You are currently viewing ଘର ଜ୍ୱାଇଁ
Odia Poem Ghara Jwain (ଘର ଜ୍ୱାଇଁ) by Giridhari Dhal

ଘର ଜ୍ୱାଇଁ

ଜନମ କଲା ଯିଏ ମୋ’ ପାଇଁ ପର ସିଏ
ନିଜ ଗାଆଁକୁ ଭୁଲି ଶଶୁରଘର ଧାଏଁ
ରହିଛି ହେଇ ଘର ଜ୍ୱାଇଁରେ
ମୁଁ କେଡ଼େ ଭାଗ୍ୟବାନ ଜ୍ୱାଇଁରେ ॥

ମୋ ଭାଗ୍ୟ କେତେ ଭଲ ରାତି ପାହିଲେ ଗେହ୍ଲ
ଶାଶୁଶଶୁର ଶଳାଶାଳୀଙ୍କ ମାନେ ବୋଲ
ସକାଳୁ ଉଠି ମାରେ ଝାଡ଼ୁରେ
ମୁଁ କେଡ଼େ ଭାଗ୍ୟବାନ ଜ୍ୱାଇଁରେ ॥

ସତେ ବରୁଣ ରାଜା ଶଶୁର ଅଟେ ମୋର
ତାଙ୍କ ଦୟାରୁ ପୁରୁଛି ଏ ହତାଶ ଉଦର
ତାଙ୍କ ଗୁଣ ଗାଇ ଦିନ ଯାଉରେ
ମୁଁ କେଡ଼େ ଭାଗ୍ୟବାନ ଜ୍ୱାଇଁରେ ॥

ଶାଶୁମାଆ ଲାଗେ ମତେ ଅନ୍ତଃପୁର ଜେମାଦେଇ
ଝାଡ଼ୁ ପୁଚ୍ଛା ମାରୁଥିଲେ ପ୍ରଂଶସା କରେ କହି
ଏମିତି ଶାଶୁ ଅଛି କାହିଁରେ
ମୁଁ କେଡ଼େ ଭାଗ୍ୟବାନ ଜ୍ୱାଇଁରେ ॥

ଶଳା ମୋ ଚଗଲାଟା ଶାଳୀ ମୋ ସୁଇଟି
ତାଙ୍କ ସେବାରେ ମୋର ଦିନ ଯାଏ ବିତି
ଏମିତି ପରିବାର ନାହିଁରେ
ମୁଁ କେଡ଼େ ଭାଗ୍ୟବାନ ଜ୍ୱାଇଁରେ ॥

ଘରଣୀ ଦେଲେ ହସି ଲାଗଇ ଖୁସି ଭାରି
ବାସନ ମାଜୁଥାଏ ତା’ ହସକୁ ଝୁରିଝୁରି
ସେ ଦେବୀ ମୁଁ ଦେବଦାସୀରେ
ମୁଁ କେଡ଼େ ଭାଗ୍ୟବାନ ଜ୍ୱାଇଁରେ ॥

ଶଶୁର ଘରେ ମୋର ସଭିଏଁ ଆପଣାର
ଅବଶ୍ୟ ପାଖ ଲୋକ କହୁଥାନ୍ତି ଚାକର
ବାସୀ କାମ ସବୁ ମୁଁ କରେରେ
ମୁଁ କେଡ଼େ ଭାଗ୍ୟବାନ ଜ୍ୱାଇଁରେ ॥

ଦୁଇ ବଖରା ଘର ସେ ପୁଣି ଚାଳ ଛଫର
ଶାଶୁଶଶୁର ଶଳାଶାଳୀ ଶୁଅନ୍ତି ମୋର
ମୁଁ ଶୋଉଥାଏ ବାଡ଼ି ପିଣ୍ଡାରେ
ମୁଁ କେଡ଼େ ଭାଗ୍ୟବାନ ଜ୍ୱାଇଁରେ ॥

ବନ୍ଧୁ ଆସିଲେ ଘରେ ଶାଶୁ ମୋ କହେ ଧୀରେ
ଯିଏ ଆଣି ଚାହା ଦେଲା ସେ ମୋ ଘର ଜ୍ୱାଇଁରେ
ଶୁଣି ଛାତି ମୋ କୁଣ୍ଡେମୋଟ ହୁଏରେ
ମୁଁ କେଡ଼େ ଭାଗ୍ୟବାନ ଜ୍ୱାଇଁରେ ॥

– ଗିରିଧାରୀ ଧଳ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଗିରିଧାରୀ ଧଳ ଓଡ଼ିଆ ଲେଖିକା ଯିଏକି ବିଭିନ୍ନ ସାମାଜଧର୍ମୀ ରଚନା ଆଦି କରିଥାନ୍ତି । ତାଙ୍କ ଆଲେଖ୍ୟଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।