You are currently viewing ଶିଶିର ଶୋଭା
ଶିଶିର ଶୋଭା

ଶିଶିର ଶୋଭା

ଶିଶିର ଆକାଶେ ଶଶଧର ଦିଶେ
ଶୁଭ୍ର ମେଘଖଣ୍ଡ ଭାସୁଛି
ଶ୍ୱେତବର୍ଣ୍ଣର କାଶତଣ୍ଡି ଫୁଲେ
ଶ୍ମଶାନ ବାଲିପଠା ହସୁଛି ।

ଶତହ୍ରଦା (ବିଜୁଳି) ଆଉ ନଭେ ଚମକୁନି
ଶୁନାଶୀର ଗରବେ ହସୁନି
ଶୀତାତପ ଦାଉ ଅସହିଷ୍ଣୁ ନୁହେଁ
ଶ୍ରମ ଝାଳ ଆଉ ବୋହୁନି ।

ଶଫରୀ (କେରାଣ୍ଡି) ଡେଉଁଛି ଅତି ଗରବରେ
ଶସ୍ୟକ୍ଷେତେ ଗଣ୍ଡେ ଜଳରେ
ଶାଳିଧାନ ସବୁ ଉଙ୍କି ମାରିଲାଣି
ଶାରଦ ନୈବେଦ୍ୟ ଆଶରେ
ଶତମୂଳା (ଦୂବଘାସ) ସବୁ କଅଁଳି ହସୁଛି
ଶୋଭିବ ଶାରଦା ଶିରରେ ।

ଶତଦଳ ପଦ୍ମ ଶୋଭେ ସରୋବରେ
ଶୀକର (ଜଳବିନ୍ଦୁ) ପଦୁଅଁ ପତରେ ।
ଶିରିଷ ଫୁଲ ଯେ ହସୁଅଛି ଦେଖ
ଶିରି ଶିରି ବାଆ ବହୁଛି
ଶିହରଣ ଖେଳେ ପ୍ରେମିକ ହୃଦରେ
ଶାଳୀନତା ଭୁଲିଯାଉଛି ।

ଶୁଭ ମୁଖବାଦ୍ୟ ଶୁଭ ମୁହୁର୍ତ୍ତରେ
ଶୋଭନୀୟ ମଞ୍ଚ ହୋଇବ
ଶଙ୍ଖ ଭେରୀ ତୂରୀ ମାଦଳ ଶବଦେ
ଶାରଦୀୟ ପୂଜା ମୋହିବ ।

ଶାନ୍ତିପ୍ରଦାୟିନୀ ମହିଷମର୍ଦିନୀ
ଶକ୍ତିମୟୀ ବରଦାୟିନୀ
ଶତ କୁମ୍ଭ ନେଇ ପୁର ଲଳନାଏ
ଶ୍ରଦ୍ଧାରେ ପୂଜିବେ ଜନନୀ ।
“ଜୟ ମା ଜନନୀ”

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶାନ୍ତିଲତା ରଥ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରନ୍ତି ।