You are currently viewing ବିଷ୍ଣୁ ଚରଣ ସେଠୀଙ୍କ ଜୀବନୀ
Biography of Bishnu Charan Sethi (ବିଷ୍ଣୁ ଚରଣ ସେଠୀଙ୍କ ଜୀବନୀ)

ବିଷ୍ଣୁ ଚରଣ ସେଠୀଙ୍କ ଜୀବନୀ

ସ୍ୱର୍ଗତ ବିଷ୍ଣୁ ଚରଣ ସେଠୀ ଥିଲେ ଜଣେ ଓଡ଼ିଆ ସାହିତ୍ୟିକ, ସାମ୍ବାଦିକ ତଥା ରାଜନୀତିଜ୍ଞ ଯିଏକି ଘାସଫୁଲ ଭଳି ଉତ୍କୃଷ୍ଟ ସାହିତ୍ୟ ପତ୍ରିକାର ପ୍ରତିଷ୍ଠା କରିବା ସହିତ ସମ୍ପାଦନା କରୁଥିଲେ ।

ଜନ୍ମ ଓ ପରିବାର

୧୯୬୧ ମସିହାର ଜୁନ ୫ ତାରିଖରେ ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଲକ୍ ଅନ୍ତର୍ଗତ ମଙ୍ଗରାଜପୁରଠାରେ ଜନ୍ମଗ୍ରହଣ କରିଥିଲେ ସେ । ତାଙ୍କ ବାପାଙ୍କ ନାମ ଥିଲା ଗୟାଧର ସେଠୀ ଓ ପତ୍ନୀଙ୍କ ନାମ ଥିଲା ଉର୍ମିଳାରାଣୀ ପାଣିଗ୍ରାହୀ ।

ଶିକ୍ଷା ଓ ସାହିତ୍ୟକୃତି

ସେ ଜବାହାରଲାଲ ବିଶ୍ୱବିଦ୍ୟାଳୟର ଛାତ୍ର ଥିଲେ ଏବଂ ଓଡ଼ିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଥିଲେ ମଧ୍ୟ ଚାକିରୀରେ ଯୋଗ ଦେଇନଥିଲେ ବରଂ ଖାରବେଳ ସ୍ୱାଇଁଙ୍କ ଦ୍ୱାରା ସ୍ଥାପିତ ଓଡ଼ିଆ ସାପ୍ତାହିକ ପତ୍ରିକା ବିଶେଷ ଖବରର ସହ-ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ ।

ପରବର୍ତ୍ତୀ ସମୟରେ ଘାସଫୁଲ ନାମକ ଏକ ବାର୍ଷିକ ସାହିତ୍ୟ ପତ୍ରିକାର ସ୍ଥାପନ କରିବା ସହିତ ଏହାର ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ ସେ । ତାଙ୍କ ରଚିତ ଗଳ୍ପ ସଂକଳନ ଶିରୋନାମା ଶିରୋଧାର୍ଯ୍ୟ ପାଇଁ ସେ ଅନେକ ଲୋକପ୍ରିୟତା ସାଉଁଣ୍ଟି ଥିଲେ । ନିର୍ମାୟା ଆକାଶ ତଳେ ଓ ନିଶ୍ୱାସ ମାଟିର ସ୍ୱର ଥିଲା ତାଙ୍କ ରଚିତ ଦୁଇଟି କବିତା ସଂକଳନ ।

ରାଜନୀତି

ଯୁବାବସ୍ଥାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସହ ଜଡ଼ିତ ହେବା ପରେ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ବି ସକ୍ରିୟ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ ରାଜନୀତି କ୍ଷେତ୍ରକୁ ଆସିଥିଲେ । ୧୯୯୬ ମସିହାରେ ପ୍ରଥମ ନିର୍ବାଚନ ଲଢ଼ିଥିଲେ ମଧ୍ୟ ପରାଜୟ ବରଣ କରିଥିଲେ ସେ ।

୨୦୦୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଚାନ୍ଦବାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ବିଜୟୀ ହୋଇ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୨୦୦୪ ମସିହାରେ ନବୀନ ପଟ୍ଟନାୟକଙ୍କର ସରକାର ଭଙ୍ଗ ହେବାଯାଏଁ କାର୍ଯ୍ୟ କରିଥିଲେ ।

୨୦୧୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କୁ ପରାସ୍ତ କରି ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ଏହି ବିଧାନ ସଭାରେ କାର୍ଯ୍ୟ କରିଥିଲେ ।

ସେ ୧୬ଶ ଓଡ଼ିଶା ବିଧାନ ସଭାରେ ବିରୋଧୀ ଦଳର ଉପନେତା ଭାବରେ କାର୍ଯ୍ୟ କରିବା ସହିତ ରାଜ୍ୟ ବିଜେପିର ଉପ-ସଭାପତି ଭାବରେ କାର୍ଯ୍ୟ କରୁଥିଲେ ।

ମୃତ୍ୟୁ

ସ୍ୱର୍ଗତ ସେଠୀ ବୃକ୍‌କ ଜନିତ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱର ସ୍ଥିତ ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ସଂସ୍ଥାନରେ ଚିକିତ୍ସିତ ହେଉଥିଲା ବେଳେ ୨୦୨୨ ମସିହାର ସେପ୍ଟେମ୍ବର ୧୯ ତାରିଖର ସକାଳ ୭ଟା ୪୫ ମିନିଟ୍‌ରେ ହୃଦ୍‌ଘାତରେ ପ୍ରାଣ ହରାଇଥିଲେ । ମୃତ୍ୟୁବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା ।

ସଂଗ୍ରାମ କେଶରୀ ସେନାପତି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଂଗ୍ରାମ କେଶରୀ ସେନାପତି, ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ । ସେ ଓଡ଼ିଆରେ ଗଳ୍ପ, ପ୍ରବନ୍ଧ ଆଦି ଲେଖାଲେଖି କରନ୍ତି ଏବଂ ଓଡ଼ିଆ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପରେ ପ୍ରାୟତଃ କାର୍ଯ୍ୟ କରନ୍ତି ।