ହଡ଼ା ବଳଦ ଆଉ ବାରମାସିଆ ଉପାଖ୍ୟାନ
ହଡ଼ା ବଳଦ ଆଉ ବାରମାସିଆ ଉପାଖ୍ୟାନ

ହଡ଼ା ବଳଦ ଆଉ ବାରମାସିଆ ଉପାଖ୍ୟାନ

ପିଲା ଦିନେ ମୋ ଭଳି ଯେଉଁମାନେ ଓଡ଼ିଶାର ସରକାରୀ ବିଦ୍ୟାଳୟ ମାନଙ୍କରେ ପଢିଥିବେ; ସେମାନେ “ହଡ଼ା ବଳଦର ଆତ୍ମ କାହାଣୀ” ଉପରେ ରଚନାଟିଏ ନିଶ୍ଚୟ ଲେଖିଥିବେ । ହଡ଼ା ବଳଦ ତ ହଡ଼ା ବଳଦ ! ସେ ବିଷୟରେ ଏତେ କଥା ଚିନ୍ତା କରୁଛି କିଏ ! ତା’ ବିଷୟରେ ବୁଝିବାକୁ ସେତେବେଳେ ଜ୍ଞାନର ପକ୍ୱତା କାହିଁ ! ତେଣୁ ରଚନା ବହିରେ ଯାହା ଥାଏ ତାକୁ କେମିତି ମନେରଖି ପରୀକ୍ଷା ଖାତାରେ ଲେଖାଯିବ ସେଇଟା ହିଁ ହୁଏ ମୂଳ ଲକ୍ଷ୍ୟ ପିଲାଙ୍କର । ହେଲେ ଆଜି ଯେତେବେଳେ ବୟସର ଅପରାହ୍ନରେ ଘରର ଷ୍ଟୋର ରୁମ୍ ସଫା କରୁକରୁ ମୋ କାହାଣୀର ମୁଖ୍ୟ ଚରିତ୍ର ସାଥୀହରା ଅଶୋକ ବାବୁଙ୍କୁ ସାଥୀ ପ୍ରକାଶନୀର ସେ ରଚନା ବହିଟା ମିଳିଗଲା, ସେତେବେଳେ ହଠାତ ହଡ଼ା ବଳଦ କଥାଟା ତାଙ୍କର ମନେପଡ଼ିଗଲା ଆଉ କାହିଁକି କେଜାଣି ଦେହଟା ଟିକିଏ ଶୀତେଇ ଉଠିଲା । ଲାଗିଲା ଯେମିତି ଏଇଠି କେଉଁଠି ହଡ଼ା ବଳଦଟା କୁନ୍ଥେଇ କୁନ୍ଥେଇ ହମ୍ବା ରଡ଼ି ଦେଉଛି । କିଛି ସମୟର ନିରବତା ପରେ ସେହି ରଚନା ବହିଟିରେ ବସିଥିବା ଧୂଳିର ମୋଟା ଆସ୍ତରଣକୁ ହାତରେ ଝାଡ଼ିଦେଇ ଚାଲିଗଲେ ନିଜ ରୁମ୍‌କୁ । ରୁମ୍ ଭିତରେ ପଡ଼ିଥିବା ତାଙ୍କ ଜେଜେବାପା ଅମଳର କାଠ ତିଆରି ଆରାମ ଚେୟାର ଉପରେ ଚୁପ୍‌ଚାପ୍ ବସିଗଲେ । ବୟସଟା ବି ଆଉ ସାଥ୍ ଦେଉନାହିଁ ଅଶୋକ ବାବୁଙ୍କର । ଶରୀରଟା ପାଲଟି ଗଲାଣି ରୋଗର ଗନ୍ତାଘର । ଅନେକ ସମୟରେ ମାନସିକ ପୀଡ଼ାଟା ଶାରିରୀକ ପୀଡ଼ାକୁ ବଳିପଡ଼ୁଛି । ସେ କିନ୍ତୁ ସ୍ଥିତପ୍ରଜ୍ଞ । ହେଲେ ଆଜି ସେ ପୁରୁଣା ରଚନା ବହିର “ହଡ଼ା ବଳଦ”ଟା ତାଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେବାପରି ଲାଗୁଛି । ଲାଗୁଛି ଯେମିତି ଆଜି ଅନେକ ବର୍ଷ ପରେ ସେ ହଡ଼ା ବଳଦଟା ପୁଣି ଫେରିଛି । ଏହା ଭିତରେ ଜଣାନାହିଁ କେତେବେଳେ ସିଏ ହାତରେ ଧରିଥିବା ରଚନା ବହି ପଛପଟେ ମୁହଁ ଲୁଚାଇ ହଜିଯାଇଥିଲେ ସ୍ମୃତିର ସାମ୍ରାଜ୍ୟରେ । ଯେଉଁ ସାମ୍ରାଜ୍ୟରେ ସେ ନିଜକୁ ରଙ୍ଗପୁର ଗାଁ ହରି ସାହୁର ଚତୁର୍ଥ ଶ୍ରେଣୀ ପଢ଼ୁଥିବା ପୁଅ ଅଶୋକ ରୂପେ ଆବିଷ୍କାର କଲେ । ସେହି କଥା ଭାବୁଭାବୁ ଅନେକ ଦିନ ପରେ ଚିନ୍ତାମଗ୍ନ ଅଶୋକ ବାବୁଙ୍କ ଅଜାଣତରେ ତାଙ୍କ ଓଠରେ ଖେଳିଯାଉଥିଲା ଚେନାଏ ହସ । ସ୍ମୃତିର ଦୁନିଆରେ ସେ ଦେଖୁଥିଲେ ନିଜର ଡଉଲ ଡାଉଲ ନିରୀହ ଚେହେରାଟିକୁ । ଯେଉଁ ଚେହେରାଟା ଦିନେ ଗାଆଁ ସାରାର ଅତି ଆପଣାର ଥିଲା ସେହି ଚେହେରାଟି କେମିତି ଏହା ଭିତରେ ନିଜ ଲୋକଙ୍କପାଇଁ ଅଲୋଡ଼ା ଅଖୋଜା ପାଲଟିଯାଇଛି । ଆଜି ଅନେକ ଦିନପରେ ନିଜ ସହ ସାକ୍ଷାତ ହୋଇଛି ଅଶୋକ ବାବୁଙ୍କର । ଆଉ ଆଶୋକ ବାବୁ ମଧ୍ୟ ମନଭରି ଦେଖିଚାଲିଥାଆନ୍ତି ନିଜକୁ ।

ସେଦିନର ସେ ସୁନ୍ଦୁରିଆ ଡଉଲ-ଡାଉଲ ହରି ସାହୁ ପୁଅ ଅଶୋକ ପାଠ ପଢ଼ାରେ ମଧ୍ୟ ଥିଲା ପ୍ରବୀଣ । ରଙ୍ଗପୁର ଗାଁ ସାରା ଚର୍ଚ୍ଚା “ପିଲାଟା ଦେଖିବାକୁ ଯେମିତି ପାଠ ପଢ଼ାରେ ବି ସେମିତି ।” ହରି ସାହୁର ବାରମାଣ ବିଲରେ ବର୍ଷ ସାରା ଫସଲ । ଅଭାବ କ’ଣ ତା’ ଘରେ କେହି ଜାଣିନଥିଲେ । ଘରେ ଚାରିହଳ ହଳିଆକୁ ମିଶାଇ ଦଶଟି ବଳଦ, ସାତଟି ଗାଈ ଆଉ ଛେଳି, କୁକୁଡ଼ା, ବତକଗୁଡ଼ା ହିସାବ ନକରିବା ଭଲ । ଏସବୁକୁ ଜଗାରଖା କରୁଥିଲା କଙ୍କା, ହରି ସାହୁ ଘର ବାର ମାସିଆ । ନାଁଟା ସିନା କଙ୍କା, ହେଲେ ଆଜିକାଲିର ଛଅଜଣ ପିଲାଙ୍କୁ ଏକୁଟିଆ ଉଠାଇ କଚାଡ଼ିଦେବ ! କ’ଣ ଖାଉଥିଲା ସିଏ କେଜାଣି ! କିନ୍ତୁ ଯାହାବି ଖାଉଥିବ ସେଥିରେ ନିଶ୍ଚୟ ଭରିରହିଥିବ ଭାରତୀୟତା ଶୁଦ୍ଧତା ଆଉ ପ୍ରକୃତି ସହ ଆତ୍ମୀୟତା । ଗାଈ ଗୋରୁ ବିଲବାଡ଼ି ସବୁକାମରେ କଙ୍କାର ଆବଶ୍ୟକତା ଥାଏ । ସେ ନହେଲେ କାମ ହେବନି । ଆବଶ୍ୟ ସେତେବେଳେ ଲୋକମାନେ ଅପାଠୁଆ ଥିଲେ, କିନ୍ତୁ ମାନବତାର ପରିଭାଷା ଜାଣିଥିଲେ । ଟଙ୍କାର ମୂଲ୍ୟଟା ନବୁଝିଲେ ବି ଶ୍ରମର ମୂଲ୍ୟଟା ଜାଣିଥିଲେ । ବୋଧହୁଏ ସେଥିପାଇଁ ଏ ଦେଶର ମାଟିରେ ସୁନା ଫଳୁଥିଲା । କିଏ ଜାଣେ ମୁଁ ସାନବେଳେ ପଢ଼ିଥିବା ଇଂରାଜୀ ଗଳ୍ପ “ଏ ଗ୍ରେନ ଦେଟ୍ ୱାଜ୍” ମଧ୍ୟ ସତ ହୋଇଥିବ !! ଆଉ ସେ ଗପ ସତ ହେବା ପଛରେ ଏହି କଙ୍କା ପରି ଲୋକଙ୍କ ପ୍ରମୂଖ ଭୂମିକା ଥିବ । ତେବେ ମୋ କାହାଣୀର କଙ୍କା ଥିଲା ହରି ସାହୁର ଡାହାଣ ହାତ । ପୁଅ ଅଶୋକ କିନ୍ତୁ ପାଠ ପଢ଼ା ଛଡା ଆଉ ଦୁନିଆରେ କିଛି ବୁଝେନା । ହରି ସାହୁର ମଧ୍ୟ ଇଚ୍ଛା ପୁଅ ତାଙ୍କର ଏ ଜମିବାଡ଼ି ଧନ୍ଦାରେ ନପଶି ପାଠ ପଢ଼ି ଭଲ ଚାକିରି ଖଣ୍ଡେ କରୁ । ସେଦିନ ଖେଳ ଖେଳରେ ଅଶୋକ କଙ୍କାକୁ ପଚାରିଦେଲା, “ଆଚ୍ଛା କହିଲୁ ହଡ଼ା ବଳଦ ମାନେ କ’ଣ? ଆମ ସ୍କୁଲରେ ରଚନା ଲେଖିବାକୁ ଦେଇଛନ୍ତି । ତୋ ଛଡ଼ା ଆଉ କେହି ଏ ବିଷୟରେ କହିପାରିବେନି ।” ଅଶୋକ କଥା ଶୁଣି ବୟସରେ ତା’ଠାରୁ ଦଶବର୍ଷ ବଡ଼ ଅକ୍ଷର ବିବର୍ଜିତ କଙ୍କା କହିଲା, “ବୁଝିଲୁ ମୁଁ ତ ଇସ୍କୁଲ କେବେ ଯାଇନାହିଁ । ଏ ରଚନା କ’ଣ ମୋତେ ଜଣାନାହିଁ । କହିବୁ ଯଦି ହଡ଼ା ବଳଦ ପାଖକୁ ନେଇ ଦେଖେଇଦେବି ।” ଏହାପରେ ଦୁହେଁ ଯାଇ ପହଞ୍ଚିଗଲେ ହରି ସାହୁ ଘର ହଡ଼ା ବଳଦ ପାଖରେ । ବିଚରାଟାର ଛିଡ଼ା ହେବାପାଇଁ ବଳ ନଥିଲା । ଦେହ ଛାଅ ଚମଡ଼ାର ଲୋମସବୁ ଝଡ଼ିଗଲାଣି । ଜୀବନଟା ଖାଲି ଯାହା ଛନ୍ଦି ହୋଇରହିଛି କିଛି ହାଡ଼ ଉପର ଚମଡ଼ା ଛାଉଣୀ ଭିତରେ । ଦୁଇ ଆଖି ତଳେ, ଲୁହର ଧାରା କରିନେଇନ୍ତି ନିଜନିଜର ସ୍ଥାୟୀ ଠିକଣା । କେଇ କେରା ଶୁଖିଲା ଘାସର ଆଶ୍ରାରେ ପଡ଼ିରହିଥାଏ ସେ ହଡ଼ା ବଳଦଟା । କଙ୍କା ପଘାଟା ଫିଟାଇ ଦେଇଥାଏ ତା’ ବେକରୁ । ଅଶୋକ ଏହା ଦେଖି କଙ୍କାକୁ ପଚାରିଲା, “ପଘାଟା ଫିଟାଇ ଦେଇଛୁ ଯେ?” କଙ୍କା କହିଲା, “ବିଚରାଟା ଜୀବନସାରା ହଳ ବାହିବାହି ବୁଢ଼ା ହୋଇଗଲା । ଏବେ ତ ବୁଢ଼ାରୁ ହଡ଼ା ହୋଇଗଲାଣି । ଆଉବା ଦିନ କେଇଟା ବଞ୍ଚିବ ! କାହିଁକି ଆଉ ବାନ୍ଧିବି !! କିଛି ହୋଇଗଲେ ହରି ଦା’କୁ ପାପ ଲାଗିବନି !!!” ଏହାର କିଛିଦିନ ପରେ ଦିନେ ବୁଧୁବାରିଆ ହାଟ ପାଳି ଦିନ ସନ୍ଧ୍ୟାବେଳେ ହରି ସାହୁର ଚିତ୍କାର ଶୁଣି ଘର ଭିତରୁ ଦୌଡ଼ିଆସିଲା ଅଶୋକ । ଦେଖିଲା ବାପା ତା’ର କଙ୍କାକୁ ଖୁବ୍ ପିଟୁଛନ୍ତି । କଙ୍କା କାନ୍ଦିକାନ୍ଦି କୁଟାଗଦା କଡ଼ରେ ବସିଥାଏ । ଚୋର ଚୋର ବୋଲି ଶହେ ଚୋର କହି ହରି ସାହୁ କଙ୍କାକୁ ଗାଳି କରୁଥାଏ । କାରଣଟା କ’ଣ ବୋଲି ଜାଣିବା ଆଗରୁ କଙ୍କାକୁ ହରି ସାହୁ କାମରୁ ବାହାର କରିସାରିଥିଲା । ବିଚରା କଙ୍କା କାନ୍ଦିକାନ୍ଦି ଘର ଛାଡ଼ି ଯିବା ଆଗରୁ ଛଳଛଳ ଆଖିରେ ଅଶୋକକୁ ଶେଷଥର ପାଇଁ କହିଥିଲା, “ମୁଁ ତ ବାରମାସିଆ ନା !!” ଆଉ ଏହାପରେ କଙ୍କା କେବେହେଲେ କାମ କରିବାକୁ ହରି ସାହୁ ଘରକୁ ଲେଉଟିନାହିଁ । ପ୍ରକୃତ ଘଟଣାଟା କ’ଣ ବୋଲି ପରେ ଅଶୋକ ଜାଣିବାକୁ ପାଇଲା ଯେ କଙ୍କା କୁଆଡ଼େ ସେ ହଡ଼ା ବଳଦ ବିକି ଟଙ୍କା ଚୋରିକରି ନେଇଛି । ଏ କଥାଟା କିନ୍ତୁ ଆଜି ପର୍ଯ୍ୟନ୍ତ ଅଶୋକ ବାବୁଙ୍କୁ ବିଶ୍ୱାସ ହୁଏନି । କେମିତି ବିଶ୍ୱାସ କରିବେ ! ଯେଉଁ ଲୋକଟା ଗୋଟେ ହଡ଼ା ବଳଦର କଷ୍ଟ ବୁଝିପାରୁଥିଲା, ଯେଉଁ ଲୋକଟା ପାପ ପୂଣ୍ୟର ସଂଜ୍ଞା ବୁଝିଥିଲା ସିଏ କେବେହେଲେ ଚୋରର ପରିଚୟ ନେଇ ବଞ୍ଚିପାରେନା । ତେବେ ଚୋରି କରିବାର କାରଣଟା କ’ଣ ଆଜି ଯାଏଁ ଅସ୍ପଷ୍ଟ । ଆଜି ବି ଅଶୋକ ବାବୁଙ୍କ ମସ୍ତିଷ୍କର ଚାରିପଟେ ଘୁରିବୁଲୁଛି ସେ ହଡ଼ା ବଳଦଟାକୁ ନେଇ ଅନେକ ପ୍ରଶ୍ନ । କିଏ କିଣିଥିବ ସେ ହଡ଼ା ବଳଦଟା ! କ’ଣ କାମ କରିପାରିଥିବ ସେଇଟା ! ତାକୁ ଆଉ କଂସେଇ ହାତକୁ ଟେକିଦେଇ ନଥିଲେ ତ ! କଙ୍କା କ’ଣ ସତରେ ହଡ଼ାଟିକୁ ବିକିଦେଇଥିବ ! ବାଉଳି ହେଲା ଭଳି ଅଶୋକ ବାବୁ କହିଲେ, “ନା ! ନା ! କଙ୍କା ସେଭଳି କରିପାରେନା ! ହୋଇପାରିଥାଏ ସେ ତାକୁ ବିକି ନାହିଁ । ହୋଇ ପାରିଥାଏ ସେ ହଡ଼ାଟାର ଜୀବନପାଇଁ ନିଜେ ନିରବିଯାଇ ସହିଗଲା ସବୁ କଷ୍ଟ ଅପମାନ !”

ସେତେବେଳକୁ ସ୍ମୃତିର ସାମ୍ରାଜ୍ୟରୁ ଲେଉଟାଣି ହୋଇସାରିଥିଲା ଅଶୋକ ବାବୁଙ୍କର । ଏତିକି ବେଳେ ଅଶୋକ ବାବୁଙ୍କ ଲ୍ୟାଣ୍ଡ ଫୋନଟା ବାଜି ଉଠିଲା । ସେପଟୁ ତାଙ୍କର ଏକମାତ୍ର ପୁତ୍ର କହୁଥାଏ, “ବାପା ! ମୁଁ ଏଥର ପୂଜାରେ ଘରକୁ ଯାଇପାରିବିନି । କମ୍ପାନୀ ମୋତେ ଏସାଇନମେଣ୍ଟ ଦେଇ ଥାଇଲ୍ୟାଣ୍ଡ ପଠାଉଛି ।” ଏହା ଶୁଣି ଅଶୋକ ବାବୁ କହିଲେ, “ଆରେ ତୋ ବୁଢ଼ା ବାପଟା ପାଖରୁ କ’ଣ ତୋ କମ୍ପାନୀ ଏସାଇନମେଣ୍ଟଟା ଅଧିକ ଜ…ରୁ… !” ଆଉ ଅଧିକ କିଛି ନଶୁଣି ଅଶୋକ ବାବୁଙ୍କ ପୁଅ ଫୋନ୍ ରିସିଭରଟା ରଖିଦେଲା । ଏପଟେ ଲଥ୍ କରି ସେ ଆରାମ ଚେୟାରଟା ଉପରେ ବସି ନିରାଶାର ଅନ୍ଧକାର ଘରେ ଅଶୋକ ବାବୁ ନିଜକୁ ନିଜେ କହିହେଉଥାନ୍ତି, “ବୋଧହୁଏ କଙ୍କା ଆଖିର ଲୁହ ଆଉ ସେ ହଡ଼ା ବଳଦର ନିଶ୍ୱାସଟା ଆମ ପରିବାର ଉପରେ ପଡ଼ି ଯାଇଛି । ସେଦିନ କଙ୍କା ଦୁଇ ବସ୍ତା ଚାଉଳ ଆଉ ତିନି ବେଳା ଆହାର ଚୁକ୍ତିରେ ଆମ ଘରେ ବାରମାସିଆ ଥିଲା; ଆଉ ଆଜି ଏ ଘରର ମାଲିକ ବାର୍ଷିକ ଆଠ ଲକ୍ଷ ଟଙ୍କା ପ୍ୟାକେଜ୍‌ରେ ଆଉ କେଉଁ ମାଲିକର ବାରମାସିଆ ଅଛି । ବାଃରେ ସମୟ ! ମାଲିକକୁ ଆଜି ପାଠୁଆ ବାରମାସିଆ ସଜେଇଦେଲୁ ।” ହଠାତ ଅଶୋକ ବାବୁଙ୍କୁ ଲାଗିଲା ଯେମିତି ସେଦିନର ସେ ହଡ଼ା ବଳଦଟା ତାଙ୍କ ଆଗରେ ଛିଡ଼ା ହୋଇ ହସୁଛି । ଏକ ତୀବ୍ର ଅଟ୍ଟହାସ୍ୟ କରି ନିଃସଙ୍ଗ ଅଶୋକ ବାବୁ କହୁଥାଆନ୍ତି, “ଆରେ ! ତୁ ହସୁଛୁ ! ଦେଖ ଆଜି ତୁ ନୁହେଁ ମୁଁ ଗୋଟିଏ ହଡ଼ା ବଳଦ ପାଲଟି ଯାଇଛି । ତୋ ପରି ନିଃସଙ୍ଗ ନୀରବ ଅସହାୟ ଆଉ ଅଭିଶପ୍ତ । ଜୀବନ ସାରା ପରିବାରର ଜଞ୍ଜାଳ ରୂପି ଶଗଡ଼କୁ ଟାଣି ଟାଣି ମୋ ପରିଚୟ ଗୋଟିଏ ବଳଦର । ଆଉ ଏ ବୁଢ଼ାକାଳେ ଏକାକୀ ଅଲୋଡ଼ା ଅଖୋଜା ହୋଇ ମୁଁ ପାଲଟି ଗଲିଣି ଗୋଟେ ହଡ଼ା ବଳଦ । ହଁ ହଁ ମୁଁ ଆଜି ସେଇ ହଡ଼ା ବଳଦ ଆଉ ମୋ ମାଲିକ କଙ୍କା ସାଜି ଆଜି ଆଉ କାହାର ବାର ମାସିଆ ।” ଏତିକିବେଳେ କେହିଜଣେ ଡାକିଲା, “ଅଶ୍କା” । ଏ ଡାକ ଶୁଣି ଚମକି ଉଠିଲେ ଅଶୋକ ବାବୁ । ଚିହ୍ନିଲା ଚିହ୍ନିଲା ସ୍ୱରଟାକୁ କିନ୍ତୁ ଠିକ୍ ବାରିନେଲେ । ବୁଲି ଦେଖିଲା ବେଳକୁ କଙ୍କା ସେ ହଡ଼ା ବଳଦଟା ଧରି ଛିଡ଼ା ହୋଇଛି । ଓଠରେ ସ୍ମିତ ହସ । କିଛି ବୁଝିପାରୁନଥିଲେ ଅଶୋକ ବାବୁ । ହଠାତ ନଜର ପଡ଼ିଲା ଜେଜେବାପା ଅମଳର ସେ ଆରାମ ଚେୟାରଟା ଉପରେ । ସେହି ଚେୟାରଟା ଉପରେ କିନ୍ତୁ କେହିଜଣେ ଆରାମ କରୁଥିଲେ । ମୁହଁଟା ଦିଶୁନଥିଲା କାହିଁକିନା ମୁହଁଟାକୁ ଘୋଡ଼ାଇ ରଖିଥିଲା ସାଥୀ ପ୍ରକାଶନୀର ଗୋଟିଏ ପୁରୁଣା ରଚନା ବହି…!!!

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu