You are currently viewing ପ୍ରେମିକାର ଆତ୍ମା
Odia Story Premikara Atma (ପ୍ରେମିକାର ଆତ୍ମା) by Chikun Panda

ପ୍ରେମିକାର ଆତ୍ମା

ବହୁତ ଦିନ ତଳର ଘଟଣା, ରାଜା ରାଜୁଡ଼ା ଅମଳର କଥା । ଗୋଟିଏ ଗାଁରେ ଜଣେ ଜମିଦାର ଥିଲେ । ଜମିଦାର ବାବୁଙ୍କ ଗୋଟିଏ ବୋଲି ଅଲିଅଳି ଝିଅଟିଏ ଥିଲା । ଝିଅର ଝୁଣ୍ଟିଆ ହଜିଲେ ସାତ ଖଣ୍ଡ ମୌଜା ଖୋଜା ପଡ଼େ । ଗୋଟିଏ ଚାଉଳରେ ଗଢ଼ା; ରୂପରେ ଯେମିତି ଗୁଣରେ ସେମିତି । ସେଇ ଗାଁ’ର ପୁଅଟିଏ ତା’ ନାଆଁ ରାଜା । ବହୁତ୍ ସାଧାସିଦା ଆଉ ସରଳ ପିଲାଟିଏ । ମାଛିକୁ ମ ବୋଲି କହେନି । ରାଜା ସେ ଝିଅକୁ ପ୍ରଥମ ଦେଖାରେ ହିଁ ପ୍ରେମ କରି ବସିଥିଲା । ଜମିଦାର ବାବୁଙ୍କ ଝିଅ ମଧ୍ୟ ରାଜାକୁ ମନ ଦେଇବସିଥିଲା । ହେଲେ ଏଇ କଥାକୁ ଗାଁ ସାରା କେହି ବି ଜାଣି ନ ଥିଲେ । ସେମାନଙ୍କ ଗୁପ୍ତ ପ୍ରେମ ଯଦି ପ୍ରଘଟ ହେଇଥାନ୍ତା ଜମିଦାର ବାବୁ ରାଜାକୁ ଜୀବନରୁ ମାରିଦେବେ ଏକଥା ସୋନାକୁ ଅଛପା ନ ଥିଲା । ଏଠାରେ କହିରଖୁଛି ସୋନା ହେଉଛି ଜମିଦାର ବାବୁଙ୍କ ଝିଅ । ସୋନା ଆଉ ରାଜା ଲୁଚି ଲୁଚି ନିଛାଟିଆ ସ୍ଥାନରେ କେତେବେଳେ ଗାଁ ଶେଷ ମୁଣ୍ଡ ନଈ କୂଳ ତ ପୁଣି କେତେବେଳେ ଆମ୍ବ ତୋଟା, ଆଉ ନିଛାଟିଆ ଜଙ୍ଗଲରେ ସୁଯୋଗ ପାଇଲେ ଯୋଡ଼ି ଜାଉଁଳି ହୋଇ ଗପସପ ଆରମ୍ଭ କରିଦିଅନ୍ତି । ଜଣ ମିଶି ଶେଷ ନିଷ୍ପତ୍ତିରେ ପହଞ୍ଚିଥିଲେ, ଲୁଚି କରି ବିବାହ କରି ସୁଖର ସଂସାର ଗଢ଼ିବେ, ବାର୍ଦ୍ଧକ୍ୟର ଶେଷ ପାହାଚ ପର୍ଯ୍ୟନ୍ତ ହାତ ଧରା ଧରି ହେଇ ଚାଲିବେ । ଏମିତି କିଛି ଦିନ ବିତିଗଲା ।

ହଠାତ୍ ଗାଁ ସାରା ହୁରି ପଡ଼ିଲା । ଜମିଦାର ବାବୁଙ୍କ ଝିଅ କୁଆଡ଼େ ପଳେଇଛି । ଜମିଦାର ବାବୁ ରକ୍ତ ମୁଖା ସାଜିଲେ । ଜମିଦାର ବାବୁଙ୍କ ଲୋକମାନେ ଗାଆଁ ସାରା ଖଣ୍ଡା ଧରି ବୁଲିଲେ । ଏଇ ଦୃଶ୍ୟ ଦେଖି ଗାଁ ସାରା ତାଟି କବାଟ ପଡ଼ିଗଲା । ଏସବୁ ଶୁଣି ରାଜା ଦୁଃଖରେ ଭାଙ୍ଗି ପଡ଼ିଲା । ସୋନା ତା’ ସହିତ ଏତେ ବଡ଼ ବିଶ୍ୱାସ ଘାତକତା କରିବ ସେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲା । ଗାଆଁରୁ ସବୁ ମୋହମାୟା ତୁଟାଇ ସହରକୁ ଚାଲିଯିବା ପାଇଁ ନିଷ୍ପତ୍ତି ନେଲା ଆଉ ଦିନେ ହଠାତ୍ ଗାଁ’ରୁ ଚାଲିଗଲା ।

Odia Poem Premikara Atma
Odia Poem Premikara Atma

ରାଜା ସହରରେ ପହଞ୍ଚି କମ୍ପାନୀ ଚାକିରିଟିଏ କଲା । ବେଶ୍ କିଛି ପଇସା ରୋଜଗାର କଲା । ତା’ର ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ହେଇ ଆସିଲା । ସୋନା କଥା ମନେ ପକେଇ ବହୁତ୍ କାନ୍ଦେ, ନିଜକୁ ଧିକ୍କାର କରେ । ହେଲେ ସୋନା ଯୋଉଠି ଅଛି ଭଲରେ ଥାଉ ମଙ୍ଗଳ କାମନା କରେ । ରାଜା ସହରରେ ବହୁତ ଦିନ ରହିଲା, ହେଲେ ସହରର ଚାକଚାକ୍ୟ ରାଜାକୁ ଆକର୍ଷିତ କରି ପାରିଲାନି । ରାଜାକୁ ଲାଗିଲା ତା’ର ଗାଁ ତାକୁ ହାତ ଠାରି ଡାକୁଛି; “ଆ ମା’ କୋଳକୁ ଫେରିଆ, ମା’ ଉପରେ କିଏ କ’ଣ ଅଭିମାନ କରେ?” ଏକ ଅଦ୍ଭୁତ ଆକର୍ଷଣ ତାକୁ ଚୁମ୍ବକ ଭଳି ଟାଣୁଛି । ରାଜା ଆଉ ନିଜକୁ ସମ୍ଭାଳି ପାରିଲାନି । ମାଆ ଆଉ ସାନ ଭଉଣୀ କଥା ତା’ର ବହୁତ ମନେ ପଡ଼ିଲା । ଶେଷରେ ରାଜା ଗାଁ’କୁ ଯିବା ପାଇଁ ଠିକ୍ କଲା ।

ରାତି ବସ୍‌ରେ ଗାଆଁକୁ ବାହାରିଲା । ଗାଁ’କୁ ଯିବା ବାଟରେ ସୋନା କଥା ଭାବି ଭାବି ଯାଉଥାଏ, ଛାତିର କୋହ ଆଖି ବାଟେ ଲୁହ ହେଇ ବହିଯାଉଥାଏ । ଅଧା ବାଟରେ ବସ୍ ଖରାପ ହେଇଗଲା । ଭାରି ଶୀତ ଲାଗୁଥାଏ, ଦେହ ମୁଣ୍ଡ ଶୀତେଇ ଯାଉଥାଏ । ଶୀତଟା ବି ଭାରି ଜୋର୍ ପଡ଼ିଥିଲା । ଯୋଉଠି ବସ୍ ଖରାପ ହେଇଥିଲା, ସେଇ ପାଖରେ ଗୋଟାଏ ଚାହା ଦୋକାନ ଥିଲା । ବସ୍ ଭିତରୁ କିଛି ଲୋକ ଚା’ ପିଇବା ପାଇଁ ଗଲେ । ବୁଢ଼ାର ଚାହା ଦୋକାନ ଅକାଳେ ସକାଳେ ସବୁବେଳେ ଖୋଲାରହେ । ଚା’ ପିଇବା ସହିତ ପରସ୍ପର ମଧ୍ୟରେ ଗପସପ ଆରମ୍ଭ କରିଦେଲେ । ବୁଢ଼ା ଚା’ ଦୋକାନୀ କହିଲା ଏଇ ପାଖରେ ଗୋଟାଏ ଜଙ୍ଗଲ ଅଛି, ମଝିରେ ମଝିରେ ଜଙ୍ଗଲରୁ ଅଜବ ଅଜବ ଚିତ୍କାର ଶୁଭେ । ଗୋଟେ କୁଆଁରୀ ଝିଅର ଆତ୍ମା ସେଠି ଘୂରି ବୁଲୁଛି, ଏଇ ବାଟ ଦେଇ ଗଲାବେଳେ କିଛି ନା କିଛି ଘଟେ, ଏଇ ଯେମିତି ତମମାନଙ୍କ ଗାଡ଼ି ଖରାପ ହୋଇଯାଇଛି, ଅବଶ୍ୟ ସେ କାହାର କିଛି କ୍ଷତି କରେନି । ତୁଣ୍ଡ ବାଇଦ ସହସ୍ର କୋଶ ପରି ଏହି କଥା ବସ୍‌ରେ ସମସ୍ତେ ଜାଣିଗଲେ । ରାଜା ସବୁ ଚୁପଚାପ୍ ଶୁଣୁଥାଏ, ହେଲେ ସେ ଏସବୁକୁ ଅନ୍ଧବିଶ୍ୱାସ ଭାବେ । ରାଜା ସମସ୍ତଙ୍କୁ ବୁଝେଇବାକୁ ଚେଷ୍ଟା କରି କହିଲା, “ସେଇଟା ଆମ ଗାଆଁ ପାଖ ଜଙ୍ଗଲ । ମୁଁ ସେଠିକି ଅନେକଥର ଯାଇଛି । ମୁଁ ତ କେବେ ଆତ୍ମା ଦେଖିନି ।” କଥାବାର୍ତ୍ତା ଭିତରେ ଡ୍ରାଇଭର ଆସି ପହଞ୍ଚି କହିଲା, “ଗାଡ଼ି ସଜଡ଼ା ହେଉ ହେଉ ରାତି ପାହିଯିବ, ସମସ୍ତେ ବସ୍ ଭିତରେ ଶୋଇପଡ଼ ।” ରାଜା କିନ୍ତୁ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବନି ବୋଲି ସ୍ପଷ୍ଟ ମନା କରିଦେଲା । ହଜାରେ ବାରଣ ସତ୍ତ୍ଵେ ରାଜା ନିଜ ଗାଁ’କୁ ଚାଲି ଚାଲି ଯିବା ପାଇଁ ନିଷ୍ପତ୍ତି ନେଲା ।

ରାଜା ଚାଲି ଚାଲି ଯିବା ବାଟରେ ସେଇ ଜଙ୍ଗଲ ପଡ଼ିଲା । ଜଙ୍ଗଲରୁ ଚିତ୍କାର ଶୁଭିଲା; ଜଙ୍ଗଲରେ କେହି ବୋଧେ ବିପଦରେ ପଡ଼ିଛି ଭାବି ରାଜା ଜଙ୍ଗଲ ଭିତରକୁ ଚାଲିଗଲା । ଜଙ୍ଗଲ ଭିତରେ କେହି ନଥିଲେ । ଥିଲା କେବଳ ଶୂନ୍ୟତା । ଆଉ ଥରେ ରାଜା ପଚାରିଲା, “ଏ ଜଙ୍ଗଲରେ କିଏ ଅଛ?”

“ରାଜା, ଏ ରାଜା, ଏ ନିଛାଟିଆ ଜଙ୍ଗଲ ରାସ୍ତା ଦେଇ ତମେ କୁଆଡ଼େ ଯାଉଛ?” ରାଜା ପୁଣି ପଛକୁ ଚାହିଁଲା । “କିଏ…?” ଏହି ସ୍ୱରଟା ରାଜାକୁ ଭାରି ଚିହ୍ନା ଚିହ୍ନା ଲାଗିଲା । “ରାଜା, ତମେ କ’ଣ ମତେ ଭୁଲି ଗଲଣି?” ରାଜା ପୁଣି ସବୁ ଆଡ଼େ ଚାହିଁଲା । ରାଜାର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ପୁଣି ଥରେ ସ୍ୱର ଭାସି ଆସିଲା, “ମତେ ତମେ କାହିଁକି ଧୋକା ଦେଲ, ମୋ ଭଲ ପାଇବାରେ କାହିଁକି ବିଷ ମିଶେଇଲ ତମ ସୋନାର ସ୍ୱରକୁ ତମେ ଜାଣି ପାରୁନ?”

“ସୋନା ଏ ସୋନା… ତମେ ଏ ଜଙ୍ଗଲରେ କ’ଣ କରୁଛ? କାହିଁ ତମେ ତ କୋଉଠି ଦେଖାଯାଉ ନ । ତମେ ତ ନିଜେ ମତେ ତମଠାରୁ ଦୂରେଇ ଦେଇଛ, ମତେ ଛାଡ଼ି ଆଉ କାହା ସହିତ ଚାଲିଗଲ । ମୁଁ ତ ଏବେ ବି ତମକୁ ଭଲ ପାଉଛି, ଆଗରୁ ଯେତିକି ପାଉଥିଲି ।” “ନା ରାଜା ନା ମୁଁ କୁଆଡ଼େ ବି ଯାଇନି । ମୁଁ କାହିଁ କେତେ ଦିନୁ ଏଠି ତୁମକୁ ଅପେକ୍ଷା କରିଛି । ଆଜି ତୁମ ସହ ଭେଟ ହୋଇ ମୋ’ ଆତ୍ମା ତୃପ୍ତି ହେଇଗଲା ।” ରାଜା ସୋନାଠାରୁ ଏପରି କଥା ଶୁଣି କହିଲା, “ସୋନା ତମେ କ’ଣ ଏମିତି ପାଗଳ ପରି କଥା ହେଉଛ? ମୁଁ କିଛି ବୁଝି ପାରୁନି, ତମେ ତ କୋଉଠି ଦେଖା ଯାଉନ ! କୋଉଠି ତୁମେ?” ସୋନା କହିଲା, “ରାଜା, ମୁଁ ଆଉ ଏ ଦୁନିଆରେ ନାହିଁ । କାହିଁ କେବେଠୁ ମୁଁ ଏ ଦୁନିଆ ଛାଡ଼ି ଚାଲିଯାଇଛି । ତମେ ମତେ ଭୁଲ୍ ବୁଝିଛ । ତମକୁ ମୁଁ କେବେ ବି ଧୋକା ଦେଇନି । ମୁଁ ଭାବୁଥିଲି ତମେ ମତେ ଧୋକା ଦେଇଛ ।”

ପୁଣି ରାଜା କହିଲା, “ତମେ ଏ ଦୁନିଆରେ ନାହଁ ମାନେ?” ସୋନା କହିଲା, “ମୁଁ ମରିସାରିଚି । ମୁଁ ଏବେ ଅଶରିରୀ ଆତ୍ମା ।” ରାଜା ଏସବୁ ଶୁଣି ହତବାକ୍ ହେଇ କହିଲା, “ହେଲେ ଏସବୁ କେମିତି ହେଲା?”

“ସବୁ ଦିନ ପରି ମୁଁ ସେଦିନ ତମକୁ ଦେଖା କରିବା ପାଇଁ ଜଙ୍ଗଲ ପାଖକୁ ଆସିଥିଲି, କିଛି ଚୋର ମୋର ପିଛା କରୁଥିଲେ ସେକଥା ମୁଁ ଜାଣିପାରି ନଥିଲି । ତମେ ଆସିବାରେ ବହୁତ ଡେରି କରିଦେଲ, ମୋ’ଠାରୁ ସବୁ ସୁନା ଗହଣା ଲୁଟି ନେଇ ମତେ ଜୀବନରୁ ମାରି, ଏହି ଜଙ୍ଗଲରେ ପୋତି ଦେଲେ; ସେବେଠୁ ମୁଁ ଅତୃପ୍ତ ହେଇ ଏଠାରେ ଘୂରି ବୁଲୁଛି ।”

ରାଜା ସୋନାଠାରୁ ଏସବୁ ଶୁଣି କହିବାକୁ ଲାଗିଲା, “ସୋନା ମୁଁ ଜଙ୍ଗଲକୁ ଆସିଥିଲି, ବହୁତ ଖୋଜିଲି, ହେଲେ ତମକୁ କୋଉଠି ବି ପାଇଲିନି । ଗାଁ’ ସାରା ହଠାତ୍ ହାଲା ହେଲା ତମେ କାହା ସହିତ ପଳେଇଛ । ବହୁତ ବାଧିଥିଲା ଏଇ କଥା ମତେ, ମନକୁ ବୁଝେଇଦେଇ ଗାଆଁ ଛାଡ଼ି ଚାଲି ଯାଇଥିଲି । ମୁଁ ଜାଣି ନଥିଲି ତମ ସହିତ ଏମିତି ଏକ ମୋଡ଼ରେ ପୁଣି ଦେଖା ହେବ ! ମୁଁ ଆଉ ବଞ୍ଚିବାକୁ ଚାହେଁନି ସୋନା, ମତେ ତମେ ତମ ପାଖକୁ ନେଇଯାଅ !”

ସୋନାର ଆତ୍ମା ରାଜାକୁ ବୁଝାଇ କହିଲା, “ରାଜା ତମେ ଗାଁକୁ ଫେରିଯାଅ, ଘରେ ତମ ମାଆ ଆଉ ଭଉଣୀ ଅପେକ୍ଷା କରିଥିବେ, ବୋଧହୁଏ ତମେ ମୋ ଭାଗ୍ୟରେ ନଥିଲ ।” ରାଜା କହିଲା, “କେଦାର କ’ଣ ଗୌରୀକୁ ଏକା ଛାଡ଼ି ଯାଇପାରିବ? ଜୀଇଁବା ଏକା ସାଥିରେ ଆଉ ମରିବା ଏକା ସାଥିରେ ଏଇ ପ୍ରତିଶ୍ରୁତିକୁ ତମେ କ’ଣ ଭୁଲି ଯାଇଛ? ନା ସୋନା, ମୁଁ ତମକୁ ଛାଡ଼ି କୁଆଡ଼େ ବି ଯାଇପାରିବିନି । ମୁଁ ଆମ ପ୍ରେମକୁ ଅମର କରିବାକୁ ଚାହେଁ !”

ଜଙ୍ଗଲ ପାଖରେ ଥିବା ପାହାଡ଼ ତଳକୁ ରାଜା ହଠାତ୍ ଦେଇଁପଡ଼ି ନିଜ ଜୀବନ ହାରିଦେଲା । ଦୁଇ ଆତ୍ମାର ମିଳନ ହେଲା, କିନ୍ତୁ ଇତିହାସର ସ୍ୱର୍ଣ୍ଣିମ ପୃଷ୍ଠାରେ ଲିପିବଦ୍ଧ ହୋଇପାରିଲାନି ଏହି ଅମର ପ୍ରେମର କଥା; ସେ ଜଙ୍ଗଲ ଛଡ଼ା ଆଉ କେହି ନଥିଲେ ତାଙ୍କ ପ୍ରେମର ସାକ୍ଷୀ ।

– ଚିକୁନ ପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଚିକୁନ ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।