You are currently viewing ସିଦ୍ଧାର୍ଥଙ୍କ ସହ ଆଳାପ
ସିଦ୍ଧାର୍ଥଙ୍କ ସହ ଆଳାପ

ସିଦ୍ଧାର୍ଥଙ୍କ ସହ ଆଳାପ

ଏ ସମାଜ ଆମକୁ ସବୁକିଛି ଦେଇଛି, ହେଲେ କାହାକୁ କାହାକୁ ଟିକିଏ କମ୍ ମିଳିଥାଏ; ସେହିଭଳି ଅଭାବୀ ମାନବଙ୍କର ସେବା କରିବାକୁ ମାଧବ ସେବା ସହ ଆମ ସଂସ୍କୃତିରେ ତୁଳନା କରାଯାଇଛି । ଏମିତି ସମାଜସେବା କରିବାକୁ ଯାଜପୁର ଅହିୟାଶରେ ଜନ୍ମିତ ଓଡ଼ିଆ ପୁଅ ସିଦ୍ଧାର୍ଥ ଶଙ୍କର ଦାଶ ଗଠନ କରିଛନ୍ତି ସିଦ୍ଧାର୍ଥ ଫାଉଣ୍ଡେସନ୍ ନାମକ ଏକ ସେବା ସଂସ୍ଥା, ଯାହାକି ମାନବ କଲ୍ୟାଣ ଦିଗରେ କାର୍ଯ୍ୟ କରିଆସୁଅଛି । ତେବେ ଆସନ୍ତୁ କଥା ହେବା ସିଦ୍ଧାର୍ଥଙ୍କ ସହ ଏବଂ ଜାଣିବା ତାଙ୍କ କାମ ବିଷୟରେ, ତାଙ୍କ ସଂସ୍ଥା ବିଷୟରେ ।

ପ୍ରଶ୍ନ ୧: ଆଜିକା ଦୁନିଆରେ ସମସ୍ତେ ଚାହାନ୍ତି ସରକାରୀ ଚାକିରୀଖଣ୍ଡେ ହେଇଗଲେ, ଜୀବନ ସୁରକ୍ଷିତ ହେଇଗଲା, ହେଲେ ଆପଣ ଏ ସମାଜସେବାକୁ କାହିଁକି ବାଛିଲେ?
ଉତ୍ତର- ଏହା ମୋର ପିଲାଦିନର ସ୍ୱପ୍ନ ଥିଲା କିଛି ଦୁଃଖି ଅସହାୟ ଲୋକଙ୍କ ପାଇଁ କାର୍ଯ୍ୟ କରିବି । ବାକି ରହିଲା ସରକାରୀ ଚାକିରୀ କଥା, ଏବେ ବି ମୁଁ ନିଜକୁ ପ୍ରସ୍ତୁତ କରୁଛି ସରକାରୀ ଚାକିରି ପାଇଁ ।

ପ୍ରଶ୍ନ ୨: ସମାଜସେବା ପ୍ରତି ଆଗ୍ରହ କେବେଠାରୁ ଆସିଲା ଆଉ ଏସବୁ ପାଇଁ କେହି ପ୍ରେରଣା ଥିଲେ କି?
ଉତ୍ତର- ସ୍କୁଲରେ ପଢ଼ିବା ସମୟରୁ ହିଁ ସମାଜସେବା କ୍ଷେତ୍ରରେ ପ୍ରବେଶ କରିଥିଲି, ସେତେବେଳେ ଛୋଟମୋଟ କାମ କରୁଥିଲି, ମୋ ବାପା ସବୁବେଳେ ମତେ ଅନୁପ୍ରାଣିତ କରୁଥିଲେ ସମାଜ ପାଇଁ କାମ କରିବା ଦିଗରେ ।

ପ୍ରଶ୍ନ ୩: ସିଦ୍ଧାର୍ଥ ଫାଉଣ୍ଡେସନ୍ କେବେ ଆରମ୍ଭ ହେଲା ଆଉ କ’ଣ କ’ଣ କାମ କରି ଆସୁଛନ୍ତି?
ଉତ୍ତର- ଏହା ୨୦୧୯ରେ ଆରମ୍ଭ ହୋଇଥିଲା । ସାଧାରଣତଃ ଆମେ ଶିକ୍ଷା ଉପରେ ବେଶୀ ଗୁରୁତ୍ୱ ଦେଉଛୁ ଯେଉଁ ଛାତ୍ରଛାତ୍ରୀମାନେ ଅର୍ଥ ଅଭାବରୁ ତାଙ୍କର ତାଙ୍କ ଶିକ୍ଷାରେ ବାଧା ସୃଷ୍ଟି ହୋଉଛି, ତତ୍ ସହିତ ସମାଜରେ ଅବହେଳିତ ଲୋକଙ୍କ ପାଇଁ ମଧ୍ୟ କାମ କରୁଛୁ ।

ପ୍ରଶ୍ନ ୪: ଆପଣ ପ୍ରାରମ୍ଭିକ ସ୍ତରରେ ଶିକ୍ଷାକୁ କେତେ ଗୁରୁତ୍ୱ ଦିଅନ୍ତି? ଶିକ୍ଷା ଉପରେ ଆପଣଙ୍କର ସଂସ୍ଥା କ’ଣ କାମ କରୁଛି?
ଉତ୍ତର- ଶିକ୍ଷା ଏକାନ୍ତ ଆବଶ୍ୟକ, ଶିକ୍ଷା ବିନା ମଣିଷ କେବେବି ଆଗକୁ ଯାଇପାରିବ ନାହିଁ । ଆମ ସଂସ୍ଥା ପ୍ରଥମତଃ ଶିକ୍ଷାକୁ ଗୁରୁତ୍ୱ ଦେଉଛି, ପ୍ରାରମ୍ଭିକ ଶିକ୍ଷାରୁ ଆରମ୍ଭ କରି ସେମାନଙ୍କର ଉଚ୍ଚତର ଶିକ୍ଷା ପର୍ଯ୍ୟନ୍ତ ଆମେ ବ୍ୟବସ୍ଥା କରୁଛୁ ।

ପ୍ରଶ୍ନ ୫: ଆପଣଙ୍କର ବାପାମାଆ ଆପଣଙ୍କର ଏହି ସମାଜସେବାକୁ କେମିତି ଗ୍ରହଣ କରିଛନ୍ତି?
ଉତ୍ତର- ପ୍ରଥମତଃ କହିବି ବାପାଙ୍କ ସମର୍ଥନ ସବୁବେଳେ ଅଛି ଏବଂ ସେ ମତେ ସବୁବେଳେ ଅନୁପ୍ରାଣିତ କରିଆସିଛନ୍ତି, ସମାଜିକ କାର୍ଯ୍ୟ କରନ୍ତି, କିନ୍ତୁ ମା’ଙ୍କ ଇଚ୍ଛା ଟିକେ ଅଲଗା, ସେ ଚାହେଁ ମୁଁ ଭଲ ଚାକିରିଟିଏ କରେ ବୋଲି ।

ପ୍ରଶ୍ନ ୬: ଏହି ସବୁ କାମ ପାଇଁ କେମିତି କ’ଣ ଆବଶ୍ୟକତା ପୂରଣ କରୁଛନ୍ତି?
ଉତ୍ତର- ସାଧାରଣତଃ ଆମ ଫାଉଣ୍ଡେସନ ଦୁଇଭାଗରେ ବିଭକ୍ତ କରିଛୁ ୧ମ ପୁରୁଷ ଗ୍ରୁପ୍ ଏବଂ ମହିଳା ଗ୍ରୁପ୍ । ସେଥିରୁ ସହାୟତା ଆସେ । ସବୁଠୁ ବଡ଼ କଥା ହେଲା ଆମ ଫାଉଣ୍ଡେସନରେ ଉପଦେଷ୍ଟା ଓଡ଼ିଶାର ଜଣେ ସୁନାମଧନ୍ୟ କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ର ଅଛନ୍ତି । ସମସ୍ତଙ୍କର ପ୍ରଚେଷ୍ଟାରେ ଏହି ସଂସ୍ଥାଟି ଚାଲିଆସିଛି ।

ପ୍ରଶ୍ନ ୭: ଜୀବନରେ ଆଗକୁ ଲକ୍ଷ୍ୟ କ’ଣ ଅଛି ସିଦ୍ଧାନ୍ତଙ୍କର?
ଉତ୍ତର- ମୋ ଜୀବନର ଲକ୍ଷ୍ୟ କହିବାକୁ ଗଲେ ମୁଁ ଜଣେ ଭଲ ଅଭିନେତା ହେବାକୁ ଚାହୁଁଛି, ଦ୍ୱିତୀୟତଃ ସାମାଜିକ କାର୍ଯ୍ୟ ସହିତ ବାପାଙ୍କ ସ୍ୱପ୍ନ… ଭଲ ଚାକିରି ଖଣ୍ଡେ କରିବି । ମୁଁ ଏକାବଳେ ତିନିତିନିଟା ସ୍ୱପ୍ନ ପୂରଣ କରିବା କଷ୍ଟ, ତଥାପି ଚେଷ୍ଟା କରିବି ।

ଧନ୍ୟବାଦ ସିଦ୍ଧାର୍ଥବାବୁ ଆପଣଙ୍କର ଏହି କାର୍ଯ୍ୟପାଇଁ ଏବଂ ଆମର ସମସ୍ତ ପ୍ରଶ୍ନର ଉତ୍ତର ରଖିଥିବାରୁ ।

ସଂଗ୍ରାମ କେଶରୀ ସେନାପତି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଂଗ୍ରାମ କେଶରୀ ସେନାପତି, ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ । ସେ ଓଡ଼ିଆରେ ଗଳ୍ପ, ପ୍ରବନ୍ଧ ଆଦି ଲେଖାଲେଖି କରନ୍ତି ଏବଂ ଓଡ଼ିଆ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପରେ ପ୍ରାୟତଃ କାର୍ଯ୍ୟ କରନ୍ତି ।