You are currently viewing ଅଲେଖା ଅତୀତ
Odia Poem Alekha Atita (ଅଲେଖା ଅତୀତ) by Abhay Kumar Panda

ଅଲେଖା ଅତୀତ

ନିଦାଘ ରବିଙ୍କ ଉତ୍ତପ୍ତ କିରଣ,
ଆକାଶେ ଶାଗୁଣା, ଚିଲ ସମ୍ମେଳନ ।
ପବନେ ଭାସୁଛି ଶବ୍ଦ ବିକଟାଳ,
ରକ୍ତସ୍ନାତ ମହୀ ଦିଶୁଛି ଉଜ୍ୱଳ ॥

ବସନ୍ତ ପବନେ ରକ୍ତଭିଜା ଗନ୍ଧ,
ସୂଚନା ଦେଉଛି ସରିଛି ଏ ଯୁଦ୍ଧ ।
ଭୂପତିତ ସେହି ଶବର ସମ୍ଭାର,
ଲେଖିଛି ଘଟଣାକ୍ରମ ଏ ଯୁଦ୍ଧର ॥

ଶିରହୀନ କେତେ ଅନାମିତ ନର,
ସାଜିଛନ୍ତି ଆଜି ଲହୁର ସାଗର ।
ଲହୁରେ ପ୍ରସ୍ତୁତ ତିଳକ ଲଗାଇ,
ଆଜି କେହିଜଣେ ହୋଇଛି ବିଜୟୀ ।
ତିଳକ ପାଇଁ କି କେତେ ବଳିଦାନ,
କିଛି ଶତ୍ରୁ, କିଛି ଆତ୍ମୀୟ ସ୍ୱଜନ ॥

ଅଦୂରେ ପଡ଼ିଛି ଏକାକୀ ମସ୍ତକ,
ଗହଳିରେ ଯେହ୍ନେ ସମାଜ ସମ୍ପର୍କ ।
ଶରୀରକୁ ଛାଡ଼ି ଲୋଟିଛି ମାଟିରେ,
ଆତ୍ମାବି ହଜିଛି, ମୁକୁଟ ସାଥୀରେ ।
ଲିଭିନି ତଥାପି ଓଠରୁ, ତା’ ହସ,
ଯୁଦ୍ଧଜ୍ୱାଳା ମଧ୍ୟେ ପାଇଛି ପୀୟୂଷ ॥

ପ୍ରତିଧ୍ୱନୀ ଶୁଭେ କରୁଣ ରଡ଼ିର,
ପରାଜିତ ସୈନ୍ୟ ହାତର ବେଡ଼ିର ।
ନୟନ ଜଳଇ କ୍ରୋଧର ଅନଳେ,
ବନ୍ଦୀର ମନ କି ପ୍ରତିଶୋଧ ଭାଳେ !
ଅବା ଆହବର କରୁଛି ସନ୍ତାପ,
ଯୁଦ୍ଧ ଲଢ଼ି କିଛି କରିଛି କି ପାପ?

ଅଦୃଶ୍ୟ ଏସବୁ ଅତୀତ ପୃଷ୍ଠାରେ,
ଯୁଦ୍ଧ ଫଳାଫଳ ଲିଖିତ ଯହିଁରେ ।
ବେଦନା ସମୁଦ୍ର ପାଇନି କି ସ୍ଥାନ,
ଇତିହାସ ବୋଧେ ଦେଇନି ସମ୍ମାନ ॥

– ଅଭୟ କୁମାର ପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଅଭୟ କୁମାର ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।