ଉତ୍କଳ ଗୌରବ ମଧୁସୂଦନ ଦାସ
ଉତ୍କଳ ଗୌରବ ମଧୁସୂଦନ ଦାସ

ଉତ୍କଳ ଗୌରବ ମଧୁସୂଦନ ଦାସ

‘ଉତ୍କଳଗୌରବ’ ମଧୁସୂଦନ ଥିଲେ ଓଡ଼ିଆ ଜାତୀୟତାର ପ୍ରମୁଖ ମନ୍ତ୍ରଦାତା । ସ୍ୱତନ୍ତ୍ର ଉତ୍କଳ ଗଠନରେ ତାଙ୍କର ଭୂମିକା କୌଣସି ପ୍ରକୃତ ଓଡ଼ିଆ ପକ୍ଷେ କେବେହେଁ ଭୁଲିବା ପରି ନୁହେଁ । ତାଙ୍କର ନିଷ୍ଠାପୂର୍ଣ୍ଣ କାର୍ଯ୍ୟଧାରା, ତ୍ୟାଗ, ବିଚକ୍ଷଣ ଚିନ୍ତାଧାରା ଓ ଅନ୍ତହୀନ ଜାତିପ୍ରୀତି ଅବିସ୍ମରଣୀୟ । ଓଡ଼ିଶା ଇତିହାସର ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ, ଏକ ପତିତ ଜାତିର ଉଦ୍ଧାର ପାଇଁ କାର୍ଯ୍ୟ କରିଥିଲେ ‘ଉତ୍କଳଗୌରବ’ । ତାଙ୍କ ଜାତିପ୍ରେମ, ସ୍ୱାଭିମାନ ଏବଂ ସୁଦୂରପ୍ରସାରୀ ଚିନ୍ତାଧାରା ସାମସମୟିକ କାଳଠାରୁ ଢେର‌୍‌ ଆଗରେ ଥିଲା । ତାଙ୍କ ଚିନ୍ତା-ଚେତନାକୁ ସଦା-ସର୍ବଦା ଆଚ୍ଛାଦିତ କରିରଖିଥିଲା ମୁଖ୍ୟତଃ ଦୁଇଟି ପ୍ରସଙ୍ଗ- ଓଡ଼ିଶା ଏବଂ ଓଡ଼ିଆ ।

ଇଂରେଜୀରେ ଏମ୍‌ଏ କରିଥିବା ସେ ପ୍ରଥମ ଓଡ଼ିଆ । ତାହା ଛଡ଼ା ସେ ମଧ୍ୟ ପ୍ରଥମ ଓଡ଼ିଆ ବିଏଲ୍‌, ପ୍ରଥମ ସଫଳ ଓଡ଼ିଆ ଓକିଲ, ପ୍ରଥମ ଓଡ଼ିଆ ବ୍ୟବସ୍ଥାପକ, ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ ଏବଂ ପ୍ରଥମ ଓଡ଼ିଆ ମନ୍ତ୍ରୀ । ‘ବାରିଷ୍ଟରୀ’ ଉତ୍ତୀର୍ଣ୍ଣ ହୋଇ ନ ଥିଲେ ହେଁ ଜନମାନସରେ ସେ ‘ମଧୁ ବାରିଷ୍ଟର‌୍‌’ । ଉଚ୍ଚ-ଶିକ୍ଷିତ ସାହେବମାନେ ତାଙ୍କୁ ଡାକୁଥିଲେ ‘ମିଷ୍ଟର‌୍‌ ଦାସ୍‌’ । ମଧୁବାବୁଙ୍କ ଜନ୍ମ ୧୮୪୮ ମସିହାର ଅପ୍ରେଲ ମାସ ୨୮ ତାରିଖରେ କଟକ ଜିଲ୍ଲାର ସତ୍ୟଭାମାପୁରଠାରେ ହୋଇଥିଲା । ତାଙ୍କ ପୂର୍ବ-ପୁରୁଷ ଖୋର୍ଦ୍ଧାରୁ କଟକ ଅନ୍ତର୍ଗତ ସତ୍ୟଭାମାପୁର ଆସିଥିଲେ । ତାଙ୍କ ପୂର୍ବ-ପୁରୁଷଙ୍କ ସାଙ୍ଗିଆ ପ୍ରଥମେ ‘ମଲ୍ଲ’ ଥିଲା । ପରେ ‘କାନଗୋଇ’, ‘ରାଉତରା’, ‘ଚୌଧୁରୀ’ ଓ ‘ଦାସ’ ହୋଇଥିଲା । ତେଣୁ, ସେ ପରିହାସରେ ନିଜକୁ କହୁଥିଲେ ‘ଥୁଣ୍ଟା ଦାସ’ । ଜୋତା କାରଖାନାରେ କାମ କରୁଥିବାରୁ କହୁଥିଲେ- ‘ପଣ୍ତିତମାନେ ମୋତେ ମୋଚି ଶିରୋମଣି ଉପାଧି ଦେଇପାରନ୍ତି ।’ ମଧୁବାବୁ ହୁକାପ୍ରିୟ ଥିଲେ । କୁକୁର ପାଳିବାକୁ ଭଲପାଉଥିଲେ । ତାଙ୍କ ଘରେ ସାହେବୀ ଢଙ୍ଗରେ ଭୋଜନ ପ୍ରସ୍ତୁତ ହେଉଥିଲା । ତେବେ, ଭୋଜି-ଭାତରେ ଓଡ଼ିଆ ରନ୍ଧା ସେ ପସନ୍ଦ କରୁଥିଲେ । ଢଗ-ଢ଼ମାଳି ବୋଲିବାରେ ସେ ପାରଙ୍ଗମ ଥିଲେ ।

ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ର କରି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବା ପାଇଁ ସେ ଆଜୀବନ ସଂଗ୍ରାମ କରିଥିଲେ । ଏଥି ଲାଗି ସେ ଗଠନ କରିଥିଲେ ‘ଉତ୍କଳ ସମ୍ମିଳନୀ’ । ଏହି ଅନୁଷ୍ଠାନ ସଂପର୍କରେ ସେ କହିଥିଲେ- “ଏହି ସମ୍ମିଳନୀ ଜାତି ପ୍ରାଣ ସିନ୍ଧୁ କୋଟି ପ୍ରାଣ ବିନ୍ଦୁ ଧରେ; ତୋ’ର ପ୍ରାଣ ବିନ୍ଦୁ ମିଶାଇଦେ, ଭାଇ! ଡେଇଁପଡ଼ି ସିନ୍ଧୁ ନୀରେ ।” ପ୍ରତ୍ୟେକ ଉତ୍କଳୀୟ ଜାତି ପାଇଁ ପାଞ୍ଚ ମିନିଟ୍‌ ଚିନ୍ତାକରିବାକୁ ସେ ସର୍ବଦା କହୁଥିଲେ । ୧୮୮୨ରେ ସେ ପ୍ରତିଷ୍ଠା କରିଥିଲେ- ‘ଉତ୍କଳ ସଭା’ । ୧୯୦୩‌େର ରମ୍ଭାର ଐତିହାସିକ ବୈଠକ ପରେ ତାଙ୍କରି ଉଦ୍ୟମରେ ହିଁ ପ୍ରତିଷ୍ଠିତ ହୋଇଥିଲା- ‘ଉତ୍କଳ ସମ୍ମିଳନୀ’, ଯାହାକୁ ପ୍ରଥମଟିର ପରିବର୍ତ୍ତିତ ଓ ପରିବର୍ଦ୍ଧିତ ସଂସ୍କରଣ କହାଯାଇପାରେ ଏବଂ ସେଥି ସହିତ ସମଗ୍ର ଓଡ଼ିଆ ଭାଷା-ଭାଷୀ ଅଞ୍ଚଳକୁ ଏକତ୍ର କରିବା କାର୍ଯ୍ୟ ସତ୍ୱର ହୋଇଥିଲା । ସମଗ୍ର ଓଡ଼ିଆ ଭାଷା-ଭାଷୀ ଅଞ୍ଚଳକୁ ଏକତ୍ର ଓ ଏକ ଶାସନାଧୀନ କରିବା ସହ ସ୍ଥାନୀୟ ଶିଳ୍ପ, କଳା, କୃଷି ଓ ବାଣିଜ୍ୟ ଆଦିର ବିକାଶ, ଭାଷା ଏବଂ ସଂସ୍କୃତିର ସୁରକ୍ଷା ତଥା ଜାତୀୟତାବୋଧର ପ୍ରସାର ଥିଲା ‘ଉତ୍କଳ ସମ୍ମିଳନୀ’ର ଲକ୍ଷ୍ୟ । ଏକ ମହାନ୍‌ ଜାତି ଗଠନ କାର୍ଯ୍ୟରେ ଆନ୍ତରିକ ଶ୍ରମର ଆବଶ୍ୟକତାକୁ ସେ ବୁଝୁଥିଲେ । ‘ଉତ୍କଳ ସମ୍ମଳନୀ’ ଓଡ଼ିଆଙ୍କ ମଧ୍ୟରେ ଏକତା ଆଣିଥିଲା; ଓଡ଼ିଆ ଜାତୀୟତାବାଦର ଉଦ୍ରେକ ହୋଇଥିଲା । ଜମିରେ କୃଷକର ମାଲିକାନା ଓ ନାରୀ ଶିକ୍ଷା ସପକ୍ଷରେ ସେ ମତ ଦେଉଥିଲେ । ନିଜ ଚିନ୍ତାଧାରାକୁ ନିର୍ଭୟରେ ପ୍ରକାଶ କରିବା ସହ ଯଥାସଂଭବ କାର୍ଯ୍ୟରେ ପରିଣତ କରୁଥିଲେ ମଧୁବାବୁ । ସାମାଜିକ ଏବଂ ଅର୍ଥନୈତିକ ପ୍ରଗତି ବିନା ରାଜନୈତିକ ପ୍ରଗତି ଯେ ଅସମ୍ଭବ ଓ ମୂଲ୍ୟହୀନ ସେ ବୁଝିଥିଲେ ।

ଜାତିଗଠନ ଦିଗରେ ଓଡ଼ିଶାବାସୀଙ୍କୁ ଅନୁପ୍ରାଣିତ କରିବା ପାଇଁ କବିତା ଲେଖୁଥିବା ମଧୁବାବୁ ସର୍ବଦା କହୁଥିଲେ, ଜାତି ହେଉଛି ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପରି ବିରାଟ ଓ ମହାନ୍‌ । ଜାତିରୂପକ ନନ୍ଦିଘୋଷକୁ ଆଗକୁ ଆଗକୁ ନେବା ପାଇଁ ସମସ୍ତେ ନିଃସ୍ୱାର୍ଥପର ଭାବେ ଏକ ମନ ଏକ ପ୍ରାଣ ହୋଇ କାର୍ଯ୍ୟ କରିଚାଲିବା ଏକାନ୍ତ ଆବଶ୍ୟକ । ତାଙ୍କର କେତେକ ଭାବ-ଉଦ୍ରେକକାରୀ କବିତା: ‘ମାଆ ମାଆ ବୋଲି କେତେ ମୁଁ ଖୋଜିଲି, ମାଆକୁ ପାଇଲିନାହିଁ; ଭାଇ ଭାଇ ବୋଲି କେତେ ମୁଁ ଭାଳିଲି, ନ ଦେଲେ ଉତ୍ତର କେହି ।”; “ଗୋଟିଏ ସନ୍ତାନ ଗୋଟିଏ ସ୍ୱରରେ ଜନନୀ ଜନନୀ ଡାକ; ତୃଷ୍ଣାରେ କାତର, ଗଗନକୁ ଚାହିଁ, ଯେସନେ ଡାକେ ଚାତକ ।”; “ଜାତି ପ୍ରେମ ବହ୍ନି ପ୍ରଜ୍ଜ୍ୱଳିତ କର, ସ୍ୱାର୍ଥକୁ ଦିଅ ଆହୁତି; ସ୍ୱାର୍ଥମେଧ ଯଜ୍ଞେ ଚାରି ଆଡ଼େ ନାଚ, ଛାତିକୁ ମିଶାଇ ଛାତି ।”; “ଜାତି ଇତିହାସ ଜାତିର ନିର୍ଝର, ତହୁଁ ବହେ ସଦା ଜାତି ପ୍ରାଣଧାର; ସେ ଧାରରୁ ନୀର ପିଉଛି ଯେ ନର, ନିଶ୍ଚୟ ସେ ହେବ ଜାତି କର୍ମବୀର ।”; “ଭୂମିକମ୍ପ ହେବ ଧରଣୀ ଫାଟିବ, ଉଠିବେ ସହସ୍ର ଭୁଜା; ସେହି ତୋର ମାତା ସେହି ତୋର ଭ୍ରାତା; କର ସେହି ପାଦ ପୂଜା ।”; “ଉଠରେ ଉଠରେ ଉତ୍କଳ ସନ୍ତାନ, ଉଠିବୁ ତୁ କେତେ ଦିନେ; ପୂରୁବ ଗୌରବ ପୂରୁବ ସାହସ, ପଡ଼ିବ କି କେବେ ମନେ!”; “ତୁ ପରା ବୋଲାଉ ଉତ୍କଳ ସନ୍ତାନ ତେବେ କିମ୍ପା ତୁହି ଭୀରୁ; ତୋହରି ଜନନୀ ରୋଦନ କରିଲେ, କହିବାକୁ କିମ୍ପା ଡରୁ ।”; “ଜାତି ନନ୍ଦିଘୋଷ ଚଳିବ କି ଭାଇ, ସ୍ୱାର୍ଥକୁ ସାରଥି କଲେ; ଟାଣେ କିରେ ଗାଡ଼ି ଦାନାର ତୋବଡ଼ା, ଘୋଡ଼ା ମୁହେଁ ବନ୍ଧା ଥିଲେ ।”

ଜୀବନରେ ବହୁ ଅର୍ଥ ଉପାର୍ଜନ କରିଥିଲେ ହେଁ ମଧୁବାବୁଙ୍କ ଶେଷ ଜୀବନ ଆର୍ଥିକ ଦୁର୍ଗତି ମଧ୍ୟରେ କଟିଥିଲା । ରୋଗଶଯ୍ୟାରେ ସେ କହିଥିଲେ- ‘ମୁଁ ତ ଯାଉଛି, ମନେରଖିଥିବ ଜଣେ ଓଡ଼ିଆ ଥିଲା ।’ ୧୯୩୪ ଫେବ୍ରୁଆରି ୪ ତାରିଖରେ ଛୟାଅଶୀ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସିନ୍ଧୁଜ୍ୟୋତି ତ୍ରିପାଠୀ

ସିନ୍ଧୁଜ୍ୟୋତି ତ୍ରିପାଠୀ ଜଣେ ଓଡ଼ିଆ ସ୍ତମ୍ଭକାର । ସେ ଓଡ଼ିଆ ସମ୍ବାଦପତ୍ର "ସମ୍ବାଦ" ସଂସ୍ଥାର ଜଣେ ବେତନଭୋଗୀ କର୍ମଚାରୀ ।

Leave a Reply

Close Menu