You are currently viewing ରଜ କୁଇନ୍ ଜାଙ୍କଲିନ୍ ପରିଡ଼ାଙ୍କ ସହ ମନଖୋଲା ଆଳାପ
Odia TV and Album actress Model Janklin Parida

ରଜ କୁଇନ୍ ଜାଙ୍କଲିନ୍ ପରିଡ଼ାଙ୍କ ସହ ମନଖୋଲା ଆଳାପ

୨୦୧୬ ମସିହାର ସାର୍ଥକ ଟିଭିରେ ପ୍ରସାରିତ ରିୟାଲିଟି ଶୋ ରଜ କୁଇନ୍‌ର ବିଜେତା ହୋଇଥିଲେ ଜାଙ୍କଲିନ୍ ପରିଡ଼ା । ପରବର୍ତ୍ତୀ ସମୟରେ ସେ ସାର୍ଥକ ଟିଭିରେ ପ୍ରସାରିତ ଧାରାବାହିକ ମୋ ଜେଜେମାରେ ରିୟା ଭୂମିକାରେ ଅଭିନୟ କରିଥିଲେ । ଦୂରଦର୍ଶନରେ ଅଭିନୟ ସାଙ୍ଗକୁ ସେ ବିଭିନ୍ନ ଆଲବମ୍‌ରେ ଅଭିନୟ କରିଛନ୍ତି । ଏହି କଳାକାରଙ୍କୁ ଆମେ ପଚାରିଥିଲୁ କେତୋଟି ପ୍ରଶ୍ନ; ଚାଲନ୍ତୁ ଦେଖିବା ସେ ତା’ର ଉତ୍ତରରେ କ’ଣ କହୁଛନ୍ତି ।

ପ୍ରଶ୍ନ ୧. ଓଡ଼ିଆ ଦୂରଦର୍ଶନ ଦୁନିଆରେ ପ୍ରଥମ ଯମଜ କଳାକାର ଆପଣ ଆଉ ସୋମାଲିନ୍ । ଏହାକୁ ଆପଣଙ୍କର ପ୍ରସଂଶକମାନେ କେମିତି ଗ୍ରହଣ କରୁଛନ୍ତି?
ଉତ୍ତର: କହିବାକୁ ଗଲେ ଆମେ ଯେବେଠାରୁ ଏହି ରିୟାଲିଟ୍ ଶୋରେ ଅଂଶଗ୍ରହଣ କରିବା ଆରମ୍ଭ କରିଥିଲୁ ପରିଚାଳକମାନଙ୍କଠାରୁ ଆରମ୍ଭ କରି ଦର୍ଶକମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଆମର ପ୍ରଶଂସା କରିଆସୁଛନ୍ତି । ଆମର ଏହି ବଣ୍ଡିକୁ ସମସ୍ତେ ଭଲରେ ଗ୍ରହଣ କରିବା ସହ ଅନେକ ଭଲ ପାଇବା ଦେଇଛନ୍ତି । ଏବେ ବି ଅନେକ ସ୍ଥାନରେ ଜଣଙ୍କୁ ଏକୁଟିଆ ଦେଖିଲେ ଆଉଜଣେ କୁଆଡ଼େ ଗଲା ବୋଲି ଖୋଜୁଛନ୍ତି; ଯେମିତିକି ଆମେ ଦୁଇଜଣ ନୁହେଁ ଜଣେ ।

ପ୍ରଶ୍ନ ୨. ଆପଣ ରଜ କୁଇନ୍ ଜରିଆରେ ପ୍ରଥମେ ଲୋକଲୋଚନକୁ ଆସିଲେ, ସେତେବେଳେ ଆପଣଙ୍କର ଅନୁଭୂତି କେମିତି ଥିଲା?
ଉତ୍ତର: ରଜକୁଇନ୍‌ରେ ଆମର ଅଡ଼ିସନ୍ ଯେବେ ଟେଲିକାଷ୍ଟ ହେଲା, ସେତେବେଳେ ସାରା ଓଡ଼ିଶା ଆମ ଦୁହିଁଙ୍କ ବିଷୟରେ ଜାଣିବାକୁ ପାଇଲା ଆଉ ପରବର୍ତ୍ତୀ ସମୟରେ ଶୋ’ ଶେଷ ହେବା ଭିତରେ ଅନେକ ପ୍ରଶଂସା ମିଳୁଥିଲା । ଏଥିନିମନ୍ତେ ଧନ୍ୟବାଦ ଜଣେଇବି ରଜକୁଇନ୍‌ର ସଂଯୋଜକ ଏବଂ ସମ୍ପୂର୍ଣ୍ଣ ଟିମ୍‌କୁ ତା’ ସହିତ ସାର୍ଥକ ଟିଭିକୁ, ସେମାନଙ୍କର ଏହି କାର୍ଯ୍ୟକ୍ରମ ପାଇଁ ଆମେ ଦୁହେଁ ଲୋକଲୋଚନକୁ ଆସିପାରିଲୁ ।

ପ୍ରଶ୍ନ ୩. ମାତ୍ର ଦୁଇମାସର ଯାତ୍ରା ଥିଲା ରଜ କୁଇନ୍‌ର ଫାଇନାଲ୍‌ରେ ପହଞ୍ଚିବା ଆଉ ବିଜୟୀ ହେଲାପରେ କିଛି ଅଲଗା ଅନୁଭବ କରିଥିଲେ ନା ପୂର୍ବରୁ ସମସ୍ତେ ଯେମିତି ଆପଣଙ୍କୁ ଦେଖୁଥିଲେ, ତା’ପରେ ବି ସେମିତି ଗ୍ରହଣ କରିଥିଲେ?
ଉତ୍ତର: ହଁ ସେ ଦୁଇମାସର ଯାତ୍ରା ଭିତରେ ବାକି କିଛି ବଦଳିନଥିଲା, କିନ୍ତୁ ଲୋକମାନଙ୍କର ଭଲପାଇବାଟା ବହୁତ ବଦଳିଯାଇଥିଲା । ଆଖପାଖର ଲୋକମାନେ ଆଗରୁ ଯେମିତି ଭଲ ପାଉଥିଲେ, ପରେ ସେ ଭଲପାଇବାଟା ଅଧିକ ବଢ଼ିଯାଇଥିଲା । ଭଲ ପାଇବା ଯେମିତି ବଢ଼ିଥିଲା ଚିହ୍ନିଥିବା ଲୋକଙ୍କର ସଂଖ୍ୟା ବି ବହୁତ ବଢ଼ିଯାଇଥିଲା । କେହି କେହି ବାଟରେ ଦେଖିଲେ ଏମିତି କଥାବାର୍ତ୍ତା କରୁଥିଲେ କି ଯେମିତି ସେମାନେ ଆମ ପରିବାର ଲୋକଙ୍କ ଭଳିଆ ଆମକୁ ବହୁତ ଭଲ ଭାବରେ ଜାଣିଛନ୍ତି ।

ପ୍ରଶ୍ନ ୪. ରଜ କୁଇନ୍‌ ପରେ ଆପଣ ସାର୍ଥକ ଟିଭିର ଧାରାବାହିକରେ ଅଭିନୟ କରିଥିଲେ ଆଉ ତାହା ବି ନେଗେଟିଭ୍ ରୋଲ୍‌ରେ । ପ୍ରଥମ ସୁଯୋଗର ଅନୁଭୂତି କ’ଣ ଥିଲା?
ଉତ୍ତର: ହଁ ପ୍ରଥମ ଅଫର୍ ପାଇଁ ମୁଁ ବହୁତ ଖୁସି ଥିଲି । ଆଉ ନେଗେଟିଭ୍ କି ପଜେଟିଭ୍ ମୁଁ ସେମିତି ଦେଖେନି, ମୋତେ ଅଭିନୟ କରିବାର ଅଛି; ତାହା ମୁଁ ଦେଖେ । ତା’ଛାଡ଼ା ଅଭିନୟରେ ଯେ କୌଣସି ଚରିତ୍ରରେ ଅଭିନୟ କଲେ ବି ସେ ଚରିତ୍ରକୁ ଭଲ ଭାବରେ ବୁଝି ତାକୁ ପରଦାରେ ନିଭେଇବା ଏକ କଳା । ଯେହେତୁ ଏହା ମୋର ପ୍ରଥମ ଅଭିନୟ ଥିଲା ଆଉ ଏହା ପୂର୍ବରୁ ଅଭିନୟର ଆଦୌ ଅଭିଜ୍ଞତା ନଥିଲା । ତେଣୁ ପ୍ରଥମେ ପ୍ରଥମେ ମୋ ପାଇଁ ଟିକେ ଟିକେ ଅସୁବିଧା ହୋଇଥିଲା; ଅବଶ୍ୟ ପରେ ଧୀରେ ଧୀରେ ଅଭିନୟ କରିବା ଭିତରେ ତା’ ସହ ଯୋଡ଼ିହୋଇଥିବା ବିଭିନ୍ନ କଳା ବିଷୟରେ ଶିଖିଲି । ଏହି ଚରିତ୍ର ପାଇଁ ମୋର ଅଭିନୟର ଶୈଳୀକୁ ଲୋକମାନେ ମଧ୍ୟ ବହୁତ ଭଲପାଇବା ଦେଇଥିଲେ ।

ପ୍ରଶ୍ନ ୫. ପରେ ପରେ ଆପଣ ଦୁଇଜଣ ଏକ ଆଲବମ୍‌ରେ ଅଭିନୟ କରିଥିଲେ, ଯେଉଁଥିରେ ଆପଣଙ୍କ ସ୍ଥାନରେ ସୋମାଲିନ୍ ନିଜକୁ ବଦଳାଇଦେଇଥିଲେ । ବ୍ୟକ୍ତିଗତ ଜୀବନରେ କେବେ ସେମିତି କରିଛନ୍ତି କି?
ଉତ୍ତର: ହଁ ଲିପ୍ସା ମିଶ୍ରଙ୍କ ପ୍ରଡକ୍ସନର ପ୍ରଥମ ଆଲବମ୍ ଟୁଇନ୍‌ସ୍‌ରେ ଆମେ ଦୁଇଜଣ ଏକାସାଙ୍ଗରେ ଅଭିନୟ କରିଥିଲୁ । ତାହା କେବଳ ଅଭିନୟ ପାଇଁ ଥିଲା; ବ୍ୟକ୍ତିଗତ ଜୀବନରେ ଆମେ ଆଦୌ ସେମିତି ନୁହେଁ, ଆମ ଭିତରେ ବହୁତ ଭଲ ପାଇବା ଅଛି, ଦୁହେଁ ପରସ୍ପରକୁ ବହୁତ ଭଲ ଭାବରେ ଜାଣିଛୁ । ତା’ଛଡ଼ା ଯଦି କେବେ ମୁଁ ସୋମାଲିନ୍ ସ୍ଥାନରେ କେଉଁଠିକି ଏବେ ଯିବି ଲୋକମାନେ ସଙ୍ଗେ ସଙ୍ଗେ ଜାଣିଯିବେ, କାରଣ ସେମାନେ ଏବେ ଆମକୁ ବହୁତ ଭଲ ଭାବରେ ଜାଣିଗଲେଣି ।

Janklin Parida

ପ୍ରଶ୍ନ ୬. ଆଗାମୀ ଦିନରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବାର ଯୋଜନା ଅଛି କି? ସେଥିପାଇଁ ନିଜକୁ କିଛି ପ୍ରସ୍ତୁତ କରୁଛନ୍ତି କି?
ଉତ୍ତର: ଅଗାମୀ ଦିନ କଥା ତ ଜଣା ନାହିଁ କିନ୍ତୁ ହଁ ଇଚ୍ଛା ତ ବହୁତ ଅଛି ଆଉ ଅଭିନୟ ଏବଂ ରିଆଲିଟି ଶୋ’ ପାଇଁ ହିଁ ମୋତେ ଲୋକମାନେ ଚିହ୍ନିଛନ୍ତି, ତେଣୁ ତାକୁ ଛାଡ଼ିବାର ପ୍ରଶ୍ନ ହିଁ ଉଠୁନି । ମୁଁ ମୋ ଜୀବନରେ କୌଣସି କାର୍ଯ୍ୟରେ ଯେତେ ବି ବ୍ୟସ୍ତ ଥାଏନା କାହିଁକି ଅଭିନୟର ସୁଯୋଗ ମିଳିଲେ ମୁଁ ନିଶ୍ଚୟ କରିବି ।

ପ୍ରଶ୍ନ ୭. ପାଠପଢ଼ା ଆଉ ଅଭିନୟ ମଧ୍ୟରେ ଆପଣ କେମିତି ସନ୍ତୁଳନ ରକ୍ଷା କରନ୍ତି?
ଉତ୍ତର: ମୋ ହିସାବରେ କାମ ଯାହା ବି କରନ୍ତୁ ନା କାହିଁକି ପାଠପଢ଼ା ସବୁବେଳେ ଜାରି ରଖିଥାନ୍ତୁ । ଅଭିନୟ ପାଇଁ କିମ୍ବା ମୋର ଅନ୍ୟାନ୍ୟ କାମ ପାଇଁ ଯେମିତି ମୋ ପାଠପଢ଼ାରେ କୌଣସି ଅସୁବିଧା ନ ହେଉ ସେଥିପ୍ରତି ମୁଁ ସବୁବେଳେ ଧ୍ୟାନ ଦେଇଥାଏ । କଟକରେ ପଢ଼ୁଥିବାବେଳେ ମୁଁ ଯେମିତି ମୋ କାମସହ ପାଠପଢ଼ାରେ ସନ୍ତୁଳନ ରକ୍ଷା କରୁଥିଲି, ଏଇଠି ପଞ୍ଜାବରେ ବି ସେମିତି ପାଠପଢ଼ା ଠିକ୍‌ରେ ଚାଲିଛି । ମୁଁ ମୋ କାର୍ଯ୍ୟ ଏବଂ ପଢ଼ା ଭିତରେ ଭଲ ସନ୍ତୁଳନ ରକ୍ଷା କରିପାରିଛି, ଯେଉଁଥିପାଇଁ ମୁଁ ସବୁବେଳେ ଖୁସି ଅନୁଭବ କରେ ।

ପ୍ରଶ୍ନ ୮. ଜାଙ୍କଲିନ୍‌ଙ୍କ ପାଇଁ ପ୍ରେମର ସଜ୍ଞା କ’ଣ? ପ୍ରେମକୁ ସେ କେମିତି ବୁଝନ୍ତି?
ଉତ୍ତର: ପ୍ରେମ ଏକ ବିଶାଳ ସାଗର ସଦୃଶ, ଏହାକୁ ବର୍ଣ୍ଣନା କରିବା ମୋ ପାଇଁ ସତରେ କଷ୍ଟକର । ପ୍ରେମ କେତେବେଳେ କାହା ସହ ହେବ କହିହେବ ନାହିଁ । ଆଉ ପ୍ରେମ ଯେ କେବଳ ପ୍ରେମିକ-ପ୍ରେମିକା ଭିତରେ ସୀମିତ, ତାହା ନୁହେଁ ଏହା ବାପାମାଆ, ଭାଇଭଉଣୀ, ସାଙ୍ଗସାଥୀଙ୍କ ପାଇଁ ବି ଥାଏ । ତେଣୁ ମୋ ହିସାବରେ ଏହାର ସେମିତି ନିର୍ଦ୍ଦିଷ୍ଟ ସଜ୍ଞା କିଛି ନାହିଁ ।

Janklin Parida

ପ୍ରଶ୍ନ ୯. ଆଗକୁ ଭାଲେଣ୍ଟାଇନ୍ ଡେ ଆସୁଛି, ଏହା ଉପରେ ଯୁବପିଢ଼ୀଙ୍କ ଉଦ୍ଦେଶ୍ୟରେ ଆପଣ କ’ଣ କହିବେ?
ଉତ୍ତର: ଯୁବପିଢ଼ୀଙ୍କୁ ଗୋଟିଏ କଥା କହିବି କି ଆପଣମାନେ ଯାହାକୁ ଭଲ ପାଉଛନ୍ତି, ପ୍ରଥମେ ତାକୁ ସମ୍ମାନ ଦେବା ଶିଖନ୍ତୁ । କାରଣ ସମ୍ମାନ ନ ଦେଲେ ସମ୍ମାନ ମିଳିବନି ଆଉ ଯେଉଁ ପ୍ରେମରେ ସମ୍ମାନ ନଥାଏ, ତାକୁ ପ୍ରେମ କୁହାଯାଏ ନାହିଁ । ଦ୍ୱିତୀୟରେ କହିବି କି ଆପଣମାନେ ଆପଣଙ୍କର ପ୍ରେମକୁ ବିଶ୍ୱାସ କରନ୍ତୁ ଏବଂ କେବେ ଛଳନା କରିବାର ଉଦ୍ଦେଶ୍ୟ ରଖି ପ୍ରେମ କରନ୍ତୁ ନାହିଁ, ଏମିତି ହେଲେ ସେ ପ୍ରେମ ବେଶିଦିନ ତିଷ୍ଠିପାରିନାହିଁ; କାରଣ ଚୋର ଘର ସବୁବେଳେ ଅନ୍ଧକାରରେ ନଥାଏ । ଏହି ଭାଲେଣ୍ଟାଇନ୍‌ରେ ନିଜର ପ୍ରେମକୁ ସମ୍ନାନର ସହ ପାଳନ କରନ୍ତୁ ଏବଂ ପ୍ରେମ କରୁଥିବା ଲୋକଟି ସହ ଭଲରେ ଭଲରେ ପାଳନ କରନ୍ତୁ ।

ପ୍ରଶ୍ନ ୧୦. ଓଡ଼ିଶାରେ ଏବେ ଯେମିତି ପ୍ରେକ୍ଷାଳୟର ହ୍ରାସ ଘଟୁଛି, ଦର୍ଶକମାନେ ଧୀରେ ଧୀରେ ଓଡ଼ିଆ କଥାଚିତ୍ର ପ୍ରତି ଆକୃଷ୍ଟ ହେଉନାହାନ୍ତି । ଜଣେ ଓଡ଼ିଆ ଅଭିନେତ୍ରୀ ହିସାବରେ ଓଡ଼ିଶାର ଦର୍ଶକଙ୍କ ପାଇଁ କ’ଣ ମନ୍ତବ୍ୟ ରଖିବେ?
ଉତ୍ତର: ହଁ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ସେମିତି ଭଲ କାହାଣୀର ଫିଲ୍ମ ଆସୁନି ଯାହା ଆମର ଦର୍ଶକମାନଙ୍କୁ ଆକୃଷ୍ଟ କରିପାରିବ । ହୁଏତ ସେହିସବୁ କାହାଣୀପାଇଁ ଆଜି ପ୍ରେକ୍ଷାଳୟଗୁଡ଼ିକର ଏମିତି ଦୁର୍ଦଶା । ତା’ଛଡ଼ା ଏବେ ଡିଜିଟାଲ୍ ଯୁଗରେ ଲୋକମାନେ ସହଜରେ ବିଭିନ୍ନ କାହାଣୀର ଫିଲ୍ମ ଦେଖୁଛନ୍ତି ଆଉ ପୁଣିଥରେ ସେହି କାହାଣୀକୁ ଦେଖିବାକୁ ଫିଲ୍ମ ହଲ୍‌କୁ ଯିବାକୁ ପସନ୍ଦ କରୁନାହାନ୍ତି । ଯେଉଁଦିନ ନିଜସ୍ୱ ସ୍ୱାର୍ଥ ଛାଡ଼ି ନିର୍ମାତାମାନେ ଆମ କଥାଚିତ୍ର ଜଗତ ପାଇଁ ଚଳଚ୍ଚିତ୍ର ନିର୍ମାଣ କରିବା ଆରମ୍ଭ କରିବେ, ସେବେ ପିଲାଠୁ ବୁଢ଼ା ସମସ୍ତ ତାକୁ ଭଲ ପାଇବେ ବୋଲି ମୋତେ ଲାଗୁଛି ।

(ଜାଙ୍କଲିନ ତାଙ୍କର ବହୁମୂଲ୍ୟ ସମୟ ଦେଇଥିବାରୁ ତାଙ୍କୁ ଶୁଭପଲ୍ଲବ ପରିବାର ତରଫରୁ ଧନ୍ୟବାଦ ଜଣାଉଛୁ ଆଉ ତାଙ୍କର ଆଗାମୀ ଭବିଷ୍ୟତ ଜୀବନ ପାଇଁ ଶୁଭକାମନା ଜଣାଉଛୁ ।)

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଂଗ୍ରାମ କେଶରୀ ସେନାପତି, ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ । ସେ ଓଡ଼ିଆରେ ଗଳ୍ପ, ପ୍ରବନ୍ଧ ଆଦି ଲେଖାଲେଖି କରନ୍ତି ଏବଂ ଓଡ଼ିଆ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପରେ ପ୍ରାୟତଃ କାର୍ଯ୍ୟ କରନ୍ତି ।