You are currently viewing ✍ ନବତ୍ରିଂଶ ସମ୍ପାଦକୀୟ
Editorial Page of Shubhapallaba 39th Edition (ଶୁଭପଲ୍ଲବ ୩୯ଶ ସଂସ୍କରଣ ସମ୍ପାଦକୀୟ ପୃଷ୍ଠା)

✍ ନବତ୍ରିଂଶ ସମ୍ପାଦକୀୟ

ଆମ ସଂସ୍କୃତି ଓ ପରମ୍ପରା କାହିଁ କେଉଁ କାଳରୁ ଚାଲି ଆସିଛି । ଏହାର ପ୍ରତ୍ୟେକଟି ବିଷୟବସ୍ତ କେଉଁଠି ନା କେଉଁଠି ଆମ ଜୀବନଚର୍ଯ୍ୟା ସହିତ ଜଡ଼ିତ । ସେମିତି ଏକ ପର୍ବ ହେଉଛି ରଜ ପର୍ବ, ଯାହାକୁ କେବେଠାରୁ ଆଉ କିଏ ପାଳନ କରିବା ଆରମ୍ଭ କରିଥିଲା ଖୋଜିବା ମୂର୍ଖାମୀ ହେବ । କିନ୍ତୁ ଏହା ପଛରେ ଥିବା କାରଣ (ବୈଜ୍ଞାନିକ ହେଉ ବା ଧାର୍ମିକ ହେଉ) ଏକ ମହତ ଉଦ୍ଦେଶ୍ୟ ପ୍ରତିପାଦନ କରେ ।

ଏହି ତିନିଦିନ ପ୍ରାୟ କିଛି କାର୍ଯ୍ୟ କରାଯାଏ ନାହିଁ, ସେଇଥିପାଇଁ ପହିଲି ରଜର ପୂର୍ବଦିନ ଅର୍ଥାତ ପାଣିଅଣା ଦିନ ଆଗାମୀ ତିନିଦିନର ପ୍ରସ୍ତୁତି କରାଯାଇଥାଏ; ଯେମିତିକି ଖାଇବା ପାଇଁ ପୋଡ଼ପିଠା ପ୍ରସ୍ତୁତ କରାଯାଏ । କାରଣ ବିନା ଫ୍ରିଜ୍‌ରେ ପୋଡ଼ପିଠା ୨ରୁ ୩ ଦିନ ପର୍ଯ୍ୟନ୍ତ ରହିପାରିବ । ଝିଅବୋହୂମାନେ ରୋଷେଇ କରନ୍ତି ନାହିଁ, ତେଣୁ ପୋଡ଼ପିଠା ସହିତ ପୂର୍ବ ପ୍ରସ୍ତୁତ ମିଠା ଆଉ ରଜର ମୁଖ୍ୟ ଆକର୍ଷଣ ଆମ୍ବ ପଣସ ଖାଇଥାନ୍ତି ।

ଯଦିଓ ସମୟ ସହିତ ତାଳ ମିଳାଇ ରଜର ପାଳନ ବିଧି ବଦଳିଯାଇଛି, ହେଲେ ପରମ୍ପରା ସେମିତି ଚାଲିଛି । ଏହା ଆଗକୁ ମଧ୍ୟ ଚାଲୁଥିବ, ହୁଏତ ସେ ସମୟ ଅନୁସାରେ କିଛିଟା ନୂଆ ପଦ୍ଧତି ଆପଣେଇ ଥିବ ଆଉ କିଛି ପୁରୁଣାକୁ ପଛରେ ଇତିହାସ ପୃଷ୍ଠାରେ ଛାଡ଼ି ଯାଇଥିବ । ପରିବର୍ତ୍ତନ ହିଁ ଧୃବ ସତ୍ୟ ଆଉ ତାହା ହିଁ ଘଟିବ, ଏଥିରେ ଆଜିକା ସମୟ ଆଉ ଲୋକଙ୍କର ଚିନ୍ତାଧାରାକୁ ଦୋଷ ଦେବା ପରିବର୍ତ୍ତେ ପୁରୁଣା ପରମ୍ପରା ଓ ଓଷାବାରକୁ କେମିତି ଆଗକୁ ନେଇହେବ, ସେ ବିଷୟରେ ଜାଗ୍ରତ ହୁଅନ୍ତୁ ।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସ୍ନାନଯାତ୍ରା ଓ ରଜ ସଂକ୍ରାନ୍ତିର ଶୁଭେଚ୍ଛା ସହିତ ଭେଟିଦେଉଛୁ ଶୁଭପଲ୍ଲବର ଏହି ୩୯ଶ ସଂସ୍କରଟି । ଧନ୍ୟବାଦ ଜଣାଇବୁ ଓଡ଼ିଆ ଅଭିନେତ୍ରୀ ପୁପୁଲ ଭୂୟାଁଙ୍କୁ ଏହି ସୁନ୍ଦର ମାସ୍କପିନ୍ଧା ରଜଦୋଳି ଖେଳର ପ୍ରଚ୍ଛଦ ପାଇଁ । ଆଉ ହଁ ଆଗାମୀ ସଂସ୍କରଟି ଜୁଲାଇ ୧ ତାରିଖ ରଥଯାତ୍ରା ଅବସରରେ ପ୍ରକାଶ ପାଇବ, ତାକୁ ପଢ଼ିବାକୁ ଭୁଲିବେନାହିଁ ।

ଜୟ ଜଗନ୍ନାଥ ॥

Signature of Sangram Keshari Senapati

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଂଗ୍ରାମ କେଶରୀ ସେନାପତି, ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ । ସେ ଓଡ଼ିଆରେ ଗଳ୍ପ, ପ୍ରବନ୍ଧ ଆଦି ଲେଖାଲେଖି କରନ୍ତି ଏବଂ ଓଡ଼ିଆ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପରେ ପ୍ରାୟତଃ କାର୍ଯ୍ୟ କରନ୍ତି ।