ମୋ ଦେଇ
ମୋ ଦେଇ

ମୋ ଦେଇ

ଦେଇ ଆଉ ମୁଁ ମାତ୍ରେ ବର୍ଷେ ବଡ଼ ସାନ । ଦେଇ ପିଲାବେଳୁ ପୋଲିଓରେ ପିଡ଼ିତ । କିନ୍ତୁ ବହୁତ ସୁନ୍ଦର ହୃଦୟ ମୋ ଦେଇ’ର । ମୋ ପାଇଁ ମୋ ଦେଇ ମୋର ସବୁଠୁ ଭଲ ସାଙ୍ଗ, କିନ୍ତୁ ମୋ ଦେଇ ପାଇଁ ତ ମୁଁ ତା’ ଦୁନିଆ ଥିଲି । ବଡ଼ ବିଡମ୍ବନାର କଥା ଯେ ଏ କଥାର ହୃଦୟଙ୍ଗମ ମତେ ହେଲା କିନ୍ତୁ ବହୁତ ବିଳମ୍ବରେ । ଏ ଭୁଲ ପାଇଁ ମୁଁ ସାରା ଜୀବନ ନିଜକୁ କ୍ଷମା କରି ପାରିବିନି । ଦେଇ ବାହାରକୁ ଯାଏନି । ଲଡ଼ବଡ଼େଇ ଚାଲେ ବୋଲି ପିଲାଏ ତାକୁ ଚିଡ଼େଇ ଦିଅନ୍ତି । ଘର ଆଗକୁ ବାରଣ୍ଡା, ତା’ ଆଗକୁ କିଛି ହାତ ଜାଗା ଥିଲା, ସେ ପାଖରେ ଆମ ବୃନ୍ଦାବତୀ ମାଆଙ୍କର ଘର । ଉପର ଗମଲାରେ ତୁଳସୀ ଆଉ ତା’ତଳେ ଆମେ ଦୁଇ ଭଉଣୀଙ୍କ ଛୋଟିଆ ସାଂସାରିକ ଘର ଖଣ୍ଡେ । ନିଇତି ସ୍କୁଲରୁ ଫେରିବା ମାତ୍ରେ ଆମେ ଦୁହେଁ ଆମର ସେହି ଘରେ ଖେଳିବାରେ ମାତିଯାଉ । ଲୀନା ଆମ ସହ ଖେଳିବାକୁ କେତେ ଥର ପଚାରିଛି, ବୋଧେ ଦେଇକୁ ଭଲ ଲାଗିବନି ଆଉ କେହି ଖେଳିଲେ ବୋଲି ମୁଁ ତାକୁ ମନା କରିଦିଏ ।

ଠାକୁର ଗୋଟେ ହାତରେ ନେଲେ ଗୋଟେ ହାତରେ ଫେରେଇ ଦିଅନ୍ତି, ଦେଇର ଗୋଡ଼ଟା ଅକର୍ମଣ୍ୟ କିନ୍ତୁ ହାତଟା ଚମତ୍କାର । ମାର୍ଗଶିର ଗୁରୁବାରରେ ଘରଟାସାରା ଦେଇ ହାତର ଚିତ୍ର ମୋର ଏବେବି ମନେ ପଡ଼ିଯାଉଛି । ନିର୍ଜୀବରେ ବି ଜୀବନ ଦେଇଦେଇ ପାରେ । ଖାଲି କାଗଜରେ ଗାରଟିଏ ଟାଣି ଦେଲେ ବି ସୁନ୍ଦର ଚିତ୍ରଟେ ଆଙ୍କି ହେଇଯାଏ । ନଈକୂଳରେ ବସିଥିବା ଏଇ ଯୋଉ ଦୁଇ ଝିଅଙ୍କ ଚିତ୍ରଟି ଡ୍ରଇଁ ରୁମ୍‌ରେ ଲାଗିଛି ମୋ ଦେଇ ଆଙ୍କି ଥିଲା ।

ସେଦିନ ମୁଁ ଦେଇକୁ ଜିଦ୍ କରି ନେଇ ଯାଇଥିଲି ପାଖ ନଈକୂଳକୁ, କଞ୍ଚା ମାଟିରେ ଗୋଡ଼ ଖସିଗଲା ତା’ର, କିଛି ପିଲା ତାକୁ ଚିଡ଼େଇବାରୁ ମୋର ଭାରି ଝଗଡ଼ା ହୋଇଥିଲା । ବହୁତ ସମୟରେ ସେ ମୋତେ ବୁଝାଉଥିଲା । ଦେଇ ମତେ ବୁଝାଇ କହିଥିଲା, ମୁଁ ତା’ସହ ଅଛି ମାନେ ତାକୁ କାହା କଥା କିଛି ଖରାପ ଲାଗେନି । ଆମେ ସେଠି କିଛି ସମୟ ବସିଯାଇଥିଲୁ, ସେଦିନ ରାତିରେ ଦେଇ ସେ ଚିତ୍ରଟି ଆଙ୍କି ଥିଲାମ । ମତେ ବହୁତ ଭଲ ଲାଗେ ସେ ଚିତ୍ରଟି ।

ସବୁଦିନ ସକାଳୁ ଉଠି, ସାଙ୍ଗ ହୋଇ ସ୍କୁଲ ଯାଉ ଓ ପୁଣି ରାତି ଶୋଇଲା ଯାଏଁ ଆମେ ଦୁହେଁ ସାଥୀ ହୋଇ ରହୁ । ଦିନ ଆରମ୍ଭରୁ ଶେଷହେବା ଯାଏଁ ଆମେ ଦୁହେଁ ସାଥୀ ହୋଇ ଥାଉ । କିନ୍ତୁ ଅଷ୍ଟମ ଶ୍ରେଣୀ ପରେ ଦେଇ ଅନ୍ୟ ଏକ ସ୍କୁଲକୁ ଗଲା । ବାପା ତାକୁ ନବାଆଣିବା କରନ୍ତି । ଭାରି ଉଦାସ ମନରେ ଆମେ ସ୍କୁଲ ଯାଉ । ପଢ଼ାପଢ଼ି ଚାଲିଲା, କିନ୍ତୁ ସ୍କୁଲରେ ଏକା ଏକା ଭାରି ବୋର୍ ଲାଗେ ତା’ବିନା ।

ତା’ପରେ ଲୀନା ଆସିଲା, ତା’ପରେ ରାକେଶ, କୁନାଲ୍ ଆଉ ମଲ୍ହାର ବି ଆଉ ମାନସି ବି ଆସିଲେ ଆମ ଘରକୁ । ମୁଁ ସ୍କୁଲରୁ ଜଲଦି ଆସେ । ଦେଇ କିନ୍ତୁ ତା’ ସ୍କୁଲ ପରେ ଟିଉସନ କରେ ଆଉ ଘରକୁ ଆସିଲା ପରେ ପଢ଼ାରେ ଲାଗିଯାଏ । ଆଗ ଆମେ ସବୁ ମିଶି ପାଠ ପଢ଼ୁଥିଲୁ ଏବେ କିନ୍ତୁ ମୋ ସାଙ୍ଗମାନେ ମୋ ସହ ପଢ଼ୁଥିଲେ ।

ପଢ଼ାରେ ଟିକେ ଦୁର୍ବଳ ଥିଲା ଦେଇ, ତେଣୁ ବହୁତ ପରିଶ୍ରମ କରେ ସେ । ତା’ପରେ ଧୀରେ ଧୀରେ ସେ ନଥିଲା ବେଳେ ମୁଁ ମୋ ସାଙ୍ଗମାନଙ୍କ ସହ ଚଉରା ତଳ ଘରେ ଖେଳୁ । ସେଦିନ ଦେଇ ଆଖିରେ ପଡ଼ିଗଲା କିନ୍ତୁ ସେ କିଛି କହିଲାନି । ମୁଁ ଭାବିଲି ତା’ର କିଛି ଅସୁବିଧା ନାହିଁ ।

ସମୟ ସହ ଧୀରେ ଧୀରେ ସବୁ ବଦଳିବାକୁ ଲାଗିଲା । ମୁଁ ଦେଇକୁ ସମୟ ଦେଇ ପାରୁ ନଥିଲି କିନ୍ତୁ ଯେତେବେଳ ମିଶୁ ଆମେ ବହୁତ କଥା ହେଉ । ମୋର ମାଟ୍ରିକ ବହୁତ ଭଲ ହୋଇଥିଲା । ମୋର ବହୁତ ସାଙ୍ଗ ଡିପ୍ଲୋମା ପାଇଁ ବାହାରକୁ ଗଲେ । ବାପା ମତେ ବି ହଷ୍ଟେଲରେ ଛାଡ଼ିଦେଲେ । ଡିପ୍ଲୋମା ସରିଲା, ଡିଗ୍ରୀ ବି । ମୁଁ ଘରକୁ ମଝିରେ ମଝିରେ ଯାଏ । ଦେଇ ଆଉ ମୁଁ ବହୁତ ଗପୁ, ଦେଇ ଏବେବି ସେମତି ହିଁ ଥିଲା । ସେ ଆଉ ତା’ର ରଙ୍ଗର ଦୁନିଆ । ସେ ସ୍ଥାନୀୟ କଲେଜରୁ ସ୍ନାତକ ସରିଲା ଆଉ ପଢ଼ିବାକୁ ଚାହିଁଲାନି । ଘରସାରା ତା’ ହାତର ଯାଦୁ ବିଛୁରି ରଖିଥିଲା । ଦୁନିଆ ଯାଇ ଚାନ୍ଦରେ ପହଞ୍ଚି ଗଲାଣି କିନ୍ତୁ ଦେଇ ମୋର ଅତି ନିରିହଟିଏ ହୋଇ ରହି ଯାଇଥିଲା ।

ବି. ଟେକ ପରେ ମତେ ବାଙ୍ଗାଲୋରରେ ଚାକିରି ମିଳିଲା, ମୁଁ ସେଠିକୁ ଚାଲିଗଲି । ସେଥର ଛୁଟିରେ ଆସିଥିଲି ତ ଘରର ପରିବେଶ ଟିକେ ଅଲଗା ଥିଲା । ମାଆ ଟିକେ ଦୁଃଖୀ ଥିଲେ । ମତେ କହିଲେ ଦେଇକୁ କେହି ଦେଖିବାକୁ ଆସିଥିଲେ କିନ୍ତୁ ମନା କରିଦେଲେ । ଆଗରୁ ଏମିତି ହୋଇଛି, କିଛି ଦିନରେ ସବୁ ଠିକ୍ ହୋଇଯିବ ବୋଲି ମୁଁ ବି ମାନିନେଲି । ବେଶୀ ବଡ଼ କଥା ନୁହଁ ଓ ତା’ଠୁ ଅଧିକ ମୁଁ ମୋ ଦୁନିଆରେ ବ୍ୟସ୍ତ ଥିଲି ।

ଦେଇ ଶ୍ରୀକୃଷ୍ଣ ଭଗବାନକୁ ବହୁତ ଭଲ ପାଏ । ତା’ର ସବୁ ଚିତ୍ରରେ କୃଷ୍ଣଙ୍କ ଟିକେ ଝଲକ ଛାଡ଼େ । ଏବେ ଯୋଉ କୃଷ୍ଣ ଛବିଟି ସେ ଆଙ୍କିଥିଲା ମନ ମୋହି ନେଉଥିଲା । ମୁଁ ସବୁ ଚିତ୍ର ଗୁଡ଼ିକର ଫଟୋ ଉଠେଇ ନେଇଥାଏ ମୋ ଫୋନରେ ସାଙ୍ଗମାନଙ୍କ ଆଗରେ ଟିକେ ଦେଖେଇ ହେବା ପାଇଁ ।

କିଛି ଦିନ ପରେ ବାପାଙ୍କର ଚାକିରୀ ଅବଧି ସରିଗଲା ଆଉ ସେ ଅବସର ନେଲେ । କହୁଥିଲେ ନାନିକୁ କୋଉ ଭଲ ଡାକ୍ତରକୁ ଦେଖେଇବେ । ଆଜିକାଲି ବିଜ୍ଞାନ ବହୁତ ପ୍ରଗତି କଲାଣି । ତେଣୁ ଗାଆଁର ଘର ବାଡ଼ି ସବୁ ବିକି ବାଙ୍ଗାଲୋରରେ ଫ୍ଲାଟ୍ ଖଣ୍ଡେ କିଣିଲୁ । ମୋ ପରିବାର ବାଙ୍ଗାଲୋର ଆସିଲା ପରେ ମୋ ସାଙ୍ଗମାନେ ଏଥର ମୋ ଘରକୁ ଯିବା ଆସିବା କରୁଥିଲେ ।

ସେମାନେ ମୋ ପାଖରୁ ଦେଇର ଚିତ୍ର ସବୁ ଦେଖିଥିଲେ । ସେଠି ସେମାନେ ସମସ୍ତେ ମୋ ଦେଇର ବହୁତ ବଡ଼ ପ୍ରଶଂସକ ହେଇ ଯାଇଥିଲେ । ମୁଁ ଭାବିଲି ଯାହା ହେଉ ଏଥର ଦେଇ ଘରୁ ବାହାରି ଆନନ୍ଦରେ ଜୀବନ ଜିଇଁବ ।

ରୋହିଣି ଆଉ ମୟୂରୀ ସବୁଦିନ ମୋ ଘରକୁ ଆସନ୍ତି ଆଉ ଧୀରେ ଧୀରେ ସେମାନେ ଦେଇ ସହ ଅଧିକ ସମୟ ବିତେଇବାକୁ ଲାଗିଲେ । ରୋହିଣି ଦେଇକୁ ଫୋନରେ ଫୋଟୋ ସବୁ ଛାଡ଼ିବା ଶିଖେଇ ଦେଇଛି । ଏବେ ଫେସବୁକ ପେଜରେ ଦେଇର ଚିତ୍ର ସବୁ ବେଶ୍ ପ୍ରସିଦ୍ଧ । ମୋର ସବୁ ସାଙ୍ଗସାଥି ଏବେ ଦେଇର ପ୍ରଶଂସକ । କୋଉଠି ଦେଇ ମୋର ଘର କୋଣରେ ବସି ରଙ୍ଗ ସହ ଘାଣ୍ଟି ହେଉଥିଲା, କିନ୍ତୁ ଆଜି ମୋ’ଠୁ ତା’ର ଅଧିକ ସାଙ୍ଗସାଥି ଓ ପ୍ରଶଂସକ । ବହୁତ ଫୋନ ଆସେ, କେତେକ ତ ତା’ର ଚିତ୍ରସବୁ କିଣିବାକୁ କୁହନ୍ତି । କେତେ ଅର୍ଡ଼ର ଦିଅନ୍ତି ନୂଆ ଚିତ୍ର ଆଙ୍କିବା ପାଇଁ । ମୟୂରୀ ତା’ର ଚିହ୍ନା ଲଗେଇ ଏବେ କାଳେ ଦେଇର ସବୁ ଚିତ୍ର ପ୍ରଦର୍ଶନୀ କରାଇବା ପ୍ରସ୍ତାବ ଦେଇଛି । ସେଦିନ ମୟୂରୀ କହୁଥିବାର ମୁଁ ଶୁଣିଲି, “ଦେଇ ସହରରେ ଏ ଚିତ୍ରସବୁ ଲୋକେ ଲକ୍ଷ ଲକ୍ଷରେ କିଣନ୍ତି, ତୁମେ ବିନା ଶିକ୍ଷା ଗ୍ରହଣ କରି ଏତେ ସୁନ୍ଦର ଚିତ୍ର କରିପାର । ବିଶ୍ୱାସ କର ତୁମେ ବହୁତ ନାଁ କରିବ, ମୁଁ ତୁମକୁ ସାହାଯ୍ୟ କରିବି ।” ମୁଁ ସେହିପଟେ ଚାଲିଗଲି, ଦେଇ ପଛରୁ ଡାକୁ ଥିଲା ମୁଁ ତାକୁ ଅଣଦେଖା କରି ଚାଲିଗଲି । ରାଗ, ରୁଷା, ଅଭିମାନ, ଗ୍ଲାନି ଏହାକୁ କି ନାମ ଦେବି ଜାଣିନି କିନ୍ତୁ ଏଥର ମୁଁ ଆଉ ଦେଇ ସହ କଥା ବି ହେଉ ନଥିଲି । କେତେ ଡାକୁଥିଲା ମତେ ସେ, ହେଲେ ମୁଁ ସବୁବେଳେ କିଛି ନା କିଛି ବାହାନା କରି ତାକୁ ଟାଳି ଦିଏ ।

ମୋର ପଦୋନ୍ନତି ହୋଇଥିଲା । ମୁଁ ସେଦିନ ଅଫିସରେ ଖୁସିରେ ପାର୍ଟି ଦେଇଥିଲି କିନ୍ତୁ ସେଦିନ ଦେଇର ପ୍ରଥମ ଚିତ୍ର ପ୍ରଦର୍ଶନୀ ଥିଲା । ମୁଁ ମୋର ସବୁ ସାଙ୍ଗମାନଙ୍କୁ ଡାକିଥିଲି କିନ୍ତୁ ଅଧାରୁ ଅଧିକ ତ ଦେଇର ପ୍ରଦର୍ଶନୀ ଦେଖିବାକୁ ଯାଇଥିଲେ, ବାପା ବୋଉ ବି ସେଇଠି ହିଁ ଥିଲେ । ଖାଇବା ଟେବୁଲରେ ବୋଉ ଦେଇର କଥା ଖାଲି କହୁଥିଲା, ମତେ ଦେଖି ଦେଇ ବି ଆରମ୍ଭ ହୋଇଗଲା, ଏୟା ହେଲା ସେୟା ହେଲା, ହେଲେ ମୀନୁ ତୁ କାହିଁକି ଆସିଲୁନି । ମୁଁ ସତରେ ତତେ ବହୁତ ଖୋଜୁଥିଲି । ବାରମ୍ବାର ସେଇ କଥା ଶୁଣି ଶୁଣି ମୁଁ ଚିଡ଼ି ଯାଇଥିଲି । ସେଦିନ ତାକୁ କ’ଣ କ’ଣ ନ ଶୁଣେଇଛି । ରାଗରେ କହିଦେଲି ତାକୁ ବାଙ୍ଗାଲୋର ଆଣିବାଟା ମୋର ସବୁଠୁ ବଡ଼ ଭୁଲ । ସେ ଏଠି ନଥିଲା, ମୁଁ ବହୁତ ଖୁସିରେ ଥିଲି । ପରଦିନ ଅନ୍ୟମାନେ ଉଠିବା ଆଗରୁ ମୁଁ ଅଫିସ୍ ଚାଲିଗଲି । ଏବେ ବି ମୋ ମନ ଖୁସି ନଥିଲା କିନ୍ତୁ ମୁଁ ଜାଣି ପାରୁନଥିଲି କାରଣ କ’ଣ? ଘରୁ ବହୁତ ଫୋନ ଆସୁଥିଲା ମୁଁ କଥା ହେବାକୁ ଚାହୁଁ ନଥିଲି, ତା’ପରେ ରୋହିଣି ଦୌଡ଼ି ଆସି କହିଲା, “ମିନୁ ଦେଇକୁ ମେଡିକାଲ୍ ନିଆଯାଇଛି ତତେ ଡାକୁଛନ୍ତି । ଜଲଦି ଯା ।” ମୁଁ ମନରେ ଭାବିଲି ହଁ କ’ଣଟେ ହେବ ଗୋଡ଼ଟା ଦେଖେଇବାକୁ ଯାଇଥିବେ ଆଉ କ’ଣ? ଆଉ ଏବେ ତ ଦେଇ ବହୁ ଚର୍ଚ୍ଚିତ ଲୋକ, ମୋର ବା ତାକୁ କି ଆବଶ୍ୟକତା । ତାତ୍ସଲ୍ୟରେ ମୁଁ କହିଲି, “ତୁ ଯିବୁନି କି?” ରୋହିଣି କହିଲା, “ମୁଁ ଏବେ ସାଙ୍ଗେ ସାଙ୍ଗେ କାମସାରି ଯାଉଛି ।” ସେ ଚାଲିଗଲା ଆଉ ମୁଁ ତା’ ଆଡ଼କୁ ଧ୍ୟାନ ନଦେଇ ମୋ କାମ କଲି । କାମ ସରିଲା ପରେ ମୁଁ ସିଧା ଘରକୁ ଗଲି ।

ଏବେବି ମନ ବଡ଼ ଅସମଞ୍ଜସରେ ଥିଲା, କ’ଣ ଚାଲିଥିଲା ମୁଁ ବୁଝି ପାରୁନଥିଲି । ଆଉ ଏମିତି ହିଁ ମୋର ପାଦ ଆପଣାଛାଏଁ ଦେଇର ରୁମ୍ ଆଡ଼କୁ ଚାଲିଗଲା । ଏତେ ସମୟ ଧରି ଗୋଟିଏ ଘରେ ଥାଇ ବି ମୁଁ କେବେ ଦେଇର ରୁମ୍‌କୁ ଆସି ନଥିଲି ।

ଦେଇର ରୁମ୍‌ରେ ଦୁଆର ମୁହଁରୁ ଆଉ ପୁରା ରୁମ୍‌ରେ ଆମ ଦୁହିଁଙ୍କର ପିଲା ଦିନରୁ ଆଜିଯାଏଁ ସବୁ ସ୍ମୃତି ସଜାଇ ହୋଇ ରହିଛି । ଚାରିପଟେ ଆମ ଦୁହିଁଙ୍କର ବହୁତସାରା ଫଟୋ ଲାଗିଛି । ଥରେ ଦେଇର ଗୋଟେ ଚିତ୍ର ମୋ ହାତରେ ଖରାପ ହୋଇଯାଇଥିଲା, ସେଇଟା ବି ଅଛି । ତାକୁ ହାତରେ ନେଲା ବେଳେ ମୋ ଆଖିରୁ ଝରି ଯାଉଥିଲା ମୋର ସମ୍ପୂର୍ଣ୍ଣ ପିଲାଦିନ । ହଠାତ ନଜର ପଡିଲା ତକିଆ ତଳର ଏକ ଡାଏରୀ ଉପରେ । କିନ୍ତୁ ଦେଇ କେବେ ଡାଏରୀ ଲେଖିବା ଆରମ୍ଭ କଲା? ଆହୁରି ରାଗ ଲାଗିଲା ମୋ ବିଷୟରେ ସବୁ କଥା ଦେଇ ଜାଣେ, ଅଥଚ ଦେଇର ଏମିତି କେତେ କଥା ଅଛି ଯାହା ମୁଁ ଜାଣିନି ।

ମନ କହିଲା ତୁ କେବେ ଜାଣିବାକୁ ଚାହିଁଚୁ? ସତେ ତ ! ମୁଁ ସବୁବେଳେ ମୋ କଥା ତାକୁ କହେ କିନ୍ତୁ କେବେ ତା’ କଥା ଶୁଣେନି । ପୃଷ୍ଠା ପରେ ପୃଷ୍ଠା ଓଲଟାଇବା ଆରମ୍ଭ କଲି ତ ବୁଝିଲି ଯେ, ମୁଁ କେବେ ଜାଣି ହିଁ ପାରିଲିନି ଯେ ମୋ ଜୀବନରେ ଏତେ ଲୋକ ଆସିଲେ କିନ୍ତୁ ତା’ ଜୀବନରେ କେବଳ ମୁଁ ହିଁ ଆସିଥିଲି । ଆଉ କାହାକୁ ସେ ଆଣିବାକୁ ଦେଇନି । ମୋ ଦେଇ କେତେ ଏକା ଥିଲା ତା’ ଜୀବନରେ । ଯେଉଁ ପୃଷ୍ଠାଟି ଗତ ରାତିରେ ଲେଖିଥିଲା ସେଥିରେ ଲେଖା ଥିଲା, “ଡାଏରୀ ମୁଁ ଜାଣିନି ମୁଁ ଆଉ କେତେ ଦିନ ବଞ୍ଚିବି, ମୋ ହୃଦୟର ଛିଦ୍ରଟି ବୋଧେ ଆହୁରି ଗଭୀର ହୋଇଗଲାଣି । ମୋ ମିନୁ ଜାଣିଲେ କେତେ ମନ ଦୁଃଖ କରିବ । ତାକୁ ଆଜିଯାଏଁ ଏ କଥା ଲୁଚାଇ ରଖିଛି, କିନ୍ତୁ ଏ ଦେହ ଆଉ ସାଥ୍ ଦେଉନି, ମୁଁ କ’ଣ କରିବି ଡାଏରୀ…..”

ମୋ ପାଦ ତଳୁ ମାଟି ଖସିଗଲା ସତେକି ! ଏତେ ବଡ଼ କଥା ମୁଁ ଜାଣିନି, ଆଖିରୁ ଝରିଗଲା ସବୁ ରାଗ, ଅଭିମାନ, ଇର୍ଷା । ଇତଃସ୍ତତଃରେ ଡାଏରୀର ଶେଷ ପୃଷ୍ଠାଟି ବାହାରି ଆସିଲା । ଶେଷ ଫର୍ଦ୍ଦଟିରେ ଦେଇ ଆଙ୍କିଥିଲା ଏକ ସୁନ୍ଦର କ୍ଷତାକ୍ତ ହୃଦୟ, ଆଉ ତା’ଭିତରେ ମୋର ମୁହଁ । କୋହ ସମ୍ଭାଳି ହେଲାନି ମୋର ସେ ଚିତ୍ର ଦେଖି, କେତେ କଷ୍ଟ ରେ ଅଛି ମୋ ଦେଇ ।

ଆପଣମାନେ ଭାବୁଥିବେ ମୁଁ ସତରେ କେତେ ସ୍ୱାର୍ଥପର । ହଁ ମୁଁ ବି ନିଜପାଇଁ ଆଜି ସେଇଆ ହିଁ ଭାବୁଛି । ସାରା ଜୀବନ ମୋ ଦେଇ କେବଳ ଦେଇ ଚାଲିଛି । ପିଲାବେଳେ ଆମେ ଶପଥ ନେଇଥିଲୁ;

“ଚିନୁ ମିନୁ ଦୁଇ ଭଉଣୀ
ଦୁଇ ଦେହ ଗୋଟେ ପ୍ରାଣ
କଥା ଦେଲି ମତେ ଲୋଡ଼ା ନାହିଁ ସାଙ୍ଗ ତୋ ବିନା ଏ ଜୀବନ
ତୋ ବିନା ଏ ଜୀବନ ।”

କିନ୍ତୁ ଆଜିଯାଏଁ କେବଳ ସେ ହିଁ ପାଳି ଆସିଛି ବନ୍ଧୁତ୍ୱକୁ । ଭଗବାନ ମତେ ଆଜି ମୋ ବନ୍ଧୁତ୍ୱ ପାଳିବାର ସୁଯୋଗଟିଏ ଦେଇଛନ୍ତି, ଜାଣିଛି ସମୟ ଓ ପରିସ୍ଥିତି ବିପରୀତ ଅଛି । କିନ୍ତୁ ମୋ ଦେଇର କ୍ଷତାକ୍ତ ହୃଦୟ ଚିତ୍ରଟିକୁ ମୁଁ ସଜାଡ଼ିଦେବି ନିଶ୍ଚୟ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu