You are currently viewing ✍ ପଞ୍ଚମ ସମ୍ପାଦକୀୟ
Editorial Page of Shubhapallaba 5th Edition (ଶୁଭପଲ୍ଲବ ସମ୍ପାଦକୀୟ ପୃଷ୍ଠା)

✍ ପଞ୍ଚମ ସମ୍ପାଦକୀୟ

ପୁଷୁ ତୋଣି

“ବାଲି ବାପା ଶୁଣୁଛ ! ନାହାକଘରୁ ଯାଇ ଗଉଣିଏ ମୟୂର କଣ୍ଟା ଧାନ ଆଣ ବା । ଝିଅ ଘରକୁ ଖଈ ଗଣ୍ଡେ ଉଖୁଡ଼ା କରି ପଠେଇବାକୁ ହେବ ନା । ବେହେରାଘରୁ କିଲେ ଗୁଆ ଘିଅ ଆଣିଥିବ । ଆଉ ଏ ଯୋଗଣିଖିଆ ମାନା ବାସୁମତି ଚାଉଳ କାଇଁ ଦେଲାନି ତ ! ଝିଅ ଯିବାକୁ ଜମା ଦୁଇଦିନ ରହିଲା, ଏ ସବୁ ନ ଯୋଗାଡ଼ିଲେ କେମିତି ହେବ !! ଆଉ ସେ ନଡ଼ିଆ ପାତି ଖରାରେ ପଡ଼ିଲା ନା ନାହିଁ?” ରୋଷେଇ ଘର ଆଗରେ ବସି ବାପାଙ୍କ ଉପରେ ଗରଜୁଥିଲା ମାଆ । ନାନୀ ଆସିବା ଦିନ ଦୁଇଟା ହେଇଚି କି ନାହିଁ, ତା’ଘରକୁ ପଠେଇବା ପାଇଁ ସବୁ ଜିନିଷ ଯୋଗାଡ଼ିବାରେ ଲାଗି ଗଲାଣି ସେ ।

ଖାଲି ଆମଘରେ ନୁହେଁ, କେଉଁ ଆବାହନ କାଳରୁ ପ୍ରତ୍ୟେକ ଓଡ଼ିଆ ଘରେ ଚାଲିଆସୁଛି ଏ ପ୍ରଥା । ମାର୍ଗଶୀର ମାସରେ ମାଣ ବସେଇସାରିଲା ପରେ ପୌଷ ମାସରେ ବାପ ଘରକୁ ଯାଇଥାନ୍ତି ଝିଅମାନେ । କୁହାଯାଏ ଏହି ମାସରେ ଝିଅମାନେ ବାପଘରକୁ ଗଲେ ବାପଘରର ଐଶ୍ୱର୍ଯ୍ୟ ବୃଦ୍ଧି ଘଟିଥାଏ । କୋଠାରେ ବସି ଖାଇଲେ, ନୂଆ ଲୁଗା ଖଣ୍ଡେ ପିନ୍ଧିଲେ ବର୍ଷସାରା ଖାଇବା ପିନ୍ଧିବାରେ ଅଭାବ ରୁହେନି । ଆଉ ମକର ଭାର ନେଇ ଫେରିଲେ ବର୍ଷଯାକ ଧନଧାନ୍ୟରେ ପୂରିରହେ ଘର । ଝିଅଟି ମଧ୍ୟ ପରମ ଆଗ୍ରହରେ ନିଜର ସବୁ କାମକୁ ପଛରେ ପକେଇ ଦିନେ ଦୁଇଦିନ ପାଇଁ ହେଲେ ମଧ୍ୟ ଏହି ‘ପୁଷୁ ତୋଣି’ ପାଇଁ ଧାଇଁଆସେ ଶାଶୁଘର ଛାଡ଼ି ବାପ ଘରକୁ । ସେ ପରା ଦୁହିତା, ଦୁଇ କୁଳକୁ ହିତା !

ଖାଲି ସେତିକି ନୁହେଁ, ଏ ପରମ୍ପରାର କୁହୁକରୁ ବାଦ ପଡ଼ି ନାହାନ୍ତି ପଡ଼ିଦାତ୍ରୀ ଜଗଜ୍ଜନନୀ ମହାମାୟୀ ମାଆ ମହାଲକ୍ଷ୍ମୀ । ମାର୍ଗଶୀର ମାସର ମାଣବସା ପରେ ଧନୁ ସଂକ୍ରାନ୍ତି ଦିନ ନୂତନ ଶସ୍ୟରେ ପ୍ରସ୍ତୁତ ମୁଆଁ ଭାର ନେଇ ମାଆ ଯାଇଥାନ୍ତି ଶ୍ରୀମନ୍ଦିର ଛାଡ଼ି ତାଙ୍କ ପିତ୍ରାଳୟ, ପୁରା ଏକ ମାସର ବିରତି ନେଇ । ପୁନଃ ପ୍ରତ୍ୟାବର୍ତ୍ତନ କରନ୍ତି ଶ୍ରୀମନ୍ଦିରକୁ ମକର ସଂକ୍ରାନ୍ତି ଦିନ ନୂତନ ଶସ୍ୟରେ ପ୍ରସ୍ତୁତ ମକର ଚାଉଳର ଭାର ନେଇ, ଯାହାର ଭୋଗ ଲାଗେ ମହାପ୍ରଭୁଙ୍କ ପାଖରେ ।

ଆଜି କାଲି ପ୍ରଶ୍ନ ଉଠେ, କ’ଣ ପ୍ରାସଙ୍ଗିକତା ଅଛି ଏ ସବୁର? ଆଜିର ପରିବର୍ତ୍ତିତ ଓ ଆଧୁନିକ ସମାଜରେ ଏହାର ଗୁରୁତ୍ୱ କେତେ?? ମୁଁ ଭାବେ, ଏ ସବୁର ପ୍ରାସଙ୍ଗିକତା ଅଛି, ଗୁରୁତ୍ୱ ଅଛି । କାହିଁକି ନା ଏ ପ୍ରଶ୍ନ ଯୋଡ଼ି ହୋଇଛି ଆମ ସଂସ୍କୃତି ସହ, ଆମ ପରମ୍ପରା ସହ, ଆମ ମାଟି ସହ ତଥା ଆମ ଠାକୁରଙ୍କ ସହ । ଏହାକୁ କ’ଣ ପୋଛିଦେବା ଏତେ ସହଜ !! ନାଁ କେବେ ସମ୍ଭବ ନୁହେଁ ।

ଚାହୁଁ ଚାହୁଁ ବର୍ଷଟିଏ ପୁରିଗଲା ! ନୂତନ ଲେଖକ ଲେଖିକାମାନଙ୍କର ଆଙ୍ଗୁଳି ଧରି ଠୁକୁ ଠୁକୁ ଚାଲି ଶିଖୁଥିବା ପତ୍ରିକାଟି ଯେ ଆଜି ଅଣ୍ଟା ସଳଖି ଠିଆ ହେଇଛି ଏ ଦୁନିଆର ଗହଳି ଭିତରେ ଆଜି ତା’ର ପଞ୍ଚମ ସଂସ୍କରଣକୁ ନେଇ, ତା’ର ସବୁ ଶ୍ରେୟ ଆପଣ ପାଠକ ପାଠିକାମାନଙ୍କର । ଆପଣମାନଙ୍କ ପାଖରେ ପତ୍ରିକା କୃତଜ୍ଞ । ଆଜି ୟୁ-ଟ୍ୟୁବ ମାଧ୍ୟମରେ ଯଦି ହଜାର ହଜାର ଶ୍ରୋତାଙ୍କ ନିକଟରେ ଆମେ ପହଞ୍ଚି ପରିଛୁ, ତାହାର ଶ୍ରେୟ ନିୟମିତ ସ୍ୱର ଦେଉଥିବା ଆମ ଶଭାକାଂକ୍ଷୀ ବନ୍ଧୁ/ବାନ୍ଧବୀଙ୍କର ।

ପତ୍ରିକାଟିର ଜୟ ଯାତ୍ରାରେ ଆପଣ ସମସ୍ତଙ୍କର ସହଯୋଗ କାମ୍ୟ ।
ଇଂରାଜୀ ନୂତନ ବର୍ଷର ଶୁଭେଚ୍ଛା ସହ
ଜୟ ଜଗନ୍ନାଥ !!

Tapas Ranjan Signature

 

 

 

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ତାପସ ରଞ୍ଜନ ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ସହ-ସମ୍ପାଦକ ଏବଂ ସେ ବିଭିନ୍ନ ଆଧ୍ୟାତ୍ମିକ ତଥା ସାମାଜିକ କଥାବସ୍ତୁ ଉପରେ ଗପ, କବିତା, କାହାଣୀ ଆଦି ରଚନା କରନ୍ତି ।