You are currently viewing କଦଳୀ-ମଞ୍ଜା ବେସର
କଦଳୀ-ମଞ୍ଜା ବେସର

କଦଳୀ-ମଞ୍ଜା ବେସର

ବେସର ହେଉଛି ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ । ବେସର ମୁଖ୍ୟତଃ ସୋରିଷ, ଜିରା, ପାନମଧୁରୀ, ନଡ଼ିଆ ଆଦି ମିଶାଇ ବଟାଯାଏ । ଆଉ କେବେକେବେ ଖାଲି ସୋରିଷ, ରସୁଣ, ଜିରାକୁ ମିଶାଇ ମଧ୍ୟ ପ୍ରସ୍ତୁତ କରାଯାଏ । ବେସର ବଟାରେ ପରିବା କିମ୍ବା ମାଛ ଆଦି ମିଶାଇ ବିଭିନ୍ନ ପ୍ରକାରର ତରକାରୀ ପ୍ରସ୍ତୁତ କରାଯାଏ । ଆଜି ସେମିତି ଏକ ବେସର ଦିଆ ସୁଆଦିଅ ତରକାରୀ ପ୍ରସ୍ତୁତ କରିବା ଚାଲନ୍ତୁ ।

ଆମେ ଗଛର ପତ୍ରଠାରୁ ଚେର ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରି ଖାଇଥାଉ । ଯଦି ଆମେ କଦଳୀ ଗଛକୁ ନେବା, ତେବେ ତା’ର ଭଣ୍ଡା, କଞ୍ଜା କଦଳୀ ଆଉ ପାଚିଲା କଦଳୀ ପରେ ଆମେ ତା’ର ମଞ୍ଜକୁ କାଟି ଖାଇଥାଉ, ଯାହା ମଞ୍ଜା ଭାବରେ ବେଶ୍ ପରିଚିତ । ତେବେ ଦେଖିବା କେମିତି କଦଳୀ-ମଞ୍ଜା ବେସର ପ୍ରସ୍ତୁତ କରିପାରିବା ଅତି ସହଜରେ ।

ଆବଶ୍ୟକୀୟ ଉପାଦାନ:

୧. କଦଳୀ ମଞ୍ଜା -୨୫୦ ଗ୍ରାମ
୨. ଆଳୁ – ୧ଟା
୩. ବିଲାତି – ୧ଟା
୪. ପିଆଜ – ୧ଟା
୫. ରସୁଣ – ୧ ବୁଦା
୬. ସୋରିଷ – ୩ ଚାମଚ
୭. ଜିରା – ୧ ଚାମଚ
୮. ଅଦା – ୧/୨ ଇଞ୍ଚ
୯. ହଳଦୀ ଗୁଣ୍ଡ – ଅଧ ଚାମଚ
୧୦. ଲଙ୍କା ଗୁଣ୍ଡ – ଆବଶ୍ୟକ ଅନୁସାରେ
୧୧. ଲୁଣ – ସ୍ୱାଦ ଅନୁସାରେ
୧୨. ଆମ୍ବୁଲ – ୧ଟା
୧୩. ବଡ଼ି – ୪/୫ଟି (ସୋରିଷ ତେଲରେ ଭଜା ହୋଇଥିବ)
୧୪. ଧନିଆ ପତ୍ର (କଟା ହୋଇଥିବା)

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ମଞ୍ଜା ଓ ଆଳୁକୁ ଭଲ ଭାବରେ ଧୋଇ ଛୋଟ ଛୋଟ କରି କାଟିବେ । ବିଲାତି ଓ ପିଆଜକୁ ଛୋଟ ଛୋଟ ଖଣ୍ଡ କରି କାଟିଦେବେ ଏବଂ ଛଡ଼ା ହୋଇଥିବା ରସୁଣା, ଅଦା, ଜିରା, ସୋରିଷକୁ ମିଶେଇକି ବାଟି ବେସର ପ୍ରସ୍ତୁତ କରିବେ ।

ଏହାପରେ କଢ଼େଇକୁ ଗରମ କରି ସେଥିରେ ୩ ଚାମଚ ସୋରିଷ ତେଲ ନେବେ ଏବଂ ତେଲ ଗରମ ହେବାପରେ ସେଥିରେ ଟିକେ ଜିରା ଏବଂ ୧୦ରୁ ୧୫ ସେକେଣ୍ଡ ପରେ କଟା ହୋଇଥିବା ପିଆଜ ପକେଇକି ଭଲରେ ଘାଣ୍ଟିବେ । ଧ୍ୟାନ ରଖିବେ ପିଆଜ ଯେମିତି ଜଳିନଯାଏ । ଆଉ ପିଆଜ ଟିକେ ହେଇ ଆସିଲେ ସେଥିରେ ପୂର୍ବରୁ ପ୍ରସ୍ତୁତ ଥିବା ବେସରକୁ ପକେବେ ।

ବେସର ପକେଇବା ପରେ ଆଞ୍ଚର ଉତ୍ତାପ କମ କରିବାକୁ ଗ୍ୟାସ୍‌କୁ ମିଡିଅମ୍‌କୁ କମେଇଦେବେ । ସୋରିଷ ବେସର ପକେଇବାର ୨ ମିନିଟ୍ ପରେ ସେଥିରେ ସ୍ୱାଦ ଅନୁସାରେ ଲୁଣ, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ ଆଦି ପକାଇ ଭଲ ଭାବରେ ଗୋଳେଇଦେବେ । ଏହାପରେ ସେ ବେସରକୁ ଧୀମା ଆଞ୍ଚରେ ଆଉ ୫ ମିନିଟ୍ ପର୍ଯ୍ୟନ୍ତ କଷିବେ ।

ଏହାପରେ ସେଥିରେ କଟା ହୋଇଥିବା ବିଲାତି ଖଣ୍ଡ ପକେଇବେ ଏବଂ କିଛି ସମୟ ପରେ ସେଥିରେ କଟା ହୋଇଥିବା ମଞ୍ଜା ଆଉ ଆଳୁକୁ ପକେଇକି ଆଞ୍ଚକୁ ମିଡିଅମ୍‌କୁ ବଢ଼େଇବେ । ଏବେ ମଞ୍ଜା ଆଉ ଆଳୁକୁ ୧୦ମିନିଟ୍ ପର୍ଯ୍ୟନ୍ତ କଷିବା ପରେ ତାକୁ ପ୍ରେସର୍ କୁକର୍‌ରେ ଆବଶ୍ୟକ ଅନୁସାରେ ପାଣି ଦେଇ ଆଞ୍ଚରେ ବସେଇଦେବେ । ପ୍ରେସର୍ କୁକର୍‌ର ପ୍ରଥମ ସିଟି ବାଜିବା ପରେ ଆଞ୍ଚକୁ ଧୀମା କରିଦେବେ ଏବଂ ଧୀମା ଆଞ୍ଚରେ ଆଉ ଗୋଟିଏ ସିଟି ବାଜିବା ପରେ ଆଞ୍ଚ ବନ୍ଦ କରିଦେବେ ।

ଆଞ୍ଚ ବନ୍ଦ କରିବାର କିଛି ସମୟ ପରେ ପ୍ରେସର୍ କୁକର୍‌ର ଘୋଡ଼ଣୀ କାଢ଼ି ସେଥିରେ ଫାଳେ ଆମ୍ବୁଲ ଫାଳେ ଆଉ ସୋରିଷ ତେଲରେ ଭଜା ହୋଇଥିବା ବଡ଼ିକୁ ହାତରେ ଭାଙ୍ଗି ଛୋଟ ଛୋଟ କରି ପକେଇଦେବା ଆଉ ଶେଷରେ କଟା ହୋଇଥିବା ଧନିଆ ପତ୍ରକୁ ସେଥିରେ ପକେଇ କିଛି ସମୟ ଘୋଡ଼େଇ ରଖିଦେବେ ।

ଏବେ ଆମର କଦଳୀ-ମଞ୍ଜା ବେସର ପ୍ରସ୍ତୁତ ହୋଇସାରିଛି । ଏହାକୁ ଗରମଗରମ ଖାଇଲେ ଅଧିକ ସ୍ୱାଦ ଲାଗିଥାଏ । ମାତ୍ର କେହି କେହି ଏହାକୁ ଥଣ୍ଡା ଖାଇବାକୁ ମଧ୍ୟ ପସନ୍ଦ କରନ୍ତି । ଉଭୟ ଗରମ ଭାତ ଏବଂ ପଖାଳ ଭାତ ସାଙ୍ଗରେ ଏହାକୁ ଖାଇହୁଏ । ଆଶା କରୁଛି ଆଗାମୀ ପଖାଳ ଦିବସ ଅବସରରେ ଏହାକୁ ପ୍ରସ୍ତୁତ କରି ନିଶ୍ଚେ ଖାଇବେ ଏବଂ ଅନ୍ୟମାନଙ୍କୁ ଖୁଆଇବେ ।

ଯଦି ଏହି ପ୍ରାଣାଳୀରେ ଆପଣ ନିଜେ କେବେ ରୋଷେଇ କରନ୍ତି, ତେବେ ମୋର ଇନ୍‌ଷ୍ଟାଗ୍ରାମ୍ ଆଇଡି @food_stories99ରେ ମୋତେ ଟ୍ୟାଗ୍ କରିବାକୁ ଆଦୌ ଭୁଲିବେନି ।

– ଇତିଶ୍ରୀୟା ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଇତିଶ୍ରୀୟା ଜଣେ ଓଡ଼ିଆ ବ୍ଲଗ୍‌ର, ଯିଏକି ରୋଷେଇ କରିବାକୁ ଭଲ ପାଆନ୍ତି । ଘରେ ରୋଷେଇ କରି ବାପାମାଆଙ୍କୁ ଖୁଆଉ ଖୁଆଉ କେତେବେଳେ ରୋଷେଇକୁ ଏତେ ଭଲ ପାଇଗଲେ ତାଙ୍କୁ ଜଣାପଡ଼ିଲାନି ବୋଲି ସେ କୁହନ୍ତି । ଇଷ୍ଟାଗ୍ରାମ୍‌ରେ ପ୍ରତ୍ୟେକ ଦିନ ରୋଷେଇ କରି ଫଟୋ ପୋଷ୍ଟ କରି ଏହାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଲୋକମାନଙ୍କୁ ଜଣାଇବା ତାଙ୍କର ମୁଖ୍ୟ ଏବେ ହେଇଯାଇଛି ।