ଏକ ଜହ୍ନ ରାତି
ଏକ ଜହ୍ନ ରାତି

ଏକ ଜହ୍ନ ରାତି

ସନ୍ଧ୍ୟାର ସମୟ ସରିଯାଇଥାଏ ଓ ରାତି ସେତେବେଳକୁ ଧୀରେ ଧୀରେ ଆରମ୍ଭ ହେଉଥାଏ । ଝରକା ପାଖରେ ବସି ଦେଖୁଥାଏ ମୁଁ ସେ ଜହ୍ନକୁ । ସବୁଦିନ ପରି ବେଶ ସାଧରଣ ଦିଶୁଥାଏ ସେ ରାତିଟି, ଜହ୍ନର ସେ ଶୀତଳ କିରଣ ଝରକା ଦେଇ ଘରେ ପଡ଼ିବା ସହ ଶାନ୍ତିର ଏକ ବାତାବରଣ ସୃଷ୍ଟି କରୁଥାଏ । କୁନି କୁନି ତାରାମାନେ ଦୂରରେ ଥାଇ କିଛି ନୂଆ କାହାଣୀ ଲେଖୁଥାନ୍ତି ଓ ଖୁସିରେ ଚମକୁ ଥାଆନ୍ତି ମଧ୍ୟ । ସେ ଧୀର ପବନ ଆସ୍ତେ ଆସି ଛୁଇଁଦେଇ ଚାଲିଯାଉଥାଏ ମୋର ମନକୁ ଓ କ୍ଷଣିକ ପାଇଁ ବିଚଳିତ ହୋଇପଡ଼ୁଥାଏ ନିରୀହ ମନଟି ମୋର । ସେ ଶାନ୍ତ ଶୀତଳ ବାତାବରଣ ମଧ୍ୟରେ ନିଜକୁ ସମ୍ପୂର୍ଣ୍ଣ ଭାବେ ସାମିଲ କରିଦେଇ ଉପଭୋଗ କରୁଥାଏ ପ୍ରକୃତିର ସେ ଅନନ୍ୟ ସୌନ୍ଦର୍ଯ୍ୟକୁ ।

ଧୀରେ ଧୀରେ ରାତି ବଢ଼ିବାକୁ ଲାଗେ । ହଠାତ୍ ଏକ ଉଜ୍ଜ୍ୱଳ ଆଲୋକ ଆସି ଦିବସର ଏକ ମରୀଚିକା ସୃଷ୍ଟି କରିଦିଏ, କିଛି ସମୟ ପରେ ଶାନ୍ତ ରହିଥିବା ବାଦଲ ଅସ୍ଥିର ହୋଇ ଉଠେ, ପବନ ନିଜର ପରିଚୟ ବଦଳାଇ ଦେଇ ଦୀର୍ଘ ନାଦରେ ଗତି କରିବାକୁ ଲାଗେ । ହସୁଥିବା ତାରାସବୁ କୁଆଡ଼େ ଅଦୃଶ୍ୟ ହୋଇଯାଆନ୍ତି । ପ୍ରଚଣ୍ଡ ଘଡ଼ଘଡ଼ିର ଶବ୍ଦ ମୋ ଛାତିକୁ ଥରାଇ ଦେଉଥାଏ । ସମୟ ବଢ଼ିବା ସହ ମନର ଭୟ ମଧ୍ୟ ବଢୁଥାଏ । ଭୟର ନିରବ ରହି ବୋଉକୁ ଅପେକ୍ଷା କରି ରହିଥାଏ ମୁଁ ।

କିଛି ସମୟ ପରେ ସବୁକିଛି ଠିକ ହୋଇଯାଏ । ବର୍ଷା କମିଯାଏ ଓ ବୋଉ ଖାଇବା ପାଇଁ କହେ ଓ ମୁଁ ଚାଲିଯାଏ । କିଛି ସମୟ ପରେ ଆସି ଦେଖେ ସେ ହସୁଥିବା ଜହ୍ନଟିର ମୁହଁ ମଳିନ ପଡ଼ିଯାଇଥାଏ ଓ ସେ ରାତିର ରୂପ ମଧ୍ୟ ବଦଳିଯାଇଥାଏ ।

ଦେଖୁ ଦେଖୁ ରାତି ପାଖାପାଖି ୨.୦୦, ଆଖିର ନିଦ ଆଉ ଅନୁମତି ଦେଉନଥାଏ ସେ ଜହ୍ନ ରାତିକୁ ଦେଖିବା ପାଇଁ ବାସ କିଛି ସମୟ ପରେ କେତେବେଳେ ନିଦ ଆସିଗଲା ଜାଣିପାରିଲି ନାହିଁ ଆଉ ଶୋଇପଡ଼ିଲି ମଧ୍ୟ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu