You are currently viewing ସଂଘର୍ଷ
ସଂଘର୍ଷ

ସଂଘର୍ଷ

“ଦିଲ୍ କିଆ କରେଁ ଜବ କିସିସେ, କିସିକୋ ପ୍ୟାର ହୋ ଯାୟେ । ଜାନେ କାହାଁ କବ କିସିକୋ, କିସିସେ ପ୍ୟାର ହୋ ଯାୟେ ।”

ମୋ ଫୋନର ଆଲାରାମ୍ ବାଜୁଥିଲା । “ପ୍ୟାର ପ୍ୟାର କହି କହି ସୁଖ ନିଦଟାକୁ ଭାଙ୍ଗିଦଉଛି ଏ ଫୋନ । କାଲିଠୁ ଆଲାରାମ ଆଉ ଦେବି ଯେ ସେ ବାଜିବ । ଏତେ ସକାଳୁ କିଏ ଉଠିବ ଯେ ! ଛାତ୍ର ଜୀବନର ସବୁଠୁ ବଡ଼କଷ୍ଟ ହେଉଛି ରାତି ୪ଟାରୁ ଉଠିବା, ତା’ପୁଣି ବାଥ୍‌ରୁମ ପାଇଁ କାଳେ ଭିଡ଼ ହୋଇଯିବ । ସେ ଭିଡ଼ ପୁଣି କୌଣସି ରେଳ ଷ୍ଟେସନ ଭିଡ଼ଠାରୁ କିଛି କମ ନୁହେଁ । ବାଲ୍‌ତି ଲାଇନ ପୁରା ରେଳଗାଡ଼ି ଡବା ପରି ଲମ୍ବିଥିବ ଆଉ ତା’ ସାଙ୍ଗକୁ ବାନ୍ଧବୀମାନଙ୍କର ବାଥ୍‌ରୁମ କବାଟ ଉପରେ ଅତ୍ୟାଚାର । କବାଟ ବାଡ଼େଇ ବାଡ଼େଇ କହୁଥିବେ, “କେତେ ଟାଇମ୍ ଲାଗିବ ବେ ନନସେନ୍ସ । ବାଥ୍‌ରୁମରେ କ’ଣ ଘରକରି ରହିଗଲୁ ନା କ’ଣ?” ବାନ୍ଧବୀମାନଙ୍କର ଏମିତି ବହୁତ ମିଠାମିଠା ଗାଳି ଶୁଣିବାକୁ ହୁଏ । ତେଣୁ ଯଦି ଉଠିବାରେ ଡେରି ହୋଇଗଲା ତେବେ ଅଗାଧୁଆ କ୍ଳିନିକାଲ ଡ୍ୟୁଟି ଯିବା ନିଶ୍ଚିତ । ତେଣୁ ଜଲଦି ଉଠି ପ୍ରଥମେ ନିତ୍ୟକର୍ମ ତା’ପରେ ଯାହା । ଫୋନକୁ ଗାଳିକରି କି ଲାଭ? ଆଲାରାମ୍ ତ ମୁଁ ନିଜେ ହିଁ ଦେଇଥିଲି । ତେଣୁ ଉଠି ବିଛଣା ଉପରେ ଚକାପକାଇ ବସିଲି କିଛି ସମୟ ପାଇଁ । ସେ କିଛି ସମୟ ଭିତରେ ବସିବା ଅବସ୍ତାରେ କେତେବେଳେ ମୁହଁମାଡ଼ି ଶୋଇଯାଇଛି ମୁଁ ନିଜେ ବି ଜାଣିପାରିନି । ପୁଣି ଆଲାରାମ୍ ବାଜିଲା ରାତି ୫ଟାରେ । “ହେ ଭଗବାନ ! ଆଉ ସହି ହବନି । ଏ ଫୋନ ଶାନ୍ତିରେ ଶୁଆଇ ଦବନି ।”

ନିତ୍ୟକର୍ମ ସାରିବା ପରେ, ଖାଇ ସାରି ଆସି ଆପ୍ରୋନ ପିନ୍ଧି ବାହାରିଗଲି କ୍ଳିନିକାଲ ଡ୍ୟୁଟି । କଲେଜ ବସକୁ ସମସ୍ତେ ଅପେକ୍ଷା କରିଥାଉ । କାରଣ ପ୍ରଥମେ ଆମ ବଡ଼ ଦିଦିମାନଙ୍କୁ ହସ୍ପିଟାଲରେ ଛାଡ଼ି ଆସିବାପରେ କଲେଜ ବସ ଆମକୁ ନେଇକି ଯିବ । ସବୁଥର ଡ୍ୟୁଟିରେ ମୋର ଉଭୟ ନୂଆ ଏବଂ ପୁରୁଣା ମେଡିସିନ୍ ୱାର୍ଡ଼, ସର୍ଜରି, ଅର୍ଥୋପେଡ଼ିକ୍ ନେଫ୍ରୋଲୋଜି, ହେମାଟୋଲୋଜି, ଇତ୍ୟାଦି ୱାର୍ଡ଼ରେ ମୁଁ ଡ୍ୟୁଟି କରିଛି । ବହୁତ ରୋଗୀଙ୍କ ସହ ପରିଚୟ ମଧ୍ୟ ହୋଇଛି । ହଜାର ହଜାର ରୋଗୀ; ହସ୍ପିଟାଲରେ ସମସ୍ତଙ୍କୁ ମନେରଖିବା ସମ୍ଭବ ନୁହେଁ । ତେଣୁ କିଛି ରୋଗୀଙ୍କ କଥା ମନେ ଅଛି ଆଉ କିଛି ରୋଗୀଙ୍କୁ ଭୁଲି ଯାଇଛି । ସେଦିନ ୱାର୍ଡ଼ରେ ମୁଁ ମୋର ଦୁଇଜଣ ବାନ୍ଧବୀ ବସିଥାଉ । ବିଶେଷ କିଛି କାମ ନଥିଲା, ତେଣୁ ଇନଚାର୍ଜ ଦିଦିଙ୍କ କଥା ଅନୁସାରେ ମୁଁ ରୋଗୀମାନଙ୍କର ଟିକେଟ ସବୁ ସଜାଡ଼ି ଫାଇଲରେ ରଖୁଥାଏ । ହଠାତ ଜଣେ ମଉସା ଆସି କହିଲେ, “ଝିଅ ସାଲାଇନ୍ ସରିଯାଇଛି । ଟିକେ ସାଲାଇନ୍ ପାଇପ୍‌ଟା ହାତରୁ କାଢ଼ିଦବ ଆସ ।”

– ଚାଲ ମଉସା ମୁଁ କାଢ଼ିଦେବି କହି ତାଙ୍କ ପଛେ ପଛେ ଗଲି । ସେଠାରେ ନିସ୍ତେଜ ଅବସ୍ତାରେ ଶୋଇରହିଥିଲେ ଜଣେ ୭୦ ବର୍ଷର ମହିଳା । ଦେହରେ ହାଡ଼ ଦି’ଖଣ୍ଡ ସେ ମାଉସିଙ୍କର । ଦୁନିଆରେ ଏତେ ପତଳା ଲୋକ ବି ଅଛନ୍ତି ଭାବି ଆଶ୍ଚର୍ଯ୍ୟ ଲାଗୁଥାଏ । ସାଲାଇନ ପାଇପ କାଢ଼ିଲାବେଳେ “ମଉସା ତମ ଘର କୋଉଠି?” ମୁଁ ପଚାରିଦେଲି ।

– ପୁରୀ ।

– “ଆଛା ପୁରୀରେ ଆପଣଙ୍କ ଘର? ତା’ହେଲେ ନିଇତି ଚକାଡୋଳା ସହ ଭେଟ ହେଉଥିବ”, ଟିକେ ହସିଦେଇ କହିଲି ମୁଁ ।

– ନାଇଁ ଝିଅ କାଳିଆ ସାଙ୍ଗରେ ମୋର ଭାବ ନାହିଁ ! ଏଇ ତିନି ମାସ ହବ ବୁଢ଼ୀଟାର ଦେହ ଖରାପ ହେଲାଣି । ସାରେ ଆଜ୍ଞା କ’ଣ କହୁଛନ୍ତି ମୁଁ ବୁଝିପାରୁନି । ବୁଢ଼ୀ ତ ଆଖି ଖୋଲୁନି କି ଡାକିଲେ ଶୁଣୁନି । ପାଟିପଟେ କିଛି ଖାଉନି ବୋଲି ମାଡାମ ଆସି ନାକରେ ନଳୀ ଲଗେଇ ଦେଲେ । ହେଲେ ସେ ନଳୀରେ ଖାଇବା କିଛି ଯାଉନି ।

– “ଫୁଲ ଦାସ କିଏ?” ପିଜି ମାଡାମ ଡାକିଲେ, ବି.ପି ଚେକ୍ କରିବାପାଇଁ । ମଉସା କହିଲେ, “ମାଡାମ ଇଏ ଫୁଲ ଦାସ ।” ଜଣେ ମହିଳା ବେଙ୍ଗଲି ଡାକ୍ତର ସେ ମାଉସିଙ୍କ ଚେକଅପ୍ କରୁଥିଲେ । ସେ ଆସିବାରୁ ମୁଁ ସେ ସ୍ଥାନରୁ ପଳେଇ ଆସିଲି ।

ସେ ଦିନସାରା ଆଉ ସେ ମଉସାଙ୍କ ସହ ଭେଟ ହେଇନି । ତା’ପର ଦିନ ଗଲାବେଳକୁ ଡ୍ୟୁଟି ରୁମରେ ସେ ମଉସା ଛିଡ଼ା ହୋଇଥିଲେ । କହୁଥିଲେ- “ସେ ନାକ ନଳୀ ଖୋଲିଦିଅ ସେଥିରେ ଖାଇବା ଯାଉନି ।” ୱାର୍ଡ଼ର ମିନାକ୍ଷୀ ଦିଦି କହିଲେ, “ସକାଳୁ ତାଙ୍କୁ କ’ଣ ଖାଇବାକୁ ଦେଇଛ ମଉସା?”

– “କେମିତି ଦେବି ଆଜ୍ଞା କିଛି ଯୋଗାଯୋଗର ନାହିଁ । ବେଲା ଗୋଟେ ୬୦ ଟଙ୍କା ଦେଇକି କିଣିକି ଆଣିଥିଲି । ସେଥିରେ ବୁଢ଼ୀର ପରିସ୍ରା ଲାଗି ଖରାପ ହୋଇଗଲା ।”
– “କି ଅଜବ ଲୋକ ତମେ? ୧୧ଟା ହେଲାଣି କିଛି ଖାଇବାକୁ ଦେଇନ? ମଉସା, ପାଖରେ ପଲିଥିନ ଜରି ଅଛି? ସେଥିରେ ଖାଇବାକୁ ଆଣ । ତାଙ୍କୁ ଖାଇବାକୁ ଦିଅ ।”
– “ଗରିବ ଲୋକ ଆଜ୍ଞା ପଲିଥିନ କୋଉଠୁ ଆଣିବି?”

– “ଝିଅରେ ସେ ଚେୟାର ଉପରୁ ମୋ ବ୍ୟାଗ୍‌ଟା ଦେଲୁ ସେଥିରେ ପଲିଥିନ ଜରି ଥିବ, ସେ ମଉସାଙ୍କୁ ଦବା । ମୁଁ ବ୍ୟାଗଟି ଆଣି ଦିଦିଙ୍କ ହାତକୁ ବଢ଼େଇ ଦେଲି । ଖୋଜାଖୋଜି କରି ଦି’ଟା ପଲିଥିନ୍ ଜରି ଦିଦି ସେ ମଉସାଙ୍କ ହାତରେ ଧରେଇ ଦେଲେ । ଆଉ ତାଗିଦ୍ କରି କହିଲେ, “ଜଲଦି ଯାଇ ଖାଇବାକୁ ଆଣ ଆଉ ଖାଇବାକୁ ଦିଅ । ଖାଇ ସାରିଲେ ଇଂଜେକ୍ସନ ଦିଆଯିବ ।”

– “ଦୁନିଆରେ ଏତେ ଗରିବ ଅଛନ୍ତି ବୋଲି ମୋର ବିଶ୍ୱାସ ହେଉନି । ଟଙ୍କିକିଆ ଚାଉଳ ମିଳୁଛି, ଆହୁରି କେତେ କ’ଣ ସରକାର ବ୍ୟବସ୍ତା କରିଲେଣି ହେଲେ ଏ ମଉସା ପାଖରେ ସାଧାରଣ ପଲିଥିନି ଜରିଟେ ବି ନାହିଁ”, ମିନାକ୍ଷୀ ଦିଦି କହିଲେ । ପ୍ରତିଉତ୍ତରରେ ମୁଁ କହିଲି, “ଦିଦି ଜାଣିଛନ୍ତି ଓଡ଼ିଶାର ଏମିତି ବି ଗାଁ ଅଛି, ଯେଉଁଠି ଲୋକମାନେ ଆମ୍ବ କୋଇଲି ଖାଇ ବଞ୍ଚିଛନ୍ତି । ସେମାନେ ବିକାଶଠାରୁ ବହୁତ ଦୂରରେ । ଜଙ୍ଗଲ ଭିତରେ ରୁହନ୍ତି । ଔଷଧ କ’ଣ ଜାଣନ୍ତିନି ଆଉ ଛୁଆ ଜନ୍ମ ହେଲେ ତା’ପାଇଁ ଟିକାକରଣ ସାତ ସପନ । ସରକାର ସବୁ ବ୍ୟବସ୍ତା କରିଛନ୍ତି ସତ କିନ୍ତୁ ଯେଉଁମାନେ ପାଇବାକୁ ଯୋଗ୍ୟ ସେମାନଙ୍କୁ ମିଳୁନି । ସେଥିପାଇଁ ତ ଓଡ଼ିଶା ସବୁ ରାଜ୍ୟଠୁ ଏତେ ପଛରେ ।”

– “ସତ କହିଲ ଛୁଆ ଦିଦି”, ୱାର୍ଡ଼ରେ କାମ କରୁଥିବା ଜଣେ ଭାଇ ମତେ ଚାହିଁ କହିଲେ ।

ମଙ୍ଗଳବାର ୱାର୍ଡ଼ରେ ଆଡମିସନ୍ । ବହୁତ ରୋଗୀ ଆସିଥାନ୍ତି । ବହୁତ କାମ ମଧ୍ୟ ଥାଏ । ତା’ପରେ ୧୨.୩୦ରେ ଆମକୁ ୱାର୍ଡ଼ ଛାଡ଼ିବାର ଅଛି, କାରଣ ହସ୍ପିଟାଲରୁ ଆସି ପୁଣି କଲେଜରେ ଇଚ୍ଛା ଥାଉ କି ନଥାଉ ୨ଟାରେ କ୍ଳାସ କରିବାକୁ ପଡ଼ିବ । କିନ୍ତୁ ସେଦିନ ରୋଗୀମାନଙ୍କର ସଂଖ୍ୟା ଅଧିକ ଥିବାରୁ ମୋର ଟିକେ ଡେରି ହୋଇଗଲା । ଆମ କଲେଜ ବସ ଛାଡ଼ିବା ଉପରେ ଥାଏ, ଦୌଡ଼ି ଦୌଡ଼ି ଆସି ବସ୍‌ରେ ଚଢ଼ିବାକୁ ପଡ଼ିଥିଲା ମତେ । ଅବଶ୍ୟ ଏମିତି ପରିସ୍ଥିତିର ଆଗରୁ ମଧ୍ୟ ସମ୍ମୁଖୀନ ହୋଇସାରିଛି ମୁଁ । ବସ ଭିତରେ ବସିଲାପରେ ଆକାଶର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ନିଶାରେ ମୋର ଜିଦଖୋର ଆଖି ଦି’ଟା ଆକାଶକୁ ଚାହୁଁ ଚାହୁଁ, ହଠାତ୍ ଭାବନା ଭିତରେ ଧସେଇ ପଶିଆସିଲା ସେ ମଉସାଙ୍କର ମୁହଁ । କୃଷ୍ଣକାୟ ରଙ୍ଗର ଶରୀରରେ ଚର୍ମ ଧୁଡ଼ୁଧୁଡ଼ୁ ହୋଇଗଲାଣି ତାଙ୍କର । ମୁଣ୍ଡରେ ମେଞ୍ଚାମେଞ୍ଚା ଅସଜଡ଼ା କେଶ । କାହିଁ କେତେ ଦିନ ହେବ ସେ ମୁଣ୍ଡରେ ପାନିଆ ଟିକେ ବାଜିଥିବ କି ନାହିଁ । କେତେବର୍ଷ ହେବ ବୋଧେ ବାରିକ ମୁହଁ ଚାହିଁଥିବେ କି ନଥିବେ ସେ ମଉସା । ନିଜ ଆକୃତିଠାରୁ ବଡ଼ ହେଉଥିବା ଗୋଟିଏ ଧଳା ରଙ୍ଗର ସାର୍ଟ ପିନ୍ଧି ତା’ଉପରେ ନାଲି ଛକି ଗାମୁଛା ଖଣ୍ଡେ ଅଣ୍ଟାରେ ବାନ୍ଧିଥିଲେ । ସତରେ ବୟସର ଶେଷ ସୀମାରେ ମଧ୍ୟ କେତେ ସଂଘର୍ଷ କରୁଛନ୍ତି ସେ ! କିଏ ଜାଣେ ଏ ସଂଘର୍ଷର ଅନ୍ତ ଅଛିକି ନାହିଁ ।

ଧଡାସ୍ କିନା ସବୁ ଭାବନା ଭାଙ୍ଗିଗଲା, ବସର ଗୋଟିଏ ବ୍ରେକରେ । ମେଘମାଳ ଭିତରେ ହଜିଯାଇଥିବା ଆଖି ଦୁଇଟି ପୁଣି ବାସ୍ତବ ଅବସ୍ଥାକୁ ଫେରିଆସିଲେ । କଲେଜ ଫାଟକ ଭିତରକୁ ବସ ପ୍ରବେଶ କଲା । ତା’ପରେ ସବୁ ଭାବନା ବସ ଭିତରେ ହିଁ ରହିଗଲା । ଖାଇସାରି କ୍ଳାସ ଚାଲିଗଲି । ତା’ ପରଦିନ ସକାଳୁ ପୁଣି ମୋବାଇଲର ସେ ଫାଲତୁ ଆଲାରାମ୍ ନିଦ ଭାଙ୍ଗିଦେଲା । ଉଠିବାକୁ ଜମା ଇଛା ନାହିଁ, ତଥାପି ବାଧ୍ୟ ହୋଇ ୱାର୍ଡ଼ ଆସିଲି । ଡ୍ୟୁଟି ରୁମ ଭିତରେ ପାଦ ରଖିଛି ନାଇଁ,

– “ପୁରୀ ଡାକ୍ତରଖାନାରେ ଥିଲେ ବୁଢ଼ୀ ମରିଥିଲେ ମରିଥାନ୍ତା ! ମୁଁ ତାକୁ ପୋଡ଼ିଥାନ୍ତି, ନହେଲେ ପୁରୀ ସମୁଦ୍ରର ଭସେଇ ଦେଇଥାନ୍ତି ! ମତେ ସେ ଆମ୍ବୁଲାନ୍ସବାଲା ଆଣି ଏ ନର୍କରେ ପକେଇଦେଲେ । ମୁଁ ଗରିବ ଲୋକ ଆଜ୍ଞା ! ମୋର କିଛି ନାହିଁ, ମୁଁ କେମିତି ଯିବି ଆଜ୍ଞା?? ମୋ କଥା ଟିକେ ବୁଝନ୍ତୁ ଆଜ୍ଞା !” ଭାରି କାକୁତିମିନତି କରି ସେ ମଉସା ମିନାକ୍ଷୀ ଦିଦିଙ୍କୁ କହୁଥିଲେ । ହୃଦୟର କୋହ ସବୁ ଆଖିର ଲୁହ ହୋଇ ବହିଯିବା ଆଗରୁ ମଉସା କହୁଣିରେ ମୁହଁ ପୋଛିଦଉଥିଲେ । ଆଉ ଯନ୍ତ୍ରଣାକୁ ବଖାଣି ପାରୁନଥିବା ତାଙ୍କ ଓଠ ସେଦିନ ଖାଲି ସହାୟତାର ଭିକ୍ଷା ମାଗୁଥିଲା । ୱାର୍ଡ଼ ଦିଦିଙ୍କୁ ପଚାରିବା ପରେ ମୁଁ ଜାଣିବାକୁ ପାଇଲି ଯେ ସେ ମାଉସିଙ୍କର ମୃତ୍ୟୁ ହୋଇଯାଇଥିଲା । ସଙ୍ଗେ ସଙ୍ଗେ ୱାର୍ଡ଼ରେ ଯାଇ ଦେଖିଲି, ସେ ମାଉସି ଆଉ ନଥିଲେ ।

– “ମଉସା ! ତୁମ ଘର ଲୋକ କେହି ଆସିନାହାନ୍ତି କି?” ମୁଁ ତାଙ୍କୁ ପଚାରିଲି ।
– “ନାଇଁ ଝିଅ ମୋର କେହି ନାହାନ୍ତି ।”
– “ଆଉ ତୁମ ପୁଅ ଝିଅ କେହି ନାହାନ୍ତି କି??”

– “ସେମାନଙ୍କ କଥା କାହିଁକି ପଚାରୁଛ ଝିଅ ! ସେମାନେ ଥିଲେ କେତେ ନଥିଲେ କେତେ ! ବୁଢ଼ୀର ଦେହ ଖରାପ ହେବା ଦିନରୁ ତିନି ମାସ ହେଲାଣି ଏଇ ଡାକ୍ତରଖାନାରୁ ସେଇ ଡାକ୍ତରଖାନା ବୁଲୁଛି । ପୁଅ ଜନ୍ମ କରିଥିଲି ଆଜ୍ଞା ! ମଲାବେଳେ ମୋ ମୁହଁରେ ନିଆଁ ଟିକେ ଦବ । ପୁଅ ସ୍ତ୍ରୀକୁ ନେଇ ସହରରେ ରହୁଛି । ମାଆକୁ ଥରୁଟିଏ ଦେଖିବାକୁ ଆସିଲାନି । ଆଉ ଝିଅକୁ ଏଇ ଜଗତପୁରରେ ବାହା କରିଛି । ସେ ଶାଶୁଘର ବୋହୂ, ସବୁବେଳେ କ’ଣ ଆମ ପାଖରେ ରହିପାରିବ? ଖବର ପଠେଇଥିଲି ମାଆ ମରିଗଲା ବୋଲି ! ଆସୁଥିବ ।” ଏତିକି କହି ଚୁପ ରହିଲେ ସେ ।

– “ଯିବା ଆସିବାର ସଂସାର ମଉସା କ’ଣ କରିବା କୁହନ୍ତୁ?” କହି ସାନ୍ତ୍ୱନା ଦେବାକୁ ଚେଷ୍ଟା କରୁଥାଏ ମୁଁ । ଆଉ ମନେ ମନେ ଭାବୁଥାଏ, “ଅର୍ଦ୍ଧାଙ୍ଗିନୀ ସିନା ଅହ୍ୟରାଣୀ ହୋଇ ଆରପାରିକୁ ଚାଲିଗଲା । ହେଲେ ମଉସାଙ୍କୁ କେତେ ଦୁଃଖ ଯନ୍ତ୍ରଣା ଦେଇଗଲା ସତେ ।” ସକାଳ ୫ଟାରୁ ମାଉସିଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ ଦିନ ୧୧ଟା ପର୍ଯ୍ୟନ୍ତ ତାଙ୍କ ମୃତ ଶରୀରର ହସ୍ପିଟାଲ ବାରଣ୍ଡାରେ ପଡ଼ିରହିଥିଲା । ତେବେ ଏଥିପାଇଁ ଦାୟୀ କିଏ?? ମଉସାଙ୍କର ପୁଅ ନା ଆମ ସରକାର? ୧୦୮ ଆମ୍ବୁଲାନ୍ସ ସେବା ଲୋକମାନଙ୍କ ପାଇଁ ମାଗଣାରେ ଯୋଗାଇଦେବାକୁ ସରକାର ଏହି ସେବାର ଉଦ୍ଘାଟନ କରିଥିଲେ । କିନ୍ତୁ ମଉସାଙ୍କୁ ତାଙ୍କ ଘରେ ଛାଡ଼ିବାପାଇଁ ଆମ୍ବୁଲାନ୍ସ ଚାଳକ ୧୯୦୦ ଟଙ୍କା ମାଗିଥିଲେ । ଥରେ ଭାବନ୍ତୁ ତ, ଯାହା ପାଖରେ ଛାର ପଲିଥିଲିନ୍ ଜରିଟେ ନାହିଁ ସେ ୧୯୦୦ ଟଙ୍କା ଆଣିବ କେଉଁଠୁ? ସେବା ଯଦି ମାଗଣା ତେବେ ଆମ୍ବୁଲାନ୍ସ ଚାଳକ ଟଙ୍କା ମାଗୁଛନ୍ତି କାହିଁକି? ଗାଡ଼ି ଚାଳନାପାଇଁ ସରକାର କ’ଣ ତାଙ୍କୁ ସ୍ୱତନ୍ତ୍ର ମାସିକ ଦରମା ଦଉନାହାନ୍ତି କି? ତେବେ ଗରିବଙ୍କ ଉପରେ ଏତେ ନିଷ୍ଠୁରତା କାହିଁକି? ଆଉ କେତେ ଜଣ ଦାନ ମାଝି ନିଜ ସ୍ତ୍ରୀର ମୃତ ଶରୀରକୁ ମୁଣ୍ଡରେ ବୋହିଲେ ସରକାର ଚେତିବେ ! ଗରିବର ଦୁଃଖ ବୁଝିବାପାଇଁ ଆମ ସରକାରଙ୍କୁ ଖାଲି ଉଦାହରଣ ଦରକାର ଆଉ କିଛି ନୁହେଁ ।

ବାକି ରହିଲା ମଉସାଙ୍କ ପୁଅ । ଖାଲି ମଉସାଙ୍କ ପୁଅ କାହିଁକି, ଏମିତି ବହୁତ ଜଣ ଅଛନ୍ତି ଯେଉଁମାନେ ପିତାମାତାଙ୍କ ବାର୍ଦ୍ଧକ୍ୟ ଅବସ୍ତାରେ ସେମାନଙ୍କୁ ପର କରିଦଉଛନ୍ତି । ସ୍ତ୍ରୀ ପାଇଁ ଚିକିମିକିଆ ଶଢ଼ୀ କିଣିଦେଇ ପୁରୁଷପଣିଆ ଦେଖାଉଥିବା ପୁଅମାନେ କ’ଣ ମାଆର ସେ ଚିରା ପଣତକାନିକୁ ଦେଖିପାରନ୍ତିନି, ଯେଉଁ ପଣତକାନିରେ ମୁହଁ ନପୋଛିଲେ ଆତ୍ମଶାନ୍ତି ମିଳେନି । ଯେଉଁ ମାଆ କୋଳରେ ମୁଣ୍ଡ ନଗୁଞ୍ଜିଲେ ଆଖିକୁ ନିଦ ଆସେନି । ସେଇ ମାଆକୁ ପୁଅ ପର କରିଦେଉଛି । ସେଦିନ ମଉସାଙ୍କର ଝିଅ ଆସିବାପରେ ମାଉସିଙ୍କର ମୃତ ଶରୀର ହସ୍ପିଟାଲ ବାରଣ୍ଡାରୁ ଉଠିଥିଲା । ତା’ପରେ ମାଉସିଙ୍କ ମୃତ୍ୟୁର କାରଣ ଜାଣିବାପାଇଁ ମାଉସିଙ୍କ ଟିକେଟ ଗୋଟି ଗୋଟି ଧାଡ଼ି ପଢ଼ିଥିଲି । ମାଉସିଙ୍କର ଡାଏବେଟିସ ସହ ଉଚ୍ଚ ରକ୍ତଚାପ ଯୋଗୁଁ ସେ ଅସୁସ୍ଥ ହୋଇପଡ଼ିଥିଲେ । ପରେ ଜାଣିବାକୁ ପାଇଲି, ମଉସା ମାଉସିଙ୍କୁ ୧୫ ଦିନ ଭଲରେ ଖାଇବାକୁ ଦେଇପାରିନଥିଲେ । ଯାହା ଫଳରେ ତାଙ୍କର ହୃଦଘାତ ହୋଇ ମୃତ୍ୟୁ ହୋଇଥିଲା । ଖାଇବା ଆଣିବାକୁ ପାତ୍ର ନାହିଁ ଖାଇବାକୁ କେମିତି ବା ଦେଇଥାନ୍ତେ ସେ । ଏକଥା ମଉସାଙ୍କ ବେଡ୍‌ ପାଖରେ ରହୁଥିବା ରୋଗୀର ଲୋକମାନଙ୍କୁ ମଉସାଙ୍କ ବିଷୟରେ ପଚାରିବା ପରେ ସେମାନେ କହିଥିଲେ ।

ସଂସାରରେ ମୃତ୍ୟୁ ହେଉଛି ଏକ ଅପ୍ରିୟ ସତ୍ୟ । ଜନ୍ମ ହୋଇଛେ ମାନେ ଦିନେ ମରଣ ନିଶ୍ଚିତ । କାରଣ “ମହି ମଣ୍ଡଳେ ଦେହ ବହି, ଦେବତା ହେଲେ ବି ମରଇ ।” ପରମେଶ୍ୱରଙ୍କ ଏତେ ସୁନ୍ଦର ସୃଷ୍ଟିରେ ଜୀବନର ପ୍ରତିଟି ମୁହୂର୍ତ୍ତକୁ ଉପଭୋଗ କରିବାର ଅଧିକାର ସମସ୍ତଙ୍କର ଅଛି । କିନ୍ତୁ ଦୁନିଆରେ ଏମିତି ବି ଲୋକ ଅଛନ୍ତି, ଯେଉଁମାନେ “ଉପଭୋଗ”ର ସଂଜ୍ଞା ଖୋଜିପାଇନାହାନ୍ତି । ଦି’ଓଳି ଦି’ମୁଠା ଖାଇବାକୁ ମିଳିଗଲେ କେଡ଼େ କଥା । ଉପଭୋଗ ତ ସାତ ସପନ ସେମାନଙ୍କପାଇଁ !

ଚନ୍ଦ୍ରକାନ୍ତି ପ୍ରଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଚନ୍ଦ୍ରକାନ୍ତି ପ୍ରଧାନ ଜଣେ ନର୍ସିଂ ଛାତ୍ରୀ । ସେ ଓଡ଼ିଆରେ ପ୍ରେମ ଭିତ୍ତିକ ଗଳ୍ପ, କବିତା ଏବଂ ଛୋଟଛୋଟ ରଚନାମାନ କରିଥାନ୍ତି ।