ଖାସି ମାଂସ
ଖାସି ମାଂସ

ଖାସି ମାଂସ

ବାବୁନା ଗୋଟେ ନିଶାଡ଼଼ି । ମଦ, ଗଞ୍ଜେଇ, ତମାଖୁ ଆଦି ବିଭିନ୍ନ କିସମର ନିଶାଦ୍ରବ୍ୟ ସେବନ କରୁଥିବା ନିଶାଖୋର ଯୁବକଟିଏ । ବାପା ଅଜାଙ୍କ ଜମିଦାରୀ ଦିନେ ଥିଲା । ଏବେ ସେ ଜମିଦାରୀ ନଥିଲେ ବି ସମ୍ଭ୍ରାନ୍ତ ବଂଶୀୟ ରଙ୍ଗଢଙ୍ଗ ସହ ଘରର ଚଳଣି ଖୁବ ଭଲଥିଲା । ନିଶା ଖାଇ ଜୁଆ ଖେଳିବା ତା’ର ନିତି ଦିନିଆ କାମ । ଏ ବାବଦରେ ଘରର ବହୁ ପଇସା ବରବାଦ କରିବା ହେତୁ ଘରେ ସମସ୍ତଙ୍କର ବିଶ୍ୱାସ ହରାଇସାରିଥିଲା ବାବୁନା । ସାଇ ପଡ଼଼ିଶା ସମସ୍ତଙ୍କଠାରୁ ଧାର କରଜ କରି ନିଶା ଆଉ ଜୁଆରେ ପଇସା ଉଡ଼଼େଇସାରିବା ପରେ ନ ଶୁଝିବାରୁ କିଛି ଲୋକ ତାଙ୍କ ଘରେ ଅଭିଯୋଗ କରି ପଇସା ଫେରି ପଇଛନ୍ତି । ଏବେ ବାବୁନା ଏମିତି ଅବସ୍ଥାରେ ପହଞ୍ଚିସାରିଥାଏ ଯେ ତାକୁ ଗାଆଁରେ କେହି ବି ଧାର ଦେବେନାହିଁ ।

ବାବୁନା ବିବାହ କରିସାରିଥାଏ । ଘରେ ତା’ର ବାପ, ମଆ, ସ୍ତ୍ରୀ, ଦୁଇଟି ଝିଅ ଓ ଗୋଟେ ପୁଅ । କିନ୍ତୁ ଘରକଥା ବାବୁନା କିଛି ବୁଝେନା । ସବୁକଥା ତା’ ବାପା ରମେଶବାବୁ ହିଁ ବୁଝନ୍ତି । ରମେଶବାବୁ ଉଚ୍ଚ ଶିକ୍ଷତ ତଥା ଖୁବ ନୀତିବାନ ଲୋକ, ଗାଆଁର ମାମଲତକରା; ସମସ୍ତେ ତାଙ୍କୁ ମାନନ୍ତି । ବାବୁନା ନିଶା ଖାଇ ଚୁର୍ ହୋଇ ଗାଁ ରାସ୍ତାରେ ଟଳଟଳ ହୋଇ ଗଲାବେଳେ କିଛି ଲୋକ କୁହାକୁହି ହୁଅନ୍ତି କି, “ରମେଶବାବୁଙ୍କ ପରି ଲୋକର ଔରସରୁ ଏମିତି କୁଳାଙ୍ଗାର କେମିତି ଜନ୍ମହେଲା !”

ରମେଶବାବୁଙ୍କର ବାବୁନା ଏକମାତ୍ର ପୁତ୍ର, ଉଚ୍ଚ ଶିକ୍ଷିତ । ହେଲେ ସାଙ୍ଗ ମେଳରେ ପଡ଼଼ି ନଷ୍ଟ ହୋଇଗଲା ତାଙ୍କ ଆଖି ଆଗରେ । ଏବେ ତ ସରକାର ସହରରେ ଆଉ ସବୁ ଗାଁରେ ମଦ ଦୋକାନ ସଂଖ୍ୟା ବଢ଼େଇବା ସହିତ ଦିନକୁ ଦିନ ଅଧିକରୁ ଅଧିକ ଯୁବକ ଓ ଛାତ୍ର ନିଶା ପାଲରେ ପଡ଼଼ିବା ସଙ୍ଗେ ସଙ୍ଗେ ଅପରାଧର ଦୁନିଆରେ ପାଦ ଦେଉଛନ୍ତି । କେବଳ ସହରର ଏ ଅବସ୍ଥା ନୁହେଁ, ଗାଁମାନଙ୍କର ମଧ୍ଯ ଅବସ୍ଥା ଆହୁରି ସଙ୍ଗୀନ । ଓଡ଼଼ିଶାରେ ପାଖାପାଖି ୪୦ ପ୍ରତିଶତ ପୁରୁଷ ମଦ୍ୟପାନ କରୁଛନ୍ତି । ମଦ ସମେତ ଅନ୍ୟାନ୍ୟ ତମାଖୁ, ଗଞ୍ଜେଇ ଆଉ ବ୍ରାଉନ ସୁଗାର ଆଦି ସାଙ୍ଘାତିକ ନିଶା ସବୁକୁ ମିଶାଇଲେ ଏ ନିଶାଡ଼଼ିଙ୍କ ହାର ୬୦%ରୁ ଅଧିକ ହେବ । ତେଣୁ ଓଡ଼଼ିଶାରେ ନିଶାଡ଼଼ିଙ୍କ ହାର ଜାତୀୟ ହାରଠାରୁ ଢେର ଅଧିକ ।

ରମେଶବାବୁ ବାବୁନାକୁ ବହୁତ ବୁଝାନ୍ତି । ବାବୁନା ବି ସବୁ ବୁଝେ । ଏ ବୁଝିବାଟା ବାବୁନା ମୁଣ୍ଡରେ ଅତି ବେଶିରେ ଦୁଇ କି ତିନି ଦିନ ରହେ ତା’ପରେ ଯେଉଁକଥାକୁ ସେଇକଥା । ଶେଷକୁ ଚିନ୍ତାକଲେ ବାହା କରିଦେଲେ ବୋହୂ ଆସି ପିଲାଟାକୁ ବାଗେଇ ଦେବ । କିନ୍ତୁ ବାବୁନାର କିଛି ବି ପରିବର୍ତ୍ତନ ହେଲାନି । ତିନିଟି ପିଲାର ବାପ ହେଲା ପରେ ସେଇ ସମାନ ସ୍ଥିତି । ଅବଶ୍ୟ ବାବୁନା ମଦ ପିଇ କେଉଁଠି ଗଣ୍ଡଗୋଳ କରେନି । କାହାକୁ କେବେ ଗାଳିଗୁଲଜ କରିନି । କେବଳ ଘରୁ ପଇସା ଚୋରିଚାରି କରି ନିଏ । ସେଥିପାଇଁ ତାକୁ ଘରେ ସମସ୍ତେ ଜଗିଥାନ୍ତି । ଆଜିକାଲି ଘରୁ ପଇସା ଚୋରି କରିବା ସୁଯୋଗ ତାକୁ ଖୁବ କମ ମିଳୁଛି ।

ରଜପର୍ବ ଓଡ଼଼ିଶାର ଗାଆଁଗଣ୍ଡାରେ ପାଳନ କରାଯାଏ । ସେଇ ରଜରେ ଗାଆଁ ମୁଣ୍ଡରେ ଆମିଷବାର ଦିନ ଭଲ ଖାସି ମରାଯାଏ । ସେଦିନ ବୁଧବାର ଥାଏ । ବାବୁନା ଘରେ ଥାଏ । ରମେଶବାବୁ ତାକୁ ଡ଼ାକି କହିଲେ, “ନେ ଏ ୫୦୦ ଟଙ୍କା, ଗାଆଁ ମୁଣ୍ଡରେ ମରାହେଉଥିବା ଖାସି ମାଂସ କିଲେ ଅଣିକି ଆସେ । ସିଧା ଯିବୁ ଆଉ ଆସିବୁ । ଆଉ କୁଆଡ଼଼େ ଯିବୁନି । ମାଂସ ଅଣିଲେ ରୋଷେଇ ହେବ ।”

ବାବୁନା “ହେଉ ବାପା” ବୋଲି କହି ଟଙ୍କାଧରି ଚାଲିଲା । ପଇସାପତ୍ର ଆଉ ସୁବିଧା ନହେବାରୁ ସେ ପାଖାପାଖି ୮ ଦିନ ହେବ ମଦ ପିଇ ନଥିଲା । ୫୦୦ ଟଙ୍କା ପାଇଛି ତ ତାକୁ ଖାଲି ମଦ ବୋତଲ ଦେଖାଗଲା । ଗାଁଆଁ ମୁଣ୍ଡରେ ଯେଉଁଠି ଖାସି ମାଂସ ମରାଯାଇଥିଲା ସେଠି ଅସମ୍ଭବ ଭିଡ଼଼ ହୋଇଥାଏ । ମାଂସ କିଣିବାକୁ ଯାଇଥିବା ଲୋକମାନେ ସେଠି ଠେଲାପେଲା ହେଉଥାନ୍ତି । ମରାଯାଇଥିବା ଛେଳି କିମ୍ବା ମାଂସ ବିକାଳି କେହି ବି ଦୃଶ୍ୟମାନ ହେଉନଥାନ୍ତି । ସେ ମାଂସ ବିକାଳିର ଚାରିପଟେ ଲୋକ ଘେରିକି ସେମିତି ଠିଆ ହୋଇଥାନ୍ତି । କିଛି ଦୂରରେ ମଦ ଦୋକାନ । ବାବୁନା ସେ ମଦ ଦୋକାନ ଆଡ଼କୁ ଅନେଇ କିଛି ଭାବିଲା । ସେଠି ପୁରା ଫାଙ୍କା ଫାଙ୍କା ଅବସ୍ଥା; ଦୁଇଜଣ ମଦୁଆ ଏପଟ ସେପଟ ହେଉଥାନ୍ତି ।

ହଠାତ୍ ବାବୁନା ସେ ମଦ ଦୋକାନ ଆଡ଼କୁ ଦୃତ ଗତିରେ ଚାଲିଲା । ସେଠି ମଦ କାଉଁଣ୍ଟର ପାଖରେ ଛିଡ଼ାହୋଇ ମାଂସ ପାଇଁ ଆଣିଥିବା ୫୦୦ ଟଙ୍କା ପକେଟରୁ ବାହାର କଲା । ସେ ମଦୁଆ ଦୁଇଜଣ ବାବୁନାକୁ ଦେଖିବା ମାତ୍ରେ ଏକ ସ୍ୱରରେ କହିଉଠିଲେ, “ଭାଇ ନମସ୍କାର ।” ସେ ଟିକେ ହସିଦେଲା ଆଉ ୪୦୦ ଟଙ୍କାରେ ମଦ, ଗୋଟେ ପାଣି ବୋତଲ ଓ କିଛି ଜରି ଗିଲାସ କିଣି ସେ ମଦୁଆ ଦୁଇଜଣଙ୍କ ପାଖକୁ ଚାଲିଲା । ବାବୁନା ଆଗରୁ ବହୁବାର ସେମାନଙ୍କ ସହୁତ ଏକାଠି ବସି ମଦ ପିଇଛି । ତା’ପରେ ମଦକୁ ଏକୁଟିଆ ପିଇବା ଠିକ ଲାଗେନି । ମଦକୁ ଅବମାନନା ହେଲା ବୋଲି ଜାଣ ।

ସେ ଦୁଇଜଣଙ୍କ ଭିତରୁ ଅଭି ନାମଧାରୀ ମଦୁଆ ପୁରା ଖୁସି ହୋଇ କହିଲା, “ଆଜି ତା’ହେଲେ ଆମ ଭାଗ୍ୟ । ଏତେ ଦିନ ପରେ ଭାଇଙ୍କ ସହ ବସି ପିଇବାକୁ ସୁଯୋଗ ମିଳିଲା । ଆପଣ ଆଜ୍ଞା ଜମିଦାର, ଆମେ ହେଉଛୁ ପ୍ରଜା । ଆପଣଙ୍କ ଅଇଁଠା ପାଦୁକ ଟିକେ ପାଇଗଲେ ଆମେ ଧନ୍ୟ ହୋଇଯିବୁ ।”

ବାବୁନା ଆଗେ ଆଗେ ଆଉ ତା’ପଛେ ପଛେ ସେ ଅଭି ସହ ଆର ମଦୁଆ କେମ୍ପା ଚାଲିଥାନ୍ତି । କିଛି ଦୂରରେ ଥିବା ଗୋଟେ ଗଛ ମୂଳରେ ସମସ୍ତେ ବସିଗଲେ । ଅଭି ଖୁବ ସନ୍ମାନର ସହିତ ବାବୁନା ହାତରୁ ମଦ ବୋତଲ, ପାଣି ଓ ସେ ଗ୍ଲାସ୍ ନେବାକୁ ହାତ ବଢ଼ାଇ କହିଲା, “ବାବୁ ଦିଅନ୍ତୁ, ମୁଁ ପେଗ୍ ବନାଇଦେବି ଆପଣଙ୍କ ପାଇଁ ।”

ବାବୁନା ପୁରୁଣା ନିଶାଡ଼଼ି ହୋଇଥିବାରୁ ବିନା ଚାଖଣରେ ବି ମଦ ପିଇ ଯାଏ । କିନ୍ତୁ ଏ ଅଭି ଓ କେମ୍ପା ନୂଆ ନୂଆ ନିଶା ଖାଉଥିବାରୁ ବିନା ଚାଖଣରେ ମଦ ପିଇପାରନ୍ତି ନାହିଁ । ଅଭି ଗୋଟେ ଗ୍ଲାସରେ ମଦ ଓ ପାଣି ଭାଗମାପ ଅନୁଯାଇ ମିଶାଇ ବାବୁନା ହାତକୁ ବଢ଼େଇ ଦେଇ କହିଲା, “ନିଅନ୍ତୁ ଆଜ୍ଞା ଆପଣ ଆଗ ତଣ୍ଟି ଓଦା କରି ନିଅନ୍ତୁ ।” ଏମିତି ୩ ପେଗ୍ ବନାଇ ବାବୁନାକୁ ପିଆଇ ସାରିବା ପରେ ତା’ ନିଶା କିଛି ମାତ୍ରାରେ ଆସିଗଲା । ସେ ଏଥର କହିଲା, “ଆରେ ତମେ ଦୁଇଜଣ ବି ନିଅ ।”

ଅଭି କହିଲା, “ଏ କେମ୍ପା, ଶୀଘ୍ର ଯାଇକି କିଛି ଚାଖଣ ଆଉ ସିଗାରେଟ୍ ପ୍ୟାକେଟ୍ ନେଇଆସେ ।” କେମ୍ପା ଏଥର ବାବୁନାଆଡ଼କୁ ଚାହିଁ କହିଲା, “ଭାଇ ଟଙ୍କା ଦିଅନ୍ତୁ, ମୁଁ ସଙ୍ଗେ ସଙ୍ଗେ ନେଇକି ଆସୁଛି ।” ବାବୁନା ପୁରା ମାଲିକ ଠାଣିରେ ପାଖରେ ବଳିଥିବା ୧୦୦ ଟଙ୍କା କେମ୍ପାକୁ ବଢ଼ାଇଦେଲା । କେମ୍ପା ବଡ଼ ଖୁସିରେ ଟଙ୍କାଧରି ପାଖରେ ଥିବା ଦୋକାନରୁ ସବୁ ଆନୁସାଙ୍ଗିକ ଜିନିଷ କିଣି ଆଣି ବଳିଥିବା ୨୦ ଟଙ୍କା ବାବୁନାକୁ ଫେରାଇବା ସମୟରେ ଅଭି ତାକୁ ତାଗିଦ୍ କରି କହିଲା, “ମୁର୍ଖ କେଉଁଠିକାର ! ତୁ କାହାକୁ ୨୦ ଟଙ୍କା ଫେରାଉଛୁ? ବାବୁନାବାବୁ ପରା ରାଜାଧିରାଜ, ଥାନପତି । ରଖ ସେ ଟଙ୍କା, ପାନ ଖାଇବା ।”

ଅଭି କଥାରେ ବାବୁନା ଟିକେ ଗମ୍ଭୀର ହୋଇ ଓଜନଦାର ଲୋକ ପରି ମୁଁହରେ ଭାବ ସୃଷ୍ଟିକରି କହିଲା, “ରଖ ସେ ପଇସା ।” କେମ୍ପା ବି “ଆଜ୍ଞା ହଜୁର” କହି ସେ ୨୦ ଟଙ୍କାକୁ ଖୁସିରେ ନିଜ ପକେଟରେ ରଖିନେଲା । କିଛି ସମୟପରେ ସେ ମଦ, ଚାଖଣା ଓ ସିଗାରେଟ ସବୁ ଶେଷ ହୋଇଗଲା । ଅଭି ଓ କେମ୍ପା ମଦ ସରିବାଯାଏ ଧୁମ୍ ନିଶାରେ ବାବୁନାର ଗୁଣ କୀର୍ତ୍ତନ କରିବାରେ ବ୍ୟସ୍ତ ଥାଆନ୍ତି । ଏ ଭିତରେ ସେ ଦୁହେଁ ବି ସେ ସ୍ଥାନ ପରିତ୍ୟାଗ କରି ସାରିଥାଆନ୍ତି । ବାବୁନାର ନିଶା ଖସି ଖସି ଆସୁଥାଏ ।

ମନେ ପଡ଼଼ିଗଲା ବାପା ୫୦୦ ଟଙ୍କାଦେଇ କହିଥିଲେ ଶୀଘ୍ର ମାଂସ ଆଣିବାକୁ । ଟଙ୍କା ତ ଆଉ ନାହିଁ । ସ୍ଥିରକଲା ସେ ମାଂସ ବିକାଳିକୁ ବାକିରେ ମାଂସ ମାଗିଲେ ସେ ନିଶ୍ଚେ ଦେବ । ସେଠି ପହଞ୍ଚି ଦେଖିଲା ପୂର୍ବର ସେ ଗହଳି ନାହିଁ କିମ୍ବା ସେ ମାଂସ ବିକାଳି ବି ନାହିଁ । ତା’ ମୁଣ୍ଡ ଚକ୍କର ଖାଇଲା ପରି ଲାଗୁଥାଏ । ଏବେ କରିବ କ’ଣ? ବାପା ଏବେ ବି ତାକୁ ସମୟେ ସମୟେ ଖୁବ ନିର୍ଦ୍ଦୟ ଭାବରେ ମାଡ଼ ମାରନ୍ତି । ଆଜି ନିଶ୍ଚେ ତା’ ଭାଗ୍ୟରେ ଗୁଡ଼଼େ ମାଡ଼ ଖାଇବା ଲେଖା ହୋଇଛି ।

ଏମିତି ଚିନ୍ତା କରୁଥିବା ସମୟରେ ବାବୁନା ଦେଖିଲା ଗୋଟେ କେଳା ଦୁଇଟି ଗୋଧି ମାରି ହାତରେ ଧରି ଚାଲିଛି । ତା’ ମୁଣ୍ଡରେ ଗୋଟେ ବୁଦ୍ଧି ଆସିଲା ଆଉ ସେଇ ଖୁସିରେ ତା ମୁହଁରେ ହସ ଫୁଟି ଉଠିଲା । ସେ ବଡ଼ ପାଟିରେ କେଳାକୁ ଡ଼ାକ ପକାଇଲା । ସେତେବେଳେ ପଖରେ ଆଉ କେହି ନଥାନ୍ତି । କେଳା ତା’ ଡାକ ଶୁଣି ପାଖକୁ ଆସି ପଚାରିଲା, “ବାବୁ ମୋତେ ଡ଼ାକିଲେ କି?”

ସେ କେଳା ତାକୁ ଚିହ୍ନିଥାଏ । ରମେଶବାବୁଙ୍କ ପୁଅ ବୋଲି ସେ ଜାଣିଥାଏ । ବାବୁନା ତା’ ହାତରେ ଥିବା ଗୋଧି ଦୁଇଟାକୁ ଲଖ୍ୟକରି କହିଲା,

– “ଆରେ ଏ ଗୋଧି ଦୁଇଟା କ’ଣ କରିବୁ?”
– “ଆଜ୍ଞା ତରକାରୀ କରି ଖାଇବୁ ।”
– “ଆଛା ସେ ଦୁଇଟାକୁ କେତେ ଟଙ୍କା ନେବୁ ?”
– “ଆପଣ ନେଇ କଣ କରିବେ?” (ଆଶ୍ଚର୍ଯ୍ୟ ହୋଇ ପଚାରିଲା)
– “ମୋ ପୁଅ ଆଉ ଝିଅଙ୍କୁ ସବୁବେଳେ ଥଣ୍ଡା ହେଉଛି । ଡ଼ାକ୍ତର କହିଛନ୍ତି ଗୋଧି ମାଂସ ଖାଇଲେ ଆଉ ଥଣ୍ଡା ହେବନି । ସେଇଥିପାଇଁ ପଚାରିଲି ।”
– “ପିଲାଙ୍କ ପାଇଁ ଯଦି ଦରକାର, ତା’ହେଲେ ନିଅନ୍ତୁ । ମୋତେ ୧୦୦ ଟଙ୍କା ଦେବେ ।”

ବାବୁନା କେଳାକୁ ମାଂସ କଟାଳିର କାଠ ଗଣ୍ଡି ଦେଖାଇ କହିଲା, “ଠିକ୍ ଅଛି ତାକୁ ସେଠି ମାଂସ ପରି ଖଣ୍ଡ ଖଣ୍ଡ କରିଦେ । ଆମ ଘରେ କେହି କଟିବେନି ।” କେଳା “ହଉ ଆଜ୍ଞା” ବୋଲି କହି ସେ ଗୋଧି ଦୁଇଟାଙ୍କୁ ଖୁବ ସୁନ୍ଦର ଭାବରେ ଚମଡ଼ା ଛେଲି ଅଳ୍ପ ସମୟ ଭିତରେ ମାଂସରେ ରୂପାନ୍ତରିତ କରିଦେଲା । ବାବୁନା ତା’ ହାତରୁ ମାଂସ ନେବାବେଳେ ପଚାରିଲା, “ଆରେ ଏ ମାଂସର ଓଜନ କେତେ ଖଣ୍ଡେ ହେବ?” କେଳା କହିଲା, “କିଲେରୁ କିଛି ଅଧିକ ହେବ । ଦେଖିଲେ ତ ବଡ଼ ବଡ଼ ଗୋଧି ଦୁଇଟା ।” ବାବୁନା କହିଲା, “ଠିକ୍ ଅଛି, ତୁ ଦୁଇଦିନ ପରେ ଆସି ମୋ ପାଖରୁ ୧୦୦ ଟଙ୍କା ନେଇଯିବୁ ।” କେଳା “ଠିକ୍ ଅଛି ବାବୁ” ବୋଲି କହି ଚାଲିଗଲା ଆଉ ସେ ଗୋଧି ମାଂସକୁ ଧରି ବାବୁନା ଘରକୁ ଫେରିଲା ।

ସେଦିନ ମଧ୍ୟାହ୍ନ ଭୋଜନ ପ୍ରଥମେ ବାପ ପୁଅଙ୍କୁ ପରଷା ଗଲା । ବାବୁନା କାଳେ ଧରାପଡ଼଼ିଯିବ ସେ ଭୟରେ ଥାଏ । ରମେଶବାବୁ ମାଂସ କେତେଖଣ୍ଡ ଖାଇସାରିବା ପରେ କହିଲେ, “ଆରେ ବାବୁନା, ବହୁତ ସଫ୍ଟ୍ ମାଂସ । ସେ ଛେଳିର କେଉଁ ଅଂଶ ଦେଲା? ବଢ଼ିଆ ଲାଗୁଛି ।” ବାବୁନା ଏଥର ଟିକେ ଖୁସି ହୋଇ କହିଲା, “କେଜାଣି କ’ଣ ଦେଲା, ମୁଁ କେବଳ କହିଲି ବାପା ପଠାଇଛନ୍ତି, କିଲେ ମାଂସ ଦିଅ । ତା’ପରେ ସେ ବାଛିକି ଦେଲା ।”

ସେଦିନ ଘରେ ସମସ୍ତେ ଖୁସିରେ ବହୁତ ଭଲ ଖାସି ମାଂସ ବୋଲି ଭାବି ଖାଇଲେ । ଦୁଇ ଦିନ ପରେ ସକାଳ ଜଳଖିଆ ଖାଇସାରି ରମେଶବାବୁ ତାଙ୍କ ଜମିଦାରୀଆ ଘରର ଉଚ୍ଚା ପିଣ୍ଡାରେ ଥିବା ଚେୟାରରେ ବସି ସେଦିନର ଖବର କାଗଜ ପଢ଼ୁଥିଲେ । ଗାଁ ଦାଣ୍ଡ ଦେଇ ଯେଉଁମାନେ ଯାଆନ୍ତି ସମସ୍ତେ ତାଙ୍କୁ ନମସ୍କାର କରି ଯାଉଥାନ୍ତି । ପାଖଆଖ ଗାଆଁର ଲୋକମାନେ ବି ତାଙ୍କୁ ଖୁବ ମାନନ୍ତି । ତାଙ୍କୁ ସେ କେଳା ଆସି ନମସ୍କାର କଲା । ରମେଶବାବୁ ତାକୁ ପ୍ରତିନମସ୍କାର କରି ପଚାରିଲେ, “ଆରେ ତୋର ସବୁ ଭଲ ତ? ପିଲାଛୁଆ କେମିତି ଅଛନ୍ତି?”

କେଳା ଉତ୍ତରରେ କହିଲା, “ହଁ ବାବୁ ସବୁ ଆପଣଙ୍କ ଦୟାରୁ ଭଲରେ ଚଲିଛି ।” କେଳା ଏତିକି କଥାବାର୍ତ୍ତା ପରେ ବି ସେ ଜାଗାରୁ ନ ଯିବାରୁ ରମେଶବାବୁ ପଚାରିଲେ, “କ’ଣ କହିବୁ ନା କିଛି କାମ ଅଛି ।” କେଳା କହିଲା, “ଆଜ୍ଞା ସାନ ବାବୁଙ୍କ ପାଖରେ ଟିକେ କାମ ଥିଲା ।” ରମେଶବାବୁ ବଡ଼ପାଟି କରି ବାବୁନା ବାବୁନା ବୋଲି ଡାକିଲେ । କିନ୍ତୁ ବାବୁନା ଘରେ ନଥିବାରୁ ତା’ ପୁଅ ଅର୍ଥାତ ରମେଶବାବୁଙ୍କ ନାତି ଦେବୁ ଆସି କହିଲା, “ବାପା ଘରେ ନାହାନ୍ତି, ବାହାରକୁ କୁଆଡ଼଼େ ଯାଇଛନ୍ତି ।”

ରମେଶବାବୁ ଏଥର କେଳାକୁ ପଚାରିଲେ, “ତା’ ପାଖରେ ତୋର କି କାମ କିରେ?” କେଳା କହିଲା, “ସାନ ବାବୁ ଦୁଇ ଦିନ ତଳେ ମୋ ଠାରୁ ଦୁଇଟି ଗୋଧିର ମାଂସ କରିକି ଆଣିଥିଲେ । ସେ ବାବଦକୁ ୧୦୦ ଟଙ୍କା ଆଜି ଆସି ନେବାକୁ କହିଥିଲେ ।” ରମେଶବାବୁଙ୍କର କେଳା କଥାରେ ମୁଣ୍ଡ ପୂରା ଝାଇଁଝାଇଁ ହୋଇଗଲା । ତଥାପି ଧୈର୍ଯ୍ୟଧରି ପଚାରିଲେ, “ଦୁଇଦିନ ତଳେ ମାନେ, ଏ ବୁଧବାର ଦିନ ସେ ତୋ’ଠାରୁ ଗୋଧି ମାଂସ ଆଣିଥିଲା?”

କେଳା କହିଲା, “ହଁ ଆଜ୍ଞା, ଛୁଆଙ୍କର ସବୁବେଳେ ଥଣ୍ଡା ହେଉଛି ବୋଲି ଡାକ୍ତର କହିଥିଲେ ଗୋଧି ମାଂସ ଖୁଆଇବାକୁ । ସେଥିପାଇଁ ସାନ ବାବୁ ମୋ’ଠାରୁ ଦୁଇଟି ଗୋଧିର ମାଂସ ଆଣିଥିଲେ ।” କେଳା କଥା ସରିଛି କି ନାହିଁ ରମେଶବାବୁଙ୍କ ଘୃଣାରେ ପେଟ ଭିତରୁ ଯେମିତି କିଛି ଆଉଣ୍ଡି ପକାଇଲା ଆଉ ସେ ଅଁଅଁ କରି ସକାଳ ଜଳିଖିଆରେ ଯାହା ସବୁ ଖାଇଥିଲେ ଭକ୍ ଭକ୍ କରି ବାନ୍ତି କରି ପକାଇଲେ ।

କେଳା ରମେଶବାବୁଙ୍କର ଏ ଅବସ୍ଥା ଦେଖି ସେଠୁ ତା’ ଟଙ୍କା ନନେଇ ଦୌଡ଼଼ି ପଳାଇଲା । ରମେଶବାବୁଙ୍କ ସ୍ତ୍ରୀ ବାନ୍ତିହେବା ଦେଖି ପାଣି ଆଣି ଦେଲେ । ରମେଶବାବୁ ସେ ଗୋଧି ମାଂସ କଥା ଘରେ ଆଉ କାହାକୁ କହିବା ଠିକ ହେବନି ବୋଲି ଚିନ୍ତା କଲେ । ଯଦି ପୁରୁଷ ଲୋକ ହୋଇ ଗୋଧି ମାଂସ କଥା ଶୁଣି ତାଙ୍କର ଏ ଅବସ୍ଥା, ତା’ହେଲେ ଘରର ସ୍ତ୍ରୀଲୋକ ସେକଥା ଜାଣିଲେ ସେମାନଙ୍କର କି ଅବସ୍ଥା ନହେବ !

କିଛିସମୟ ପରେ ରମେଶବାବୁ ଧିରସ୍ଥିର ହୋଇ ବସି ପଡ଼ିଲେ । ନିଶାଡ଼଼ି ପୁଅ ବାବୁନା ଉପରେ ପ୍ରବଳ ରାଗ ହେଉଥିଲା । ନିଶା ସତରେ ମଣିଷକୁ କେଉଁ ସ୍ତରକୁ ନେଇଯାଇ ପାରେ ! ନିଶା ମଣିଷକୁ ସଇତାନ କରିଦିଏ । ଯେତେସବୁ ଲୋମହର୍ଷକାରୀ ହତ୍ୟାକାଣ୍ଡ ଏ ସମାଜରେ ଘଟୁଛି ସେଥିରୁ ଅଧିକାଂଶରେ ନିଶାଡ଼଼ିମାନେ ହିଁ ଜଡ଼଼ିତ ଥାଆନ୍ତି ।

ସତରେ ମଦ ନିଶାରେ ଅମଣିଷ ପାଲଟିଯାଏ ମଣିଷ । କେଉଁଠି ନିରାପତ୍ତାରକ୍ଷୀ ନିଶାପାନ ପରେ ମାଲିକାଣୀକୁ ହତ୍ୟା କଲାଣି ତ ଆଉ କେଉଁଠି ବଳାତ୍କାର ଭଳି ଦୁଃଖଦ ଘଟଣା ବି ଘଟୁଛି ସେଇ ନିଶାପାଇଁ । ବହୁତ ଜାଗାରେ ଗୃହକର୍ତ୍ତା ସବୁଦିନେ ମଦପିଇ ଆସି ସ୍ତ୍ରୀ, ପୁଅ-ଝିଅଙ୍କୁ ମାରଧର କରୁଛି । ନିତି ଘଟୁଥିବା ସଡ଼କ ଦୁର୍ଘଟଣା, ଛିନତାଇ, ଚୋରି, ଡକାୟତି ସହ ମହିଳାମାନଙ୍କ ପ୍ରତି ଅସୌଜନ୍ୟ ଆଚରଣ ଆଦି ବିଭିନ୍ନ କିଷମର ଅପରାଧର ଅପରାଧିଙ୍କ ଭିତରୁ ସଂଖ୍ଯାଧିକ ହେଉଛନ୍ତି ମଦୁଆ । ପୋଲିସ ନିଶାଖୋର ଅପରାଧିଙ୍କ ପଛରେ ଗୋଡ଼଼େଇ ଗୋଡ଼଼େଇ ହାଲିଆ ହୋଇପଡ଼ୁଛି । ଆଜିକାଲି ଅପରାଧ ବୃଦ୍ଧିର ମୂଳକାରଣ ହେଉଛି ଏଇ ନିଶାର ପ୍ରସାର । ଛାତ୍ରଠାରୁ ଆରମ୍ଭ କରି ଯୁବଗୋଷ୍ଠୀ ସମସ୍ତେ ଏବେ ନିଶାର କବଳରେ ।

ଏଇ ନିକଟରେ ରମେଶବାବୁ ଖବରକାଗଜରେ ଗୋଟେ ଖବର ପଢ଼ି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏକଦମ ନିଶାରେ ମସଗୁଲ୍ ହୋଇ ରାତିରେ ଡ଼୍ୟୁଟି କରିବାକୁ ଆସୁଥିବା ରେଳ ବିଭାଗର ଏହି ମଦୁଆ ସୂଚନାପ୍ରଦାନକାରୀଙ୍କ ପାଇଁ ଯାତ୍ରୀମାନଙ୍କୁ ନାନା ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼଼େ । ଯେମିତିକି ଜଣେ ଯାତ୍ରୀ ହାଓ୍ୱାଡ଼ା ଟ୍ରେନ ବିଷୟରେ ପଚାରିଲେ ସେ ଅଫିସର ତାଙ୍କୁ ବିଳାସପୁର ଟ୍ରେନ ସୂଚନା ଦେଉଥିଲେ । ଆଉ ଜଣେ ଯାତ୍ରୀ ପଚାରିଲେ ଅହମ୍ମଦାବାଦ-ହାଓ୍ୱାଡ଼ା ଟ୍ରେନର ସମୟ ବିଷୟରେ । ନିଶାଡ଼଼ି ବାବୁ ଉତ୍ତରରେ କହିଲେ ଏମିତି ନାମରେ କୌଣସି ଟ୍ରେନ ହିଁ ନାହିଁ ବୋଲି ।

କେବଳ ସହରରେ ଏ ଅବସ୍ଥା ନୁହେଁ, ଗାଆଁମାନଙ୍କରେ ମଧ୍ଯ ଅବସ୍ଥା ଅହୁରି ସଙ୍ଗୀନ । ରମେଶବାବୁ ଭାବୁଥିଲେ କେବେ ଏସବୁ ନିଶାଦ୍ରବ୍ୟ ଦେଶରେ ବନ୍ଦ ହେବ ଆଉ ତାଙ୍କ ପୁଅ ପରି ବହୁ ଯୁବକ ଠିକ ରାସ୍ତାକୁ ଆସିବେ । ସତରେ କ’ଣ ସେଦିନ ଏ ଜନ୍ମରେ ଆସିବ???

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଶାନ୍ତ କୁମାର ବେହେରା

ପ୍ରଶାନ୍ତ କୁମାର ବେହେରା ଜଗତସିଂହପୁରର ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ । ତାଙ୍କ ରଚିତ ବିଭିନ୍ନ ଗଳ୍ପକବିତାଦି ବିଭିନ୍ନ ଓଡ଼ିଆ ପତ୍ରପତ୍ରିକାମାନଙ୍କରେ ପ୍ରକାଶ ପାଉଛି ।

Leave a Reply

Close Menu