You are currently viewing ଜୟ ଶିବ ଶଙ୍କର
Odia Poem Jaya Shiba Sankara (ଜୟ ଶିବ ଶଙ୍କର) by Mamta Sahu

ଜୟ ଶିବ ଶଙ୍କର

ଜୟ ଶିବ ଶଙ୍କର ହେ ଜୟ ଉମାପତି
ତୁମ ପାଦ ସ୍ମରଣରେ ଯାଉ ଦିନବିତି ।

ଜୟ ଜଟାଧାରି ପ୍ରଭୁ ଜଗତ ତାରଣ
ଭକତ ଜନଙ୍କ ଦୁଃଖ ନିବାର ବହନ ।

ଜୟ ମହାଦେବ ନାଥ ଅନଳ ନୟନ
ଶ୍ମଶାନ ବିହାରି ଶିବଶମ୍ଭୁ ତ୍ରିଲୋଚନ ।

ଜୟ ଭୁତନାଥ ଦେବ ଅନଳ ନୟନ
ଏ ସାରା ବିଶ୍ଵକୁ ପ୍ରଭୁ କରିଛ ନିର୍ମାଣ ।

ଜୟ ପଞ୍ଚାନନ ନାଥ ଜୟ ଦିଗାମ୍ବର
ପରମ ପୂରୁଷ ଅଟ ଯୋଗି ଯୋଗେଶ୍ୱର ।

ତ୍ରିପୁରାରି ଶୂଳଧାରି ମହିମା ଅପାର
ସବୁ ଯୁଗେ ଅଧର୍ମକୁ କରହେ ସଂହାର ।

ଆଦିଙ୍କ ପୂଜିତ ଭୋଳାନାଥ କୃତିବାସ
ଶ୍ରୀଚନ୍ଦ୍ରଶେଖର ପ୍ରଭୁ ଭକତ ବିଶ୍ଵାସ ।

ପୀନାକ ଧାରଣ ନାଥ ଖଣ୍ଡ ପର୍ଶୁଧର
ଜୟ ଦେବ ମହାଦେବ ପ୍ରଭୁ ମହେଶ୍ଵର ।

ଦେବତାଙ୍କ ହିତେ ପ୍ରଭୁ ବିଷ ପାନକଲ
ଏସାରା ବ୍ରହ୍ମାଣ୍ଡେ ନୀଳକଣ୍ଠ ବୋଲାଇଲ ।

ଧୂର୍ଜ୍ୱଟି ଗିରିଶ ଦେବ ପାପ ତାପ ହାରି
ବିଶାଳ ଜଗତ ପ୍ରଭୁ ରଖିଛ ଉଦ୍ଧାରି ।

ଏକ ମାତ୍ର ତୁମ୍ଭ ପାଦପଦ୍ମେ ଆଶ୍ରା ମୋର
ଭରସା କରିଛି ଦେବ ମୋର ଦୁଃଖ ହର ।

ତ୍ରାହିକର ଉମାସାଇଁ ଏ ଭବ ସାଗରୁ
ମୋ ଆରତ ଫେଡ ନାଥ ଏ ମିଛ ସଂସାରୁ ।

– ମମତା ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମମତା ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।