You are currently viewing ପଦ୍ମିନୀ ରାଉତଙ୍କ ସହ ଆଳାପ
ପଦ୍ମିନୀ ରାଉତଙ୍କ ସହ ଆଳାପ

ପଦ୍ମିନୀ ରାଉତଙ୍କ ସହ ଆଳାପ

ଉଭୟ ଇଣ୍ଟରନେସନାଲ ମାଷ୍ଟର ଓ ମହିଳା ଗ୍ରାଣ୍ଡମାଷ୍ଟର ଉପାଧୀ ହାସଲ କରିଛନ୍ତି ସେ । ୨୦୧୪ରୁ ୧୭ ପର୍ଯ୍ୟନ୍ତ ୪ ବର୍ଷ ଧରି ସେ ଭାରତୀୟ ମହିଳା ପ୍ରିମିୟର ଚାମ୍ପିୟନ ଓ ୨୦୧୮ରେ ଏସୀୟ ମହିଳା ଚାମ୍ପିୟନ ଥିଲେ ସେ । ୨୦୦୭ ମସିହାରେ ବିଜୁ ପଟ୍ଟନାୟକ ଖେଳ ସମ୍ମାନ ଓ ୨୦୦୯ରେ ଏକଲବ୍ୟ ପୁରସ୍କାର ହାସଲ କରି ଓଡ଼ିଶାକୁ ସବୁ ସ୍ଥାନରେ ଗର୍ବ ଅନୁଭବ କରାଇଛନ୍ତି ସେ । ତେବେ ଆସନ୍ତୁ ଜାଣିବା ଓଡ଼ିଶାର ସେହି ଗର୍ବ ଓ ଗୌରବ ପଦ୍ମିନୀ ରାଉତଙ୍କ ବିଷୟରେ କିଛି କଥା ଆଉ କରିବା କିଛି ଆଳାପ ।

ପ୍ରଶ୍ନ ୧: ଆପଣଙ୍କ ପ୍ରଥମ ଆନ୍ତର୍ଜାତୀୟ ମ୍ୟାଚ୍ ବିଷୟରେ କିଛି ମନେ ଅଛି? ସେତେବେଳେ ଆପଣ ନର୍ଭସ୍ ଥିଲେ କି?

ଉତ୍ତର: ମୋ ପ୍ରଥମ ଆନ୍ତର୍ଜାତୀୟ ମ୍ୟାଚ୍ ଇରାନରେ ଥିଲା ୨୦୦୬ରେ । ଏସିଆନ୍ ଅଣ୍ଡର ଟୁଏଲ୍‌ଭ୍ (Under 12) ଖେଳିବା ପାଇଁ ଯାଇଥିଲି ଟିମ୍ ସାଙ୍ଗରେ । ନର୍ଭସ ତ ଥିଲି । ସେତେବେଳେ ସେଠାରେ ଖାଇବାରେ ବହୁତ ଅସୁବିଧା ହେଲା, ଆମ ହୋଟେଲ୍ ଆମ ଭେନ୍ୟୁଠାରୁ ବହୁତ ଦୂରରେ ଥିଲା । ବସ୍‌ରେ ଯାଉଥିଲୁ ଭେନ୍ୟୁକୁ ଆଉ ବହୁତ ଦିନ ମୋତେ ମୋସନ୍ ସିକ୍‌ନେସ୍ ହେଉଥିଲା ସେତେବେଳେ । କାରଣ ସେଠାରେ ବହୁତ ଗରମ ଥିଲା ଆଉ ସବୁବେଳେ ACରେ… ମୋର ପ୍ରଥମ ଆନ୍ତର୍ଜାତୀୟ ଯାତ୍ରାରେ ମୁଁ ସେତେଟା ଅଧିକ ଆଡଜଷ୍ଟ କରିପାରିନଥିଲି । ହେଲେ ବି ମୁଁ ବହୁତ ଖୁସି ଥିଲି, କାରଣ ସେ ଟୁର୍ଣ୍ଣାମେଣ୍ଟ ମୁଁ ଜିତିକି ଆସିଥିଲି ।

ପ୍ରଶ୍ନ ୨: ଯେବେ ଆପଣ ପ୍ରଥମଥର ନ୍ୟାସ୍‌ନାଲ୍ ଚାମ୍ପିଆନ୍ ହୋଇଥିଲେ, ସେ ସମୟର ଅନୁଭୂତି କେତିମି ଥିଲା?

ଉତ୍ତର: ୨୦୦୫ ମସିହାରେ ଅଣ୍ଡର ଇଲେଭେନ୍‌ରେ (Under 11) ମୁଁ ପ୍ରଥମେ ଥର ନ୍ୟାସ୍‌ନାଲ୍ ଚାମ୍ପିଆନ୍ ହୋଇଥିଲି । କିନ୍ତୁ ତା’ ପୂର୍ବବର୍ଷ ଟପ୍ ୧୫‌ରେ ଆସିଥିଲି । ୨୦୦୫ରେ ମୁଁ ସ୍କୁଲ୍‌ରୁ ବହୁତ ଛୁଟି ନେଇକି ଚେସ୍ ଉପରେ ଅଧିକ ଧ୍ୟାନ ଦେଇଥିଲି ଏବଂ ବେଶି ଅଭ୍ୟାସ ମଧ୍ୟ କରୁଥିଲି । ଏହି ଟୁର୍ଣ୍ଣାମେଣ୍ଟରେ ଜାତୀୟ ସ୍ତରରେ ବିଜୟୀ ହେବାପରେ ମୋ ବାପାମାଆଙ୍କୁ ଲାଗିଲା ଯେ ମୁଁ ଚେସ୍‌ରେ ଆଗରୁ ଯିବା ଦରକାର ଆଉ ଏହାକୁ କ୍ୟାରିଅର୍ ଭାବରେ ଗ୍ରହଣ କରିପାରିବି । ସେମାନେ ମଧ୍ୟ ମୋତେ ସବୁବେଳେ ସପୋର୍ଟ କରିଆସିଛନ୍ତି ।

Padmini Rout

ପ୍ରଶ୍ନ ୩: ବେଳେ ବେଳେ ଆମ ମନରେ ଅନ୍ୟ କିଛି ଭାବନା ହଠାତ୍ ପଶି ଆସେ, ଖେଳିବାବେଳେ ଆପଣଙ୍କ ସହ କେବେ ସେମିତି ହେଇଛି କି?

ଉତ୍ତର: ହଁ ହୁଏ, ଅନେକ ଥରେ ହେଇଛି । ଆଜି ଡିନର୍‌ରେ କ’ଣ ଖାଇବି, ଏ ଗେମ୍‌ରେ ହାରିଗଲେ ଭଲ ହବନି; ଏମିତି ସବୁ ବହୁତ ଭାବନା ଆସେ । ଏସବୁ ଭାବନା ସେତେବେଳେ ଆସେ, ଯେତେବେଳେ ଆମେ ଅନ୍ୟମନସ୍କ ହେଇଯାଉ ଆଉ ଧ୍ୟାନ ଖେଳ ପାଖରେ  ଲାଗି  ପାରି ନଥାଏ । ଏ ଜିନିଷ ନିଜ ଫର୍ମ ଜାଣିବାରେ ବି ସାହାଯ୍ୟ କରେ । ମୁଁ ଚେଷ୍ଟା କରେ ଯେ ଏ ସବୁ ଭାବନା ଯେମିତି ନ ଆସୁ ।

ପ୍ରଶ୍ନ ୪: ଯେବେ ଛୋଟବେଳେ ଖେଳିବାକୁ ବାହାରକୁ ଯାଉଥିଲେ, ସେତେବେଳେ ଆପଣ ପାଠପଢ଼ା ଏବଂ ଖେଳ ମଧ୍ୟ କିପରି ସମନ୍ୱୟ ରକ୍ଷା କରୁଥିଲେ?

ଉତ୍ତର: ମୋ ସ୍କୁଲ୍ ମୋତେ ବହୁତ ସପୋର୍ଟ କରିଛି । ମୋର ଆଟେଡାନ୍ସକୁ ରିଲାକ୍ସ କରାଯାଉଥିଲା ଆଉ ବର୍ଷ ଶେଷରେ ବାର୍ଷିକ ପରୀକ୍ଷା ପୁର୍ବରୁ ସ୍କୁଲ୍‌ରେ ମାସକର କ୍ରାସ୍ କୋର୍ସ ବି ହେଉଥିଲା, ଯାହାକି ମୋତେ ବହୁତ ସାହାଯ୍ୟ କରୁଥିଲା । ଏମିତିରେ ଚେସ୍ ଏକ ମାଇଣ୍ଡ ଗେମ୍, ତେଣୁ ପାଠ ପଢ଼ା ଠିକ୍‌ରେ ଧରିବା ପାଇଁ ସେତେ କିଛି ଅସୁବିଧା ହେଉନଥିଲା ।

ପ୍ରଶ୍ନ ୫: ଚେସ୍ ହେଉଛି ମସ୍ତିଷ୍କର ଖେଳ, ଆପଣଙ୍କୁ ସାମ୍ନାର ଲୋକର ମସ୍ତିଷ୍କ ପଢ଼ିବାକୁ ପଡ଼େ । ଏହାପାଇଁ ଆପଣ କିଛି ବିଶେଷ କାର୍ଯ୍ୟ ଯେମିତିକି ଯୋଗ, ଧ୍ୟାନ ଆଦି କରନ୍ତି କି?

ଉତ୍ତର: ହଁ ନିହାତି ! ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ ଆଉ ସେଥିପାଇଁ ମୁଁ ପ୍ରତ୍ୟେକ ଦିନ ଅତିକମରେ ୪୫ ମିନିଟ୍‌ରୁ ୨ ଘଣ୍ଟାଯାଏଁ ଯୋଗ କରେ, ଧ୍ୟାନ କରେ ଏବଂ ବିଭିନ୍ନ ପ୍ରକାରର ବ୍ୟାୟାମ ଆଦି କରେ ।

ପ୍ରଶ୍ନ ୬: ପଦ୍ମିନୀ ରାଉତ ଚେସ୍ ବ୍ୟତୀତ ଅନ୍ୟ କଣ ଖେଳିବାକୁ ଭଲ ପାଆନ୍ତି?

ଉତ୍ତର: ମୋତେ ଟେବୁଲ୍ ଟେନିସ୍ ଖେଳିବାକୁ ଭଲ ଲାଗେ । ସୁଇମିଂ ବି ଭଲ ଲାଗେ ।

Padmini Rout with Raja Sajabaja

ପ୍ରଶ୍ନ ୭: ଆପଣ ଏହି ଲକ୍‌ଡାଉନ୍‌ରେ କଣ କଣ ସବୁ ନୂଆ କଲେ?

ଉତ୍ତର: ନୂଆ ନୂଆ ଭାଷା ଶିଖିବାକୁ ଚେଷ୍ଟା ଜାରି ରହିଛି, ବହି ପଢ଼ୁଛି । ଅନେକ କିଛି ନୂଆ ଚାଲିଛି ଏବେ ଲକ୍‌ଡାଉନ୍ ଆରମ୍ଭ ହେବା ପରଠାରୁ ।

କିଛି ସଂକ୍ଷିପ୍ତ ପ୍ରଶ୍ନ:

  1. ପସନ୍ଦର ଖାଦ୍ୟ – ଚାଓମିନ୍
  2. ପସନ୍ଦର ସ୍ଥାନ – ପାହାଡ଼ିଆ ଜାଗା
  3. ପସନ୍ଦର ଲୋକ – ମୋ ଭଉଣୀ
  4. ପସନ୍ଦର ଅଭିନେତା/ଅଭିନେତ୍ରୀ – ଆୟୁଷମାନ ଖୁରାନା, ବିଦ୍ୟା ବାଲାନ୍
  5. ଶ୍ରେଷ୍ଠ ମୁହୂର୍ତ୍ତ – ଆସୁଛି ସେ ସମୟ… ଯେବେ କରୋନା ସରିବ, ଆଉ ମୁଁ ପୁଣିଥରେ ଖେଳିବାକୁ ଯିବି । 😊

ଧନ୍ୟବାଦ ପଦ୍ମିନୀ ଦେବୀ, ଆପଣଙ୍କର ମୂଲ୍ୟବାନ ସମୟ ବାହାର କରି ଆମର ସମସ୍ତ ପ୍ରଶ୍ନର ଉତ୍ତର ରଖିଥିବାରୁ । ଆଗକୁ ଆପଣଙ୍କର ସଫଳତାର କାମନା କରୁଛି । ଜୟ ଜଗନ୍ନାଥ !

– ସଂଗ୍ରାମ କେଶରୀ ସେନାପତି

Odia Chess Player Padmini Rout

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଂଗ୍ରାମ କେଶରୀ ସେନାପତି, ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ । ସେ ଓଡ଼ିଆରେ ଗଳ୍ପ, ପ୍ରବନ୍ଧ ଆଦି ଲେଖାଲେଖି କରନ୍ତି ଏବଂ ଓଡ଼ିଆ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପରେ ପ୍ରାୟତଃ କାର୍ଯ୍ୟ କରନ୍ତି ।