ଅଦୃଶ୍ୟ ସମ୍ପର୍କ
ଅଦୃଶ୍ୟ ସମ୍ପର୍କ

ଅଦୃଶ୍ୟ ସମ୍ପର୍କ

ସହରର ଶେଷ ପ୍ରାନ୍ତରେ ଥିଲା ମୋ ଘର, ସହର କହିଲେ ଛୋଟ ସହରଟିଏ, ଆଠଦଶ ହଜାରରୁ ଅଧିକ ଜନବସତି ନୁହେଁ ବୋଧେଘରର ସାମନାରେ ମୋରମ ପଡ଼ିଥିବା ଲାଲ୍ ରାସ୍ତା, କଂକ୍ରିଟ କି ପିଚୁ ହୋଇନଥିଲା, ବୋଧେ ସରକାରଙ୍କ ରାସ୍ତା ଯୋଜନାସବୁ ଲାଗୁହୋଇନଥିଲା ସେତେବେଳେରାସ୍ତାର ଆରପଟେ ଥିଲା ସରକାରୀ ଜଙ୍ଗଲ, ଆଗରୁ ଘଞ୍ଚ ଜଙ୍ଗଲ ଥିବା କଥା ଶୁଣିଥିଲି, ସମୟକ୍ରମେ ସେସବୁ ଗଛ କଟା ହୋଇ ସ୍ଥାନୀୟ ଲୋକଙ୍କ ଘର ଆସବାବପତ୍ର ତିଆରିରେ ଲାଗିଯାଇଥିଲା, ସରକାରଙ୍କ ବନୀକରଣ ଯୋଜନାରେ ଏବେ ସେଇଠି ଆକାଶି ଶାଗୁଆନର କୃତ୍ରିମ ଜଙ୍ଗଲଟି ବଢିଉଠିଛିମୋ ଘରଠୁ ଶହେ ଦୁଇଶହ ମିଟର ପରେ ଏକ ମାଇଲ୍ଖୁଣ୍ଟ (ସେରଲେକ ହୋମ୍ସର କାହାଣୀ ପଢ଼ି ଥରେ ସେ ଖୁଣ୍ଟ ତଳେ ଗୁପ୍ତ ସୁଡ଼ଙ୍ଗ ଥିବା କଥା ମନକୁ ଆସିଥିଲା କିଛି ବନ୍ଧୁଙ୍କ ସହ ତାକୁ ଖୋଳି ସୁଡ଼ଙ୍ଗ ଖୋଜିବାର ଅପଚେଷ୍ଟା ବି ହୋଇଥିଲା), ସେଇଠୁ  ଜଙ୍ଗଲ ମଝିକୁ ଯିବାପାଇଁ ପାଦଚଲା ରାସ୍ତାଟିଏ, ଠିକ୍ ସେଇ ରାସ୍ତା ପାଖରେ ଗୋଟେ ବିରାଟକାୟ ମହୁଲ ଗଛ, କେହି ସହୃଦୟ ବ୍ୟକ୍ତି ବୋଧେ ସେ ଗଛକୁ କାଟି ଛାଡ଼ି ଦେଇଥିବାର ଅନୁମାନ, ଗଛର ପତ୍ରକୁ ପୋଡ଼ି ବହୁ ଥର ପାହାଡ଼ ଜଙ୍ଗଲ ଅଞ୍ଚଳର ହାଡ଼ଭଙ୍ଗା ଶୀତରୁ ରକ୍ଷା ପାଇଛେ, ଆଉ ଭୋରରୁ ଆସି ମହୁଲ ଫୁଲ ଗୋଟାଇବାର ଆନନ୍ଦ ଅଲଗା ପ୍ରକାରର, ଆଉ ତାପରେ ତାର ପିଠା.. ଆହାଃଅବଶ୍ୟ ବହୁ ଥର ଘରଲୋକମାନେ ବାରଣ କରିଛନ୍ତି ଫୁଲ ଗୋଟାଇବା ପାଇଁ, କାରଣ, ଜଙ୍ଗଲୀ ଭାଲୁଙ୍କର ମଧ୍ୟ ଏହା ଭାରି ପସନ୍ଦ, ଅବଶ୍ୟ ମୋ ସହ କେବେ ଭେଟ ହୋଇନାହିଁ ତାଙ୍କର, କ୍ରିକେଟ ଖେଳର ନିଶା ଧରିବା ପରେ ସେ ଗଛର ଡାଳରେ ବ୍ୟାଟ ୱିକେଟ ତିଆରି ମଧ୍ୟ କରାଯାଇଥିଲା, କେବେ କେମିତି ବଣଭୋଜି ପାଇଁ ପତ୍ର ଡାଳକୁ ବ୍ୟବହାର କରିଯିବାର ନଜିର ମଧ୍ୟ ରହିଛିମୋଟାମୋଟି କହିଲେ ସେ ଗଛ ସହ ଏକପ୍ରକାର ଆତ୍ମୀୟତାର ସଂପର୍କ ଗଢିଉଠିଥିଲା

ଦିନେ ଜଣେ ସାଙ୍ଗ ତାବଡ଼ଭାଇଙ୍କୁ କୋଦଳ କୁରାଢ଼ୀ ଧରି ସେ ରାସ୍ତାରେ ଯିବାର ଦେଖି କାରଣ ପଚାରିଲି, ଉତ୍ତର ଥିଲା ଜଙ୍ଗଲ ରାସ୍ତାରେ ସେ ଗଛ ପାଖରେ କିଛି ଜାଗା ସେମାନେ ଅକ୍ତିଆରକୁ ନେଇ ସେଇଠି ନିଜ ଘର ତିଆରି କରିବେ, ଆଶ୍ଚର୍ଯ୍ୟ ହୋଇ ତାଙ୍କ ସାହାସିକ କାମରେ ଯୋଗଦେଇଥିଲି ଅବଶ୍ୟ, ମାଟି ଖୋଳି କିଛି ଯାଗାରେ କଳମ ଡାଙ୍ଗରେ ବାଡ଼ ତିଆରି କରି ଯଥାଶୀଘ୍ର ଯାଗାକୁ ଘେରାଉ କରିଥିଲେ, ସମୟକ୍ରମେ ଇଟା କାନ୍ଥ ଟାଇଲି ଛପର ଘରଟିଏ ମଧ୍ୟ ଗଢ଼ିଉଠିଥିଲା ସେ ଯାଗାରେସମୟକ୍ରମେ ସେ ଗଛ ସହ ଏକ ଭାବର ସଂପର୍କ ଗଢ଼ିଉଠିଥିଲା, କିନ୍ତୁ କାହାଣୀରେ ଏକ ମୋଡ଼ ଆସିଲା ଯେତେବେଳେ ସେ ଘରର ପ୍ରତିଷ୍ଠା ଉତ୍ସବ ପାଇଁ ସାଙ୍ଗର ବାପା ସେ ଅଞ୍ଚଳର ଜଣେ ବିଖ୍ୟାତ ତାନ୍ତ୍ରିକଙ୍କୁ ନିମନ୍ତ୍ରଣ କରିଥିଲେ, ଅଳ୍ପ ଉଚ୍ଚତା ବଡ଼ ବଡ଼ ଆଖି ବିଶିଷ୍ଟ ସେ ମହାଶୟ ଜଣଙ୍କ ଘର ଅଗଣାକୁ ପ୍ରବେଶ କରି ପ୍ରଥମ ବାକ୍ୟ ଉଚ୍ଚାରଣ କରିଥିଲେ: ସାବଧାନ, ସେ ଗଛରେ ଗୋଟେ ଆତ୍ମା ଅଛି

ପ୍ରଥମ ଥର ପାଇଁ ଏମିତି କିଛି ଶୁଣୁଥିବା ମୁଁ ମୋ ବୟସର ଅନ୍ୟ ପିଲାଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କିମାରିଥିଲା, ତାପରେ ଖେଳର ସମୟ କମି ବିଷୟରେ କାହାଣୀ ଆରମ୍ଭ ହେଲା, ଘର ଲୋକଙ୍କ ତାଗିଦ ପାଇଁ ସନ୍ଧ୍ୟା ପରେ ଗଛ ରାସ୍ତାରେ ଯିବା ପାଖାପାଖି ବନ୍ଦ ହୋଇଯାଇଥିଲାମୋଠାରୁ ବଡ଼ କିଛି ସାହାସି ପିଲା ଯେଉଁମାନେ ଖେଳ ସରିଲାପରେ ସନ୍ଧ୍ୟାରେ ନିତ୍ୟକର୍ମ ପାଇଁ ଜଙ୍ଗଲ ମଧ୍ୟକୁ ଯାଉଥିଲେ ତାହା ମଧ୍ୟ ବନ୍ଦ କରିଦେଲେ, କିଛି ଦିନ ପରେ ତାନ୍ତ୍ରିକ ମହାଶୟ ଗଛଟିକୁ କାଟିବା ପାଇଁ ମଧ୍ୟ ଶୁଭଦିନଟି ନିର୍ଘଣ୍ଟ କରିଦେଲେ, ହେଲେ ଆମ ବୟସର କିଛି ପିଲା ବୟସ୍କ ବ୍ୟକ୍ତି ଏଥିରେ ସହମତ ହୋଇନଥିଲେ କାରଣ ଏପର୍ଯ୍ୟନ୍ତ ସେମିତି କୌଣସି ଅଘଟଣ ଘଟିନଥିଲା, ହେଲେ ଗଛ ପାଖର ଘର ମାଲିକଙ୍କ ଜିଦି ଆଗରେ ସମସ୍ତେ ନରମ ପଡିଯାଇଥିଲେ ଅବଶ୍ୟ

ଆମ ପଡ଼ିଶା ଘର ଝିଅ ଜଣେ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ, ଭଲ ପାଠ ପଢ଼ା ପାଇଁ ସମସ୍ତେ ତାଙ୍କ ଉଦାହରଣ ଦେଉଥିଲେ, କିନ୍ତୁ ହଠାତ୍ ଦିନେ ରାତିରେ ତାଙ୍କ ଘର ଉପରକୁ ଟେକା ପଥର ବୃଷ୍ଟି ହେବାର କଥା ତାପରଦିନ ସକାଳୁ ଜଣାପଡ଼ିଲା ପରେ ଆମ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଯାଇଥିଲା, କଥାକୁ ଆହୁରି ଚାଞ୍ଚଲ୍ୟକର ଭାବେ ପରିବେଷଣ କରିଥିଲେ ସେ ଗଛ ମୂଳ ଘରର ମାଲିକ, ସେ କେଉଁଠି ଏକ ନର ଖପୁରୀ, କିଛି ସିନ୍ଦୂର ଚାଉଳରେ ଗଢାହୋଇଥିବା କିଛି ଗାର ଆବିଷ୍କାର କରିଥିଲେ ଗଛ ପାଖ ତିନିଛକରେଅବଶ୍ୟ ଘଟଣା ପରେ ସେ ପଡୋଶୀ ଝିଅର ବ୍ୟବହାରରେ ପରିବର୍ତ୍ତନ ଆସିଥିବା କଥା ଘର ଲୋକଙ୍କ ଆଲୋଚନା କରିବାର ଶୁଣିଥିଲି

ମୋ ଟିଉସନ ଯିବା ରାସ୍ତା ଅବଶ୍ୟ ଅଲଗା ଥିଲା ହେଲେ ସେ ରାସ୍ତାରେ ଥିବା ଜଣେ ଶୁଖୁଆ ବିକ୍ରେତାଙ୍କ ଘର ଆଉ ତାଙ୍କର ପାଳିତ ଦୁଇ ଶ୍ୟାମ ବର୍ଣ୍ଣର କୁକୁର, ଶୁଖୁଆର ଗନ୍ଧ ଦୁଇ ଜନ୍ତୁଙ୍କ ଡର ପାଇଁ ମୁଁ ପ୍ରାୟତଃ ଅଧ କିଲୋମିଟର ବୁଲାଣି ରାସ୍ତା ମାନେ ସେଇ ଗଛ ରାସ୍ତା ହିଁ ଆପଣେଇ ଥିଲି, ବୋଧେ ଅଦୃଶ୍ୟ ଆତ୍ମା ଠାରୁ ସଦୃଶ୍ୟ ଜୀବାତ୍ମାଙ୍କ ଡର ମୋତେ ବେଶି ଲାଗୁଥିଲା

ସରସ୍ୱତୀ ପୂଜାରେ ଟିଉସନର ସାଜସଜ୍ଜା ଦାୟିତ୍ୱ ମୋଉପରେ ପଡ଼ିଥିଲା, ସନ୍ଧ୍ୟା ପୂର୍ବରୁ ସାରି ଘରକୁ ଫେରିବା ମୋର ଇଛା ଥିଲା, କିନ୍ତୁ ସରୁସରୁ ରାତି ନଅଘରକୁ ଫେରିବି କି ନାହିଁ ଚିନ୍ତାରେ ନେଲି ଏକ ସାହସିକ ପଦକ୍ଷେପ ମନରେ ଡର, କିନ୍ତୁ ଘରକୁ ଫେରିବା ନିଶ୍ଚିତ, କାରଣ ଘର ଲୋକଙ୍କ ବ୍ୟସ୍ତତା ତାପରଦିନ ଶୀଘ୍ର ଉଠି ପୂଜାରେ ଅଂଶଗ୍ରହଣ କରିବାର ଅଦମ୍ୟ ଇଚ୍ଛା ସାମନାରେ ସେ ଗଛ କଥା ଭାବି ଆରମ୍ଭ କରିଥିଲି ଚାଲିବାକିଛି ଶହ ମିଟର ପୂର୍ବରୁ ଏକ ଘଞ୍ଚ ବାଉଁଶ ବୁଦା, ତାମୂଳରେ ଏକ ବିଦ୍ୟୁତ ଖୁଣ୍ଟ, ସେଥିରେ ଲାଗିଥିବା ନିଅନ ଲାଇଟ୍ଟି ହଲିଯାଇ କେତେବେଳେ ଜଳୁଥିଲା କେବେ ବନ୍ଦ ହୋଇଯାଉଥିଲାସେ ପର୍ଯ୍ୟନ୍ତ କୌଣସି ପ୍ରକାର ପହଞ୍ଚି ଯାଇଥିଲି, ଗଛ ପାଖରୁ କୌଣସି ଏକ ଲାଇଟ୍ କୁହୁଡିର ବଳୟ ଭେଦକରି ମୋ ଆଡ଼କୁ ଆସୁଥିବା କଥା ଦେଖିପାରୁଥିଲିହୃଦୟର ଗତି ତୀବ୍ର ମାତ୍ରାରେ ବଢିଚାଲିଥିଲାହଠାତ୍ ଟପ୍ କରି ବାଉଁଶ ଗଛରୁ କାକାର ବିନ୍ଦୁ ପଡିଥିଲା ମୋ ମୁଣ୍ଡ ଉପରେ, ଅତର୍କିତ ଭୟରେ ଦୌଡ଼ିବା ଆରମ୍ଭ କରିଦେଇଥିଲି, ତାପରେ କଣ ହେଲା ଜଣା ନଥିଲା

ଚେତା ଫେରିଲା ପରେ ବାପାଙ୍କ ପ୍ରଶ୍ନ

– କ’ଣ ହେଲାତୋ’ର ଡେରି ହେବା ଦେଖି ମୁଁ ଟର୍ଚ୍ଚ ଧରି ତୋତେ ଖୋଜିବାକୁ ଯାଇଥିଲି… ଏତେ ଶୀତରେ ତୋଦେହରୁ ଝାଳ ବୋହୁଛି, ଡରିଗଲୁ ନା କ’ଣ??

ତା’ପର ଦିନ ସକାଳୁ ତିନି ଚାରି ଜଣ ଗଛ କଟାଳୀ ସେ ଗଛକୁ ଧରାଶାୟୀ କରିଦେଇଥିଲେ, ବାପା ସେ ଘରର ମାଲିକଙ୍କ କହିବା କଥା ଯେ ସେ ଗଛ ପାଇଁ ମୁଁ ଡରିଯାଇଥିଲି, ତେଣୁ ଗଛ କାଟିବାର ନିଷ୍ପତ୍ତି ଥିଲା ଅଟଳ

ମନ ଦୁଃଖ କ୍ଷୋଭରେ ଭରିଯାଇଥିଲା ଯେ ଯେଉଁ ଗଛସହ ସଂପର୍କ ଅତି ନିବିଡ଼ ଥିଲା ସେ ଆଜି ମୋହରି ପାଇଁ ଭୁଲୁଣ୍ଠିତ

ଘଟଣା ପରେ ଉଚ୍ଚ ଶିକ୍ଷା ପାଇଁ ସହର ଛାଡ଼ି ବାହାରକୁ ଆସିଥିଲି ଆଉ ତାପରେ କେବେକେମିତି ସହରକୁ ଗଲେ ସେ ରାସ୍ତାରେ ଯିବାର ଇଚ୍ଛା ଜାହିର କରିନଥିଲି, କିନ୍ତୁ କିଛି ବର୍ଷ ତଳେ କୌଣସି ଏକ କାରଣ ବଶତଃ ସେ ରାସ୍ତାରେ ଯିବା ସମୟରେ ଗାଡ଼ିର କାଚ ଖୋଲି ଦେଖିଥିଲି ସେହି ସ୍ଥାନରେ କିଏ ଜଣେ ସହୃଦୟ ବ୍ୟକ୍ତି ବର ଅଶତ୍ଥ ଗଛର ଚାରା ରୋପଣ କରିଛନ୍ତି ଏବଂ ପ୍ରଥମ ବର୍ଷାର ସ୍ପର୍ଶରେ ନବପଲ୍ଲବ ଅଙ୍କୁରିତ ହୋଇଥିବା ଦେଖି ଦୀର୍ଘ ନିଶ୍ଵାସ ଛାଡ଼ିଥିଲି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu