You are currently viewing ବୁଢ଼ା ବରଗଛ
ବୁଢ଼ା ବରଗଛ

ବୁଢ଼ା ବରଗଛ

କାହିଁ କେତେ କାଳରୁ ଗାଁର ମୁଣ୍ଡରେ ଠିଆ ହୋଇଥିଲା ଏକ ବୁଢ଼ା ବରଗଛ । ବିଶାଳ ଚେର ଆଉ ଓହଳ ବିଶିଷ୍ଟ ଏହି ବରଗଛଟି କାହିଁ କେତେ ପଶୁପକ୍ଷୀଙ୍କ ବାସଗୃହ ସାଜିଥିଲା । ଗଛର କୋରଡ଼ରେ ପଶୁମାନେ ଯେମିତି ନିଜ ନିଜପାଇଁ ଏକ ସୁରକ୍ଷିତ ଘର ତିଆରି କରିଦେଇଥିଲେ । ଗଛର ପ୍ରତି ଡାଳରେ ପକ୍ଷୀମାନେ ବସା ବାନ୍ଧି ରହିଥିଲେ । ସକାଳ ଆଉ ସଞ୍ଜରେ ପକ୍ଷୀମାନଙ୍କ ସୁମଧୁର ସ୍ୱରରେ କମ୍ପି ଉଠୁଥିଲା ଆଖପାଖର ଅଞ୍ଚଳ । ବର୍ଷା ହେଲେ କଲେଜ ଛୁଆମାନେ ସେହି ଗଛତଳେ ବର୍ଷାଦାଉରୁ ରକ୍ଷା ପାଇବା ସହିତ ପ୍ରେମାଳପ କରୁଥିଲେ । ଖରାଦିନେ ବାଟୋଇମାନଙ୍କୁ ଅଂଶୁଘାତରୁ ରକ୍ଷା କରୁଥିଲା ଏହି ବରଗଛ । କୃଷକ ଭାଇଟି ନିଜର ଚାଷକାମ ସାରି ଏହି ଗଛ ମୂଳରେ ନିଜର ଥକ୍କା ମେଣ୍ଟାଉଥିଲା । ଅନେଶତ ମସିହାର ମହାବାତ୍ୟା କି ୨୦୧୪ର ହୁଡ଼ ହୁଡ଼ କିଛି ବି ପ୍ରଭାବ ପକେଇ ପରି ନଥିଲା ତା ଉପରେ । ସେମିତି ଠିଆହୋଇ ରହିଥିଲା ଏକ ଶକ୍ତ ପ୍ରାଚୀର ଭଳି । ବନ୍ୟା ଆସିଲେ ପଶୁପକ୍ଷୀଙ୍କ ବସା ଭଳି ମଣିଷମାନେ ମଧ୍ୟ ସେହି ଗଛଉପରେ ମଞ୍ଚା ବାନ୍ଧି ରୁହନ୍ତି । ଖରାଦିନେ ଗାଈଗୋରୁମାନେ ମଧ୍ୟ ସେଇଠି ବିଶ୍ରାମ ନିଅନ୍ତି । ମୋଟ ଉପରେ କହିବାକୁ ଗଲେ ସମସ୍ତଙ୍କ ସୁଖ ଦୁଃଖର ସାଥି ଥିଲା ଏହି ବୁଢ଼ା ବରଗଛଟି ।

ସବୁ ଗାଆଁକୁ ପକ୍କା ସଡ଼କ ନିର୍ମାଣ କରାଯାଉଥିଲା । ରାସ୍ତାଗୁଡ଼ିକୁ ସମ୍ପ୍ରସାରଣ କରି ଚଉଡ଼ା କରାଯାଉଥିଲା । ରାସ୍ତାକଡ଼ରୁ ଗଛ ଗୁଡ଼ିକ କଟା ଯାଉଥିଲା । ରାସ୍ତା କଡ଼ରେ ଥିବା ଘରଗୁଡ଼ିକୁ ମଧ୍ୟ ଭାଙ୍ଗି ଦିଆଯାଉଥିଲା । ସେହି ଗାଆଁରେ ପଦନା ସାହୁର ଘର । ପଦନା ସାହୁ ବହୁତ ଗରିବ । ପର ଘରେ ମୂଲ ଲାଗି ଚଳେ । ଚାଳ ଛପର ମାଟି କାନ୍ଥରେ ତିଆରି ତା’ର ଘରଟି କାହିଁ କେତେ ବର୍ଷରୁ ରାସ୍ତାକୁ ଲାଗି ଠିଆ ହୋଇଥିଲା । ଘରଟି ଭାଙ୍ଗିଗଲେ ସେ ରହିବ କେଉଁଠି । ଯେହେତୁ ସରକାରଙ୍କ ନିୟମ ତାକୁ ଭାଙ୍ଗିବାକୁ ତ ପଡ଼ିବ ! କିନ୍ତୁ ସମସ୍ତେ ମନା କରୁଥିଲେ ସେହି ବୁଢ଼ା ବରଗଛଟି ଭାଙ୍ଗିବା ପାଇଁ । ସେଥିପାଇଁ ଗାଆଁରେ ବହୁତ ଥର ସେ ନେଇ ଆଲୋଚନା ମଧ୍ୟ କରାଯାଇଛି । ସମସ୍ତଙ୍କର ଗୋଟିଏ କଥା, ଗଛଟି କଟାଯିବ ନାହିଁ । ବହୁତ ଥର ଠିକାଦାର ଡୋଜର ଆଣି ଫେରେଇ ନେଲାଣି । ଗାଆଁ ଲୋକମାନେ ଜଗି ରହୁଛନ୍ତି । ସମସ୍ତଙ୍କର ଏକା ଜିଦ ଆମ ଗାଁକୁ ରାସ୍ତା ନହେବ ନାହିଁ ହେଲେ ଗଛଟି କଟା ଯିବ ନାହିଁ । ଏମିତିକି ପଦନା ସାହୁ ନିଜ ଘର ଭାଙ୍ଗିବାକୁ କୁଣ୍ଠାବୋଧ କରୁନଥିବା ବେଳେ ସେହି ଗଛ ମୂଳେ ଜଗି ରହୁଥିଲା ଗଛ ନକଟିବା ପାଇଁ । ନିଜ ଘରଠାରୁ ଯେମିତି ସେହି ଗଛଟିରେ ଅଧିକ ମାୟା ଲାଗିଥିଲା ତା’ ପାଇଁ । ଆଉ ଠିକାଦାରଙ୍କୁ କହୁଥିଲା ମୋ ଘର ଭାଙ୍ଗି ଦିଅ ମୁଁ ଏହି ଗଛ ମୂଳେ ରହିଯିବି କିନ୍ତୁ ‘ଏ ଘରଟି’ ଭାଙ୍ଗିଦେଲେ ମୁଁ କେଉଁଠି ରହିବି ?

ସେଦିନ ରାତି ପାହିଲା ବେଳକୁ ପକ୍ଷୀମାନେ କିଚିରି ମିଚିରି ଶବ୍ଦ କରି ଏଣେତେଣେ ଉଡ଼ି ବୁଲୁଥିଲେ । ସତେ ଯେମିତି ସମସ୍ତେ କାନ୍ଦି ଦୁଃଖରେ ଆଖିରୁ ଲୁହ ଝରାଇ ବାହୁନି ହେଉଛନ୍ତି ! ଗାଆଁ ଲୋକମାନେ ଖବର ପାଇ ଧାଇଁ ଗଲେ ଗାଁ ମୁଣ୍ଡର ସେହି ବରଗଛ ପାଖକୁ । ସେହି ଗଛରେ ଆଶ୍ରୟ ନେଇଥିବା କାହିଁ କେତେ ପଶୁପକ୍ଷୀଙ୍କର ମର ଶରୀର ସେଇଠି ପଡ଼ି ରହିଥିଲା । ଆଉ ଯେତେକ ବଞ୍ଚି ରହିଥିଲେ, ନିଜର ପରିବାର ବର୍ଗଙ୍କ ପାଇଁ ଯେମିତି ଆଖିରୁ ଲୁହ ଝରାଉଥିଲେ । ଖାଲି ସେମାନେ କାହିଁକି, ସବୁ ଗ୍ରାମବାସୀଙ୍କ ଆଖିରେ ମଧ୍ୟ ଲୁହ ଜକେଇ ଆସୁଥିଲା । ସମସ୍ତେ ରାଗରେ ଗରଗର ହେଉଥିଲେ କିନ୍ତୁ ସେତେବେଳକୁ ଠିକାଦାର ନିଜର କାମ ସାରି ଚାଲି ଯାଇଥିଲା କେଉଁଆଡ଼େ । ଗ୍ରାମବାସୀମାନେ ରାଗରେ ଯେମିତି ନିଆଁ ହୋଇ ଯାଇଥିଲେ । ସେହିଦିନ ଠୁଁ ଠିକାଦାର ଆଉ କେବେ ସେଠାକୁ ଆସିବାକୁ ସାହସ କରିନି । ଆଜି ବି ସେହି ବୁଢ଼ା ବରଗଛଟି ସେମିତି ଭଙ୍ଗା ହୋଇ ପଡ଼ି ରହିଛି ସେଇଠି । ଆଉ ରାସ୍ତାକାମ ଯେତିକି ଥିଲା ସେତିକିରେ ସେମିତି ଅଛି । ଆଉ ସେହି ବୁଢ଼ା ବରଗଛଟି ଆଜି ମୃତ ଅବସ୍ଥାରେ ମଧ୍ୟ ପୁଣି ଅନେକ ପକ୍ଷୀଙ୍କ ପାଇଁ ବାସସ୍ଥାନ ହୋଇ ପଡ଼ିରହିଛି ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଶାନ୍ତ କୁମାର ନାଥ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।