You are currently viewing ଭାରତୀୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ
Biography of Indian Comedian Raju Srivastav (ଭାରତୀୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ)

ଭାରତୀୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ

ରାଜୁ ଶ୍ରୀବାସ୍ତବ ଜଣେ ଭାରତୀୟ ହାସ୍ୟ ଅଭିନେତା ଯିଏକି ମୁଖ୍ୟତଃ ଗଜୋଧର ଭାବରେ ବିଭିନ୍ନ ପ୍ରକାରର ହାସ୍ୟାତ୍ମକ କାର୍ଯ୍ୟକ୍ରମ କରୁଥିଲେ । ତାଙ୍କର ପୂରା ନାମ ହେଉଛି ସତ୍ୟ ପ୍ରକାଶ ଶ୍ରୀବାସ୍ତବ ।

୧୯୬୩ ମସିହାର ଡିସେମ୍ବର ୨୫ ତାରିଖରେ ଜନ୍ମଗ୍ରହଣ କରିଥିବା ରାଜୁ ଜଣେ ହାସ୍ୟ ଅଭିନେତା ଭାବରେ ଅଭିନୟ କରିବା ସହିତ କିଛି ଧାରାବାହିକରେ ଖଳନାୟକ ଭାବରେ କାମ କରିବା ସହିତ ଭାରତୀୟ ରାଜନୀତିରେ ମଧ୍ୟ ସକ୍ରିୟ ଥିଲେ ।

ସେ ଦି ଗ୍ରେଟ୍ ଇଣ୍ଡିଆନ୍ ଲାଫ୍‌ଟର୍ ଚ୍ୟାଲେଞ୍ଜ କାର୍ଯ୍ୟକ୍ରମ ଜରିଆରେ ଲୋକପ୍ରିୟତା ପାଇଥିଲେ ମଧ୍ୟ ଏଥିରେ ବିଜୟୀ ହୋଇପାରିନଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ସେହିଭଳି ଅନ୍ୟ ଏକ କାର୍ଯ୍ୟକ୍ରମ ଦି ଗ୍ରେଟ୍ ଇଣ୍ଡିଆନ୍ ଲାଫ୍‌ଟର୍ ଚ୍ୟାଲେଞ୍ଜ – ଚାମ୍ପିଅନ୍ସରେ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ସେ “ଦି କମେଡ଼ି କିଙ୍ଗ୍” ଭାବରେ ବିଜୟୀ ହୋଇଥିଲେ ।

ସେ ଭାରତୀୟ ରିଆଲିଟି ଶୋ ବିଗ୍‌ବସ୍‌ର ୩ୟ ସଂସ୍କରଣରେ ମଧ୍ୟ ଅଂଶଗ୍ରହଣ କରିଥିଲେ । ପାଖାପାଖି ୨ ମାସରୁ ଅଧିକ ସମୟ ଧରି ଏହି କାର୍ଯ୍ୟକ୍ରମରେ ରହିବା ପରେ ୪ ଡିସେମ୍ବର ୨୦୦୯ରେ ସେ ଏଥିରୁ ବିଦାୟ ନେଇଥିଲେ । ପରବର୍ତ୍ତୀ ସମୟରେ ସେ ବ୍ୟଙ୍ଗାତ୍ମକ କାର୍ଯ୍ୟକ୍ରମ କମେଡି କା ମହା ମୁକାବାଲାରେ ଭାଗ ନେଇଥିଲେ ।

ରାଜୁ ଆରମ୍ଭରୁ ହିନ୍ଦୀ କଥାଚିତ୍ର ଜଗତରେ ଛୋଟ ଛୋଟ ଭୂମିକାରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ମୈନେ ପ୍ୟାର୍ କିୟା ତଥା ବାଜିଗର, ବମ୍ବେ ଟୁ ଗୋଆ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେ ଆମଦାନି ଆଠନ୍ନି ଖାର୍ଚ୍ଚା ରୂପାୟାରେ ଜଣେ ହାସ୍ୟ ଅଭିନେତା ଭାବରେ କାର୍ଯ୍ୟ କରିଥିଲେ ।

୨୦୧୩ ମସିହାରେ ରାଜୁ ତାଙ୍କ ପତ୍ନୀଙ୍କ ସହିତ ଷ୍ଟାର୍‌ ପ୍ଲସ୍‌ର ନୃତ୍ୟଭିତ୍ତିକ କାର୍ଯ୍ୟକ୍ରମ ନାଚ୍ ବଲିୟେର ୬ଷ୍ଠ ସଂସ୍କରଣରେ ଭାଗ ନେଇଥିଲେ । ଏଥି ସହିତ କଲର୍ସ ଟିଭିରେ ପ୍ରସାରିତ ହେଉଥିବା କପିଲ ଶର୍ମାଙ୍କ ହାସ୍ୟଭିତ୍ତିକ କାର୍ଯ୍ୟକ୍ରମ କମେଡ଼ି ନାଇଟ୍‌ସ୍ ଉଇଥ୍ କପିଲ୍‌ରେ ମଧ୍ୟ ଅଭିନୟ କରିଥିଲେ । ଏହାପରେ ସେ ଲାଇଫ୍ ଓକେ ଟିଭିରେ ପ୍ରସାରିତ ହୋଇଥିବା ଅନ୍ୟ ଏକ ହାସ୍ୟାତ୍ମକ କାର୍ଯ୍ୟକ୍ରମ ମଜାକ୍ ମଜାକ୍ ମେଁରେ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ବିଚାରକ ଭାବରେ ଭାରତୀୟ କ୍ରିକେଟ୍ ଖେଳାଳୀ ହରଭଜନ ସିଂହ ଓ ପାକିସ୍ତାନୀ କ୍ରିକେଟ୍ ଖେଳାଳୀ ସୋହେବ ଅଖତାର କାର୍ଯ୍ୟ କରିଥିଲେ ।

ଅଭିନୟରେ ସକ୍ରିୟ ରହିବ ସହିତ ରାଜୁ ରାଜନୀତିରେ ମଧ୍ୟ ସକ୍ରିୟ ଥିଲେ । ୨୦୧୪ ଭାରତୀୟ ସାଧାରଣ ନିର୍ବାଚନ ସମୟରେ ସେ ସମାଜବାଦୀ ପାର୍ଟିର ପ୍ରାର୍ଥୀ ଭାବରେ କାନପୁରରୁ ନିର୍ବାଚନ ଲଢ଼ିବା ପାଇଁ ପ୍ରଚାର କରୁଥିଲେ, ମାତ୍ର ୧୧ ମାର୍ଚ୍ଚ ୨୦୧୪ରେ ସ୍ଥାନୀୟ ସମର୍ଥନ ନମିଳିବାରୁ ସେ ସେହି ଟିକେଟ୍ ଫେରସ୍ତ କରିଦେଇଥିଲେ । ଏହା ପରେ ୧୯ ମାର୍ଚ୍ଚ ୨୦୧୪ରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସ୍ୱଚ୍ଛ ଭାରତ ଅଭିଯାନରେ ଅଂଶଗ୍ରହଣ କରିବାକୁ ମନୋନୀତ କରିଥିଲେ। ସେବେଠାରୁ ସେ ବିଭିନ୍ନ ସହରରେ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରି ଆସୁଥିଲେ। ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ପାଇଁ ସେ ବିଭିନ୍ନ ଗୀତ ମଧ୍ୟ ପ୍ରସ୍ତୁତ କରିଥିଲେ । ସେ ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ବିଭିନ୍ନ ଟିଭି ବିଜ୍ଞାପନ ଏବଂ ସାମାଜିକ ସେବା ବାର୍ତ୍ତା ଭିଡିଓ ମଧ୍ୟ ସୁଟିଂ କରିଥିଲେ ।

ରାଜୁ ଶ୍ରୀବାସ୍ତବ ୧ ଜୁଲାଇ ୧୯୯୩ରେ ଶିଖାଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଦୁଇଜଣ ସନ୍ତାନ ଅଛନ୍ତି; ଅନ୍ତରା ଓ ଆୟୂଷମାନ । ୨୦୧୦ ମସିହାରେ ତାଙ୍କୁ ପାକିସ୍ତାନରୁ ଏକ ଧମକପୂର୍ଣ୍ଣ ଫୋନ୍ କଲ୍ ଆସିଥିଲା, ଯେଉଁଥିରେ ତାଙ୍କ କାର୍ଯ୍ୟକ୍ରମରେ ତାଙ୍କୁ ପାକିସ୍ତାନ କିମ୍ବା ଦାଉଦ୍ ଇବ୍ରାହିମ୍ ଉପରେ କୌଣସି ପ୍ରକାର ବ୍ୟଙ୍ଗ ନକରିବାକୁ ଧମକ ଦିଆଯାଇଥିଲା ।

ସେ ୧୦ ଅଗଷ୍ଟ ୨୦୨୨ରେ ଜିମ୍‌ରେ ବ୍ୟାୟାମ କରୁଥିବାବେଳେ ହୃଦଘାତରେ ପୀଡ଼ିତ ହୋଇଥିଲେ। ସେ ଆଞ୍ଜିଓପ୍ଲାଷ୍ଟିରେ ଶୀକାର ହୋଇଥିଲେ ଏବଂ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଚିକିତ୍ସା ସମୟରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା ଏବଂ ୨୦୨୨ ମସିହାର ସେପ୍ଟେମ୍ବର ୨୧ ତାରିଖରେ ଚିକିତ୍ସାଧିନ ଅବସ୍ଥାରେ ମାତ୍ର ୫୮ ବର୍ଷ ବୟସରେ ମୃତ୍ୟୁ ହୋଇଥିଲା ।

ସଂଗ୍ରାମ କେଶରୀ ସେନାପତି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଂଗ୍ରାମ କେଶରୀ ସେନାପତି, ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ । ସେ ଓଡ଼ିଆରେ ଗଳ୍ପ, ପ୍ରବନ୍ଧ ଆଦି ଲେଖାଲେଖି କରନ୍ତି ଏବଂ ଓଡ଼ିଆ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପରେ ପ୍ରାୟତଃ କାର୍ଯ୍ୟ କରନ୍ତି ।