You are currently viewing ଆନନ୍ଦ ଭାଇର ଦୋସା
Ananda Bhaira Dosa (ଆନନ୍ଦ ଭାଇର ଦୋସା) by Biswanath Kinkar Rout

ଆନନ୍ଦ ଭାଇର ଦୋସା

୨୦୧୮ ମସିହା, ମୋ ଜୀବନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ । ଦୀର୍ଘ ୧୪ ବର୍ଷର ଚାକିରି ଓ ଦିଲ୍ଲୀ ସହର ଉଭୟଙ୍କୁ ବିଦାୟ ଜଣେଇ ଚାଲି ଆସିଲି ମୋ ସହର ଭଦ୍ରକକୁ, ସବୁଦିନ ପାଇଁ । ଆସିବାର ଦୁଇଦିନ ପରେ ସକାଳୁ ଦାନ୍ତ ଘଷି ବାହାରି ପଡ଼ିଲି ଜଳଖିଆ କରିବା ପାଇଁ । ମୋ ପ୍ରିୟ ଦୋସାର ପ୍ରେମରେ । ବାଇପାସ୍‌ଠାରୁ ଅନେଇ ଅନେଇ ଚାଲିଲି । ସକାଳ ୭:୩୦ । ଅଧେ ଦୋକାନ ଖୋଲି ନଥାନ୍ତି । ଏମିତି ଅନେଇ ଅନେଇ ପହଞ୍ଚି ଗଲି ଭଦ୍ରକ କଚେରୀ ଛକରେ । ହଠାତ୍ ନଜର ପଡ଼ିଗଲା ଏକ ଚିର ପରିଚିତ ନାଁ ଉପରେ; “ଗ୍ଲାସ୍ କେଣ୍ଟିନ୍” । ସାଇନ୍ ବୋର୍ଡ ଓ ହୋଟେଲ୍‌ର ରୂପ ବଦଳି ଯାଇଥିଲା । ଅପେକ୍ଷାକୃତ ଛୋଟ ଲାଗୁଥିଲା ।

ଏକ ଅଜବ ଆକର୍ଷଣ । ସ୍କୁଟି ଛିଡ଼ା କରିଦେଇ ଆଗକୁ ବଢ଼ିଲି । ହୋଟେଲ୍‌ର ସବୁ ସିଟ୍ ଖାଲି । ହାତ ଧୋଇ ଗୋଟେ କୋଣ ଟେବୁଲ୍ ଦେଖି ବସି ପଡ଼ିଲି । ୧୮/୧୯ ବର୍ଷର ପିଲାଟେ ଆସି ପଚାରିଲା, “ସାର୍ ! କ’ଣ ଖାଇବେ? ପୁରୀ, ବରା, ପିଆଜି, ଚପ୍, ଘୁଗୁନି, ଆଳୁକସା?”

ସବୁ ଶୁଣି ଅଶୁଣା ଭଳି ପଚାରିଲି, “ଦୋସା ମିଳିବ କି?” “ସାର୍ ! ଆରମ୍ଭ ହେଇନି । ହଉ ମୁଁ ପଚାରି କହୁଛି ।” ଏତକ କହି ଭିତରକୁ ଚାଲିଗଲା ଓ ଦୁଇ ମିନିଟ୍ ପରେ ଆସି କହିଲା, “ସାର୍ ଟିକେ ଲେଟ୍ ହେବ । ୧୦ ମିନିଟ୍ ଲାଗିବ ।” ମୁଁ କହିଲି, “ଚଳିବ । ମୁଁ ଅପେକ୍ଷା କରିଛି ।” ଏତିକି କହି ପକେଟ୍‌ରୁ ମୋବାଇଲ ବାହାର କରି ହ୍ୱାଟସଅପ୍ ଚେକ୍ କଲି ।

ପାଖାପାଖି ୧୫ ମିନିଟ୍ ପରେ ପିଲାଟି ଆଣି ଟେବୁଲ୍ ଉପରେ ଥୋଇଦେଲା । ସେଇ ଚିର ପରିଚିତ ଦୋସା, ମିଠା ଆଳୁ ଦମ୍, ନଡ଼ିଆ ଚଟଣୀ । ଆଉ ଅପେକ୍ଷା କରିବା ସମ୍ଭବ ନଥିଲା । ମୋବାଇଲ୍ ରଖିଦେଇ ଖାଇବା ଆରମ୍ଭ କଲି । ସତେ ଯେମିତି ଅନେକ ଯୁଗର ଭୋକ । ୫ ମିନିଟ୍ ଭିତରେ ପ୍ଲେଟ୍ ଖାଲି ।

– ସାର୍‌ ଆଉ କ’ଣ ଦେବିକି?
– ହଁ ଆଉ ଗୋଟେ ଦୋସା ।

ମୋତେ ଟିକେ ଆଶ୍ଚର୍ଯ୍ୟ ହୋଇ ଅନେଇଲା ଓ ପୁଣି ଭିତରକୁ ଚାଲିଗଲା ଆଣିବା ପାଇଁ । ଏଥର କିନ୍ତୁ ୫ ମିନିଟ୍ ଭିତରେ ଆସିଗଲା । ପ୍ଲେଟ୍‌ରେ ରଖି ଦେଇ ମିଠା ଆଳୁ ଦମ୍ ଓ ଚଟଣୀ ଆଣି ଆସିଲା ବେଳକୁ ମୋର ଦୋସା ଶେଷ । ପାଣି ଗ୍ଲାସେ ପିଇ ଦେଇ ଉଠି ପଡ଼ିଲି । କଚେରୀ ମାର୍କେଟରୁ କିଛି ପରିବା ନେଇ ଯିବାକୁ ହେବ । କେତେ ଟଙ୍କା ହେଲା ବୋଲି ପଚାରି ବାରୁ ପିଲାଟି କହିଲା ୬୦ ଶହ ।

“୬୦ ଶହ” ଏହି ଶବ୍ଦଟି ବାରମ୍ବାର ପ୍ରତିଧ୍ୱନିତ ହେଲା ଅନ୍ତଃକର୍ଣ୍ଣରେ । ମୁଁ ପୁଣି ବସି ପଡ଼ିଲି । ସେଇ ପୁରୁଣା ମୋଟା ନିଶ ରଖୁଥିବା ଆନନ୍ଦ ଭାଇର ଚେହେରା ଆଖି ଆଗରେ ନାଚି ଉଠିଲା । କାରଣ, ସାରା ଭଦ୍ରକରେ ସେହି ଏକା ଥିଲା ଯିଏକି ୬ ଟଙ୍କାକୁ ୬ଶହ, ୮ ଟଙ୍କାକୁ ୮ଶହ ବୋଲି ଡାକୁ ଥିଲା । ଅଦ୍ଭୁତ ବ୍ୟକ୍ତିତ୍ଵ । ତା’ ବିଷୟରେ ଟିକେ ନକହିଲେ ଚଳିବନି । ହଉ ଶୁଣନ୍ତୁ ।

+୨ ସମୟର କଥା । ଭଦ୍ରକ କଲେଜରେ ବିଜ୍ଞାନ ବିଭାଗ ଦ୍ୱିତୀୟ ବର୍ଷର ଛାତ୍ର । ପଶ୍ଚିମ ହଷ୍ଟେଲରେ ରହୁଥାଏ । ବାପାଙ୍କୁ ପକ୍ଷାଘାତ (ପାରାଲିସିସ୍) ହୋଇ ଯାଇଥାଏ । ଘରେ ଘୋର ଅର୍ଥାଭାବ । ଟ୍ୟୁସନ୍ ପଇସା ନଦେଇ ପାରିବାରୁ ସାର୍ ଟ୍ୟୁସନ୍‌ରୁ ବାହାର କରି ଦେଇଥିଲେ । ହଷ୍ଟେଲର ମାସିକ ଖର୍ଚ୍ଚ ୨୧୦ ଟଙ୍କା । ସେତିକି ଦେବା ପାଇଁ ବି ଅନେକ ସଂଘର୍ଷ କରିବାକୁ ପଡ଼ୁଥାଏ । ବାପା ଭଲ ଥିଲାବେଳେ ମୁଁ ପ୍ରତି ସପ୍ତାହରେ ଥରେ ଦୋସା ଖାଇବାକୁ ଏହି ହୋଟେଲ୍‌କୁ ଆସେ । କିନ୍ତୁ ଆଉ ଆସିବା ସମ୍ଭବପର ହେଲା ନାହିଁ । ଡିସେମ୍ବର ୨୩ ତାରିଖ; ମୋ ଜନ୍ମ ଦିନ । କିନ୍ତୁ ଏଥର କେହି ଆସିନଥିଲେ କି ମୁଁ ଘରକୁ ଯାଇ ନଥିଲି । ପକେଟ୍ ଅଣ୍ଡାଳିଲି । ୨୦ ଟଙ୍କା ଥିଲା । ୧୦ଟା ବେଳେ ଗାଧୋଇ ପାଧୋଇ ସାଇକଲ୍ ଧରି ବାହାରି ପଡ଼ିଲି । ମାଁ ବଙ୍କବାସୁଳୀ ଭଦ୍ରକର ପ୍ରତ୍ୟକ୍ଷ ଦେବୀ । ତାଙ୍କ ମନ୍ଦିରରେ ଦର୍ଶନ କରି ୪ ଟଙ୍କାର ଭୋଗ ଓ ୧ ଟଙ୍କା ଦକ୍ଷିଣା ଦେଇ ଆସିଲି । ତାପରେ ଚାଲିଲି ଗ୍ଲାସ୍ କେଣ୍ଟିନ୍‌କୁ ପ୍ରିୟ ଦୋସା ଖାଇବା ଉଦ୍ଦେଶ୍ୟରେ । ସେତେବେଳେ ଦୋସା ଗୋଟି ୬ ଟଙ୍କା । ଦୋସା ଧରି ଖାଇ ବସିଛି ହଠାତ୍ ୫ ଜଣ ମୋ ଟ୍ୟୁସନ୍ ଗ୍ରୁପ୍‌ର ପିଲା ଆସି ପହଞ୍ଚିଗଲେ । ମୋ ମଥାରେ ସିନ୍ଦୂର ଟିକା ଦେଖି ମନ୍ଦିର କାହିଁକି ଯାଇଥିଲି ବୋଲି ପଚାରିଲେ ଓ ମୁଁ ତାଙ୍କୁ ମୋ ଜନ୍ମଦିନ ବୋଲି କହିଲି । ସମସ୍ତେ ମୋତେ ହେପି ବାର୍ଥଡେ ବୋଲି କହି ଦୋସାର ଅର୍ଡ଼ର ଦେଲେ । ସେମାନଙ୍କର ଟ୍ୟୁସନ୍ ଥିଲା । ତେଣୁ ଶୀଘ୍ର ଶୀଘ୍ର ଖାଇ ଚାଲିଗଲେ । ମୁଁ ଆଜି ମନ ଭରି ଟିକେ ଟିକେ ଖାଇ ଦୋସାକୁ ଉପଭୋଗ କରୁଥାଏ । ଯାହା ହେଉ ଖାଇ ସାରି ହାତ ଧୋଇ କ୍ୟାସିୟର୍‌କୁ ୧୦ ଟଙ୍କିଆ ନୋଟ୍‌ଟେ ବଢ଼େଇ ଦେଲି । ପଛରୁ ଡାକ ଆସିଲା ୩୬ ଶହ । ମୁଁ ଚମକି ପଡ଼ିଲି, ୬ ଶହ ଯାଗାରେ ୩୬ ଶହ କ’ଣ?? ମୁଁ ମୁହଁରେ ପ୍ରଶ୍ନର ଭାବ ନେଇ ଫେରି ଚାହିଁଲି । ଆନନ୍ଦ ଭାଇ କହିଲା, “୬ଟା ଦୋସା ୩୬ ଶହ ।” ମୁଁ କହିଲି ମୁଁ ତ ଗୋଟିଏ ମାତ୍ର ଖାଇଛି । କହିଲେ, “ହଁ ତୁମ ସାଙ୍ଗମାନେ ଆଉ ୫ଟା ଖାଇ କହି ଦେଇଗଲେ ଯେ ଆଜି ତୁମର ଜନ୍ମଦିନ ଓ ତୁମେ ସମସ୍ତଙ୍କର ବିଲ୍ ଦେବ ।” ମୁଁ ଆକାଶରୁ ଖସି ପଡ଼ିଲି । କେଉଁଠୁ ଆଣିବି, ପକେଟ୍‌ରେ ମାତ୍ର ୧୫ ଟଙ୍କା । କାନ୍ଦ କାନ୍ଦ ହୋଇଗଲି । କ୍ୟାସିୟର୍ ମୋ ଅବସ୍ଥା ବୁଝି ମଧ୍ୟ ଅବୁଝା । ତା’ର ଯେକୌଣସି ମତେ ପଇସା ଦରକାର । ମୁଁ କହିଲି ମୋ ପାଖରେ ଏବେ ନାହିଁ, ମୁଁ ପରେ ଦେଇ ଦେବି । ସେ କିଛି ଶୁଣୁ ନଥାନ୍ତି । ଶେଷରେ ଆନନ୍ଦ ଭାଇ ମୋ ରକ୍ଷା ପାଇଁ ଆଗେଇ ଆସିଲା । “ଆଜ୍ଞା ! ବାକି ପଇସା ମୋ ଦରମାରୁ କାଟି ନେବେ । ମୁଁ ସେହି ୧୫ ଟଙ୍କା ଦେଇ ଏକ ମୁହାଁ ହୋଇ ହଷ୍ଟେଲକୁ ଆସିଲି ଓ ପ୍ରତିଜ୍ଞା କଲି କି କଲେଜ ସରିବା ପର୍ଯ୍ୟନ୍ତ ଆଉ କେବେ ଦୋସା ଖାଇବାକୁ ଯିବିନି । ଏହା ଭିତରେ ପରୀକ୍ଷା ସରିଗଲା । ମୁଁ ହଷ୍ଟେଲରୁ ଘରକୁ ପଳାଇ ଆସିଲି ଆଉ ଆନନ୍ଦ ଭାଇକୁ ବାକି ୨୧ ଟଙ୍କା ଦେବା କଥା ମଧ୍ୟ ଭୁଲିଗଲି…

ଆଜି ଦୀର୍ଘ ୨୩ ବର୍ଷ ପରେ ମୋତେ ଅପରାଧ ବୋଧ ମାଡ଼ି ବସୁଥିଲା । ମୁଁ ସେଇ ପିଲାକୁ ଡାକି ପଚାରିଲି “ଏଠି ଅନେକ ଦିନ ଆଗରୁ ଆନନ୍ଦ ଭାଇ ନାମରେ ଜଣେ କାମ କରୁଥିଲେ । ତାଙ୍କ ବିଷୟରେ କିଛି କହପାରିବ କି?” ସେ କହିଲା, “ରୁହନ୍ତୁ, ମୁଁ ବାପାଙ୍କୁ ଡାକି ଦେଉଛି । ସେ ପ୍ରାୟ ଜାଣିଥିବେ !”

କିଚେନ୍‌ରୁ ବାହାରି ଆସିଲେ ଜଣେ ପ୍ରୌଢ଼ । ବୟସ ପାଖାପାଖି ୫୦/୫୫ ହେବ । ଗୋଟିଏ ଗାମୁଛାରେ ମୁହଁ ପୋଛି ମୋତେ ଅନେଇଲେ । “କୁହନ୍ତୁ, କାହାକୁ ଖୋଜୁଛନ୍ତି?” ମୁଁ ନିରିଖେଇ ଅନେଇଥିଲି । ମୁହଁ ଅଜଣା ଅଚିହ୍ନା । କିନ୍ତୁ ସେ ନିଶ । ଜୁଆଳିଆ ନିଶ । ବାସ୍ ମୋ ମୁହଁରୁ କିଛି ବାହାରିଲା ନାହିଁ । ବାଷ୍ପ ରୁଦ୍ଧ କଣ୍ଠରେ କହିଲି, “ଆନନ୍ଦ ଭାଇ !” ଏବେ ତାଙ୍କ ମୁହଁରେ ଆଶ୍ଚର୍ଯ୍ୟର ଭାବ । ସେ ମୋତେ ଚିହ୍ନି ପାରୁନଥିଲେ । ଚିହ୍ନିବେ ବା କାହିଁକି । ମୋ‌ ସାମ୍ନା ଚେୟାରରେ‌ ବସିବା ପାଇଁ କହିଲି ଓ ଅତୀତର ସେହି ଅଭୂଲା କାହାଣୀ ତାଙ୍କୁ ଶୁଣେଇଲି । ଏବେ ସେ ସବୁ ମନେ ପକେଇ ପାରୁଥିଲେ । ମୁହଁରେ ହସଟିଏ ଖେଳି ଉଠିଲା । ସେ ମୋତେ ମୋ ନାଁ ଓ ହାଲଚାଲ୍ ପଚାରିଲେ । ପ୍ରାୟ ଅଧଘଣ୍ଟାଏ ଧରି ସୁଖଦୁଃଖ ହେଲୁ । ଏବେ ମୁଁ ଉଠିଲି । ତାଙ୍କ ହାତରେ ୧୦୦୦ ଟଙ୍କା ଦେଇ ମୋ ଭୁଲର କ୍ଷମା ମାଗିଲି ।

ସେ କିନ୍ତୁ ଟଙ୍କା ଧରିଲେ ନାହିଁ । କହିଲେ ତୋ’ର ସେ ୨୧ ଟଙ୍କା ମୁଁ ଦେଇ ନାହିଁ । କାରଣ ମାଲିକ ମୋ ଦରମାରୁ ସେ ଟଙ୍କା କାଟି ନଥିଲେ । ସେ କହିଲେ, “ମୋ ପାଖରେ କାମ କରି ତୁ ଯଦି ସେ ଅଜଣା ପିଲା ପାଇଁ ୨୧ ଟଙ୍କା ଦେଇପାରୁ, ମୁଁ ଏ ହୋଟେଲ୍‌ର ମାଲିକ ହୋଇ କ’ଣ ସେତିକି ଛାଡ଼ କରିପାରିବି ନାହିଁ !” ଆଉ ତା’ ପରେ ସେ ମୋତେ ଏତେ ଭଲ ପାଇଲେ ଯେ ସେ ଅସୁସ୍ଥ ହେଲା ପରେ ଏ ହୋଟେଲ୍ ମୋତେ ହିଁ ଦେଇଦେଲେ । ତେଣୁ ସେ ୨୧ ଟଙ୍କା ବଦଳରେ ମୁଁ ବହୁତ କିଛି ପାଇ ସାରିଛି ।

ମୁଁ ଲୁହ ସମ୍ଭାଳି ପାରୁନଥିଲି । ଛଳଛଳ ଆଖିରେ ବିଦାୟ ନେଲି । ତାଙ୍କ ପୁଅ ହାତରେ ସେଇ ୧୦୦୦ ଟଙ୍କା ଦେଇ କହିଲି, ଏଇଟା ତୁ ରଖ । ଜଣେ ବଡ଼ ଭାଇ ତରଫରୁ ତୋ’ ପାଇଁ ଉପହାର ବୋଲି ଭାବି ରଖ । ଅନେକ ବାଧ୍ୟ କଲା ପରେ ସେ ରଖିଲା । ଆନନ୍ଦ ଭାଇ ମୋତେ ଖୁସିରେ କୁଣ୍ଢେଇ ପକେଇଲେ ।

ଏବେ ଭଦ୍ରକରେ ଅନେକ ହୋଟେଲ୍ ଓ ସେଠାରେ ଅନେକ ସ୍ୱାଦିଷ୍ଟ ଦୋସା ମିଳୁଛି । କିନ୍ତୁ ଆନନ୍ଦ ଭାଇ ଦୋସା ମୋର ପ୍ରିୟ ଥିଲା ଓ ରହିବ । ମୁଁ ଭଦ୍ରକ ଗଲେ ସେ ହୋଟେଲ୍ ଆଡ଼େ ନିଶ୍ଚୟ ମୁହଁ ମାରି ଆସେ ।

– ବିଶ୍ୱନାଥ କିଙ୍କର ରାଉତ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବିଶ୍ୱନାଥ କିଙ୍କର ରାଉତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।