You are currently viewing ନବବର୍ଷର ନକ୍ସା
ନବବର୍ଷର ନକ୍ସା

ନବବର୍ଷର ନକ୍ସା

୧ ~ ଡାଏରୀ
ପୁରୁଣା ଡାଏରୀର ବା କି ଦୋଷ? ତା’ ଦେହରେ ପାପ-ପୂଣ୍ୟର କାହାଣୀ ଟିପୁଥିବା ମଣିଷଟାତ ବଦଳୁନି, ସେ କାହିଁକି ବଦଳି ଯିବ?

୨ ~ ମୂଲ
ନୂଆବର୍ଷରେ ନୂଆଗରାଖ ଖୋଜୁଛି ମିସ୍ ମାୟା ! ତା’ର ପରିବର୍ଦ୍ଧିତ ମୂଲ ଦେବାପାଇଁ ରୋକଠୋକ୍ ମନାକରିଛନ୍ତି ପୁରୁଣାଗୋଷ୍ଠୀ ! ଛି ଛି… ବାକିଖିଆ ଗୁଡାକ !

୩ ~ ଭେକ
ଭୋବନିଶର ଡ୍ୟାନ୍ସକୁଇନ୍ “ମୋନାଲିସା”ର ବୋଉ ଆମାଜନରୁ ବଢ଼ିଆ ଡ୍ରେସଟେ ମଗେଇଛି ନୂଆବର୍ଷ ଇଭେଣ୍ଟସ ପାଇଁ, ତା’ ବାପା ରାଗୁଛି-କହୁଛି ଛୋଟ ହେଇଗଲା । ବୁଝୁନି ନିକମ୍ମାଟା- ଭେକଥିଲେ ସିନା ଭିକମିଳିବ !

୪ ~ କଳି
ମୀରା ରାକେଶକୁ ଠିକ୍ 12ଟାରେ ଫୋନ୍ କଲାବେଳେ ତା ଫୋନ୍ ବିଜି ! ତାପରେ ରାତି ସାରା କଳି- ଦିଶା ପାଇଁ ଖଣ୍ଡଯୁଦ୍ଧ

୫ ~ କିମାଶ୍ଚର୍ଯ୍ୟମ୍
ବର୍ଷସାରା ବାପାକୁ ଗାଳିଗୁଲଜ ଧମକ ଦଉଥିବା ବିଜିବାଳୁଙ୍ଗା ପୁଅଟି ସକାଳୁ ମୁଣ୍ଡିଆ ମାରିଲାଣି- ବର୍ଷଟି ସୁନ୍ଦର ହେବା ଆଶାରେ ! ବାପା ହତବାକ୍ !

୬ ~ ବେପାର
ମେଡିକାଲ ସାମନା ସାହୁ ମେଡିସିନ୍ସର ମାଲିକ ଗୌରା ସାହୁ ଟାକିଛି- ମଦ ପିଇକି ଦୁର୍ଘଟଣା ଘଟେଇବେ ଉଲୁକମତା ଟୋକାସବୁ ଅବେଳରେ, ତା’ର ନଗଦ ଭଲ ଦି ପଇସା ବେପାର ହେବ ।

୭ ~ କାହାର ପୁଷକୁ କାହାର ସର୍ବନାଶ
ସୋମବାର ଆମିଷବାର ନୁହେଁ ବୋଲି କୁକୁଡ଼ା-ଛେଳି-ମେଣ୍ଢା-ଘୁସୁରୀଙ୍କର ମନ ଖୁସି ଆଉ ଚାଚା-କଂସେଇ-ଚମାର-ସୁଗୁଣା-ପଶୁପତିଙ୍କର ମନ ଦୁଃଖ !

୮ ~ ହାପି ନିଉ ଇୟର
ହେଲେନ୍ ଓ କ୍ଲିଓପାଟ୍ରା, ସାହୁଘର ଦୁଇ “ଜାଆ” ଏଥର ହାପିନିଉଇୟର ପର୍ବଟି ପାଳିବେନି ! କେକ୍ ବନେଇବାପାଇଁ ଚୂନାକୁଟିବାବେଳେ ଢିଂକି ପଡ଼ି ଆଙ୍ଗୁଠି ଫାଟିଯାଇଛି ଦୁହିଁଙ୍କର !

୯ ~ ଚିନ୍ତା ଖାଏ ଗଣ୍ଡି
ସୁକୁଟିସାହୁର ଦୁଶ୍ଚିନ୍ତା ! କଷି ଖାସିକୁ କମ୍ ଦର ହେଲେବି ବିକିନଦେଲେ, ଏ ଚାରିଦଉଡିକଟା ଗାଁ ଟୋକାଗୁଡ଼ାକ ରାତିଅଧରେ ଉଠେଇନେଇଯିବେ ଭୋଜିକରିବାକୁ !

୧୦ ~ ପିକନିକ୍
ଈଶର ବେହେରା ପାଟିରେ ଦାନା ଦଉନି- ଦିଅନ୍ତାବା କେମିତି? ବଣଭୋଜି ବାହାନାରେ ବଢ଼ିଲା ଝିଅଟା ଗୋଟେ ଟୋକା ସାଙ୍ଗରେ ଫେରାର ହେଇଯାଇଛି !

୧୧ ~ ପାର୍ଟି
ସ୍ୱାଇଁବାବୁ ବର୍ଷସାରା ଏଇଟାକୁ ଅପେକ୍ଷା କରିଥାନ୍ତି ! ସବୁଥରପରି ଏଥର ବି ଗୋଟେ କ୍ଲାଏଣ୍ଟ ତାଙ୍କୁ ତାରକା ହୋଟେଲର ପାସ୍‌ଟେ ଦେବ ! ବାବୁ ସେଠି ଟୋପେ ପି’ଦେଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ବଙ୍ଗୀୟ ଲଳନାଙ୍କ ସହ ପାଦମିଳେଇ ଝୁମିଯା’ନ୍ତି ବର୍ଷକୁ ଥରେ !

୧୨ ~ ଗ୍ରିଟିଙ୍ଗସ
ମୋହ‌ନର ଗାଲରେ ପାଞ୍ଚଆଙ୍ଗୁଳି ଦାଗ ! ସହପାଠିନୀ ମୀରାକୁ ଗୋଟେ ରକ୍ତରେଲେଖା ନିଉ ଇୟର ଗ୍ରିଟିଙ୍ଗସ ଲୁଚେଇକି ଦେଉଥିବାବେଳେ ଧରିଦେଲେ ଗଣିତ ସାର୍ !

୧୩ ~ ରକ୍ତ
ନବବର୍ଷର ନବପଲ୍ଲବରେ ରକ୍ତଛିଟା…

  • ଗରିବ ବାପାର ରକ୍ତବୁହା ଧନରେ ସିଦ୍-ରୋଜ୍ ପାଳନକରୁଛନ୍ତି ନିଉଇୟର ଇଭ୍ !
  • କୁକୁଡା-ଛେଳି-ଘୁସୁରୀ-ମେଣ୍ଢାଂକ ରକ୍ତରେ ମାଉଁସହୋଲି ଖେଳୁଛି ମଣିଷ !
  • ଘରଣୀରକ୍ତକୁ ପାଣିଫଟେଇ ଗୋସିଆଁ ଝୁମୁଛି ପବ୍‌ରେ ଆଉକାହାସହ !

ଡ. ବିଶ୍ୱ ରଞ୍ଜନ କର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଡ. ବିଶ୍ୱରଞ୍ଜନ କର ପେଶାରେ ଜଣେ ଡାକ୍ତର ହେଲେ ମଧ୍ୟ ନିଶା ତାଙ୍କର ଗପ ଓ କବିତା ଲେଖିବା । ସେ ତାଙ୍କର ଫାଙ୍କା ସମୟରେ ବିଭିନ୍ନ ଗପ ଓ କବିତା ଆଦି ଲେଖନ୍ତି । ଶୁଭପଲ୍ଲବର ପ୍ରତିଷ୍ଠା ହେବାଠାରୁ ସେ ସମ୍ପାଦକମାନଙ୍କୁ ବିଭିନ୍ନ ସମୟରେ ସାହାଯ୍ୟ କରିଆସିଛନ୍ତି ।