You are currently viewing ✍ ଅଷ୍ଟତ୍ରିଂଶ ସମ୍ପାଦକୀୟ
Editorial Page of Shubhapallaba 38th Edition (ଶୁଭପଲ୍ଲବ ୩୮ଶ ସଂସ୍କରଣ ସମ୍ପାଦକୀୟ ପୃଷ୍ଠା)

✍ ଅଷ୍ଟତ୍ରିଂଶ ସମ୍ପାଦକୀୟ

୧୯୦୧ ମସିହା ପରଠାରୁ ଏହି ବର୍ଷ ଅର୍ଥାତ ୨୦୨୨ରେ ଭାରତ ଓ ପାକିସ୍ତାନରେ ସବୁଠାରୁ ଅଧିକ ଉତ୍ତାପ ଅନୁଭୂତ ହୋଇଥିଲା, ଯାହା ଫଳରେ ମାର୍ଚ୍ଚ ଓ ଅପ୍ରେଲ ମାସରେ ତାପମାତ୍ର ୪୯ ଡିଗ୍ରୀ ସେଲିସିଅସ୍‌ଠାରୁ ମଧ୍ୟ ଅଧିକ ଥିଲା । ଗ୍ରୀଷ୍ମ ଋତୁର ଆରମ୍ଭରେ ଅନେକ ସ୍ଥାନରେ ସାଧାରଣ ବର୍ଷାର ମାତ୍ର ଏକ ଚତୁର୍ଥାଂଶ ବର୍ଷା ହୋଇଥିଲା ଏବଂ ଆଧିକାଂଶ ସ୍ଥାନରେ ବର୍ଷାର ଗୋଟିଏ ବି ବୁନ୍ଦା ଦେଖିବାକୁ ମିଳିନଥିଲା ।

ଅତ୍ୟଧିକ ଉତ୍ତାପ ଯୋଗୁଁ ଗୁଜୁରାଟର କିଛି ଅଞ୍ଚଳରେ ଆକାଶରେ ଉଡ଼ୁଥିବା ପକ୍ଷୀମାନେ ତଳେ ପଡ଼ି ପ୍ରାଣ ହରାଇଥିବା ବେଳେ ଅତ୍ୟଧିକ ବରଫ ତରଳିବା ଫଳରେ ପାକିସ୍ତାନର ହୁଞ୍ଜା ଉପତ୍ୟକାରେ ଥିବା ହାସନବାଦ ବନ୍ଧ ଭାଙ୍ଗିଯାଇଥିଲା । ଆମ ଦେଶରେ ଅଧିକାଂଶ ସ୍ଥାନରେ ବିଜୁଳିର ଅଭାବ ଦେଖିବାକୁ ମିଳିଥିଲା ଏବଂ ଅତ୍ୟଧିକ ଉତ୍ତାପ ଯୋଗୁଁ କିଛି ଇଲେକ୍ଟ୍ରି ଗ୍ରିଡ୍ ମଧ୍ୟ ନଷ୍ଟ ହୋଇଯାଇଥିଲା ।

ଦିନବେଳେ ତାପମାତ୍ର ବୃଦ୍ଧିପାଏ ଓ ରାତିରେ ଭୂମଣ୍ଡଳ ଥଣ୍ଡା ହେବା ଫଳରେ ଆମ ଶରୀର ତାପାମାତ୍ରା ମଧ୍ୟ ହ୍ରାସ ପାଏ, ମାତ୍ର ବାୟୁ ମଣ୍ଡଳରେ ଥିବା ଉତ୍ତପ୍ତ ତରଙ୍ଗ ଯୋଗୁଁ ଆମ ଶରୀର ରାତିରେ ମଧ୍ୟ ଶୀତଳ ହୋଇପାରେ ନାହିଁ, ଯାହା ଫଳରେ ଅଧିକାଂଶ ଲୋକ ରାତିରେ ମଧ୍ୟ ଅଂଶୁଘାତ ଭଳି ରୋଗରେ ଶିକାର ହୁଅନ୍ତି । ଆନ୍ତର୍ଜାତୀୟ ଦୂରଦର୍ଶନ ସଂସ୍ଥା କଲମ୍ବିଆନ୍ ବ୍ରୋଡ୍‌କାଷ୍ଟିଂ ସିଷ୍ଟମର ଖବର ଅନୁସାରେ ଏହି ବର୍ଷ ଭାରତରେ ୨୫ ଜଣ ଏବଂ ପାକିସ୍ତାନରେ ୬୫ ଜଣେ ଏମିତି ମୃତ୍ୟୁବରଣ କରିଛନ୍ତି, ଯାହାକି ଏକ ଚିନ୍ତାର ବିଷୟ ।

ଏହି ଟାଣ ଖରାରେ ଗାଈଗୋରୁଠାରୁ ଆରମ୍ଭ କରି ଚଢ଼େଇମାନେ ମଧ୍ୟ ଟିକେ ପାଣି ପାଇଁ ଡହଳବିକଳ ହେବା ଆମେ ନିଜେ ଦେଖିଛେ । କିଛି ବନ୍ଧୁ ତଥା ସଂସ୍ଥାର ଉଦ୍ୟମରେ ଅନେକ ସ୍ଥାନରେ ପଶୁପକ୍ଷୀମାନଙ୍କ ପାଇଁ ଜଳର ବ୍ୟବସ୍ଥା କରାଯାଇଥିଲା । ପକ୍ଷୀମାନଙ୍କୁ ବିଶ୍ରାମ ଦେବାକୁ ମୁଁ ନିଜେ ଛାତ ଉପରେ ଏକ ଛୋଟ ବସାର ବ୍ୟବସ୍ଥା କରିବା ସହିତ ପାଣିର ବନ୍ଦୋବସ୍ତ କରିଥିଲି ।

ଏହି ଉତ୍ତପ୍ତ ତରଙ୍ଗ ପାଇଁ ଦାୟୀ ଆମେ ମଣିଷମାନେ, ହେଲେ ଏହାର କ୍ରୁରତାର ଶିକାର ହେଉଛନ୍ତି ପଶୁପକ୍ଷୀମାନେ । ଆମର ନିଜର ବିଳାସ ବ୍ୟସନ ପାଇଁ ଗଛ କାଟୁଛୁ ଆମେ, ହେଲେ ବାସହୀନ ହେଉଛନ୍ତି ନିରୀହ ପକ୍ଷୀମାନେ, ଛାଇରୁ ବଞ୍ଚିତ ହେଉଛନ୍ତି ଗାଈଗୋରୁମାନେ । ଏବେ ବି ଆମ ପାଖରେ ସମୟ ଅଛି, ନିଜ ଭୁଲକୁ ନିଜେ ସୁଧାରିବା । ଖାଲି ସ୍ଥାନମାନଙ୍କରେ ଯଥାସମ୍ଭବ ବୃକ୍ଷରୋପଣ କରିବା । ଆମ୍ବ, ଜାମ୍ବ ଠାରୁ ଆରମ୍ଭ କରି ଲିମ୍ବ, କରଞ୍ଜ ଆଦିର ରୋପଣ କରିବା ।

ଆଗାମୀ ସ୍ନାନଯାତ୍ରା ଓ ରଜପର୍ବର ଶୁଭେଚ୍ଛା ସହିତ ଭେଟି ଦେଉଛୁ ଶୁଭପଲ୍ଲବର ଏହି ୩୮ଶ ସଂସ୍କରଣଟି ଯାହାକି ମଇ ମାସରେ ପ୍ରକାଶିତ ହେବ କଥା, ହେଲେ କିଛି ଅସୁବିଧା ହେତୁ ଜୁନ୍‌ରେ ପ୍ରାକଶ ପାଉଛି । ଅସୁବିଧା ହେତୁ ଆମେ ଦୁଃଖିତ ।

ଜୟ ଜଗନ୍ନାଥ ॥

Signature of Sangram Keshari Senapati

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଂଗ୍ରାମ କେଶରୀ ସେନାପତି, ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ । ସେ ଓଡ଼ିଆରେ ଗଳ୍ପ, ପ୍ରବନ୍ଧ ଆଦି ଲେଖାଲେଖି କରନ୍ତି ଏବଂ ଓଡ଼ିଆ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପରେ ପ୍ରାୟତଃ କାର୍ଯ୍ୟ କରନ୍ତି ।