ପ୍ରଥମ ପ୍ରେମ
ପ୍ରଥମ ପ୍ରେମ

ପ୍ରଥମ ପ୍ରେମ

ପ୍ରଥମ ପ୍ରେମ ସବୁବେଳେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥାଏ ହୃଦୟ ଭିତରେ । ଅନେକ କୁହ‌ନ୍ତି ପ୍ରଥମ ପ୍ରେମକୁ ଭୁଲିବା କଷ୍ଟ । ମଣିଷର ସରଳ ଜୀବନ‌କୁ କେମିତି ଗୋଟେ ଅଙ୍କାବଙ୍କା ନଈର ଧାର ପରି ସଜେଇଦେଇଥାଏ ଏହି ପ୍ରେମ । ଏକ ସୁନ୍ଦର ଆକର୍ଷଣ ସ‌ହ କାହିଁ କେଉଁକାଳରୁ ଶୋଇରହିଥିବା ଏକ ବୀଜଟି ମନ ଭିତରେ ଫୁଟିଉଠିଥାଏ ପାଖୁଡ଼ା ମେଲି । ଜୀବନରେ ଅନେକଙ୍କ ସ‌ହ ଦେଖା ହୋଇଯାଇଥାଏ, ମାତ୍ର ସେ ନିଆରା ସୃଷ୍ଟି ହୋଇଯାଏ କାହାସ‌ହ ପ୍ରଥମ ଦେଖାରେ । ସେହି ଅନୁଭବକୁ ଆମେ ପ୍ରେମ ବୋଲି ହିଁ କ‌ହିଥାଉ । ଅନେକଙ୍କ ମତରେ ପ୍ରେମ ଅସୀମ, ପ୍ରେମର କୌଣସି ନିର୍ଦ୍ଦିଷ୍ଟ ପରିଭାଷା ନଥାଏ । ଏହା କେବେବି ଏବଂ କାହା ସ‌ହ ବି ଜାତ ହୋଇପାରେ, ଯାହାର କୌଣସି ବାଡ଼ ବତା କିଛି ନ ଥାଏ । ସେହିଭଳି କିଛି ପ୍ରଥମପ୍ରେମର କାହାଣୀକୁ ନେଇ ମୋର ଏହି କ୍ଷୁଦ୍ର ରଚନା ।

(୧)

ମୁଁ ଯେତେବେଳେ ପ୍ରଥମେ ସ୍କୁଲ ଯାଉଥଲି, ସେତେବେଳେ ମୋତେ ଆଦୌ ଭଲ ଲାଗୁନଥିଲା । ଛୋଟବେଳୁ ପ୍ରାୟତଃ ନିଜଲୋକଙ୍କ ସ‌ହ ଖେଳିବୁଲି ବଡ଼ ହୋଇଥିଲି । ସେଥିରେ ନିଜ ପରିବାର ଏବଂ ପ୍ରିୟଜନଙ୍କୁ ଛାଡ଼ିଲା ପରେ ବୋଧେ ଆଉ କେହି ନ ଥିବେ । ସେହି ସମୟରେ ସ୍କୁଲ ଯିବା ଏକ କାଠିକର ପାଠ ଭଳିଆ । ତା’ ସାଙ୍ଗକୁ ପୁଣି ସ୍କୁଲରେ ଶିକ୍ଷକଙ୍କର ବେତପାହାରକୁ ନେଇ ସେତେବେଳେ ଅନେକ ଢଗଢମାଳି ପ୍ରଚଳିତ ଥିଲା । ପିଲାଟିଏ ସ୍କୁଲକୁ ଯିବା ଆଗରୁ ସ୍କୁଲ ପ୍ରତି ତା’ ମନରେ ଏକ ଭିନ୍ନ ଧାରଣା ସୃଷ୍ଟି ହେଇଯାଉଥିଲା । ତ‌ଥାପି ଯେମିତି ହେଲେ ବି ସ୍କୁଲ ଯିବାକୁ ପଡ଼ୁଥିଲା । କେବେ ଘରଲୋକଙ୍କ ଡରରେ ତ’ ପୁଣି କେବେ ଶିକ୍ଷକମାନଙ୍କର ବେତ ପାହାର ଡରରେ ।

ସେତେବେଳେ ତ’ ଆଜିକାଲିକା ଭଳିଆ ବେସରକାରୀ ସ୍କୁଲ ନଥିଲା, ସବୁ ପ୍ରାୟ ସରକାରୀ ସ୍କୁଲ । ମୁଁ ବି ଆମ ଗାଁରେ ଥିବା ସରକାରୀ ସ୍କୁଲରେ ପାଠପଢ଼ା ଆରମ୍ଭ କଲି । ଏବେ ସିନା ଜନ୍ମ‌ବେଳୁ ପିଲାର ପଢ଼ିବା ଚିନ୍ତା, ପ୍ରଥମ ଶ୍ରେଣୀରେ ପଢ଼ିବା ଆଗରୁ ସେ ୩/୪ବର୍ଷ ଅନ୍ୟ ଶ୍ରେଣୀରେ ପଢ଼ିକି ଆସିଥିବ । ସେତେବେଳେ କିନ୍ତୁ ସେମିତି ନଥିଲା । ସିଧା ପାଠ ପଢ଼ା ଆରମ୍ଭ ହେଉଥିଲା ପ୍ରଥମ ଶ୍ରେଣୀରୁ । କଷ୍ଟେମଷ୍ଟେ ପ୍ରଥମ ଶ୍ରେଣୀ ଆଉ ଦ୍ୱିତୀୟ ଶ୍ରେଣୀର ପାଠପଢ଼ା ଡରିଡରିକି ସରିଗଲା । ତୃତୀୟ ଶ୍ରେଣୀ ହେଲା । ସେତେବେଳେ ବାର୍ଷିକ ପରୀକ୍ଷା ଶେଷ ହୋଇଗଲେ ଖରାଦିନ ଛୁଟି ଆରମ୍ଭ ହେଇଯାଉଥିଲା । ରଜପରେ ଯାଇକି ସ୍କୁଲ ଖୋଲିଲେ ପାଠପଢ଼ା ଆରମ୍ଭ ହେଉଥିଲା । ସେତେବେଳକୁ ଧିରେ ଧିରେ ସ୍କୁଲକୁ ଯିବାରେ ମନ ଲାଗିଯାଇଥିଲା ।

ରଜଛୁଟି ପରେ ଯେତେବେଳେ ସ୍କୁଲକୁ ଗଲି, ସେତେବେଳେ ସ୍କୁଲକୁ ଜଣେ ନୂଆ କରି ଶିକ୍ଷୟିତ୍ରୀ ଆସିଥିଲେ । ବୟସ ବେଶି ନ ହଲେ ବି ମୋ ଠାରୁ ତ’ ବ‌ହୁତ ବଡ଼ ଥିଲେ । ପ୍ରଥମ ଦେଖାରେ ଯେମିତି ମୋ ଆଖି ତାଙ୍କ ସୁନ୍ଦରତା ଉପରେ ଲାଖିଯାଇଥିଲା । ସ୍କୁଲକୁ କେହି ନୂଆକରି ଶିକ୍ଷକ ଅସିଲେ, ପ୍ରଧାନଶିକ୍ଷକ ତାଙ୍କୁ ସବୁ ଶ୍ରେଣୀଗୃହ ବୁଲାଇ ପିଲାମାନଙ୍କ ସ‌ହ ପରିଚିତ କରେଇଥାନ୍ତି । ଯେତେବେଳେ ପ୍ରଧାନଶିକ୍ଷକ ମହୋଦୟ ତାଙ୍କୁ ଆମର ଶ୍ରେଣୀଗୃହକୁ ବୁଲାଇବା ଆଣିଥିଲେ, ସେତେବେଳେ ଜେଜେମା କାହାଣୀରେ ଥିବା ପରୀରାଇଜର ପରୀଟିଏ ପରି ଦଣ୍ଡାୟମାନ ହୋଇଥିଲେ ମୋ ଆଗରେ । ଗାଢ଼ କଳାରଙ୍ଗର ଆଖି ସ‌ହ ସୁମଧୁର ହସ ସଙ୍ଗେ କୋଇଲି କୁହୁତାନ ପରି ଥିଲା ତାଙ୍କର କଣ୍ଠସ୍ୱର । ପ୍ରଥମ ଦେଖାରେ ଭିନ୍ନ ଏକ ଆକର୍ଷଣରେ ଆକର୍ଷିତ ହୋଇଯାଇଥିଲି ମୁଁ ତାଙ୍କ ଆଡ଼କୁ । ପ୍ରଧାନ ଶିକ୍ଷକଙ୍କ ସ‌ହ ନୂଆ ଦିଦି ଜଣଙ୍କ ଚାଲିଗଲା ପରେ ବି ମୋତେ ଲାଗୁଥିଲା କି ସେମିତି ସେଇଠି ଠିଆ ହୋଇଥିଲେ । ତାଙ୍କର ସେ ହସ ହସ ମୁଖ ମୋ ଆଖିରେ ଅସୁମାରି ଭାବନାକୁ ଜାଗ୍ରତ କରିଦେଇଥିଲା ।

ତା’ ପରଦିନଠାରୁ ସ୍କୁଲକୁ ଯିବାରେ ମୁଁ କେବେ କୁଣ୍ଠାବୋଧ କରିନାହିଁ । ସବୁଦିନେ ସମୟ ଆଗରୁ ପ‌ହ‌ଞ୍ଚିଯାଉଥିଲି ସ୍କୁଲରେ । ଆଗରୁ ପାଠରେ ସେତେ ଭଲ ନ ଥିଲି । ଖେଳରେ ଅଧିକ ସମୟ ବିତାଉଥିଲି, ହେଲେ ତା’ ପରଠାରୁ ସବୁବେଳେ ପାଠରେ ଅଧିକ ଧ୍ୟାନ ଦେଲି । ସେତେବେଳେ ସ୍କୁଲର ଶିକ୍ଷକ/ଶିକ୍ଷୟିତ୍ରୀମାନେ ତ’ ପ୍ରାୟ ସମସ୍ତ ବିଷୟ ପଢ଼ାଉଥିଲେ । ତେଣୁ ଶ୍ରେଣୀଗୃହକୁ କୌଣସି ଶିକ୍ଷକ ଆସିଲେ, ସେ ପ୍ରାୟ ସବୁପାଠ ବିଷୟରେ ପଚାରିବୁଝନ୍ତି । ମୋର ଗୋଟିଏ ଲକ୍ଷ୍ୟ ଥିଲା କି ସେହି ନୂଆଦିଦିଜଣଙ୍କର ଧ୍ୟାନ ମୋ ଉପରକୁ ଆଣିବା । ସେଥିପାଇଁ ସବୁପାଠକୁ ମନ‌ଧ୍ୟାନ ଦେଇ ପଢ଼ିବାରେ ଲାଗିଯାଇଥିଲି । ସେହି ପଢ଼ାର ମନୋଭାବ ବୋଧେ ମୋତେ ଆଜି ଭଲ ଡାକ୍ତରଟିଏ କରିପାରିଛି ।

ସବୁବେଳେ ଶ୍ରେଣୀଗୃହରେ ଭଲ ପାଠପଢ଼ା ପାଇଁ ମୋର ପ୍ରଶଂସା ଆରମ୍ଭ ହୋଇଯାଇଥିଲା । ଦିଦିଙ୍କ ସାମ୍ନାରେ ସବୁବେଳେ ମୋର ଉତ୍ତମ ବ୍ୟବ‌ହାର ଏବଂ ପାଠପଢ଼ା ପ୍ରତି ଅନୁରାଗ ମୋତେ ତାଙ୍କ ଆଡ଼କୁ ଆକର୍ଷିତ କରିଥିଲା । ସେ କୌଣସି ଦିନ ମଧ୍ୟ ମୋର ପ୍ରଶଂସା କରିବାରେ ହେଳା କରୁନଥିଲେ । ପ୍ରଥମ ଦେଖାପରେ ସେହି ଦୁଇବର୍ଷ ଭିତରେ ଧୀରେ ଧୀରେ ଆମ ସମ୍ପର୍କ ବଢ଼ିଯାଇଥିଲା । ଏମିତିକି ମୁଁ ଘରୁ ବି କେବେ କେବେ ତାଙ୍କ ପାଇଁ କିଛି ଖାଇବାକୁ ନେଇକି ଯାଉଥିଲି । ଏମିତି ମୋର ଚତୁର୍ଥ ଶ୍ରେଣୀ ପରୀକ୍ଷା ଶେଷ ହେଲା । ପରୀକ୍ଷା ଶେଷ ହେଲା, ସ୍କୁଲ ଛୁଟି ହୋଇଗଲା ଏବଂ ଦିଦି ମଧ୍ୟ ତାଙ୍କ ଘରକୁ ଚାଲିଗଲେ ।

ସ୍କୁଲ ଖୋଲିଲାବେଳକୁ ସେ ଆଉ ଆସିଲେନି । ଖବର ମିଳିଲା କି ତାଙ୍କର ବିଭାଘର ହୋଇସାରିଥିଲା । ଏହି ଖବର ଶୁଣି ମୋର କୋମଳ ହୃଦୟଟି ଭାଙ୍ଗିଯାଇଥିଲା । କିନ୍ତୁ ତାଙ୍କର ସେ ଚେହେରାଟି ସବୁଦିନେ ମୋ ମନ ଭିତରେ ଘର ତୋଳି ରହିଯାଇଥିଲା । ପ୍ରତ୍ୟେକ ପରୀକ୍ଷାରେ ଭଲ ନମ୍ବର ରଖି ପ୍ରଥମ ହୋଇଛି । ସବୁବେଳେ ଚାହେଁ ସେ ମୋର ପୁଣିଥରେ ସେମିତି ପ୍ରଶଂସା କରନ୍ତେ କି । କିନ୍ତୁ ଜୀବନରେ କେବେ ଆଉ ଭେଟିନାହିଁ ତାଙ୍କୁ । ଆଜି ଏ ଆଖି ଏହି ଦୁନିଆରେ ତାଙ୍କରି ସେହି ହସଭରା ଚେହେରାଟିର ଅନ୍ୱେଷଣରେ ଅଛି ।

(୨)

ସ୍କୁଲରେ ଭଲ ନମ୍ବର ରଖି ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସମୟ ଆସିଯାଇଥିଲା ଘର ଛାଡ଼ି ବାହାରକୁ ଯିବା ପାଇଁ । ଘରଠାରୁ ଦୂରେଇ ଯାଇ ରହିବା ବୋଧେ ସଭିଙ୍କ ପାଇଁ ସେହି ବୟସରେ କାଠିକାର ପାଠ ହୋଇଥାଏ । ତ‌ଥାପି ଯିବାକୁ ହେବ । ସ୍କୁଲ ବେଳେ ତ’ ସଭିଏଁ କୁହ‌ନ୍ତି, ମାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖି ପାସ୍ ହୋଇଗଲେ ଆଉ କିଛି ଅସୁବିଧା ନାହିଁ, ତେଣିକି ନିଜ ମନ ମୁତାବକ ପଢ଼ିବାକୁ ହେବ । ଆଉ ସେତେ ଅଧିକ ପରିଶ୍ରମ ନ ଥାଏ । ସେ ଯାହା ହେଉ, ଘର ଛାଡ଼ିବାକୁ ପଡ଼ିଲା ଆଉ କଲେଜରେ ହଷ୍ଟେଲରେ ରହିବାକୁ ପଡ଼ିଲା ।

କୂଅ ଭିତରେ ବାସ କରୁଥିବା ବେଙ୍ଗଟିଏ ଯେତେବେଳେ ପ୍ରଥମ କରି କୂଅବାହାରକୁ ଆସିଥାଏ, ସେତେବେଳେ ସେ ଏତେବଡ଼ ଦୁନିଆ ଦେଖି ଖୁସିରେ ଝୁମିଉଠେ । ମୁଁ ବି ସେତେବେଳେ ପ୍ରଥମ କରି ବାହାରକୁ ଯାଇଥିଲି ଆଉ ଆକଟ କରିବା ପାଇଁ ବି ପାଖରେ କେହି ନ ଥିଲେ । ମନଭରି ଖୋଲା ଆକାଶ ତଳେ ମୁଁ ଉଡ଼ିବୁଲିବି ବୋଲି ବ‌ହୁତ ଖୁସି ହେଉଥିଲି । ଘର ଛାଡ଼ିବାର ବିଷାଦ ଯେତିକି ମନରେ ଥାଏ, ମୁକ୍ତି ପାଇଥିବା ବିହ‌ଙ୍ଗର ହରଷ ମଧ୍ୟ ସେତିକି ମନରେ ଭରି ରହିଥାଏ । ଏମିତିରେ ପ୍ରଥମ କିଛିଦିନ କଲେଜରେ କଟିଗଲା । ଆଗରୁ ତ’ ମନରେ ଗୋଟିଏ କଥା ଘର କରିସାରିଥିଲା କି କଲେଜ ଗଲେ ଅଧିକ ପରିଶ୍ରମ ଦରକାର ନାହିଁ । ଅଳ୍ପ‌ପଢ଼ାରେ ଭଲ ନମ୍ବର ଆସିଯିବ । ତେଣୁ ପାଠ ପଢ଼ାପ୍ରତି ନିଘା ହିଁ ନଥାଏ । ସେହି କେଇଦିନ ଭିତରେ କଲେଜରେ କିନ୍ତୁ ମୋତେ ମୋର ମନଲାଖି ସାଙ୍ଗଟିଏ ମିଳିନଥିଲା । ସ୍କୁଲରେ ପଢ଼ିଲାବେଳେ ମୋର ସବୁଠାରୁ ଭଲ ସାଙ୍ଗ ଥିଲା ଅଜୟ । ତା’ ଭଳି କେହି ଜଣେ କଲେଜରେ ମିଳିଲେନି । ଖୋଲା ଆକାଶ ତଳେ ଏକୁଟିଆ ଡେଣାମେଲେଇ ଉଡ଼ିବାରେ ସେତେଟା ଉଲ୍ଲାସ ମିଳେନାହିଁ, ତେଣୁ ହରଷଭରା ମନଟା ଧିରେ ଧିରେ ଭାରାକ୍ରାନ୍ତ ହେବାରେ ଲାଗିଥିଲା । ଗାଁ ଦାଣ୍ଡ, ଘର ଅଗଣା ସବୁକିଛି ପୁଣିଥରେ ମନ ଭିତରେ ଖୁନ୍ଦି ହେଇଯାଉଥିଲା ।

ଏମିତି ଗୋଟିଏ ଦିନେ ମନ‌ଦୁଃଖରେ ବସିଥିଲା ବେଳେ ଗୋଟିଏ ଅଜଣା ସ୍ୱର ହଠାତ୍ ମୋତେ କିଛି କ‌ହୁଥିବାର ମୁଁ ଅନୁମାନ କଲି । ପଛକୁ ବୁଲି ଦେଖେ ତ’ କିଏ ଗୋଟେ ଝିଅଟିଏ ମୋତେ ଡାକୁଥିଲା । ମନରେ ଟିକିଏ ଶଙ୍କା ନେଇ ମୁଁ ତା’ ପାଖକୁ ଗଲି ଏବଂ ସେ ତା’ ତରଫରୁ ତା’ର ପରିଚୟ ଦେଲା । ସେ ବି ଆମ ସାଙ୍ଗରେ ପଢ଼ୁଛି । ମାତ୍ର ତା’ର ଦେହ ଖରାପ କାରଣରୁ ସେ ଆରମ୍ଭରୁ ଆସିପାରି ନ ଥିଲା । କ୍ଲାସରେ ବସି ସବୁଯାକ ନୋଟ୍ କରୁଥିବାର ସେ ମୋତେ ଦେଖିଥିଲା, ସେଥିପାଇଁ ମୋ’ଠାରୁ ନୋଟ୍ ମାଗିବାକୁ ଆସିଥିଲା । ତା’ କଥା ଶୁଣି ମୋର ଅଜୟ କଥା ମନେ ପଡ଼ିଗଲା । ଅଜୟ ବି ସବୁବେଳେ ଏମିତି କରେ । ମୋ ନୋଟ୍ ନେଇକି ସବୁବେଳେ ଉତାରୁଥାଏ । ପୁଣି ମୁଁ ଭାବନା ରାଇଜରେ ବୁଡ଼ିଯିବାର ଦେଖି ସେ ମୋତେ ନୋଟ୍ ବିଷୟରେ ଆଉଥରେ କ‌ହିଲା । ମୁଁ ମଧ୍ୟ ସେମିତି କିଛି ନ ଭାବି ନୋଟ୍‌ଦୁଇଟି ବ୍ୟାଗ୍‌ରୁ କାଢ଼ି ଦେଇଦେଲି ।

ପରିଦିନ କ୍ଲାସରେ ସେ ସେହି ନୋଟ୍‌କୁ ଫେରାଇଲା । ଏବଂ ସେ ନୋଟ୍‌ରେ ଥିବା ୩/୪ଟି ଭୁଲ‌କୁ ସେ ଠିକ୍ କରିଦେଇଥିବା କଥା ମଧ୍ୟ କ‌ହିଲା । ମୁଁ କ୍ଲାସରେ ଖାଲି ନୋଟ୍ ଲେଖୁଥିଲି, ହେଲେ କେବେ ପଢ଼ିନଥିଲି, ସେଥିପାଇଁ ସେ ଭୁଲଗୁଡ଼ିକ ମୋତେ ଜ୍ଞାତ ନ ଥିଲା । ଏହାପରେ ସେ ଆଉ ଗୋଟାଏ ନୋଟ୍‌ ବି ମାଗିକି ନେଲା । ଯେହେତୁ କଲେଜରେ ମିଶିବା ପାଇଁ ଆଉ କେହି ନ ଥିଲା, ମୁଁ ତା’ ସ‌ହ ହିଁ କଥା ହୁଏ । ସବୁବେଳେ ମୁଁ ତାକୁ ସାହାଯ୍ୟ କରେ ଏବଂ ସେ ମୋତେ । ଏମିତି ଧିରେ ଧିରେ ଆମର ଭଲ ବନ୍ଧୁତା ହୋଇଗଲା । କ୍ଲାସ ଶେଷ ହେବା ପରେ ମୁଁ ପ୍ରାୟ ସମୟ ତା’ ସ‌ହିତ କଟାଉଥିଲି । ସେ ବ‌ହୁତ ସମୟ ପଢ଼ୁଥିଲା, କିନ୍ତୁ ମୁଁ ସେତେ ପଢ଼ୁନଥିଲି, ମୋ ମନରେ ତ’ ଥିଲା କି ଅଳ୍ପ ପଢ଼ାରେ ଭଲ ନମ୍ବର ମିଳିଯିବ ।

ଏମିତି ସବୁବେଳେ ମିଶିବା, ଏକାଠି ବୁଲିବା ଏବଂ ତା’ର ମୋ ପ୍ରତି ଥିବା ଯତ୍ନ ସବୁ ମୋତେ ଆହୁରି ଭାବପ୍ରବଣ କରିପକାଉଥିଲା । ଧିରେ ଧିରେ ଏହି ବନ୍ଧୁତ୍ୱଭାବ ମୋ ମନ ଭିତରେ ଭଲ ପାଇବାର ପରିଣତ ହୋଇସାଇଥିଲା । କିନ୍ତୁ ସେ ବିଷୟରେ ମୁଁ କେବେ ବି ତା’କୁ ସନ୍ଦେହ କରିବାର ସୁଯୋଗ ଦେଇନଥିଲି । ପ୍ରେମର ଅର୍ଥ ବୁଝିନଥିବା ପିଲାଟି ଦିନେ ଯେ କେବେ କାହାକୁ ପ୍ରେମ କରିପାରିବ, ଏହା ମୋ ନିଜର ଧାରଣାର ବାହାରେ ଥିଲା । ମନ ଭିତରେ ପ୍ରେମ‌ପାଖୁଡ଼ା ଧିରେ ଧିରେ ବଡ଼ ହେଉଥିଲା, କିନ୍ତୁ ଏକମାତ୍ର ଭଲ ବନ୍ଧୁକୁ ହରାଇବାର ଭୟ ହିଁ ମୋତେ ଅଟକାଇରଖିଥିଲା ।

ଏମିତିରେ ଦୁଇବର୍ଷ ଶେଷ ହୋଇଗଲା ଏବଂ ବିଦାୟାକଳୀନ ସମ୍ବର୍ଦ୍ଧନା ସଭା ମଧ୍ୟ ଆୟୋଜିତ ହେଲା । ସେଦିନ ବୋଧେ ମୁଁ ଅନ୍ୟସବୁପିଲାଙ୍କ ସ‌ହ ମିଶିଥିଲି । ସେଦିନ ମଧ୍ୟ ସେ ସେଇଠି ଉପସ୍ଥିତ ଥିଲା । କିନ୍ତୁ ବନ୍ଧୁତାର ସୁମଧୁର ସମ୍ପର୍କ ଉପରେ କାଳି ନ ଢାଳିବା ପାଇଁ ମୁଁ ସେଦିନ ବି କିଛି କ‌ହିପାରିନଥିଲି । ପରବର୍ତ୍ତୀ ସମୟରେ ସେ ମେଡିକାଲ ପାଇଁ ଚାଲିଗଲା । ମୁଁ କିନ୍ତୁ ସେ ସେତେ ଭଲ ନମ୍ବର ରଖିପାରିଲିନି । ସେଥିପାଇଁ ମୋତେ ଏକ ସାଧାରଣ +୩ କଲେଜରେ ପଢ଼ିବାକୁ ହେଲା । ସାଥିହୋଇ ବାଟ ଚାଲିବାର ସେହି ସ୍ୱପ୍ନ ସ୍ୱପ୍ନରେ ମିଳେଇଗଲା । ଆଜି ବି କୌଣସି ଡାକ୍ତରଙ୍କ ପାଖକୁ ଗଲେ ମୁଁ ପ୍ରଥମେ ତାଙ୍କର ନାଆଁ ଦେଖିବାକୁ ଭୁଲେନି ।

(୩)

ପାଠପଢ଼ାର ବ୍ୟସ୍ତ‌ତା ଏବଂ ସଙ୍କିର୍ଣ୍ଣ ମନଭାବ ପାଇଁ ମୋର ବୋଧେ କେହି ଭଲ ସାଙ୍ଗ ନ ଥିଲେ । ମୋ ପାଇଁ ସାଙ୍ଗ କହିଲେ ମୋର ବ‌ହିଖାତା । ଏମିତିକି ଯଦି ମୋର କୌଣସି ଅସୁବିଧା ହେଉଥିଲା ମୁଁ ତାଙ୍କୁ ମୋର ବ‌ହିଖାତାଙ୍କୁ ଶୁଣାଉଥିଲି ଏବଂ କେବେ କେବେ ଡାଏରୀରେ ଲେଖିଦେଉଥିଲି । ଏମିତି ସବୁକିଛି ଭିତରେ ମୁଁ ଗୋଟେ କଲେଜରେ ଶିକ୍ଷକତା କରିବା ଆରମ୍ଭ କରିଦେଇଥିଲି । ସେଇଠି ମଧ୍ୟ ସେଇ ଅବସ୍ଥା ହୋଇଥିଲା ମୋର । ଅଧିକାଂଶ ସମୟରେ ମୁଁ ବ‌ହିରେ ମଜ୍ଜିଯାଉଥିଲି ଏବଂ କାହା ସ‌ହ ଠିକ୍‌ଭାବରେ ମିଶିପାରୁନଥିଲି ।

ସଂସାରର ରଥ କିନ୍ତୁ କାହା ପାଇଁ ଅଟକେନି । ଘରଲୋକଙ୍କର କଥାରେ ମୋର ବିଭାଘର ଠିକ୍ କରାଗଲା ଏବଂ ଶୁଭବେଳା ଦେଖି ମଧ୍ୟ ବିବାହ କରିଦିଆଗଲା । ବିବାହ ପରେ କିନ୍ତୁ ସବୁକିଛି ବଦଳିଗଲା । ଆଗରୁ ଏକା ରହିବାର ଅଭ୍ୟାସ ଥିଲା । ବୋଧେ ୧୪ଘଣ୍ଟାରୁ ଅଧିକ ସମୟ ମୋର ବ‌ହିମାନଙ୍କ ସ‌ହ ବିତୁଥିଲା, ମାତ୍ର ବିବାହ ପରେ ସେମିତି ନ କରିବାକୁ ଘର ଲୋକେ ମଧ୍ୟ ଉପଦେଶ ଦେଲେ । ଯାହା ଯେମିତି ହେଉ, ସବୁକାର୍ଯ୍ୟ ଶେଷ ହେବା ପରେ ପୁଣିଥରେ ମୋର କଲେଜକୁ ଚାଲଗଲି । ସେଥର କିନ୍ତୁ ଯିବାବେଳେ ଏକା ନ ଥିଲି । ପ୍ରଥମେ ଯେଉଁଦିନ ସେଇଠି ପ‌ହ‌ଞ୍ଚିଲୁ, ସେତେବେଳକୁ ରାତି ହୋଇଆସୁଥିଲା । ତେଣୁ ଘରୁ ନେଇଥିବା ଖାଇବାତକ ଖାଇଦେଇ ଶୋଇଗଲୁ । ପରଦିନ ମୁଁ ସକାଳୁ ବାହାରି କଲେଜକୁ ଚାଲିଗଲି ।

ଆସିଲାବେଳକୁ କିନ୍ତୁ ମୋ ଘରର ଅବସ୍ଥା ସମ୍ପୂର୍ଣ୍ଣ ବଦଳିଯାଇଥିଲା । ସବୁଦିନ ଅଳିଆ ଅସଜଡ଼ା ହୋଇପଡ଼ିଥିବା ସେହି ବ‌ହିଗୁଡ଼ିକ ଫଟୋରେ ସାଇତିଲା ଭଳିଆ ଥାକ ଥାକ ହୋଇ ରଖାଯାଇଥିଲା । ଏମିତି ଲାଗିଲା, ସେ ବ‌ହିଗୁଡ଼ିକ ଯେମିତି ମୋଠାରୁ ତାଙ୍କ ମୁହଁ ବୁଲାଇନେଉଥିଲେ । ସବୁବେଳେ ତାଙ୍କୁ ଖେଳେଇ ଖେଳେଇ ଧୂଳିଧୁସର କରିଦେଉଥିଲି । ସେମାନେ ସବୁବେଳେ ମୋ ସ‌ହ ରହୁଥିଲେ, ମୋର ସମୟ ଅସମୟରେ ଯତ୍ନ ନେଉଥିଲେ, କିନ୍ତୁ ମୁଁ ଯେମିତି ସ୍ୱାର୍ଥପର ଭଳି କେବେ ସେମାନଙ୍କ କଥାପ୍ରତି ଧ୍ୟାନ ଦେଇନଥିଲି । ଏମିତି ଏକ ଭାବନାରେ ବୁଡ଼ି ରହିଥିବା ବେଳେ ହଠାତ୍ ପାଉଁଜି ଆଉ ଚୁଡ଼ିର ରୁଣୁଝୁଣୁ ଶବ୍ଦ ମୋ କାନରେ ଲାଗିଲା ଏବଂ ଘରେ ମୁଁ ଏକା ନ ଥିଲି ବୋଲି ମୋର ଜ୍ଞାତ ହେଲା । ଦୁନିଆଠାରୁ ଦୂରେଇଯାଇଥିବା ମୋ ମନଟା ବୋଧେ ପ୍ରଥମ କରି ଏକ ଆକର୍ଷଣରେ ବାନ୍ଧି ହୋଇଯାଉଥିଲା । ବାହାଘରକୁ ୧୦ଦିନ ହୋଇସାରିଥିଲେ ବି ମୁଁ କିନ୍ତୁ ପତ୍ନୀଙ୍କର ଚେହେରା ଠିକ୍‌ରେ ଦେଖିନଥିଲି । ହଠାତ୍ ତାଙ୍କର ଆସିବାର ଶବ୍ଦ ଶୁଣି ତାଙ୍କ ଆଡ଼କୁ ଚାହିଁଲି । ସେ ଆସି ଅନେକ କିଛି କ‌ହିଚାଲିଥିଲେ ମୋ ଆଗରେ । ମୋତେ କିନ୍ତୁ ସେ ସବୁ ଝାପ୍‌ସା ଝାପ୍‌ସା ଦେଖାଯାଉଥିଲା । ତାଙ୍କର ଶେଷ କେଇପଦ କଥା କିନ୍ତୁ ମୋତେ ବ‌ହୁତ ଭଲରେ ଶୁଣାଯାଇଥିଲା । “ମୁଁ କାହା ସ‌ହ କଥା ନ ହୋଇ ଚୁପ୍ ରହିପାରେନାହିଁ, ଏଇଠି ଦିନସାରା ଏକୁଟିଆରେ ଆଉ କ’ଣ କରିଥାନ୍ତି, ସେଥିପାଇଁ ଏହିସବୁକୁ ସାଜଡ଼ିଦେଇଛି ।”

ବୋଧେ ମୋ ଆଗରେ କେହି ଜଣେ ପ୍ରଥମେ ଏତେ କ‌ହୁଥିବା ମୁଁ ଦେଖୁଥିଲି । ସେ କଥା କ‌ହିବାର ଶୈଳୀରେ ଥିବା କିଛି ଅଲଗା ଭାବପ୍ରବଣତା । ବୋଧେ ମୋ ସ‌ହ ଆଗରୁ ଯେ କେହି ବି କଥା ହୋଇଥିଲେ, ସେ ସବୁରେ ସେମିତି କିଛି ନ ଥିଲା । ଯାହାଫଳରେ ମୋତେ କାହାସ‌ହ ଏତେ କଥାହେବାକୁ ଭଲ ଲାଗୁନଥିଲା । କିନ୍ତୁ ପ୍ରଥମ କରି ବୋଧେ ମୋତେ ମୋ ନିଜତରଫରୁ ତାଙ୍କ ସ‌ହ ଆଉ କିଛି କଥା ହେବାକୁ ମନ ହେଉଥିଲା । କଥାକ‌ହିଲାବେଳେ ତାଙ୍କର ଓଠର ଉପରତଳ ହେବା ଏବଂ ଆଖିର ଚାହାଣୀରେ କ‌ଥାକୁ ବର୍ଣ୍ଣନା କରିବା ମୋ ପାଇଁ ଏକ ସ୍ୱପ୍ନ ସ୍ୱରୂପ ଥିଲା । ଜୀବନରେ କେବେ କାହାକୁ ପ୍ରେମରେ ଦେଖିନଥିବା ଏହି ଆଖି ସେଦିନ ପ୍ରଥମ କରି ତାଙ୍କ ଆଖିରେ ସବୁଦିନପାଇଁ ବୁଡ଼ିରହିବାର ଇଚ୍ଛା ପ୍ରକାଶ କରିଥିଲା ।

(୪)

ଅନେକ ଦିନ ପରେ ଆଜି ପୁଣି ଥରେ ସେହି ପୁରୁଣା ମଳୟ ମନରେ ବ‌ହିଚାଲିଛି । ଅନେକ ବର୍ଷ ତଳର କଥା ପୁଣିଥରେ ଆଜି ମନ‌କୁ ଆନ୍ଦୋଳିତ କରିଦେଉଛି । ଆଖି ଆଗରେ ଭାସି ଯାଉଛି ସେହି ପୁରୁଣା ଦିନର ସ୍ମୃତିସବୁ । ସେତେବେଳେ ମୁଁ ପ୍ରଥମ କରି ଯୋଗଦେଇଥାଏ ଗୋଟିଏ ସରକାରୀ କାର୍ଯ୍ୟାଳୟରେ । ନୂଆ ଚାକିରୀ, ନୂଆ ସ‌ହର, ନୂଆ ଲୋକ । ସବୁକିଛି ନୂଆ ସ‌ହ ଭଡ଼ାରେ ନେଇଥିବା ସେଇ ଘରଟି ମଧ୍ୟ ନୂଆ ଥିଲା । ଅନେକ କିଛି ଜିନିଷ କିଣିବାକୁ ପଡ଼ିଥିଲା ସେବେ । ସାଙ୍ଗ ବି କେହି ନ ଥିଲେ, ଏମିତିକି ସେ ସବୁକୁ ସଜାଡ଼ିକି ରଖିବା ପାଇଁ ବି କେହି ଜଣେ ନ ଥିଲା । ସେଇଠି ରହିବାର ଦୁଇ ତିନି ଦିନ ପରେ ଥରେ ବଜାରରୁ ବ‌ହୁତ ସାରା ଜିନିଷ କିଣି ହାତରେ ଧରି ଚାଲିଚାଲି ଆସୁଥିଲାବେଳେ ହଠାତ୍ ଝିଅଟିଏ ସାଇକେଲରେ ଆସି ପିଟିହୋଇଯାଇଥିଲା ମୋ ଦେହରେ । ସେ ପଡ଼ିଗଲା କି ନାହିଁ ସେ ପ୍ରତି କିନ୍ତୁ ମୋର ନିଘା ନ ଥିଲା । ତରତରେ ମୁଁ ମୋ ଜିନିଷ ସବୁ ଗୋଟେଇବାରେ ଲାଗିଯାଇଥିଲି । ହଠାତ୍ ସେ ଝିଅଟି ବି ମୋ ସ‌ହ ମୋ ଜିନିଷ ଗୋଟେଇବାରେ ସାହାଯ୍ୟ କଲା ।

ସବୁତକ ଜିନିଷ ଆଉ ସଜେଇକରି ରଖିହେଲାନି ବୋହିନେଉଥିବା ଥଳୀରେ । ଫଳରେ ଆଉ କିଛି ଜିନିଷ ବଳିପଡ଼ିଲା । ସେତେବେଳେ ମୁଁ ଟିକେ ବିବ୍ରତ ଥିବା ଦେଖି, ସେ ମୋର ଜିନିଷକୁ ତା’ ପାଖରେ ଥିବା ଗୋଟାଏ ଥଳୀରେ ପୁରେଇ ଦେଇଥିଲେ ଏବଂ ମୋ ସ‌ହ ଜିନିଷ ମୋ ଘର ଯାଏଁ ତା’ ସାଇକେଲରେ ବୋହିକି ବି ଆଣିଥିଲା । ସେହିଠାରୁ ଘରଯାଏଁ ଚାଲିକି ଯିବା ଭିତରେ ପଦୁଟିଏ ସେ କ‌ହିନଥିଲା । ମୁଁ କିନ୍ତୁ ରାସ୍ତାଠୁ ଅଧିକ ତା’ର ମୁହଁକୁ ଦେଖୁଥିଲି । ଲାଜଭରା ଆଖିରେ ଅନୁତାପର ଝଲକ ସ୍ପଷ୍ଟ ବାରିହୋଇପଡ଼ୁଥିଲା ତା’ ଆଖିରେ । ଘରେ ପ‌ହ‌ଞ୍ଚିବା ପରେ ମୁଁ ତାକୁ ଭିତରକୁ ଯିବାକୁ ଅନୁରୋଧ କରିଥିଲି । ମାତ୍ର ତା’ର କିଛି ଜରୁରୀ କାମ ଥିଲା ବୋଲି କ‌ହି ସେ ଚାଲିଯିବାକୁ ବାହାରୁଥିଲା । ସେହି ସମୟରେ ମୁଁ ତା’ର ନାଆଁଟି ପଚାରିଥିଲି । ହେଲେ ସେ ତା’ର ନାଆଁ କ‌ହିବା ବଦଳରେ ଫିର୍ କିନା ହସିଦେଇକି ଚାଲିଯାଇଥିଲା ।

ସପ୍ତାହେ କି ଦୁଇ ସପ୍ତାହ ପରେ ଥରେ ମୁଁ ରବିବାର ସକାଳେ ଦୁଆର ଆଗରେ ବସି ଖବରକାଗଜ ଟିକେ ପଢ଼ୁଥିଲି, ସେତେବେଳେ କେହିଜଣେ ଆସିକି ମୋ ଘର ଦୁଆର ଆଗରେ ଅଟକିଲା ଭଳିଆ ଲାଗିଲା । ଆଖି ଉଠେଇ ଦେଖେ ତ’ ସେହି ଅପରିଚିତା ଜଣଙ୍କ ହାତରେ କିଛି ଧରି ଆସୁଥିଲା ମୋ ଆଡ଼କୁ । ମୋତେ ତ’ ପ୍ରଥମେ ବିଶ୍ୱାସ ହେଉନଥିଲା, କିନ୍ତୁ ତା’ହା ସତ ଥିଲା । ସେ ମୋ ପାଖକୁ ଆସି ଲାଜେଇ କ‌ହିଲା କି’ ତା’ର ସେଦିନ ଜନ୍ମଦିନ ଥିଲା ଆଉ ସେ ମୋ ପାଇଁ କିଛି ଜିନିଷ ନେଇକି ଆସିଥିଲା । ବୋଧେ ସେ ମୋର ପ୍ରଥମ ମିତ୍ର ଥିଲା ସେହି ଅଜଣା ସ‌ହରରେ, ଯିଏକି ମୋ ପାଇଁ କିଛି ନେଇକି ଆସିଥିଲା । ଏମିତିରେ ତା’ ସ‌ହ ମୋର ମିଳାମିଶା ବୃଦ୍ଧି ପାଇଥିଲା ଆଉ ଧିରେ ଧିରେ ମୁଁ ତାକୁ ନିଜର କରିବାର ଇଚ୍ଛା କରୁଥିଲି । ତା’ ମନରେ କ’ଣ ଥିଲା ସେ ବିଷୟରେ କିନ୍ତୁ ମୋତେ ଅଜଣା ଥିଲା ।

ହଠାତ୍ ଦିନେ ଜେଜେଙ୍କ ମୃତ୍ୟୁ ଖବର ପାଇଁ ମୁଁ ଘରକୁ ଚାଲିଆସିଲି । ସେତେବଳେ ମୁଁ ଘରେ ପାଖାପାଖି ୧୫ଦିନ ରହିଗଲି । ତା’ ପରେ ଫେରିଲାବେଳକୁ ସେ ଝିଅଟିକୁ ଆଉ ଦେଖିପାରିଲିନି । ଏମିତିକି ତା’ ଘର ଠିକଣାରେ ଯାଇକି ଦେଖେ ତ’ ସେମାନେ ସେ ଘର ବଦଳେଇ ଅନ୍ୟ କୌଣସି ଏକ ସ‌ହରକୁ ଚାଲିଯାଇଥିଲେ । ଅଜଣା ସ‌ହରର ଏକମାତ୍ର ମିତ୍ରଟିକୁ ହରେଇବାର ଦୁଃଖ ପ୍ରବଳ ହୋଇଥିଲା ଏବଂ ସେ ଝିଅଟିକୁ ସେବେଠାରୁ ଖୋଜି ଆସୁଥିଲି, ଯିଏକି ମୋ ହୃଦୟରେ ଘରଟିଏ ତୋଳିସାରିଥିଲା । ଆଜି ଅନେକ ବର୍ଷ ପରେ ପୁଣିଥରେ ସେହି ଝିଅଟିକୁ ଦେଖିଲି । ସେ କିନ୍ତୁ ଏବେ ଆଉ ସେମିତି ନ ଥିଲା । ତା’ର ମୁଖମଣ୍ଡଳରେ ଅନେକ ପରିବର୍ତ୍ତନ ଆସିସାରିଥିଲା, କିନ୍ତୁ ସେହି ଚେହେରାଟି ଦେଖିବା କ୍ଷଣି ଚିହ୍ନିବାରେ ମୁଁ କୌଣସି ଭୁଲ କରିନଥିଲି । ସେ ବି ମୋତେ ଦେଖିଦେଇ ପ୍ରଥମେ ଚିହ୍ନିଦେଇ ମୋ ପାଖକୁ ଅସିଥିଲା । ପ୍ରଥମ ପ୍ରେମକୁ ପାଇବାର ଆଶା ନେଇ ମୁଁ ସେମିତି ଅପେକ୍ଷା କରିଥିଲି ତା’ରି ବାଟକୁ ଏବଂ ସେ ଯେ ସେହି ବାଟରେ ଆପେ ଆପେ ବାଟବଣା ହୋଇ ଆସିଯିବ ଏହା ମୋର କଳ୍ପନା ନ ଥିଲା ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଂଗ୍ରାମ କେଶରୀ ସେନାପତି

ସଂଗ୍ରାମ କେଶରୀ ସେନାପତି, ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ । ସେ ଓଡ଼ିଆରେ ଗଳ୍ପ, ପ୍ରବନ୍ଧ ଆଦି ଲେଖାଲେଖି କରନ୍ତି ଏବଂ ଓଡ଼ିଆ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପରେ ପ୍ରାୟତଃ କାର୍ଯ୍ୟ କରନ୍ତି ।

Leave a Reply

Close Menu