You are currently viewing ଛାୟା
Odia Story Chhaya (ଛାୟା) by Deepak Sarangi

ଛାୟା

ଅଜୟର ବନ୍ଧୁ ସହଦେବ ତାକୁ ବହୁତଥର ଡାକିଛି ଯେ ଥରେ ଏଇ ସହରୀ ଜୀବନଯାପନ ଛାଡ଼ି କିଛି ଦିନ ଶିମିଳିପାଳ ଜଙ୍ଗଲ ଆଡ଼େ ବୁଲି ଆସିବାକୁ, କିନ୍ତୁ ଅଜୟ ପାଖରେ ଏସବୁ ପାଇଁ ସମୟ ନ ଥିଲା । ବ୍ୟାଙ୍କ୍ ଚାକିରୀର ବ୍ୟସ୍ତତା ଆଉ ଲେଖାଲେଖିରୁ ଫୁରସତ୍ ମିଳିଲେ ତ କୁଆଡ଼େ ଯିବ ! ସହଦେବ ତା’ର ପିଲା ଦିନର ବନ୍ଧୁ । ଏକା ସ୍କୁଲ ଓ କଲେଜରୁ ପାଠ ପଢ଼ା ସରିବା ପରେ ସେ ଷ୍ଟେଟ୍ ବ୍ୟାଙ୍କରେ ଯୋଗ ଦିଏ ଆଉ ସହଦେବ ଡାକ୍ତରୀ ପଢ଼େ ବୁର୍ଲା ମେଡ଼ିକାଲ କଲେଜରେ । ଏବେ ସହଦେବ ୨ ବର୍ଷ ହେଲାଣି ଶିମିଳିପାଳ ଅଞ୍ଚଳରେ ପୋଷ୍ଟିଂ ପାଇଛି । ଅଜୟର ଲେଖାଲେଖର ଅଭ୍ୟାସ କଲେଜ ବେଳରୁ । ରହସ୍ୟ ଓ ରୋମାଞ୍ଚ କାହାଣୀ ରଚନା କରିବାରେ ସେ ସିଦ୍ଧହସ୍ତ । ତା’ର ବହୁ କାହାଣୀ ବିଭିନ୍ନ ପ୍ରକାର ପତ୍ରପତ୍ରିକାରେ ସ୍ଥାନ ପାଇଛି । ସହଦେବ ବି ତା’ର ଲେଖାର ଗୋଟେ ବଡ଼ ପ୍ରଶଂସକ । ସହଦେବ ସେଥିପାଇଁ ତାକୁ ବହୁତ ଥର ଡାକିଛି ଯେ “ତୁ ଏଠିକି ଥରେ ଆସେ ଦେଖିବୁ ତତେ ଏ ବଣଜଙ୍ଗଲ ଘେରା ପାହାଡ଼ ପର୍ବତ ଭିତରେ ତୋ’ର କାହାଣୀ ପାଇଁ ଗୋଟେ ଭଲ ପ୍ଲଟ୍ ମିଳିଯିବ ।” ସବୁଥର ନାହିଁ ନାହିଁ କହିଲା ପରେ ଏଥର ଶୀତଦନ ଡିସେମ୍ବରରେ ଅଜୟ ଭବିଲା ଯେ ସେ ସହଦେବ ପାଖକୁ ଶିମିଳିପାଳ ଯିବାପାଇଁ । କଟକରୁ ଗାଡ଼ି ଧରିଲା ସେ ଶିମିଳିପାଳ ପାଇଁ । ଗାଡ଼ି ଚାଲିଥାଏ ଘାଟି ରାସ୍ତା ଦେଇ । ଜଙ୍ଗଲର ଅପରୂପ ଶୋଭା ତାକୁ ଅଭିଭୂତ କରୁଥାଏ । ଗାଡ଼ି ବସ୍ ଷ୍ଟାଣ୍ଡରେ ପହଞ୍ଚିବା ପୂର୍ବରୁ ସେ ସହଦେବକୁ ଫୋନ୍ କରିଦେଲା । ସହଦେବ କାର୍ ଧରି କି ଆସି ବସ୍ ଷ୍ଟାଣ୍ଡରେ ଅଜୟକୁ ଅପେକ୍ଷା କରିଥାଏ । ବସ୍ ଆସି ପହଞ୍ଚିଗଲା । ଦୁଇ ବନ୍ଧୁଙ୍କର ପୂରା ୬ ବର୍ଷ ପରେ ଦେଖା ସାକ୍ଷାତ । କାର୍‌ରେ ବସି ଦୁଇ ଜଣ ସହଦେବର ସରକାରୀ କ୍ଵାଟର୍‌କୁ ଗଲେ । ବହୁ ସମୟ ଧରି ଦୁଇ ଜଣ ବନ୍ଧୁ କଥାବାର୍ତ୍ତା ହେଲେ । ସହଦେବର ବାହାଘର ଠିକ ହୋଇ ସାରିଥାଏ ଆସନ୍ତା ଫେବୃଆରି ମାସକୁ । ରାତିରେ ଖାଇପିଇ ଦୁଇ ବନ୍ଧୁ ଗପ କରି ଶୋଇପଡ଼ିଲେ ।

ସକାଳୁ ଉଠି ଚା’ ଜଳଖିଆ ଖାଇ ସହଦେବ ଚାଲିଗଲା ତା’ କ୍ଲିନିକ୍‌କୁ । ଅଜୟକୁ ସବୁ ବତେଇ ଦେଇଗଲା ଯେ କେଉଁଠି କ’ଣ ଅଛି । ସହଦେବ ଗଲାପରେ ଅଜୟ ହାତରେ ବହି ଖଣ୍ଡେ ଧରି କ୍ଵାଟର୍ ଆଗରେ ଥିବା ଲନ୍‌ରେ ବସି ଶୀତୁଆ ସକାଳକୁ ଭରପୂର ଉପଭୋଗ କରୁଥାଏ । ଏଇ ସମୟରେ ସହଦେବର ପିଅନ ଚା’ କପ ସହିତ ଖବରକାଗଜ ଆଣି ଦେଇଗଲା । ଆଉ କହିକି ଗଲା ଯେ ତା’ର ଘରେ କିଛି କାମ ଅଛି; କିଛି ସମୟ ପରେ ସେ ଆସିଲେ ଖରାବେଳ ପାଇଁ ଖାଇବା ତିଆରି କରିଦେବ । ଏତିକି କହି ସେ ଯିବାର କିଛି ସମୟ ପରେ ଗେଟ୍ ଖୋଲି ଜଣେ ଅତି ଜୀର୍ଣ୍ଣକାୟ ଲୋକ ଆସିଲା । ଅଜୟକୁ ଦେଖି ନମସ୍କାର କଲା । ଅଜୟ ଭବିଲା ବୋଧେ ସହଦେବର କୌଣସି ରୋଗୀ ହୋଇଥିବ । ସେଥିପାଇଁ ସେ ତାକୁ କହିଲା ଏବେ ସାର୍ ଘରେ ନାହାଁନ୍ତି ତୁମେ ସନ୍ଧ୍ୟା ବେଳକୁ ଆସ । ଏତିକି କହିସାରି ଅଜୟ ତା’ଠାରୁ ନଜର ଫେରାଇ ନେଇ ଖବରକାଗଜ ଉପରେ ପକେଇ ପଢ଼ି ବସିଲା ଆଉ ତାକୁ ଧ୍ୟାନ ଦେଲା ନାହିଁ । କିଛି ସମୟ ପରେ ଖବରକାଗଜ ଲେଉଟାଇଲା ବେଳକୁ ସେ ଲୋକଟି ଆସି ପୂରା ଅଜୟର ପାଖରେ ଛିଡ଼ା ହୋଇ ଯାଇଥାଏ । ଚମକି ଉଠିଲା ଅଜୟ ତାକୁ ଦେଖି । ତା’ ଦେହରୁ ଗୋଟେ ଅଜବ ପ୍ରକାରର ଗନ୍ଧ ବାହାରୁଥାଏ ଲାଗୁଥାଏ ଯେମିତି ସେ ଲୋକଟି ବହୁତ ଦିନ ହେଲା ଗାଧୁଆ ପାଧୁଆ କରିନି । ଏଥର ଅଜୟ ତାକୁ ଟିକେ ଚଢ଼ା ଗଳାରେ କହିଲା, “କହିଲି ପରା ଏବେ ସହଦେବ ନାହିଁ କ୍ଲିନିକକୁ ଯାଇଛି ତୁମେ ସନ୍ଧ୍ୟାବେଳେ ଆସ ତା’ ସହ ଦେଖା ହେବ ।” ଲୋକଟି କିପରି ଏକ ଅଦ୍ଭୁତ ସ୍ଵରରେ କହିଲା, “ମୁଁ ଡାକ୍ତରଙ୍କ ପାଖକୁ ଆସିନି । ମୁଁ ତୁମ ପାଖକୁ ଆସିଛି ,” ଏତିକି କହି ଜୋର୍‌ରେ କାଶି ଉଠିଲା । ଏମିତି ଗୋଟେ ଅଦ୍ଭୁତ ପ୍ରକାରର ଶବ୍ଦ ଶୁଣି ଅଜୟ ଡରି ଯାଇ ଚେୟାର୍‌ରୁ ଉଠିପଡ଼ି କହିଲା, “କିଏ ତୁମେ? ମୋ’ ପାଖରେ ତୁମର କି କାମ?” ଲୋକଟି କହିଲା, “ତୁମେ ଅଜୟ ମହାନ୍ତି ନା ବିଶିଷ୍ଟ କାହାଣୀକାର । ମୋର ଶେଷ ଇଚ୍ଛା ତୁମେ ମୋ ଜୀବନର କାହାଣୀକୁ ବି ଦୁନିଆକୁ ଜଣାଅ ।” ଅଜୟ ଡରି ଯାଇ କହିଲା, “ତୁମେ ମୋତେ କେମିତି ଜାଣିଲ? ଆଉ ମୁଁ ଲେଖାଲେଖି କରେ ବୋଲି ତମକୁ କିଏ କହିଲା?” ଲୋକଟି କହିଲା, “ମୋ ପାଖେ ବେଶି ସମୟ ନାହିଁ ମୁଁ ଯାହା କହୁଛି ତୁମେ ତାକୁ ମନ ଦେଇ ଶୁଣ ।” ଅଜୟକୁ କହିଲା ଚେୟାରରେ ବସିବା ପାଇଁ ଓ ନିଜେ ତଳେ ବସି ଗପିବାକୁ ଆରମ୍ଭ କଲା ।

ମୋ ନାଁ ରଘୁନାଥ ଦାସ । ମୁଁ ଏଇ ଶିମିଳିପାଳ ଜଙ୍ଗଲରେ ଫରେଷ୍ଟ ଅଫିସର ଭାବେ ୧୫ ବର୍ଷ ତଳେ ଆସିଥିଲି । ମୋତେ ରହିବା ପାଇଁ ଗୋଟେ କ୍ଵାଟର୍ ଦିଆ ହୋଇଥିଲା ଆଉ ବୋଲହାକ କରିବା ପାଇଁ ଗୋଟେ ପିଅନ ଶମ୍ଭୁ । ଶମ୍ଭୁ ମୋର ବହୁତ ଯତ୍ନ ନେଉଥିଲା ମୋର ଖାଇବା ପିଇବାରେ ଯେପରି କିଛି ଅସୁବିଧା ନ ହେବ ସେଥିପାଇଁ ସେ ସବୁବେଳେ ଯତ୍ନବାନ ଥିଲା । ଧୀରେ ଧୀରେ ମୋର ଆଉ ଶମ୍ଭୁ ଭିତରେ ଗୋଟେ ଭଲ ବନ୍ଧୁତା ସୃଷ୍ଟି ହୋଇଗଲା । କିନ୍ତୁ କିଛି ବର୍ଷ ଯିବା ପରେ ମୁଁ ଶମ୍ଭୁର ଚାଲି ଚଳନରେ ଗୋଟେ ଭିନ୍ନତା ଲକ୍ଷ୍ୟ କଲି । ମୁଁ ଲକ୍ଷ୍ୟ କଲି ସେ ବେଳେବେଳେ ମୋ ପକେଟରୁ ପଇସା ଚୋରି କରୁଛି ଓ ମୋର ଅନୁପସ୍ଥିତିରେ ମୋ ଜିନିଷପତ୍ର ଖେଳାଉଛି ଯେଉଁଟାକି ମୋତେ ଟିକେ ଭଲ ଲାଗୁ ନଥିଲା । ଥରେ ମୁଁ ରାତିରେ ଦେଖିଲି ସେ ଏକୁଟିଆ ଯାଇ କେଉଠି ଗୋଟେ ଗୁଣୀ ବିଦ୍ୟା ଶିଖୁଛି । ମୁଁ ତାକୁ ଏ ବିଷୟରେ ତାଗିଦ୍ କଲି । କହିଲି, “ତୋର ଯଦି ଏମିତି କିଛି କରିବାର ଅଛି ତୁ ଆଉ ମୋ ସଙ୍ଗେ ରହନା ।” ଏତିକି କହି ତାକୁ ଘରୁ ଚାଲି ଯିବାକୁ କହିଲି । ସେ ଭୀଷଣ ଭାବେ ମୋ ଉପରେ ରାଗିଗଲା । ମୋ ଉପରେ ପ୍ରତିଶୋଧ ପରାୟଣ ହୋଇ ଉଠିଲା । ଏମିତି ଦିନେ ରାତିରେ ହଠାତ୍ ସେ ରାଗିଯାଇ ଗୋଟେ କଟୁରୀ ଧରି ମୋତେ ହାଣିବାକୁ ଆସିଲା । ମୁଁ ଦେଖିଲି ସେ ମୁଣ୍ଡରେ ନାଲି ସିନ୍ଦୂର ପିନ୍ଧିଛି । ଅଣ୍ଟାରେ ଗୋଟେ ବାଘ ଛାଲ ପିନ୍ଧିଛି । ଆଖି ଯୋଡ଼ାକ ଲାଲ ଲାଲ ହୋଇ ଯାଇଛି ସତେ ଯେପରି କେଉଁ ଆତ୍ମା ତା’ ଦେହରେ ପ୍ରବେଶ କରିଛି । ତା’ର କଥାର ସ୍ଵର ବି ବଦଳି ଯାଇଛି । କେମିତି ଗୋଟେ ପୁରୁଷ ଓ ନାରୀ ମିଶାମିଶି ସ୍ଵରରେ ସେ ଗର୍ଜନ କରୁଥାଏ । ମୁଁ ତାକୁ ଦେଖି ଖୁବ୍ ଡରି ଯାଇଥାଏ । ସେ ମୋ ପାଖକୁ କଟୁରୀ ଧରି ଝପଟି ଆସିଲା ବେଳକୁ ମୁଁ ତା’ର ହାତକୁ ମାଡ଼ି ବସିଲି । ଆଉ ପାଖରେ ଥିବା ଠେଙ୍ଗାରେ ତା’ ମୁଣ୍ଡକୁ ଗୋଟେ ଶାକ୍ତ ପାହାର ଦେଲି । ଠେଙ୍ଗା ପାହାର ଖାଇ ଶମ୍ଭୁ ସେଇଠି ଟଳି ପଡ଼ିଲା । ତା ମୁଣ୍ଡ ଫାଟି ରକ୍ତ ଧାର ବୋହି ଚାଲିଥାଏ । ସେ ପଡ଼ିଯିବାର ଦେଖି ମୁଁ ତାକୁ ଉଠେଇଲା ବେଳକୁ ସେ ମୋତେ ପୁଣି ସେମିତି ଗର୍ଜନ କରି କହିଲା, “ରଘୁ ଦାସ ଆଜି ମୁଁ ତତେ ମାରି ବଳି ଦେଇଥିଲେ ମୋର ସିଦ୍ଧି ହେଇଥାଆନ୍ତା , କିନ୍ତୁ ତୁ ମୋତେ ମାରି ମୋର ସିଦ୍ଧିରେ ବାଧା ଦେଲୁ । ମୁଁ ସିନା ଆଜି ଚାଲି ଯାଉଛି କିନ୍ତୁ ମନେରଖ ଯେତେଦିନ ପର୍ଯ୍ୟନ୍ତ ତୁ ବଞ୍ଚିଛୁ ମୁଁ ତତେ ଶାନ୍ତିରେ ରଖେଇ ଦେବିନି । ସବୁବେଳେ ତୋ’ ସହ ତୋ’ ପାଖେ ପାଖେ ଛାୟା ହେଇ ରହିଥିବି । ତୋ’ର ଉଠିବା ବସିବା ଶୋଇବା ରହିବା ସବୁକୁ ମୁଁ ହିଁ ପରିଚାଳନା କରେଇବି । ଆଉ ଠିକ୍ ବର୍ଷେ ପରେ ମୁଁ ତତେ ମୋ’ ପାଖକୁ ନେଇ ଆସିବି ।” ଏତିକି କହି ଶମ୍ଭୁ ସେଇଠି ଟଳି ପଡ଼ିଲା ।

ଏତକ କଥା କହି ସରିବା ପରେ ଅଜୟ ପାଖରେ ବସିଥିବା ରଘୁ ହଠାତ୍ ଛିଡ଼ା ହେଇକି କାନ୍ଦିବାକୁ ଲାଗିଲା କହିଲା, “ହେଇ ଦେଖ ଅଜୟ ବାବୁ ସେ ଶମ୍ଭୁ କେମିତି ସେ ଗେଟ୍ ପାଖରେ ଛିଡ଼ା ହୋଇଛି ।” ରଘୁ ଅଙ୍ଗୁଳି ଦେଖାଇଲା ଗେଟ୍ ଆଡ଼କୁ । ଅଜୟକୁ କିଛି ଦେଖାଯାଉ ନଥାଏ । କିନ୍ତୁ ହଠାତ୍ କେଉଁଠୁ ଗୁଡ଼ାଏ କୁକୁର ଭୁକିବା ଆରମ୍ଭ କରି ଦେଲେ କେମିତି ଗୋଟେ ଅଦ୍ଭୁତ ସ୍ଵରରେ । ଏଥର ଅଜୟ ଶଙ୍କିତ ହେଇ ପଡ଼ିଲା । ଡିସେମ୍ବର ମାସ ଶୀତରେ ବି ସେ ଝାଳରେ ଗାଧେଇ ପଡ଼ିଥାଏ ।

ରଘୁ କହିଲା, “ଅଜୟ ବାବୁ କାଲି ହେଉଛି ଶମ୍ଭୁର ବର୍ଷିକିଆ ଆଉ ମୋ ଜୀବନର ଶେଷ ଦିନ । ଆପଣ ଯେମିତି ହେଲେ ମୋର ଏ କାହାଣୀକୁ ଲୋକ ଲୋଚନକୁ ଆଣନ୍ତୁ କାରଣ ମୋତେ ଲୋକମାନେ ଆଜିଯାଏଁ ଭୁଲ୍ ବୁଝି ଆସିଛନ୍ତି ଯେ ମୁଁ କାହିଁକି ଶମ୍ବୁର ହତ୍ୟା କଲି ବୋଲି । ଆଉ ପୁଲିସଠାରୁ ଲୁଚି ଲୁଚି ମୁଁ ବି ଅଣନିଶ୍ଵାସୀ ହୋଇ ଗଲିଣି ।” ଏତିକି କଥା କହି ସାରି ରଘୁ ସେଠାରୁ ଚାଲିଗଲା । ସେଦିନ ରାତିରେ ଅଜୟ ଠିକରେ ଶୋଇ ପାରିଲା ନାହିଁ । ସେ ମନସ୍ଥ କଲା ଯେ ପରଦିନ ଏଠାରୁ ସେ ଚାଲିଯିବ ବୋଲି । ସକାଳୁ ସକାଳୁ ଉଠି ସହଦେବକୁ କହିଲା ଯେ ତାକୁ ବସ ଷ୍ଟାଣ୍ଡରେ ନେଇ ଛାଡ଼ି ଦେଇ ଆସିବାକୁ । ତା’ର ବ୍ୟାଙ୍କରୁ ଫୋନ ଆସିଥିଲା କିଛି ଗୋଟେ ଜରୁରୀ କାମ ପାଇଁ ତାକୁ ଆଜି ହିଁ ଯିବାକୁ ପଡ଼ିବ ବୋଲି । ସହଦେବ ଅଜୟକୁ ନେଇ ବସ୍‌ରେ ବସାଇ ଦେଇ ଆସିଲା । ବସ୍‌ରେ କିଛିବାଟ ଗଲା ପରେ ଡ୍ରାଇଭର ହଠାତ ବସ୍‌ଟିକୁ ରଖିଦେଲା ଆଉ କହିଲା, “ଆଗରେ କିଛି ଗୋଟେ ଦୁର୍ଘଟଣା ହୋଇଛି ବୋଧହୁଏ ସେଥିପାଇଁ ଲୋକେ ରାସ୍ତାରେ ଛିଡ଼ା ହୋଇଛନ୍ତି ।” ଉତ୍ସୁକତାର ସହ ଅଜୟ ବସ୍‌ରୁ ବାହାରି ବାହାରକୁ ଆସିଲା ଜାଣିବା ପାଇଁ କ’ଣ ହୋଇଛି ବୋଲି । ଦେଖିଲା ଗୋଟେ ଲୋକର ତଣ୍ଟି କାଟି କେହି ଜଣେ ହତ୍ୟା କରି ଫିଙ୍ଗି ଦେଇଛି । କିନ୍ତୁ ଏ କ’ଣ ଏ ତ ସେଇ ଲୋକ ଯିଏ କାଲି ତା’ ପାଖକୁ ଆସିଥିଲା । ଭୟରେ ଶୀତେଇ ଉଠିଲା ତା’ର ସର୍ବାଙ୍ଗ ଶରୀର । ଚୁପଚାପ୍ ଆସି ସେ ନିଜ ସିଟ୍‌ରେ ବସି ପଡ଼ିଲା । କିଛି ସମୟ ପରେ ପୁଲିସ ଆସିବାରୁ ରାସ୍ତା ସଫା ହେଲା ପରେ ଗାଡ଼ି ଚାଲିଲା କଟକ ଅଭିମୁଖେ । ରାସ୍ତାସାରା ଅଜୟ ସେଇ କଥା ଭାବି ଭାବି ଅନ୍ୟମନସ୍କ ହୋଇ ପଡ଼ୁଥାଏ । ରାତିରେ ଘରେ ପହଞ୍ଚିବା ପରେ ସେ ରଘୁ କହିଥିବା ସବୁ କଥାକୁ ଗୋଟେ କାହାଣୀର ରୂପଦେଇ ଗୋଟିଏ ଭଲ ପତ୍ରିକାକୁ ପଠେଇ ଦେଲା । ରାତିରେ ଶୋଇବାକୁ ଗଲାବେଳକୁ ସେ ଦେଖିଲା ଗୋଟେ ଛାୟା ଯେପରି ତା’ ଘରୁ ବାହାରିଗଲା । ପର ମାସର ସଂଖ୍ୟାରେ ଅଜୟର ଗପ “ଛାୟା” ପ୍ରକାଶିତ ହୋଇଥିଲା ଓଡ଼ିଶାର ଗୋଟେ ନାମୀ ପତ୍ରିକାରେ ।

– ଦୀପକ ଷଡ଼ଙ୍ଗୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଦୀପକ ଷଡ଼ଙ୍ଗୀ ପେଶାରେ ଜଣେ ଅଧ୍ୟାପକ, ଯିଏକି ରୋଲାଣ୍ଡ ଫାର୍ମାସୀ କଲେଜରେ କାର୍ଯ୍ୟରତ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି । ଏତଦ୍‌ବ୍ୟତୀତ ସେ ନିଜେ ଜଣେ ଗୀତାର ବାଦକ ।