You are currently viewing ✍ ଚତ୍ୱାରିଂଶ ସମ୍ପାଦକୀୟ
Editorial Page of Shubhapallaba 40th Edition

✍ ଚତ୍ୱାରିଂଶ ସମ୍ପାଦକୀୟ

ଆଷାଢ଼ ଶୁକ୍ଳ ଦ୍ଵିତୀୟା । ପୁଣି ଆସିଛି ସେହି ବହୁ ପ୍ରତୀକ୍ଷିତ ତିଥି । ସବୁରି ସ୍ୱରରେ କେବଳ ହର୍ଷର ଗୋଟିଏ ଘୋଷ – ଆସ… ଆସ… ଜଗଦୀଶ । ଘୋଷଯାତ୍ରାକୁ ଓହ୍ଲାଇ ଆସ । ଢଳି ଢଳି, ଝୁଲି ଝୁଲି, ଟାହିଆ ନଚେଇ ଓହ୍ଲାଇ ଆସ ବଡ଼ଦାଣ୍ଡ ଧୂଳିକୁ, ଶରଧାବାଲିକୁ… ଦୀର୍ଘ ଦୁଇବର୍ଷ ଧରି ବଡ଼ଦାଣ୍ଡରେ ତୁମ ଆସିବା ବାଟକୁ ଚାତକ ଭଳି ଅନେଇ ବସିଥିବା ଲକ୍ଷ ଲକ୍ଷ ଅପେକ୍ଷମାଣ ଏଇ ଜନସମୁଦ୍ରକୁ ।

ଉପନିଷଦରେ ଲେଖାଅଛି, “ଅପାଣିପାଦୋ ଜବନୋ ଗ୍ରହୀତା, ପଶ୍ୟତ୍ୟଚକ୍ଷୁଃ ସଶୃଣତ୍ୟୋକର୍ଣ୍ଣଃ । ସ ବେତ୍ତି ବେଦ୍ୟଂ ନ ଚ ତସ୍ୟାସ୍ତି ବେତ୍ତା, ତମାହୁରଗ୍ର୍ୟାଂ ପୁରୁଷଂ ମହାନ୍ତମ୍ ।” ଅର୍ଥାତ୍, ସେହି ପରମ ପୁରୁଷଙ୍କ ହାତ ନାହିଁ, କିନ୍ତୁ ସମସ୍ତଙ୍କୁ ସେ ଧାରଣ କରିଛନ୍ତି । ତାଙ୍କର ପାଦ ନାହିଁ, କିନ୍ତୁ ସେ ଚାଲନ୍ତି । ତାଙ୍କର ଆଖି ନାହିଁ, କିନ୍ତୁ ସେ ସବୁ ଦେଖନ୍ତି । ତାଙ୍କର କାନ ନାହିଁ, କିନ୍ତୁ ସେ ସବୁ ଶୁଣନ୍ତି । ସେ ସର୍ବଜ୍ଞ ଅଟନ୍ତି, କିନ୍ତୁ ତାଙ୍କୁ ଜାଣିବା ପାଇଁ କାହାର ଶକ୍ତି ନାହିଁ ।

ହେ ଅନାଦିର ଆଦି, ତୁମେ ବୌଦ୍ଧଙ୍କ ବୁଦ୍ଧ, ଜୈନଙ୍କ ଜିନ, ଶୈବଙ୍କ ଶିବ, ନାଥଙ୍କ ଭୈରବ, ବୈଷ୍ଣବଙ୍କ ବିଷ୍ଣୁ । ନାନା ଜାତି, ନାନା ବର୍ଣ୍ଣ ନାନା ମତ, ନାନା ବାଦବିବାଦକୁ ଆପଣେଇ ନେଇ ତୁମେ ହିରଣ୍ୟଗର୍ଭ । ସବୁ ସତ୍ୟର ମୁଖ୍ୟ ସତ୍ୟ, ସବୁ ଚେତନାର ପ୍ରମୁଖ ଚେତନା, ସବୁ ଆନନ୍ଦର ଶ୍ରେଷ୍ଠ ଆନନ୍ଦ; ତୁମେ ସଚ୍ଚିଦାନନ୍ଦ । ତୁମେ ଆର୍ଯ୍ୟ, ଅନାର୍ଯ୍ୟର ଦେବତା, ସର୍ବଧର୍ମ ସମନ୍ୱୟର ପ୍ରତୀକ । ତୁମେ ପୁରୁଷୋତ୍ତମ ପ୍ରଣବ, ଶବ୍ଦବ୍ରହ୍ମ, ଓଁକାର; ସକଳ ସୃଷ୍ଟିର ମୂଳାଧାର । ତୁମେ ବିଶ୍ଵର ଦେବତା, ବିଶ୍ୱାସର ଦେବତା, ବିଶ୍ୱବୋଧର ଦେବତା । ତୁମେ ପ୍ରତିମା ନୁହଁ, ପ୍ରତୀକ; ସକଳ ବିଶ୍ୱର ଆଧ୍ୟାତ୍ମିକତାର ।

ହେ ଭକ୍ତର ଭଗବାନ, ଅଭୁତ ରୂପଧାରୀ, ଭକ୍ତପ୍ରିୟ ଦୀନବନ୍ଧୁ । ତୁମେ ଭାବର ଠାକୁର, ଭକ୍ତିର ଠାକୁର ଓ ଭକ୍ତର ଏକାନ୍ତ ନିଜର । ଭକ୍ତର ଭାବକୁ ଗ୍ରହଣ କରି ତୁମେ ଭାବ ବିନୋଦିଆ କାଳିଆ ଠାକୁର । ତୁମପରି ଶ୍ରେଷ୍ଠ ବନ୍ଧୁ, ଶ୍ରେଷ୍ଠ ଭକ୍ତବତ୍ସଳ ପ୍ରଭୁ, ତୁମଠୁ ବଡ଼ ପ୍ରେମିକ କିଏ ଅଛି? ନିଶାଦ୍ଧରେ ଅଭୁକ୍ତ ବନ୍ଧୁ ମହାନ୍ତିଙ୍କୁ ଦେଇଥିଲ ସୁନାଥାଳି ଭୋଗ । ଦାସିଆ ହାତରୁ ନଡ଼ିଆ ନେବାଠାରୁ ବଳରାମ ଦାସଙ୍କ ବାଲୁକା ରଥରେ ବିଜେ କରି ପ୍ରମାଣିତ କରିଛି ଯେ ତୁମ ପାଇଁ ସମସ୍ତେ ପଛ, ବନ୍ଧୁ ଆଗ । ମହାଭାବମୟୀ ଗଉଡ଼ୁଣୀ ରାଧା ପ୍ରେମରେ ଉବୁଟୁବୁ ହେଇ ତୁମେ ହିଁ ଗାଇପାର “ଦେହି ପଦପଲ୍ଲବ ମୁଦାରମ୍” ।

ତୁମେ ଜଗନ୍ନାଥ; ଗତିଶୀଳ ଜଗତର ନାଥ । ହେ ଲୀଳାମୟ ତୁମ ନିର୍ଦ୍ଦେଶ ବିନା ପବନ ବହେନି, ବାରି ଝରେନି, ସମୁଦ୍ରରେ ଜୁଆର ଆସେନି । ନଦୀର ସ୍ରୋତ, ଝରଣାର ଗୀତ, ପକ୍ଷୀର ସଙ୍ଗୀତ, ସବୁକିଛି ତୁମରି ନିୟନ୍ତ୍ରଣରେ । ତୁମ ବିନା ସ୍ଥିତି ନାହିଁ, ଗତି ନାହିଁ, ମୁକ୍ତି ମଧ୍ୟ ନାହିଁ । ହେ ରୂପାତୀତ ପୂର୍ଣ୍ଣରୂପ, ହେ କାଳାତୀତ ମହାକାଳ, ହେ ନିରକାରୀ ଶାନ୍ତାକାର । ତୁମ ଚରଣତଳେ ଆଶ୍ରିତ କୋଟି କୋଟି ଜନତାଙ୍କ ମଙ୍ଗଳ ପାଇଁ, ପତିତ ଉଦ୍ଧାର ପାଇଁ ତୁମ ଏଇ ପାବନ ଯାତ୍ରାର ଦୈବାତ୍ ଲଗ୍ନରେ ତୁମେ ରଥଚାରୀ ହୁଅ, ପଥଚାରୀ ହୁଅ । ତୁମର ଏହି ମାନବୀୟ ଗଣଯାତ୍ରା ସଫଳ ହେଉ, ସରସ ହେଉ, ଶୁଭଙ୍କର ହେଉ; ଏହା ହିଁ ବିନୀତ ପ୍ରାର୍ଥନା ।

“ରଥେ ତୁ ବାମନଂ ଦୃଷ୍ଟ୍ୱା, ପୁନଃର୍ଜନ୍ମମ୍ ନ ବିଦ୍ୟତେ” – ଜୟ ଜଗନ୍ନାଥ ..

– ଡ. ଅକ୍ଷୟ ଗୋଛାୟତ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଡ. ଅକ୍ଷୟ ଗୋଛାୟତ ପେଶାରେ ଜଣେ ସରକାରୀ ଡାକ୍ତର ଏବଂ ରୋଗୀସେବାରୁ ସମୟ ପାଇଲେ ପଢ଼ିବା ବହିଟିଏ ଖୋଲିଦିଅନ୍ତି ଏବଂ ଲେଖିବା ପାଇଁ ମୋବାଇଲ୍ ଖୋଲିଥାନ୍ତି ।