You are currently viewing ବିଡ଼ାଏ ସଳିତା
ବିଡ଼ାଏ ସଳିତା

ବିଡ଼ାଏ ସଳିତା

ଶୀତ ଟିକେ ଜୋରରେ ପଡ଼ିଲାଣି । ଦେହ ହାତ ଥଣ୍ଡାରେ କୋଲୁଅ ମାରିଯାଉଛି । ରାସ୍ତାଘାଟ ଆଜିକାଲି ବହୁତ ଗହଳି ରହୁଛି । ଯେଉଁଆଡ଼େ ଚାହିଁବ ବିଭିନ୍ନ ପ୍ରକାରର ବାଣ । ଆଗରେ କାର୍ତ୍ତିକ ପୂର୍ଣ୍ଣିମା ଆସୁଛି ତ । କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ ସହିତ ବାଣ ଫୁଟେଇବା ଗୋଟେ ଫ୍ୟାଶନ ହେଇ ଗଲାଣି ।

ସ୍ତ୍ରୀ ମୋ ସହିତ କେତେଦିନ ହେଲା ଖାଲି କଜିଆ ଲଗେଇଛନ୍ତି । ଏଥର କାର୍ତ୍ତିକ ପୂର୍ଣ୍ଣିମା ଘରେ କରିବାନି, ପୁରୀ ଯିବା, ସମୁଦ୍ରରେ ଗାଧେଇବା, କାଳିଆକୁ ଦର୍ଶନ କରିବା । ଯିବାରେ କିଛି ଅସୁବିଧା ନାହିଁ । ପୁରୀ ଗଲାମାନେ କାଙ୍ଗାଳ ହେଇ ଫେରିବା କଥା । ଚାରି ଦିନ ନ ହେଲେ ଆସିବାର ନାଆଁ ଧରିବେନି । ଲଜିଂରେ ରହିବାକୁ ପଡ଼ିବ । ଚକାଡୋଳା ପାଖକୁ ଯିବା ନାଆଁରେ ସାରା ପୁରୀ ବୁଲିବେ । ତେଣୁ ବିଭିନ୍ନ ଆଳ ଦେଖାଇ ସ୍ତ୍ରୀଙ୍କୁ ମନା କରୁଥାଏ । ଯେପରିକି- ଅଫିସରେ କାମ ଅଛି । ଫାଇଲ ସବୁ ସାରିବାକୁ ପଡ଼ିବ । ଛୁଟିଟାକୁ ବେକାରରେ ନଷ୍ଟ କରିଦେଲେ ବହୁତ ହଇରାଣ ହେବାକୁ ପଡ଼ିବ । ସୁବିଧା ଦେଖି ଆଉ କେବେ ତୁମମାନଙ୍କୁ ବୁଲେଇ ଆଣିବି ।

ସ୍ତ୍ରୀ କିନ୍ତୁ ଛାଡ଼ିବା ଲୋକ ନୁହନ୍ତି । ସେଥିରେ ପୁଣି ବଡ଼ ପୁଅ ସୁରଜ ଆସି ଅଂଶଗ୍ରହଣ କଲାଣି । ବାବା ବାବା କଅଁଳେଇକି କହି ସବୁ ସୁବିଧା ମାରିନେବ । କହିବ- ବାବା କୁନା ବାବା ତାକୁ ନେଇ ଦିଲ୍ଲୀ ଯାଇଥିଲେ, ଅମୁକ ବାବା ତାକୁ ନେଇ ସମୁକ ଜାଗା ଯାଇଥିଲେ । ଆଉ ତୁମେ ଏତେ କଞ୍ଜୁସ ଯେ ପୁରୀ ଟିକେ ବୁଲେଇ ନେଉନ । ଓଃ ଏତେ ସବୁ ଶୁଣି ଶୁଣି କାନ ପୁରା ତାବଡ଼ା ହେଇ ଗଲାଣି । ଭାବିଲି ନା ଏମାନଙ୍କୁ ଆଉ ପାରି ହେବନି । ଏଥର ନିଶ୍ଚୟ ପୁରୀ ଯିବି । ସେଠୁ ଫେରିଲେ ବୁଢ଼ୀ ଠାକୁରାଣୀ ମନ୍ଦିରରେ ବରଂ ଭିକ ମାଗିବି । “ଆମେ ଏଥର କାର୍ତ୍ତିକ ପୂର୍ଣ୍ଣିମାରେ ପୁରୀ ଯିବା ।” ଯେମିତି କହି ଦେଇଛି କେଉଁଠି ଥିଲା ସାନ ପୁଅ ମନୋଜ “ବାବା ଆମର ବହୁତ ଭଲ” କହି ଖୁସିରେ ମୋ ବେକ ଚାରି ପାଖେ ହାତ ଗଳେଇ ନାଚି ଉଠିଲା । ମନେମନେ ଭାବିଲି ପୁରୀ ଯିବାପାଇଁ ରାଜି ହେବାରୁ ଭଲ ହେଇଗଲି । ପୂର୍ବରୁ ଯେପରି ଖରାପ ଥିଲି ।

– “ଜଲଦି ଜଲଦି ବାହାରି ପଡ଼ । ପାହାନ୍ତିଆ ହେଲାଣି । ଆଉ କେତେ ଡେରି କରିବ । ସେଠି ବୋଇତ ଭସେଇବ ନା ନାହିଁ?” ଏତିକି କହି ଦେଖିଲି ସ୍ତ୍ରୀ ଗୋଟିଏ ରେଜେଇ ଘୋଡେ଼ଇ ହେଇ ଥରି ଥରି ଛୁଆ ଦିଟାଙ୍କ ସେବାରେ ଲାଗି ପଡ଼ିଛନ୍ତି ।

ପୁରୀରେ ପହଞ୍ଚିଲା ବେଳକୁ ୧୧ଟା ବାଜିଲାଣି । ଆଉ କ’ଣ ବୋଇତ ବନ୍ଦେଇବ? ଏହା କହି କଦଳୀ ମଞ୍ଜରେ ତିଆରି ବୋଇତଗୁଡ଼ିକୁ ଗାଡ଼ି ଭିତରେ ରଖି ସମୁଦ୍ର କୂଳକୁ ମାଡ଼ି ଗଲି । ସମୁଦ୍ରର ଅଶେଷ ଢେଉ ମାଳା ଯେପରି ସାରା ଦୁନିଆର ଅଶାନ୍ତିକୁ ନିଜ ହାତରେ ଆବୋରି ନେଉଛି ଓ ସେଥିପାଇଁ କେତେବେଳେ ଖୁବ ଶାନ୍ତ ତ କେତେବେଳେ ହିଂସ୍ର ହେଇ ଉଠୁଛି । ମୁଁ ଖୁବ ଭାବ ବିହ୍ଵଳ ହେଇ ପଡ଼ିଥିଲି । ସେହି ସମୟରେ ସ୍ତ୍ରୀ କହିଲେ, “ହେଇ ଦେଖିଲ ଶାମୁକାରେ ତିଆରି ପକ୍ଷୀଟା କେଡ଼େ ସୁନ୍ଦର ହେଇଛି ।” ମୁଁ, “ଏଁ ହଁ —- ହଁ” କହି ନିଜ ସ୍ଥିତିକୁ ଫେରି ଆସିଲି ।

ଏଥର ଚାଲ, ଡେରି ହେଲାଣି । ତୁମେମାନେ ସମୁଦ୍ର ଦେଖିବାକୁ ଆସିଥିଲ ନା କାଳିଆ ପାଖକୁ ଆସିଥିଲ? ଚାଲ ମନ୍ଦିର ଯିବା । ଏମାନଙ୍କ କଥା ଭାବିଲେ ଖୁବ ଆଶ୍ଚର୍ଯ୍ୟ ଲାଗେ । ବସ୍‌ରେ ଆସିବାକୁ ଭଲ ଲାଗିବନି । ନବାବଙ୍କ ଛୁଆ ତ । କେତେ କଷ୍ଟରେ ଭଡ଼ାରେ କାର୍‌ଟା ଆଣିଲି ।

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ମନ୍ଦିରରେ ସୋରିଷ ଟିକିଏ ପକେଇବାକୁ ଜାଗା ନାହିଁ । ଓଃ କି କଷ୍ଟ । କାଳିଆର ଦୟା ଲାଗି ତାକୁ ଟିକିଏ ଦେଖି ପାରିଲି । ନଚେତ ଏତେ ଗହଳିରେ ମଣିଷ ନିଃଶ୍ୱାସ ନେବା ବି ସମ୍ଭବ ନୁହେଁ । ଘଡ଼ିରେ ଦି’ଟା ବାଜିଲାଣି । ଛୁଆ ଦି’ଟା ଭୋକରେ ଡହଳ ବିକଳ ହେଲେଣି । ମହାପ୍ରସାଦ ଏଯାଏ ବାହାରିନି । ଆଉ ଅପେକ୍ଷା କରିବା ସମ୍ଭବ ନୁହେଁ । “ଚାଲ ଚାଲ ଜଲଦି ଚାଲ । ହୋଟେଲରେ ଯଦି ଖାଇବା ସରି ଯାଇଥିବ ତେବେ ଅବସ୍ଥା ବାର ଗଣ୍ଡା ଦି କଡ଼ା ବାଜି ଯିବ ।” ଏହା କହି ବଡ଼ ବଡ଼ ପାହୁଣ୍ଡ ପକେଇ ଗଲାବେଳକୁ ଛୋଟ ଝିଅଟିଏ ମୋ ବଡ଼ ପୁଅ ବୟସର ହେବ, ଥରିଲା ଥରିଲା ହାତରେ ସଳିତା ୨-୩ବିଡ଼ା ଆଣି ମୋ ହାତକୁ ବଢ଼େଇ ଦେଲା । ହାତର ସବୁ ଶିରା ପ୍ରଶିରା ଫୁଟିକି ଦିଶୁଥାଏ । ଚିରା ଫଟା ଫ୍ରକଟାଏ ପିନ୍ଧିଛି । ମୁହଁଟା ପୁରା ଶେଥା ପଡ଼ିଯାଇଛି । ସେ ବିକଳ ଭାବରେ ମୋ ମୁହଁକୁ ଅନେଇ ଥିଲା ।

“ନାଁ ଦରକାର ନାହିଁ ।” ଏହା କହି ଝିଅଟିର ହାତକୁ ଜୋରରେ ଛିଞ୍ଚାଡ଼ି ଦେଲି । ଝିଅଟି ବିକଳରେ କହିଲା, “ବାବୁ ବେଶୀ ନ ନେଲେ ନାଇଁ ଗୋଟିଏ ବିଡ଼ା ନେଇଯାଅ । ମାଆ ମୋର ରୋଗରେ ପଡ଼ିଛି ତା’ପାଇଁ ଔଷଧ କିଣିବି ବାବୁ ।”

ମୁଁ ମନେ ମନେ ଭାବିଲି ଏମାନେ ସବୁ କେତେ ମିଛ ନ କହୁଛନ୍ତି । ସଦାବେଳେ ଏମାନଙ୍କ ବାପାମାଆ ରୋଗରେ ପଡ଼ୁଛନ୍ତି । ଏତେ ପିଲାଦିନୁ ମିଛ କହିବା କିପରି ଜାଣନ୍ତି କେଜାଣି? ସ୍ତ୍ରୀଙ୍କ ହାତଧରି ଝିଅଟି କହିଲା- ମାଆ ବିଡ଼ାଏ ସଳିତା ନିଅ ମାଆ । ତମକୁ ଭଗବାନ ଭଲରେ ରଖିବେ । ନିଅ ମାଆ । “ଦରକାର ନାହିଁ ।” ଏହା ଶୁଣି ଝିଅଟିର ମୁହଁ ଆହୁରି ମଳିନ ପଡ଼ିଆସୁଥାଏ । ଛୁଆମାନେ ଚିଲେଇଲେ- “ବାବା ଜଲଦି ଚାଲ ।”

“ହଁ ହଁ ଚାଲ”, ଏହା କହି କାର ପାଖକୁ ଗଲି । କାରରେ ବସି ବାହାରକୁ ଅନେଇଛି କେଉଁଠି ଥିଲା ସେ ଝିଅଟି ଦଉଡ଼ି ଆସି ପୁଣି କହିଲା- ବାବୁ ବିଡ଼ାଏ ସଳିତା ନିଅ ବାବୁ । ସେ ଝିଅକୁ ଦେଖି ମନେ ପଡ଼ିଲା ଗୋଟିଏ ଛୋଟ ଝିଅ କିପରି ଲୋକମାନଙ୍କୁ ଭୁଆଁ ବୁଲେଇ ପକେଟ ମାର କରୁଛି । ଖବରକାଗଜରେ ବାହାରିଥିବା ଝିଅଟି ଇଏ ନୁହେଁ ତ? ଡ୍ରାଇଭର ଗାଡ଼ି ଷ୍ଟାର୍ଟ କଲା । ଦେଖିଲି ଝିଅଟା ସେମିତି ଠିଆ ହେଇଛି । ଲଜିଂକୁ ଆସି ସିଧା ଗାଧୁଆଘରେ ପଶିଗଲି । ସେଠାରୁ ଆସି ଦେଖିଲି ଡ୍ରାଇଭର ଖଟ ଉପରେ ସବୁ ଜିନିଷ ରଖି ଦେଇଛି । ଜିନିଷ ଖେଳଉ ଖେଳଉ ନଜର ପଡ଼ିଲା ଗୋଟିଏ ଧଳା ଜିନିଷ ଉପରେ । “ଆରେ ସଳିତା ବିଡ଼ା ।” ଏଠି କେମିତି ଆସିଲା? ସେ ଝିଅଟି ଏଠି ବି ପହଞ୍ଚି ଗଲା ! “ଓଃ ଏ ଝିଅଟି ମୋ ପିଛା ଛାଡ଼ିବନି” କହି ଚାରିଆଡ଼କୁ ଚାହିଁଲି । ଇଏ ଯେ ଖବରକାଗଜରେ ବାହାରିଥିବା ସେ ଚୋରଣୀ ଝିଅ ଏହା ଭାବି ସତର୍କ ହେଇଗଲି ।

ନାଁ ତ ଝିଅଟି କେଉଁଠି ନାହିଁ । ସମସ୍ତେ ମନାକଲେ ଏ ସଳିତା ବିଡ଼ା ସେମାନେ କେହି ଆଣି ନାହାନ୍ତି । ସେହି ସଳିତା ବିଡ଼ାକୁ ଦେଖି ମନେ ପଡ଼ିଲା ଝିଅଟିର କଥା । ବିଚାରୀ ବୋଧହୁଏ ସତ କହୁଥିଲା । ମୁଁ କେତେ ଅନ୍ୟାୟ କରିଛି ସତେ । ନିଜକୁ ଖୁବ ଦୋଷୀ ମନେ କରୁଥିଲି । ବିଡ଼ାଏ ସଳିତା ରଖି ଦେଇଥିଲେ କ’ଣ ମୋର ସବୁ ପଇସା ସରି ଯାଇଥାନ୍ତା । ମୁଁ କ’ଣ ଭିକାରୀ ହେଇ ଯାଇଥାନ୍ତି । ବୋଧହୁଏ ଝିଅଟି କାର ପାଖକୁ ଆସି ସଳିତା ନିଅ କହି ଭିତରେ ରଖିଦେଇଛି, କାହାର ନଜର ନାହିଁ ।

ସେ କେତେ ଆଶା ରଖିଥିବ ବାବୁ ସଳିତା ବିଡ଼ାଟିର ଦାମ୍ ଦେବେ । ତାକୁ ନେଇ ମାଆ ପାଇଁ ଔଷଧ କିଣିବି । ମାଆ ମୋର ଭଲ ହେବ । ସ୍ତ୍ରୀ ସେହି ସମୟରେ ଆସି ମୋତେ ଦେଖି କହିଲେ ଆରେ ସେଠି କ’ଣ କରୁଛ? ମୋ ପାଟିରୁ ବାହାରି ଗଲା ଦେଖିଲ ଏ ସଳିତା ବିଡ଼ା…

ବିସ୍ମିତା ରାଣୀ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବିସ୍ମିତା ରାଣୀ ସାହୁ ପେଶାରେ ଜଣେ ଅଧ୍ୟାପିକା ଏବଂ ନିଶା ତାଙ୍କର ଗପ ଲେଖିବା । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ ରଚନା କରନ୍ତି । ତାଙ୍କ ରଚିତ ଗପଗୁଡ଼ିକ ବିଭିନ୍ନ ପତ୍ରପତ୍ରିକା ଓ ଖବରକାଗଜ ଆଦିରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି । ତାଙ୍କର ପ୍ରଥମ ଗଳ୍ପ ସଂକଳନ ଲିପ୍‌ଷ୍ଟିକ୍ ପ୍ରଥମା ପ୍ରକାଶନ ଦ୍ୱାରା ଆତ୍ମ ପ୍ରକାଶ କରିଛି ।