You are currently viewing ଚାଉଲ୍ ବରା
ଚାଉଲ୍ ବରା

ଚାଉଲ୍ ବରା

ଭାରତର ପ୍ରାୟ ସମସ୍ତ ଅଞ୍ଚଳରେ ସକାଳର ଜଳଖିଆ ଭାବରେ ଖିଆ ଯାଉଥିବା ଖାଦ୍ୟ ହେଉଛି ବରା, ଯହାକି ବିଭିନ୍ନ ଅଞ୍ଚଳରେଏ ବିଭିନ୍ନ ନାମରେ ଖିଆଯାଏ । ଆମେ ସିନ ଓଡ଼ିଆରେ ବରା ବୋଲି କହୁ ହେଲେ ସ୍ଥାନ ନେଇକି ଏହାକୁ ବଡ଼ା, ବଡ଼େ, ବଡ଼ାଇ ମଧ୍ୟ କୁହାଯାଏ । ଦକ୍ଷିଣ ଭାରତ ଆଡ଼େ ଗଲେ ଆମେ କୁହନ୍ତି ମେଦୁ ବଡ଼ା ଓ ପଶ୍ଚିମ ଭାରତର ଆଳୁ ବଡ଼ା; ପୁଣି ମୁମ୍ବାଇ ଗଲେ ସେ ବଡ଼ା-ପାଓ । ହେଲେ ଓଡ଼ିଶାରେ ମୁଖ୍ୟତଃ ବିରିବରା, ଡାଲିବରା, ଦହିବରା, ଚାଉଳ ବରା ଆଦି ପ୍ରସିଦ୍ଧ ।

ଚାଉଲ୍ ବରା ବା ଚାଉଳ ବରା ହେଉଛି ଓଡ଼ିଶାର ବଲାଙ୍ଗୀର ଜିଲ୍ଲାର ଏକ ଜଣାଶୁଣା ବରା, ଯାହାକି ମୁଖ୍ୟତଃ ଚାଉଳରୁ ହିଁ ପ୍ରସ୍ତୁତ କରାଯାଏ । କିନ୍ତୁ ଏହା ଖାଲି ବଲାଙ୍ଗୀର ନୁହେଁ ସମଗ୍ର ପଶ୍ଚିମ ଓଡ଼ିଶା ବାସୀଙ୍କ ପ୍ରିୟ ଅଟେ । ଆସନ୍ତୁ ଶିଖିବା ଚାଉଳ ବରା କେମିତି ପ୍ରସ୍ତୁତ କରିବା ।

ଆବଶ୍ୟକୀୟ ଉପାଦାନ:

୧. ଉଷୁନା ଚାଉଳ- ୩ କପ୍
୨. ବିରି- ୧ କପ୍
୩. ଲୁଣ
୪. କଟା ପିଆଜ
୫. ଭଲ ଭାବରେ ଛେଚା ହୋଇଥିବା ଅଦା
୬. କଟା ହୋଇଥିବା କଞ୍ଚା ଲଙ୍କା
୭. କଟା ଧନିଆଁ ପତ୍ର
୮. ଭୁଷଙ୍ଗ ପତ୍ର
୯. ଜୁଆଣୀ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଉଷୁନା ଚାଉଳକୁ ବତୁରେଇକି ପାଖାପାଖି ୭ରୁ ୮ ଘଣ୍ଟା ରଖିଦେବା । ଆପଣମାନେ ଉଷୁନା ସ୍ଥାନରେ ଅରୁଆ ଚାଉଳ ମଧ୍ୟ ବ୍ୟବହାର କରିପାରିଇବେ । ବିରିକୁ ମଧ୍ୟ ବତୁରେଇକି ରଖିଦେବେ । ଚାଉଳକୁ ଏବଂ ବିରିକୁ ଅଲଗା ଅଲଗା ବାଟି ପିଠଉ ପ୍ରସ୍ତୁତ କରିବେ ଏବଂ ଧ୍ୟାନ ରଖିବେ ଯେମିତି ଅଧିକ ପତଳା ବା ପାଣିଆ ନ ହୁଏ ।

ବିରିକୁ ବାଟିସାରିବା ପରେ ହାତରେ ଭଲ ଭାବରେ ଫେଣ୍ଟିବେ, ଯେମିତି ସେ ଫେଣ ଭଳି ହେଇଯିବ ଏବଂ ପରୀକ୍ଷା ପାଇଁ ପାଣିରେ ପକେଇବେ । ଯଦି ପାଣି ଉପରେ ଭାସୁଥିବ, ତେବେ ତାହା ଠିକ୍ ଭାବରେ ଫେଣ୍ଟାଯାଇଛି ବୋଲି ଜାଣିବେ ।

ଏହାପରେ ବଟା ହୋଇଥିବା ଚଉଳ ଓ ବିରିକୁ ଭଲ ଭାବରେ ମିଶେଇଦେବେ ଏବଂ ଆବଶ୍ୟକ ପରିମାଣରେ ଲୁଣ ଓ ଜୁଆଣୀ ଟିକେ ପକାଇ ଗୋଳେଇ ଦେବେ । ଏହା ସହ ଭଲ ଭାବରେ ଛେଚା ହୋଇଥିବା ଅଦା, ଛୋଟ ଛୋଟ ଆକାରରେ କଟା ହୋଇଥିବା ପିଆଜ, କଞ୍ଚାଲଙ୍କା, ଧନିଆଁ ପତ୍ର, ଭୁଷଙ୍ଗ ପତ୍ର ଆଦି ପକାଇ ଭଲ ଭାବରେ ଗୋଳେଇ ଦେବା ।

ଏହାପରେ ଏହାକୁ ଗୋଲ୍ ଗୋଲ୍ କରି ତେଲରେ ଛାଣିଦେବା । ଏବେ ଆମର ଚାଉଳ ବରା ପ୍ରସ୍ତୁତ । ଏହାକୁ ଆମେ ତେନ୍ତୁଳି ଚଟଣୀ, ଧଣିଆ ଚଟଣୀ ସହ ପରସିପାରିବା । ଚାଉଳ ବରାକୁ ଗରମ ଗରମ ଖାଇଲେ ସ୍ୱାଦ ଭଲ ଲାଗିଥାଏ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

କଳ୍ପନା ଦାଶ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।