ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ
ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ

ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ

ଭାରତ ସ୍ୱାଧୀନ ହେବା ପୂର୍ବରୁ ଯେତେବେଳେ ନାରୀମାନଙ୍କୁ ପାଠପଢ଼ିବାର ଅନୁମତି ମିଳିବା କଷ୍ଟକର ହୋଇଯାଉଥିଲା ସେହି ସମୟରେ କଟକ ଡାକ୍ତରୀ ବିଦ୍ୟାଳୟରେ ଡାକ୍ତରୀ ଶିକ୍ଷା ଗ୍ରହଣ କରି ୧୯୨୧ ମସିହାରେ ସ୍ୱର୍ଣ୍ଣ ପଦକ ସହ ଏଲ୍.ଏମ୍.ପି. ଡିଗ୍ରୀ ପାଇ ଉତ୍ତୀର୍ଣ୍ଣ ହୋଇଥିଲେ ଓଡ଼ିଶାର ପ୍ରଥମ ମହିଳା ଡାକ୍ତର, ଲେଖିକା, ଔପନ୍ୟାସିକା, କବୟିତ୍ରୀ ତଥା ସମ୍ପାଦିକା ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ ।

୧୯୦୧ ମସିହାର ଫେବୃଆରୀ ମାସ ୮ ତାରିଖରେ ଛତିଶଗଡ଼ର ବସ୍ତର ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା କୁନ୍ତଳା କୁମାରୀ ସାବତଙ୍କର ପିତାଙ୍କ ନାମ ଥିଲା ଡାନିଏଲ ସାବତ, ଯିଏକି ପେଶାରେ ଜଣେ ଡାକ୍ତର ଥିଲେ ଏବଂ ତାଙ୍କ ମାଆ ଥିଲେ ମୋନିକା ସାବତ । କୁନ୍ତଳାଙ୍କର ଜନ୍ମପରେ ତାଙ୍କ ପରିବାର ବର୍ମା ଚାଲିଯାଇଥିଲେ ଏବଂ ସେଠାରେ ସେ ତାଙ୍କର ୧୪ ବର୍ଷଯାଏଁ ରହିଥିଲେ, ମାତ୍ର ତାଙ୍କର ପିତା ସେଠାରେ ଅନ୍ୟ ଏକ ବିବାହ କରିବାରୁ ସେ ତାଙ୍କ ମାତାଙ୍କ ସହ ପୁନଃ ଓଡ଼ିଶା ଫେରିଆସିଥିଲେ ।

ବର୍ମାରୁ ଫେରିବାପରେ ଉଭୟ ମାଆଝିଅ ପ୍ରଥମେ ଖୋର୍ଦ୍ଧାରେ ରହୁଥିଲେ । ସେ ଯୁଗରେ ନାରୀ ଶିକ୍ଷା ଆଦୌ ନ ଥିଲା କହିଲେ ଚଳେ । କିନ୍ତୁ ତାଙ୍କର ମାଆଙ୍କର ଅଦମ୍ୟ ଇଚ୍ଛା ଯୋଗୁଁ ସେ ପ୍ରଥମେ ରେଭେନସା ବାଳିକା ବିଦ୍ୟାଳୟରେ ଶିକ୍ଷା ଲାଭ କରିଥିଲେ ଏବଂ ପରେ କଟକ ଡାକ୍ତରୀ ବିଦ୍ୟାଳୟରେ ଡାକ୍ତରୀ ଶିକ୍ଷା ଗ୍ରହଣ କରିଥିଲେ । ସେ ଓଡ଼ିଆ ଭାଷା ଛଡ଼ା ହିନ୍ଦୀ, ବଙ୍ଗଳା, ଇଂରାଜୀ ଓ ବର୍ମାର ଭାଷା ମଧ୍ୟ ଶିଖିଥିଲେ ।

ସାବତ ଡାକ୍ତରୀ ପାଠ ଶେଷ କରିବା ପରେ ସରକାରୀ ଚାକିରୀରେ ଯୋଗ ନ ଦେଇ ନିଜେ ସ୍ୱାଧୀନ ଭାବରେ ଚିକିତ୍ସା କରିବାକୁ ସ୍ଥିର କରିଥିଲେ ଏବଂ ଡାକ୍ତର କୈଳାସ ଚନ୍ଦ୍ର ରାଓଙ୍କ ତତ୍ତ୍ୱାବଧାନରେ କଟକରେ ଚିକିତ୍ସା ସେବା ୧୯୨୧ରୁ ୧୯୨୮ ପର୍ଯ୍ୟନ୍ତ କରିଥିଲେ । ସେ ସମୟରେ ସେ ତାଙ୍କର ଗୁରୁ କୈଳାସଚନ୍ଦ୍ରଙ୍କ ପ୍ରତି ଅନୁରାଗୀ ଥିଲେ ଓ ତାଙ୍କୁ ନେଇ କବିତା ଲେଖିବା ଆରମ୍ଭ କରିଥିଲେ ।

ପରେ କୈଳାସଙ୍କ ସହାୟତାରେ ତାଙ୍କର “ତାରା ପ୍ରତି” ଶୀର୍ଷକ ଏକ କବିତା ଉତ୍କଳ ସାହିତ୍ୟରେ ପ୍ରକାଶ ପାଇଲା ଏବଂ ପରେପରେ ଶେଫାଳି ପ୍ରତି, କମଳ ପ୍ରତି ଆଦି ପ୍ରକାଶ ପାଇଥିଲା, ଯାହାଦ୍ୱାରା ତାଙ୍କୁ ଅନେକ ପ୍ରଶଂସା ମଧ୍ୟ ମିଳିଥିଲା । ଯେହେତୁ ତାଙ୍କ ପିତା ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ ତେଣୁ ସେ ଡ. କୈଳାସ ଚନ୍ଦ୍ରଙ୍କୁ ବିବାହ କରିବା ନିମନ୍ତେ ବ୍ରାହ୍ମ ଧର୍ମ ଗ୍ରହଣ କରିଥିଲେ ମଧ୍ୟ ତାଙ୍କର ବିବାହ ହୋଇ ପାରି ନ ଥିଲା । ତା’ପରେ ସେ ଦିଲ୍ଲୀରେ ଆର୍ଯ୍ୟ ଧର୍ମ ଗ୍ରହଣ କରି ବ୍ରହ୍ମଚାରୀ କୃଷ୍ଣ ପ୍ରସାଦ ଦାସଙ୍କୁ ୮ ଅଗଷ୍ଟ ୧୯୨୮ ମସିହାରେ ବିବାହ କରିଥିଲେ ।

ସେ ସମୟରେ ଘୃଣ୍ୟ ଜାତିପ୍ରଥା, ପରଦା ପ୍ରଥା, ବାଲ୍ୟ ବିବାହ ଓ ମହିଳା ପ୍ରଭେଦ ବିରୁଦ୍ଧରେ ସେ ସ୍ୱର ଉତ୍ତୋଳନ କରି ଅନେକ କାଳଜୟୀ କବିତା ଲେଖିଥିଲେ । ଏହା ବ୍ୟତୀତ ସେ ଅନେକ ଦେଶାତ୍ମବୋଧକ କବିତା ରଚନା କରିଥିଲେ । ବିଧବା ବିବାହ ଓ ନାରୀ ସଶକ୍ତିକରଣ ନିମନ୍ତେ ବିଭିନ୍ନ କାର୍ଯ୍ୟ କରିବା ସହ ଏକୁ ନେଇ ସେ ଅନେକ କବିତାମାନ ରଚନା କରିଥିଲେ । ତାଙ୍କ ରଚିତ କିଛି କାଳଜୟୀ ଉପନ୍ୟାସ ହେଉଛି ଭ୍ରାନ୍ତି, ନଅତୁଣ୍ଡୀ, କାଳୀବୋହୁ, ରଘୁ ଅରଖିତ, ପରଶମଣି, ଚିତ୍ରପଟ ।

ଓଡ଼ିଆରେ କବିତା, ଉପନ୍ୟାସ ଆଦି ଲେଖିବା ସହ ସେ ହିନ୍ଦୀ ସାହିତ୍ୟରେ ମଧ୍ୟ ଲେଖାଲେଖି କରୁଥିଲେ । ମହାବୀର, ଜୀବନ ଓ ନାରୀ ଭାରତୀ ଭଳି ହିନ୍ଦୀ ପତ୍ରିକାମାନଙ୍କର ସେ ସମ୍ପାଦିକା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଓ ଆହ୍ଲାବାଦ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସେ ବକ୍ତୃତା ଦେବା ନିମନ୍ତେ ନିମନ୍ତ୍ରିତ ହୋଇଥିଲେ । ଓଡ଼ିଆ ଭାଷାର ଉନ୍ନତି କଳ୍ପେ ଦିଲ୍ଲୀରେ ସେ ଭାରତୀ ତପୋବନ ସଂଘ ନାମରେ ଏକ ସମିତି ଗଢ଼ିଥିଲେ । ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତି ତାଙ୍କୁ “ଉତ୍କଳ ଭାରତୀ” ନାମରେ ସମ୍ମାନିତ କରିଥିଲେ । ତାଙ୍କର ଅନେକ ରଚନା ଇଂରାଜୀ ତଥା ଅନ୍ୟାନ୍ୟ ଭାରତୀୟ ଭାଷାରେ ଅନୁବାଦିତ ହୋଇଛି ।
୧୯୩୮ ମସିହାର ଅଗଷ୍ଟ ମାସ ୩୦ ତାରିଖରେ ସେ ତାଙ୍କର ଅଗଣିତ ପାଠକ ତଥା ପ୍ରଶଂସକମାନଙ୍କୁ ଶୋକ ସାଗରରେ ଭସେଇ ଆରପାରିକୁ ଚାଲିଯାଇଥିଲେ । ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୩୭ ବର୍ଷ ବୟସ ହୋଇଥିଲା ।

“ତୋ’ ପରି କ୍ଷୁଦ୍ର ମୁହିଁ ‘ତୋ’ ପରି କ୍ଷଣିକ,
ହସେ, ରସେ, ବାସେ ମାତ୍ର ଫୁଟିଅଛି ଘଡ଼ିକ ।
ଶେଫାଳି ପ୍ରତି, କୁନ୍ତଳା କୁମାରୀ ସାବତ

(ତଥ୍ୟ: ଉଇକିପିଡ଼ିଆ)

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଂଗ୍ରାମ କେଶରୀ ସେନାପତି

ସଂଗ୍ରାମ କେଶରୀ ସେନାପତି, ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ । ସେ ଓଡ଼ିଆରେ ଗଳ୍ପ, ପ୍ରବନ୍ଧ ଆଦି ଲେଖାଲେଖି କରନ୍ତି ଏବଂ ଓଡ଼ିଆ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପରେ ପ୍ରାୟତଃ କାର୍ଯ୍ୟ କରନ୍ତି ।

Leave a Reply

Close Menu