର୍ବରୁ ହିଁ ଭାଙ୍ଗିଗଲା ! ଛାଡ଼ ଯାହା ଗଣେଶଙ୍କ ଇଚ୍ଛା । ଶୁଣିବାକୁ ବିକୃତ ଲାଗିପାରେ କିନ୍ତୁ ସେଦିନର ଦୁଃଖକୁ ଆକାଶ ଚୁଡ଼ାଘଷା ଭୋଗ ସହ ଖାଇଗଲା । ଆଜିଯାଏଁ ସେ ନା ସେ କଥାକୁ ଭୁଲିପାରିଛି ନା କେବେ ଲୁହ ଗଡ଼େଇଛି, ହୃଦୟର କୋଉ ଏକ କୋଣରେ ସେ ସବୁ ସ୍ମୃତି ସେମିତି ଫିଙ୍ଗିଦେଇଛି ଯେମିତି BMC ଅଫିସରେ କୌଣସି ଅନାବଶ୍ୟକ ନଥିପତ୍ର ଦଉଡ଼ି ବନ୍ଧାହୋଇ ପଡ଼ିଥାଏ ।

ଅତୀତର ସ୍ମୃତିରୁ ନିଜକୁ ସାଉଁଟିଆଣି ଆକାଶ ପୁଣି ସେଇ ପ୍ରୋଫାଇଲକୁ ଲକ୍ଷ୍ୟକଲା । ଦେଖୁ ଦେଖୁ ସେ ଦେଖିଲା ଗୋଟେ ଜାଗାରେ ଲେଖା ହେଇଚି “ବର୍ଷା ମାରିଡ୍ ଟୁ ସାଗର ।” ହେଁ… ୟେ ପୁଣି କିଏ? ପବନ କୁଆଡ଼େ ଗଲା? ଦୁଇ ମିନିଟ ଭାବିଲା ପରେ ସେ ନିଜେ ହସିଉଠିଲା । ଭାବିଲା ବର୍ଷା ନା ଆକାଶର ନା ହିଁ ପବନର । ଶାସ୍ତ୍ର ପରା କହୁଛି, “ଆକାଶତ ପତିତମ୍ ତୋୟଂ ଯଥା ଗଚ୍ଛତି ସାଗରଂ….” ଅର୍ଥାତ, ସମସ୍ତ ନମସ୍କାର ପ୍ରଭୁ ନାରାୟଣଙ୍କୁ ସେମିତି ସମର୍ପିତ ଯେମିତି ଆକାଶରୁ ପତିତ ସମସ୍ତ ବର୍ଷା ଜଳ ସାଗରକୁ ସମର୍ପିତ । ଛାଡ଼ ! ଏବେ ଚାକିରୀ ବାକିରୀ କରିସାରି ଏସବୁ ପୁରୁଣା କଥା ଭାବିକି ଲାଭ ନାଇଁ । ଫେସେବୁକ ଦୁନିଆରୁ ବାହାରିଆସି ଆକାଶ ନିଜ ଟିଣ୍ଡର୍ ପ୍ରୋଫାଇଲ ଭିତରେ ହଜିଗଲା ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଅଶୋକ ମିଶ୍ର ପେଶାରେ ଜଣେ ସଫ୍ଟଓୟାର୍ ଇଞ୍ଜିନିୟର୍ । ସେ ତାଙ୍କର ଫାଙ୍କା ସମୟରେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରିଥାନ୍ତି । ତାଙ୍କ ରଚିତ କିଛି ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।