You are currently viewing ଜୀବନରୁ ପଦେ
ଜୀବନରୁ ପଦେ

ଜୀବନରୁ ପଦେ

କିଛି ପରିସ୍ଥିତି, କିଛି ପରିବେଶ,
କିଛି ପ୍ରେମ, କିଛ ପ୍ରତାରଣାକୁ ପାଥେୟ କରି
କିଛି ପାଦ ଚିହ୍ନର ପଛେ ପଛେ ପାଦ ଥାପି
କିଛି ପରିଶ୍ରମର ପାଉଣାକୁ ହାତରେ ଭରି
କିଛି ନ ପାଇ ଅନେକ କିଛି ପାଇବାର ପ୍ରତିଶ୍ରୃତି ଦେଇ
ନିଜର ପ୍ରତିଛବିକୁ ନିଜ ମନେ ପ୍ରତିଷ୍ଠା କରି
ନିଜକୁ ପ୍ରତି ମୁହୂର୍ତ୍ତରେ ଜିତିବାର ନାମ ଜୀବନ ।

କିଛି କୋହକୁ ଛାତିରେ ଧରି,
କିଛି ଅନୁଭବକୁ ଅଙ୍ଗେ ଲିଭାଇ,
କିଛି ଅସମ୍ଭବକୁ ସମ୍ଭବ କରିବାର ଇପ୍ସାକୁ
ନିଜ ଭିତରେ ସଂଗଠିତ କରି
କିଛି ବାଟ ଚାଲି, ଝୁଣ୍ଟି,
ପୁଣି ଉଠି ଚାଲିବାର ନାମ ଜୀବନ ।

ହଜିଯାଇଥିବା ସ୍ମୃତିକୁ ସ୍ମୃତିରେ ରଖି
ଆଗକୁ ବଢ଼ିବାର ଇଚ୍ଛାକୁ ଉଜ୍ଜିବୀତ କରି
କିଛି ସ୍ୱପ୍ନକୁ ଖାଲି ସ୍ୱପ୍ନରେ ନ ରଖି
କିଛି ଅବାସ୍ତବତାରୁ ବାହାରି
ବାସ୍ତବତାର ରୂପ ଦେବାପାଇଁ କିଛି ଭରସା ରଖି
ନିରାଶା ମୁହଁରେ ଦୁଃଖକୁ ଦୂରେଇବା ପାଇଁ
ଶୁଖିଲା ଓଠ ଧାରେ ହସକୁ ସଜେଇ
ହସି ହସି ଜୀଇଁବାର ନାମ ଜୀବନ ।

ସ୍ୱାତୀ ବନ୍ଦନା କର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସ୍ୱାତୀ ବନ୍ଦନା କର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ ଓ କବିତା ଆଦି ରଚନା କରିଥାନ୍ତି ।